ମାନବ ଧର୍ମର ମୂର୍ତ୍ତିମନ୍ତ ପ୍ରତୀକ

ଏ ଶରୀର କେବଳ ରକ୍ତମାଂସରେ ଗଢ଼ା ଏକ ବସ୍ତୁ ନୁହେଁ  । ଏହା ଭିତରେ ଅନନ୍ତ ଆତ୍ମା ରହିଛି  । ଯେତେବେଳେ ଆମେ ଚେଇଁଥାଉ, ଶୋଇଥାଉ, ଆମ ମନରେ ଉତ୍ତମ ବିଚାର ଥାଏ, ଆମ ମନରେ ପ୍ରେମ, ପବିତ୍ରତା, ଭକ୍ତି ଏବଂ ଆଧ୍ୟାତ୍ମିକତା ପ୍ରତି ରୁଚି ଥାଏ ସେତେବେଳେ ଆମେ ଭଗବାନଙ୍କ ଅତି ନିକଟତର ହୋଇଥାଉ  । ଭଗବାନଙ୍କ ଅସୀମ ପ୍ରେମ ପ୍ରାପ୍ତି କରିଥାଉ  । କୌଣସି ଧର୍ମ ଛୋଟ କିମ୍ବା ବଡ଼ ନୁହେଁ  । ସବୁ ଧର୍ମ ସମାନ  । ଈଶ୍ୱର କେବଳ ଜଣେ  । ଆମେ ତାଙ୍କୁ ଅଲଗା ଅଲଗା ନାଁ ଡାକିଥାଉ  । କୌଣସି ପ୍ରତିଦାନର ଆଶା ନରଖି ଗରିବ, ଦୀନଦୁଃଖୀଙ୍କ ସେବା କରିବା ଉଚିତ  । ବ୍ୟକ୍ତି ନିଜ ଜୀବନରେ ସତ୍ୟ, ପ୍ରେମ, ଉତ୍ତମ ବ୍ୟବହାର, ଶାନ୍ତି, ଉତ୍ତମ ବିଚାର, ଅହିଂସା ଆଦି ନୈତିକ ମୂଲ୍ୟବୋଧକୁ କେବେ ପରିତ୍ୟାଗ କରିବା ଉଚିତ ନୁହେଁ  । ମଣିଷ ସର୍ବଦା ମାନବ ଧର୍ମକୁ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ  । ଏଭଳି ମହାନ ବାର୍ତ୍ତା ଦେଇଥିଲେ ମହାପୁରୁଷ ସତ୍ୟ ସାଇବାବା  । ସାରା ବିଶ୍ୱକୁ ମାନବ ସେବା ହିଁ ମାଧବ ସେବାର ବାର୍ତ୍ତା ଦେଇଥିବା ଶ୍ରୀ ସତ୍ୟ ସାଇବାବା ୧୯୨୬ ନଭେମ୍ବର ୨୩ ତାରିଖରେ ଆନ୍ଧ୍ରପ୍ରଦେଶ ପୁଟ୍ଟପର୍ତ୍ତି ଠାରେ ଜନ୍ମ ଗ୍ରହଣ କରିଥିଲେ  । ପିଲାବେଳେ ତାଙ୍କ ନାମ ସତ୍ୟ ନାରାୟଣ ରାଜୁ ଥିଲା  । ୧୯୫୦ରେ ପ୍ରତିଷ୍ଠା ହୋଇଥିବା ବାବାଙ୍କ ପ୍ରଶାନ୍ତି ନିଳୟମ୍ ଆଶ୍ରମ ଏବେ ସାରା ବିଶ୍ୱରେ ମାନବ ସେବାର କେନ୍ଦ୍ରସ୍ଥଳ ପାଲଟିଛି  । ବିଶ୍ୱର ୧୭୮ଟି ରାଷ୍ଟ୍ରରେ ବାବାଙ୍କ ଭକ୍ତ ରହିଛନ୍ତି  । ମଣିଷ ନିଜେ ନିଜକୁ ଚିହ୍ନିବା ଉଚିତ, ସର୍ବଦା ଏହି ପ୍ରେରଣା ଦେଉଥିଲେ ବାବା  ।  ମନୁଷ୍ୟର କର୍ତ୍ତବ୍ୟ ହେଉଛି ତାର ଦିନରାତି ଗୁଡ଼ିକୁ ନିରବଚ୍ଛିନ୍ନ ନାମ ସ୍ମରଣାରେ ପବିତ୍ର କରିବା  । ଆନନ୍ଦରେ, ଆଗ୍ରହରେ ସ୍ମରଣ କରିବା  । ଆମେ ଏପରି କଲେ ସବୁଠାରୁ ସୁନ୍ଦର ଓ ସବୁଠାରୁ ଉପଯୁକ୍ତ ଭାବରେ ଆମେ ଦେଇଥିବା ନାମ ଓ ରୂପର ସହିତ ଭଗବାନ ନିଶ୍ଚୟ ଆମ ଆଗରେ ଉଭାହେବେ  । ଭଗବାନ ସବୁ ନାମ ଓ ରୂପ, ଏ ସବୁର ସୁସମନ୍ୱିତ ସମାହାର  । ବିଭିନ୍ନ ମତବାଦରେ ଗୃହୀତ, ବିଭିନ୍ନ ମାନବ ସମାଜ ଦ୍ୱାରା ଆରାଧିତ ଦେବତାମାନେ ପ୍ରକୃତରେ ଏକ ଭଗବାନଙ୍କର ଅଙ୍ଗପ୍ରତ୍ୟଙ୍ଗ  । ଶରୀରା ଯେପରି ଇନ୍ଦି୍ରୟ ଓ ଅଙ୍ଗପ୍ରତ୍ୟଙ୍ଗ ମାନଙ୍କର ସମନ୍ୱିତ ଏକକ ଭଗବାନ ସେହିପରି ମଣିଷ ତାଙ୍କୁ ଦେଇଥିବା ସବୁ ରୂପ ଓ ନାମଗୁଡ଼ିକର ସମନ୍ୱୟ  । ଭଗବାନଙ୍କ ବିଷୟରେ ଚିନ୍ତା କରିବା ସକାଶେ ଯେ କୌଣସି ଉପାୟ ପାଇଁ ଆବଶ୍ୟକ ଭଗବତ୍ ବିଶ୍ୱାସ ଅନୁପସ୍ଥିତ ଅଛି  । ସେହି ବିଶ୍ୱାସ ଦିବ୍ୟ ପୁରୁଷଙ୍କ ସଙ୍ଗତି, ଦିବ୍ୟ ପୁରୁଷମାନଙ୍କ ଜୀବନୀ ଓ ଅନୁଭୂତି ପାଠ ଏବଂ ନିଜସ୍ୱ ଅନୁଭୂତି ଦ୍ୱାରା ହିଁ ଧୀରେ ଧୀରେ ଆସିପାରେ  । ନାମ ସଂକୀର୍ତ୍ତନ ଖୁବ୍ ଶୀଘ୍ର ବିଶ୍ୱାସ ବଢ଼ାଏ  । ଆରମ୍ଭରେ ଧରାବନ୍ଧା ରୁଟିନ ଭାବରେ ନାମ କୀର୍ତ୍ତନ କରିବାକୁ ହେବ  । ପରେ ସ୍ୱାଦ ଆମକୁ ଅଭ୍ୟାସରେ ପକାଇଦେବ; କୀର୍ତ୍ତନ ଅବ୍ୟର୍ଥ ଆନନ୍ଦ ପ୍ରଦାନ କରିବ  । ଆମେ ହୃଦ୍କମଳ ବିଷୟରେ କହୁ  । କାହିଁକି ? କାରଣ ପଦ୍ମ ଜଳ ଭିତରେ ଓ ଜଳରୁ ବଢ଼େ ଏବଂ ସୂର୍ଯ୍ୟ କିରଣରେ ପ୍ରସ୍ଫୁଟିତ ହୁଏ  । ହୃଦୟ ମଧ୍ୟ ଭକ୍ତିରୁ ପୁଷ୍ଟିସାର ଗ୍ରହଣ କରେ ଓ ଜ୍ଞାନ ବଳରେ ପ୍ରସ୍ଫୁଟିତ ହୁଏ  । ସଦାସର୍ବଦା ଭଗବାନଙ୍କ ଦିବ୍ୟ ନାମ ସ୍ମରଣ କରିବା । ଭଗବାନଙ୍କର ଅଧିକାଂଶ ନାମ ଦୁଇ ଅକ୍ଷର ବିଶିଷ୍ଟ  । ଦୁଇ ସଂଖ୍ୟାର ତାତ୍ପର୍ଯ୍ୟ ହେଉଛି ଯେ ପ୍ରଥମ ଅକ୍ଷରଟି ଅଗ୍ନିର ପ୍ରତୀକ, ଯାହା ସଞ୍ଚôତ ପାପକୁ ପୋଡ଼ି ପକାଏ ଏବଂ ଦ୍ୱିତୀୟଟି ପୁନରୁଦ୍ଧାରକାରୀ, ସତେଜ, ସଂସ୍କାର ଶକ୍ତି ଅମୃତ ତତ୍ତ୍ୱର ପ୍ରତୀକ  । ଦୁଇଟିଯାକ ପ୍ରକ୍ରିୟା ଆବଶ୍ୟକ, ପ୍ରତିବନ୍ଧକ ଦୂରୀକରଣ ଓ ସଂରଚନା ନିର୍ମାଣ  ।
ଆମେମାନେ ଯେଉଁ କର୍ମ ସମ୍ପାଦନ କରୁଛେ ଏହା ଆମ ନିଜ ପାଇଁ ନା ସମାଜ ପାଇଁ । ଆଜିକାଲି ବହୁତ କମ୍ ଲୋକ ସମାଜ ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି । କେତେକ କ୍ଷେତ୍ରରେ ସମାଜ ସେବା କରିବାକୁ ଯାଇ ଲୋକେ ନିଜ ସ୍ୱାର୍ଥକୁ ପ୍ରାଥମିକତା ଦେଇଥାନ୍ତି । କିନ୍ତୁ ଆମ ସମସ୍ତଙ୍କୁ ସାଇ ଚିନ୍ତନ ଓ ସେବାର ମହକକୁ ପ୍ରଚାର ପ୍ରସାର କରିବା ପାଇଁ ଦାସାନୁଦାସ ହୋଇ ନିଃସ୍ୱାର୍ଥପର ଓ ଉତ୍ସର୍ଗୀକୃତ କାମ କରିବାକୁ ପଡ଼ିବ । ବାବା କହିଛନ୍ତି ଆମେ ସମସ୍ତେ ପବିତ୍ର ଆତ୍ମା । ଯେଉଁ କର୍ମୀମାନେ ତ୍ୟାଗଭାବ ନେଇ କର୍ମ କରୁଥାନ୍ତି ବାବା ସେମାନଙ୍କୁ କୃପା ବର୍ଷଣ କରିଥାନ୍ତି । ତ୍ୟାଗ ଠାରୁ ବଡ଼ ଆଉ କ'ଣ ଅଛି? ଯେଉଁମାନେ ତ୍ୟାଗ ସ୍ୱୀକାର କରନ୍ତି ସେମାନେ ହିଁ ଈଶ୍ୱରଙ୍କର ପ୍ରିୟ । ଅତି ସରଳ ଭାବରେ ବୁଝାଇବାକୁ ଯାଇ ବାବା କହିଛନ୍ତି ଯେ, "ତୁମେ ଭଲ ଫଳ ପାଇବାକୁ ଚାହୁଁଛ, ଅଥଚ ଭଲ କାର୍ଯ୍ୟ କରୁନାହଁ' ସେହି ପରି ମନ୍ଦ ଫଳ ଭୋଗ କରିବାକୁ ଚାହୁଁ ନଥିଲେ ମଧ୍ୟ ମନ୍ଦ କାର୍ଯ୍ୟରୁ ନିବୃତ୍ତ ହୋଇପାରୁନାହଁ ।' ଏହା ସ୍ପଷ୍ଟଭାବେ ସୂଚାଉଛି ଯେ ଆମେ ଅତୀତରେ କରିଥିବା କର୍ମ ଆଜି ଆମ ଆରମ୍ଭରେ ପ୍ରାରବ୍ଧ ଭାବେ ଦଣ୍ଡାୟମାନ ହୋଇଛି ଏବଂ ଏବେ କରୁଥିବା କର୍ମ ଭବିଷ୍ୟତ ପାଇଁ ଭିତ୍ତିପ୍ରସ୍ଥ ସ୍ଥାପନ କରିବ । ସାଇଙ୍କ କର୍ମ ହିଁ, ସେ ଅତିମାନସ ଦିବ୍ୟଶକ୍ତି ଯେ ଜୀବ ଜଗତ ମଧ୍ୟରେ ପରିବ୍ୟାପ୍ତ ସେହି ଚେତନା ଜାଗ୍ରତ କରାଇବା - ପ୍ରତ୍ୟେକ ବ୍ୟକ୍ତି କାହିଁକି ସଂସାର ସବୁକିଛିକି ରୂପାନ୍ତରିତ କରିବା । 
ସୌର ଚନ୍ଦ୍ର ମହାପାତ୍ର,ମୋ : ୯୪୩୭୦୦୪୪୬୬