ମୁକ୍ତିର ମାଧୁର୍ଯ୍ୟ


ସାରା ବିଶ୍ୱରେ ଆମ ଦେଶ ଭାରତର ମୁଖ୍ୟତଃ ଦୁଇଗୋଟି ସ୍ୱତନ୍ତ୍ର ପରିଚିତି ରହିଛି । ତାହା ହେଉଛି ଶକ୍ତିଶାଳୀ ବ୍ରିଟିଶ ସରକାର ବିରୁଦ୍ଧରେ ଅହିଂସାର ମାର୍ଗ ଅନୁସରଣ କରି ସ୍ୱାଧୀନତା ହାସଲ କରିବା ଏବଂ ବିବିଧତା ଭିତରେ ଏକତା । ଜାତିର ପିତା ମହାତ୍ମା ଗାନ୍ଧି ତଥା ଦେଶର କିଛି ଜନନାୟକଙ୍କ ନେତୃତ୍ୱରେ ଅହିଂସା ମାର୍ଗରେ ପରିଚାଳିତ ହୋଇ ଦେଶର ଜନସାଧାରଣ ଆଜିକୁ ୭୭ ବର୍ଷ ତଳେ ହାସଲ କରିଥିଲେ ସ୍ୱାଧୀନତା ।  ବିଗତ ୭୭ବର୍ଷ ଭିତରେ ଦେଶରେ ଘଟିଯାଇଛି ଅନେକ ଘଟଣା ଦୁର୍ଘଟଣା; ଉଲ୍ଲେଖନୀୟ ଭାବରେ ବଦଳି ଯାଇଛି ସବୁ କ୍ଷେତ୍ରର ପରିସଂଖ୍ୟାନ ତାହା ପୁଣି ଦ୍ରୁତ ବେଗରେ । ଆଜିର ଏଇ ସ୍ୱାଧୀନତା ଦିବସ ଅବସରରେ ସେ ସବୁ ଉପରେ ପୁଣିଥରେ ଆଖି ପହଁରାଇ ଆଣିବାର ପ୍ରାସଙ୍ଗିକତା ରହିଛି ବୋଲି ଆମେ ମନେକରୁ । ପ୍ରଥମେ ଦେଶ ବିଭକ୍ତ ହୋଇଯାଇଛି ଦୁଇ ଭାଗରେ - ଭାରତ ଓ ପାକିସ୍ତାନ ନାମକ ଦୁଇଟି ରାଷ୍ଟ୍ରରେ । ତା'ପରେ ଗଣତାନ୍ତ୍ରିକ ପଦ୍ଧତିକୁ ଆପଣାଇଥିବା ଆମ ଦେଶରେ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ନେତୃତ୍ୱରେ ଗଢ଼ିବାକୁ ଆରମ୍ଭ କରିଥିବା ପ୍ରଗତିର ରଥ ଏବେ ପ୍ରଗତି ପଥରେ ମାଡ଼ି ଚାଲିଛି । ବିକାଶ ନାଁରେ ଶିଳ୍ପ ପ୍ରତିଷ୍ଠାଠାରୁ ଆରମ୍ଭ କରି ବିଜ୍ଞାନ ଓ କାରିଗରୀ ବିଦ୍ୟାର ପ୍ରସାର, ନଦୀବନ୍ଧ ଯୋଜନା ଇତ୍ୟାଦିର କାର୍ଯ୍ୟାରମ୍ଭ ହୋଇଛି । ଫଳସ୍ୱରୂପ, ଆଜି ଆମ ଦେଶ ବିଶ୍ୱର ଅନ୍ୟତମ ବୃହତ୍ତମ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ବିବେଚିତ ହେବା ସହିତ ବିଜ୍ଞାନ ଓ କାରିଗରୀ କ୍ଷେତ୍ରରେ ଅର୍ଜନ କରିପାରିଛି ଯଥେଷ୍ଟ ସୁନାମ । ଅର୍ଥନୀତି ଦୃଷ୍ଟିରୁ ଯଦିଓ ଦେଶ ଏବେ ବି କେତେକାଂଶରେ ବିଶ୍ୱର ବିକଶିତ ରାଷ୍ଟ୍ରମାନଙ୍କ ଠାରୁ ପଛରେ ରହିଛି, ତଥାପି ଏକ ଦ୍ରୁତ ବିକାଶଶୀଳ ଅର୍ଥନୀତି ଭାବରେ ଏହା ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସକ୍ଷମ ହୋଇପାରିଛି । ଯୁଗପୁରୁଷୋତ୍ତମ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ସ୍ୱାଧୀନତା ପ୍ରସଙ୍ଗରେ କହିଥିଲେ -  ସ୍ୱାଧୀନତାର ମର୍ମ କେତେ ଲୋକ ବୁଝନ୍ତି? ତାହା ଯିଏ ବୁଝେ ଓ କରେ ସେ ସପରିବେଶ ଜୀବନର ମାଧୁର୍ଯ୍ୟ ଉପଲବ୍ଧି କରିପାରେ । ସ୍ୱ ମାନେ ସେହି ଏକ ଓ ଅଦ୍ୱିତୀୟ ପରମ ସତ୍ତା ଯାହା ବହୁଧା ପ୍ରକଟ ହୋଇଅଛନ୍ତି ବିଶ୍ୱମୟ । ପରମସତ୍ତା ଓ ତନ୍ନିଃସୃତ ଯାବତୀୟ ସତ୍ତାର ଧାରଣ - ପୋଷଣରେ ଯେତେବେଳେ ଆମ୍ଭେମାନେ ରତ ରହୁ, ସେତେବେଳେ ହିଁ ଆମ୍ଭେମାନେ ସ୍ୱାଧୀନ ।  ଏହି ପରିସ୍ଥିତିରେ ସ୍ୱାଧୀନତା ସ୍ୱତଃ ହୋଇଉଠେ । ଜନସାଧାରଣଙ୍କର ଏହି ଚରିତ୍ର ଓ ପ୍ରବଣତା ହିଁ ସ୍ୱାଧୀନତାର ସୁବର୍ଣ୍ଣ ସ୍ତମ୍ଭ । ଏହି ପ୍ରସଙ୍ଗରେ ନୋବେଲ ବିଜେତା ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋର ଗାଇ ଉଠିଲେ - କେବେ ପ୍ରାଣ ଖୋଲି କହି ମୁଁ ପାରିବି, ପାଇଛି ମୋର ଶେଷ । ତୁମ୍ଭେ ସଭିଏଁ ଆସ ମୋ ପଛେ, ଗୁରୁ ତୁମ ସଭିଙ୍କୁ ଡାକିଛେ, ମୋର ଜୀବନେ  ଲଭଇ ଜୀବନ, ଜାଗରେ ସକଳ ଦେଶ । 
ଡା.ଉମେଶ ଚନ୍ଦ୍ର ପାତ୍ର,ମୋ : ୯୪୩୭୦୫୧୯୫୭