ରାମାୟଣର କେତୋଟି ଅଜଣା କଥା
ଚୈତ୍ର ଶୁକ୍ଳ ନବମୀ ତିଥି ରାମ ନବମୀ ରୂପେ ପରିଚିତ । ଏହି ଦିନ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ପବିତ୍ର ଜନ୍ମୋତ୍ସବ । ଅଧର୍ମର ମୂଳୋତ୍ପାଟନ, ରାବଣ ଆଦି ରାକ୍ଷସମାନଙ୍କୁ ସଂହାର କରିବାକୁ ଶ୍ରୀବିଷ୍ଣୁଙ୍କ ସପ୍ତମ ଅବତାର ପ୍ରଭୁ ରାମଚନ୍ଦ୍ର ଧରାବତରଣ କରିଥିଲେ । ପ୍ରାପ୍ତ ବୟସରେ ମିଥିଳା ନରେଶ ଜନକଙ୍କ ଦୁହିତା ଦେବୀ ସୀତାଙ୍କ ସହିତ ତାଙ୍କ ବିବାହ ବିଧି ସମ୍ପନ୍ନ ହୋଇଥିଲା । ପିତୃସତ୍ୟ ପାଳନ କରି ରାଜସୁଖ ପରିହାର ପୂର୍ବକ ଦେବୀ ସୀତା ଓ ଅନୁଜ ଲକ୍ଷ୍ମଣଙ୍କ ସହ ପ୍ରଭୁ ଚଉଦ ବର୍ଷ ବନବାସ ଯାଇଥିଲେ । ଦଣ୍ଡକାରଣ୍ୟରେ ଅବସ୍ଥାନ କାଳରେ ଦୁରାଚାରୀ ରାବଣ ମାତା ସୀତାଙ୍କୁ ଅପହରଣ କରିନେଲା । ରାବଣ ସମେତ ସମସ୍ତ ରାକ୍ଷସଙ୍କୁ ନିଧନ କରିଥିଲେ ପ୍ରଭୁ । ବନବାସ ପରେ ତାଙ୍କୁ ରାଜସିଂହାସନରେ ଅଭିସିକ୍ତ କରାଗଲା । ପ୍ରଜାକୁଳକୁ ସମ୍ମାନ ଦେବାକୁ ଦେବୀ ସୀତା ଅଗ୍ନିପରୀକ୍ଷା ଦେଇଥିଲେ ମଧ୍ୟ ପ୍ରଭୁ ତାଙ୍କୁ ନିର୍ବାସନ ଦଣ୍ଡ ଦେଇଥିଲେ । ପ୍ରଭୁ ତାଙ୍କ ଅବତାରରେ ସମ୍ପୂର୍ଣ୍ଣ ମାନବ ଜୀବନଯାପନ କରିଥିଲେ । ମର୍ଯ୍ୟାଦା ପାଇଁ ସେ ନିଜର ସମସ୍ତ ସୁଖ ବଳି ଦେଇଥିଲେ । ଏହା ହିଁ ମାନବ ସମାଜ ପାଇଁ ଏକ ବଡ଼ ଶିକ୍ଷା । ପବିତ୍ର ରାମନବମୀ ଉପଲକ୍ଷେ ନଅ ଦିନ ବ୍ୟାପୀ ଭଜନ, କୀର୍ତ୍ତନ, ଯଜ୍ଞ, ରାମଚରିତ ମାନସ ଆଦି ପାଠ କରାଯାଏ । ଶ୍ରୀମନ୍ଦିରରେ ମଧ୍ୟ ଶ୍ରୀରାମଙ୍କ ଜନ୍ମୋତ୍ସବ ଅନୁଷ୍ଠିତ ହୋଇଥାଏ । ସ୍ୱୟଂ ପ୍ରଭୁ ଶ୍ରୀଜଗନ୍ନାଥ ମାତା ରୂପେ ବିଳମ୍ବିତ ରାତ୍ରୀରେ ଶ୍ରୀରାମଙ୍କୁ ଜନ୍ମ ଦେଇଥାନ୍ତି । ମଧ୍ୟାହ୍ନରେ ଠାକୁରମାନଙ୍କ ମଧ୍ୟାହ୍ନ ଧୂପ ନୀତି ଶେଷ ହେବାପରେ ଜନ୍ମନୀତି ଅନୁଷ୍ଠିତ ହୋଇଥାଏ । ଦୁଇଜଣ ମହାଜନ ସେବକ ଦଶରଥ ଓ କୌଶଲ୍ୟା ହୋଇ ଜନ୍ମବିଧି ପାଳନ କରିଥାନ୍ତି । ଗୁପ୍ତନୀତି କେହି ନଦେଖିବା ପାଇଁ ଗର୍ଭଗୃହରେ ଥିବା ଜୟବିଜୟ ଦ୍ୱାର ବନ୍ଦ କରିଦିଆଯାଏ । ମହର୍ଷି ବାଲ୍ମିକୀ ରାମାୟଣ ମହାକାବ୍ୟର ରଚନା କରିଥିଲେ । ଏଥିରେ ୨୪ ହଜାର ଶ୍ଳୋକ, ୫ ଶହ ଉପଖଣ୍ଡ ଏବଂ ଉତ୍ତର ସହିତ ୭ଟି କାଣ୍ଡ ରହିଛି । ଯେଉଁ ସମୟରେ ରାଜା ଦଶରଥ ପୁତ୍ରୋଷ୍ଠି ଯଜ୍ଞ କରାଇଥିଲେ, ସେ ସମୟରେ ତାଙ୍କ ବୟସ ପାଖାପାଖି ୬୦ ହଜାର ବର୍ଷ ଥିଲା । ବାଲ୍ମିକୀ ରାମାୟଣ ଅନୁଯାୟୀ ଭଗବାନ ରାମଙ୍କ ଜନ୍ମ ଚୈତ୍ର୍ୟ ଶୁକ୍ଳପକ୍ଷ ନବମୀ ତିଥି ପୁନର୍ବସୁ ନକ୍ଷତ୍ର କର୍କଟ ଲଗ୍ନରେ ହୋଇଥିଲା । ଏହି ସମୟରେ ସୂର୍ଯ୍ୟ, ମଙ୍ଗଳ, ଶନି, ଗୁରୁ, ଶୁକ୍ର ଆଦି ଗ୍ରହ ନିଜ ନିଜ ଉଚ୍ଚ ସ୍ଥାନରେ ରହିଥିଲେ । ତୁଳସୀ ଦାସଙ୍କ ରାମାୟଣରେ ସୀତାଙ୍କ ସ୍ୱୟମ୍ବର ବିଷୟରେ ଉଲ୍ଲେଖ ରହିଛି, ମାତ୍ର ବାଲ୍ମିକୀ ରାମାୟଣରେ ଏହା ଦେଖିବାକୁ ମିଳେ ନାହିଁ । ସେ ରାବଣକୁ ଅଭିଶାପ ଦେଲେ, ଜଣେ ନାରୀ ପାଇଁ ତୋର ପ୍ରାଣ ଯିବ । ପରେ ବେଦବତୀ ହିଁ ଜନକପୁତ୍ରୀ ସୀତା ହୋଇ ଜନ୍ମ ନେଲେ ।
ଡକ୍ଟର ତପନ କୁମାର ପାଳ,ମୋ : ୯୯୩୭୬୫୮୩୬୨