ଶେୟାର ବଜାର ଦେଇ ଆସିଛି ଆର୍ଥିକ ପ୍ରଳୟ


ଅଷ୍ଟାଦଶ ଲୋକସଭା ନିର୍ବାଚନ ଫଳାଫଳ ଆସିବା ପରେ ଅର୍ଥାତ ଜୁନମାସ ୪ ତାରିଖ ଦିନ ଶେୟାର ବଜାରରେ ହଠାତ୍ ସୁନାମି ଆସିଥିଲା । ଏହିଦିନ ଶେୟାର ବଜାରରେ ୩୨ ଲକ୍ଷ କୋଟିରୁ ଅଧିକ ଟଙ୍କା କ୍ଷତି ହୋଇଥିଲା । କ’ଣ ଏସବୁ ନିର୍ମଳ ବା ଏହା ପଛରେ କ’ଣ କିଛି ଷଡ଼ଯନ୍ତ୍ର ନଥିଲା? ଏଥିରେ ହୁଏତ ଷଡ଼ଯନ୍ତ୍ର ନଥାଇ ପାରେ କିନ୍ତୁ ଇତି ମଧ୍ୟରେ ବିଶ୍ୱର ଦୁଇଜଣ ଅର୍ଥଶାସ୍ତ୍ର ବିଷାରଦ ଏ ପ୍ରସଙ୍ଗରେ ଯାହା  କହିଛନ୍ତି ତାକୁ ଅଣଦେଖା କରାଯାଇ ନପାରେ । ଏଦୁଇ ଅର୍ଥଶାସ୍ତ୍ର ବିଷାରଦ ଭବିଷ୍ୟବାଣୀ କରିଛନ୍ତି ଯାହାଦ୍ୱାରା  କେବଳ ସାଧାରଣ ଲୋକ ନୁହଁନ୍ତି ବରଂ ଶେୟାର ବଜାରର ବିଶେଷଜ୍ଞମାନେ ମଧ୍ୟ ଚମକି ପଡ଼ିଛନ୍ତି । ଭବିଷ୍ୟବାଣୀ ଆସିଛି ଆମେରିକାରୁ ଏବଂ ଦୁଇଜଣ ଯାକ ଅର୍ଥଶାସ୍ତ୍ର ବିଷାରଦଙ୍କ ଭବିଷ୍ୟବାଣୀ ପ୍ରାୟ ଏକ ପ୍ରକାରର ।
ପ୍ରଥମ ଭବିଷ୍ୟବାଣୀ କରିଛନ୍ତି ଆମେରିକାର ଅର୍ଥ ବିଷାରଦ ହେରୀ ଡେଣ୍ଟ । ହେରିଙ୍କ ମତରେ ଆସନ୍ତାବର୍ଷ ସୁଦ୍ଧା ବିଶ୍ୱ ସାରା ଶେୟାର ବଜାରରେ ୯୨ ପ୍ରତିଶତ ପର୍ଯ୍ୟନ୍ତ କ୍ଷତି ହୋଇପାରେ । ୧୯୨୫ରୁ ୧୯୨୯ ମଧ୍ୟରେ ଆସିଥିବା ମାନ୍ଦାବସ୍ଥାରେ ଯେଭଳି ଆର୍ଥିକ ଅବ୍ୟବସ୍ଥା ଦେଖାଯାଇଥିଲା ଏବେ ଅବସ୍ଥା ତା ଠାରୁ ଅଧିକ ଭୟଙ୍କର ହେବ । ଦ୍ୱିତୀୟ ଭବିଷ୍ୟବାଣୀ କିନ୍ତୁ ପ୍ରଥମ ଭବିୀଷ୍ୟବାଣୀ ଅପେକ୍ଷା ଟିକେ କମ୍ ଗୁରୁତ୍ୱ ବହନ କରିଛି । 
ଦ୍ୱିତୀୟ ଭବିଷ୍ୟବାଣୀ ଯିଏ କରିଛନ୍ତି ତାଙ୍କୁ ଶେୟାର ବଜାରର ଭଗବାନ ବୋଲି ମଧ୍ୟ କୁହାଯାଏ । ଏ ହେଉଛନ୍ତି ଅର୍ଥଶାସ୍ତ୍ରୀ ଗେରୀ ସିଲିଙ୍ଗ । ଗେରୀଙ୍କ ମତରେ ଆସନ୍ତା ବର୍ଷ ସୁଦ୍ଧା ଶେୟାର ବଜାର ୩୦ରୁ ୪୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇବ ଏବଂ ଏହା ଦ୍ୱାରା ସାରା ବିଶ୍ୱର ଆର୍ଥିକ ବଜାରକୁ ଏହା ପ୍ରଭାବିତ କରିବ । ଗେରୀ ସିଲିଙ୍ଗଙ୍କ ଭବିଷ୍ୟବାଣୀରେ ଅନେକ କିଛି ତଥ୍ୟ ରହିଛି । ଗେରୀ କହିଛନ୍ତି ଯେ ବିଗତ କିଛି ବର୍ଷହେବ କ୍ରମାଗତ ଭାବେ ଆର୍ଥିକ ମାନ୍ଦାବସ୍ଥା ଭିତରେ ଭିତରେ ଗଭୀର ହେବାରେ ଲାଗିଛି କିନ୍ତୁ ଶେୟାର ବଜାର ଏମିତି କିଛି ଦେଖାଇବା ପାଇଁ ଚାହୁଁଛି ସତେ ଯେମିତି ଆର୍ଥିକ ମାନ୍ଦାବସ୍ଥା ନୁହେଁ ବରଂ ଯେମିତି ଶେୟାର ବଜାର ଜବରଦସ୍ତ ଉଛୁଳିବା ଭଳି ଅବସ୍ଥାରେ ପହଞ୍ଚିଛି । କିନ୍ତୁ ଶେୟାର ବଜାର ଯେମିତି ଚିତ୍ର ଦେଖାଉଛି ତାହା ବେଶି ଦିନ ରହିବ ନାହିଁ ।
ହେରି ଟେଣ୍ଟଙ୍କ ମତ ହେଉଛି ଯେ ସାଧାରଣ ଭାବେ ଏଭଳି ମାନ୍ଦାବସ୍ଥା ୫-୬ ବର୍ଷ ଅନ୍ତରରେ ରହି ରହି ଆସିଥାଏ । କିନ୍ତୁ ବିଗତ ୧୪ ବଷୟ ହେବ ଯେଭଳି ଭାବେ ଶେୟାର ବଜାର ଏହି ବାସ୍ତବିକ୍ ହ୍ରାସକୁ ଦବାଇବା ପାଇ ଉଦ୍ୟମ ଜାରି ରହିଛି ସେଥିପାଇଁ ବର୍ଷକ ମଧ୍ୟରେ ହିଁ ଶେୟାର ବଜାର ଜ୍ୱାଳାମୁଖୀର ବିଷ୍ଫୋରଣ ଭଳି ଆକାର ନେଇପାରେ । ଏହି ବିସ୍ଫୋରଣ ଭୟାନକ ହୋଇପାରେ ଯେ ଆସନ୍ତା ୧୪-୧୫ ବର୍ଷ ମଧ୍ୟରେ  ବି ଶେୟାର ବଜାର ତାର ଅବସ୍ଥାକୁ ସୁଧାରି ପାରିବ ନାହିଁ । ହେରିଡେଣ୍ଟଙ୍କ ଅନୁସାରେ ଆମେରିକାର ଏସ୍ଏଣ୍ଡପି ୪୬ ପ୍ରତିଶତ ଓ ନେସଡେକ ପାଖାପାଖି୯୨ ପ୍ରତିଶତ କ୍ଷତି ସହିତ । ଏନ୍ବିଡିୟା ଭଳି ଶେୟାର ବଜାର ସମ୍ପର୍କରେ ହେରିଡେଣ୍ଟଙ୍କ ଭବିଷ୍ୟବାଣୀ ହେଉଛି ଯେ ଏହି ସଂସ୍ଥା ୯୮ ପ୍ରତିଶତରୁ ଅଧିକ କ୍ଷତିଗ୍ରସ୍ତ ହେବ । ଯଦି ପ୍ରକୃତରେ ଏହି ଭବିଷ୍ୟବାଣୀ ସତ୍ୟ ହୁଏ ତେବେ କେବଳ ଆମେରିକା ନୁହେଁ ସାରା ବିଶ୍ୱର କୋଟି କୋଟି ପୁଜ୍ଞି ନିବେଶକଙ୍କର ଲକ୍ଷ ଲକ୍ଷ କୋଟି ଡଲାରର କ୍ଷତି ହେବ ଏବଂ ଶେୟାର ବଜାର ଆସନ୍ତ କିଛି ଦଶନ୍ଧି ପର୍ଯ୍ୟନ୍ତ ସୁଧୁରି ପାରିବ ନାହିଁ ।
ଯଦି ଏହି ଭବିଷ୍ୟବାଣୀ ଅନ୍ୟ କେହି ଅର୍ଥଶାସ୍ତ୍ରୀ କରିଥାନ୍ତେ ତେବେ ତାଙ୍କୁ ଅନେକ ସମାଲୋଚନାର ଶରବ୍ୟ ହେବାରୁ ପଡ଼ିଥାନ୍ତା । କିନ୍ତୁ ଏହି ଭବିଷ୍ୟବାଣୀ ଯିଏ କରଛନ୍ତି ସେଇ ଅର୍ଥଶାସ୍ତ୍ରୀ ୧୯୮୯ରେ ଜାପାନରେ ଏସେଣ୍ଟ ପ୍ରାଇସ ବାବଦରେ ସଠିକ୍ କଥା କହିଥିଲେ । ୯୦ ଦଶକରେ ଏହି ଅର୍ଥଶାସ୍ତ୍ରୀ କହିଥିଲେ ଯେ ୨୦୦୦ରେ ଏସେଣ୍ଟ ପ୍ରାଇସ୍ କ୍ଷତିଗ୍ରସ୍ତ ହେବ ଓ ପୁରା ଡୁବିଯିବ । ତାଙ୍କ  ଭିଷ୍ୟବାଣୀ ଠିକ୍ ହୋଇଥିଲା । ୧୯୯୬-୯୭ ପର୍ଯ୍ୟନ୍ତ ଏହି ସଂସ୍ଥା ସଫଳତାର ଶୀର୍ଷରେ ପହଞ୍ଚିଥିଲା । ଲୋକେ କମ୍ପାନୀ ବାବଦରେ ଅଧିକ କିଛି ଜାଣି ନଥିଲେ ମଧ୍ୟ ଏହି କମ୍ପାନୀ ଆରମ୍ଭ ହେବା ପରେ ସୁନା ଅଣ୍ଡା ଦିଆ କୁକୁଡ଼ା ପାଲଟି ଯାଇଥିଲା । କିନ୍ତୁ ୨୦୦୦ ମସିହାରେ କମ୍ପାନୀ ହଠାତ୍ ଏଭଳି ଅବସ୍ଥାକୁ ଆସିଥିଲା ଯେ ଆଉ ସୁଧୁରି ପାରି ନଥିଲା । ହେରୀ ଡେଣ୍ଟ କଥାକୁ ଅଧିକ ଗୁରୁତ୍ୱ ଦିଆଯାଇ ନଥାନ୍ତା ଯଦି ଶେୟାର ବଜାରର ଭଗବାନ ବୋଲି କୁହାଯାଉଥିବା ଗେରି ସିଲିଙ୍ଗ ହେରୀ ଡେଣ୍ଟଙ୍କ ଭଳି ସମାନ କଥା କହିନଥାନ୍ତେ । ଗେରି ସିଲିଙ୍ଗ୍ଙ୍କ ମତ ହେଉଛି ୨୦୦୮ରେ ଆମେରିକାର ଅର୍ଥବ୍ୟବସ୍ଥାରେ ଯେଉଁ ମାନ୍ଦାବସ୍ଥା ଦେଖା ଦେଇଥିଲା ଏବଂ କରୋନା ମହାମାରୀ କାରଣରୁ ଆମେରିକାର ଶେୟାର ବଜାର ହ୍ରାସ ପାଇଥିଲା ତାହା ବିପଦର ସମ୍ପୂର୍ଣ୍ଣ ଚିତ୍ର ନଥିଲା, ବରଂ ତାହା କିଛି ଅଂଶ ଥିଲା । ପୁରା ଚିତ୍ର ସେତେବେଳେ ଆସିଯିବ ଯାହା ଅତୀବ ଭୟାନକ ହେବ । ଗେରୀଙ୍କ ଅନୁସାରେ ଆସନ୍ତା ବର୍ଷେ ଦୁଇବର୍ଷ ମଧ୍ୟରେ ଶେୟାର ବଜାରରେ ପୁଞ୍ଜି ନିବେଶ କରୁଥିବା ୪୦ ରୁ ୫୦ ପ୍ରତିଶତ ନିବେଶକ କାଙ୍ଗାଳ ହୋଇଯିବେ କାରଣ ପୁଞ୍ଜି ବଜାରରେ ୩୦ରୁ ୪୦ ପ୍ରତିଶତ ହ୍ରାସ ବହୁତ ଅଥିକ ଅଟେ । ଏ ଦୁଇ ଭବିଷ୍ୟବକ୍ତାଙ୍କ ଭବିଷ୍ୟବାଣୀ ନଷ୍ଟ୍ରୋଡାମସ ଓ ଅନ୍ୟ ଭବିଷ୍ୟବକ୍ତାଙ୍କ ପ୍ରଳୟ ସମ୍ପର୍କୀତ ଭବିଷ୍ୟବାଣୀ ଭଳି । କିନ୍ତୁ ହେରି ଡେଣ୍ଟ ଓ ଗେରି ସିଲିଙ୍ଗଙ୍କ ଭଳି ଅର୍ଥଶାସ୍ତ୍ର ବିଷାରଦ ଶେୟାର ବଜାର ସମ୍ପର୍କରେ ଯାହା କହିଛନ୍ତି ତା ପଛରେ କିଛି ଠୋସ ତଥ୍ୟ ରହିଛି ନିଶ୍ଚୟ । ଏପରିକିଏ ଦୁହିଁଙ୍କ ଭବିଷ୍ୟବାଣୀ ପୂର୍ବରୁ ଠିକ୍ ବୋଲି ସାବ୍ୟସ୍ତ ହୋଇ ସାରିଛି । ଏଣୁ ଏମାନଙ୍କ କଥାକୁ ଅବିଶ୍ୱାସ ମଧ୍ୟ କରାଯାଇ ନପାରେ । ଅନ୍ୟପକ୍ଷରେ ବିଶ୍ୱସ୍ତରରେ ସମ୍ମାନିତ ଅର୍ଥଶାସ୍ତ୍ର ବିଷାରଦ ଗେରି ଓ ହେରି ଭୁଲ କଥା କହିବେ ବା କାହିଁକି? ଏ ଦୁହିଁଙ୍କ ଭବିଷ୍ୟବାଣୀକୁ ବିଶ୍ୱର ଅନ୍ୟ କେହି ଅର୍ଥଶାସ୍ତ୍ରୀ ସମାଲୋଚନା କରି ନାହିଁନ୍ତି କିମ୍ବା ଭୁଲ ବୋଲି ମଧ୍ୟ କହିନାହାଁନ୍ତି । ତାହେଲେ କ’ଣ ଭାବି ନେବା ଉଚିତ୍ ଯେ ପାଦ ଚାପି ଚାପି ଆର୍ଥିକ ପ୍ରଳୟ ଏବେ ଆମ ଆଡ଼କୁ ମାଡ଼ି ଆସୁଛି? ଏହା ଘଟିଲେ ସାରା ବିଶ୍ୱ କ୍ଷତିଗ୍ରସ୍ତ ହେବ ନିଶ୍ଚୟ ।
        ରାମଚନ୍ଦ୍ରପୁର, ରଣପୁର
ମୋ-୯୪୩୮୪୮୫୦୯୪