ଅଜଣା ଜଗତର ଡାକ (୩୮)
ଆକାଶ ଗାଢ ନୀଳ ଥିଲା । ଅସୀମ ଆଉ ଶୋଭନା ସେ ନୀଳ ଆକାଶରେ ଭାସୁଥିବା ସାମାନ୍ୟ ଧଳା ବାଦଲକୁ ଅନାଇଲେ । ବାଦଲ କେତେ ରୂପ ନେଉଥିଲା । ଶୋଭନାଙ୍କର ସକାଳର କଥା ମନେପଡିଗଲା । ସେମାନେ ସକାଳେ ପ୍ରେମର ସଂଜ୍ଞା ନିରୂପଣ କରିବା ପାଇଁ କେତେ ଚେଷ୍ଟା କରିଥିଲେ, ନିଜ ନିଜର ଯୁକ୍ତି ବାଢିଥିଲେ ଆଉ ନିଜର ଯୁକ୍ତି ଠିକ ବୋଲି ଜୋରରେ କହିଥିଲେ । ଜଣେ ଜଣଙ୍କ କଥାକୁ ମନରେ ନେଇନଥିଲେ । “ଅସୀମ, ପ୍ରେମ ହେଉଛି କ୍ରମାଗତ ଚେଷ୍ଟା । ମିଳିତ ପ୍ରଚେଷ୍ଟା ପ୍ରକୃତ ପ୍ରେମକୁ ଜନ୍ମ ଦେଇଥାଏ । ତାହା ଶାରୀରିକ, ମାନସିକ, କିନ୍ତୁ ଶେଷରେ ଅଛି ପ୍ରଯତ୍ନ । ସେଇଟାତ ପ୍ରେମ । ଜଣେ ଜଣଙ୍କ ପ୍ରତି ଆକର୍ଷିତ, ଆଉ ସେମାନେ ମିଳିତ ହେଉଛନ୍ତି । ନୂଆ ସଂସାର ଗଢୁଛନ୍ତି । ତା’କୁ ରକ୍ଷା କରୁଛନ୍ତି । ତା’କୁ ମୁଁ କହିବି ନୈସର୍ଗିକ ପ୍ରେମ । ପ୍ରକୃତି ଦର୍ଶାଉଥିବା ସବୁଠାରୁ ବଡ ସଂଜ୍ଞା । ମନ ଆଉ ଶରୀର ଦୁଇଟିର ମିଳନରେ ପ୍ରେମ ହୁଏ ଆଉ ତା’ ସହ ଯତ୍ନ ଆଉ ଚେଷ୍ଟା ମିଶି ପ୍ରେମକୁ ସୁଶୋଭିତ କରେ ।”- ଶୋଭନା କହୁଥିଲେ । ତାଙ୍କର ଆଖି ମାଉଣ୍ଡ ଉପରେ ଲାଗିରହିଥିଲା । କେତେ ଚେଷ୍ଟାକରି ଛୋଟ ପକ୍ଷୀ ଦୁଇଟି ନିଜର ମାଉଣ୍ଡ ତିଆରି କରିଥିବେ । କେତେ ଯତ୍ନ ଥିବ, କେତେ ବିପଦ ଥିବ । ଜଣେ ଜଣଙ୍କ ପାଖରେ ଠିଆହୋଇ ଏଡେବଡ ମାଉଣ୍ଡ ଗଢିଛନ୍ତି । ଏହି ଯତ୍ନ ହେଉଛି ପ୍ରେମ ।
ଏ କଥାଗୁଡା ଅସୀମଙ୍କପାଇଁ ଆଶ୍ଚର୍ଯ୍ୟଜନକ ଥିଲା । ତାଙ୍କ ଜାଣିବାରେ ମାଙ୍କଡମାନେ ଶାକାହାରୀ, ଗଛର ଫଳମୂଳ ଖାଇ ଜୀବନ କଟାନ୍ତି । କେବେକେବେ ମାଟିରେ ଗଛର କନ୍ଦା ଆଦି ଖୋଳି ଖାଇନିଅନ୍ତି । ଆଉ କେବେକେବେ ମାଙ୍କଡମାନେ ଅନ୍ୟକୁ ଆକ୍ରମଣ କରି ରକ୍ତାକ୍ତ କରିଦିଅନ୍ତି । ପାଗଳା ହନୁମାଙ୍କଡମାନେ କେବେକେବେ ରକ୍ତମୁଖା ହୋଇଯାଆନ୍ତି । କିନ୍ତୁ ମାଙ୍କଡ କଙ୍କଡା ଖାଇବା କଥାଟା ଶୁଣିଲାପରେ ଜୀବବିଜ୍ଞାନରେ ନିଜ ଅଜ୍ଞତାକୁ ନେଇ ସେ ନିଜ ଉପରେ ହସୁଥିଲେ । ତାଙ୍କ ଜାଣିବାଠାରୁ ଏ ଜୀବ ଜଗତର କେତେ ଭିନ୍ନ । କେତେ ଭାବନାରେ ଅବାସ୍ତବ ଘଟଣାମାନ ଘଟିଯାଏ । ଶୁଣିବାକୁ କେମିତି ଲାଗୁଥିଲା । ସେମାନେ ୯କିମି ମଗର ନାଳା କ୍ୟାମ୍ପ ପାଖରେ ଦଳେ ଅଛନ୍ତି । ୯ କିମି ଓ ୧୬ କିମି ଭିତରେ କେଇ ଦଳ ଅଛନ୍ତି । ମାଙ୍କଡମାନେ ଦଳ ହୋଇ ରୁହନ୍ତି । ରାସ୍ତାରେ ଗଲାବେଳେ କେଉଁଠି କେଉଁଠି ଦଳେ ଦଳେ ମାଙ୍କଡ ଦେଖିବାକୁ ମିଳେ । ସେମାନେ ସମୁଦ୍ରକୂଳିଆ ଗଛମାନଙ୍କରେ ବସିଥାନ୍ତି । ସେଇଠି ଡିଆଁଡେଇଁ କରନ୍ତି । କେତେବେଳେ ପଥୁରିଆ ଚଟାଣକୁ ଆସନ୍ତି । ପାଣ୍ଡାନାସ ଜଙ୍ଗଲରେ ବୁଲନ୍ତି । ତାଠାରୁ ଅଧିକା କିଛି ଅସୀମ ଦେଖିନାହାନ୍ତି । କିନ୍ତୁ ତାଙ୍କ ଜାଣିବା ହିସାବରେ ସେମାନେ କେତେକ ପୋକଜୋକ ମଧ୍ୟ ଖାଇଥାନ୍ତି । ଏମାନେ ଖାଇବା ମୁଖ୍ୟତଃ ସକାଳେ ଆଉ ପରେ ଅପରାହ୍ନରେ ଖାଆନ୍ତି । ମଧ୍ୟାହ୍ନରେ ପ୍ରାୟ ବିଶ୍ରାମ ନିଅନ୍ତି । ଗୋଟିଏ ଦଳରେ ୧୦-୨୫ ପର୍ଯ୍ୟନ୍ତ ମାଙ୍କଡ ରହିପାରନ୍ତି । ଦଳର ମୁଖିଆ ଏକ ବଡ ଅଣ୍ଡିରା ମାଙ୍କଡ ହୁଏ । ପ୍ରତି ଦଳର ନିଜ ନିଜର ଚରା କ୍ଷେତ୍ର ଅଛି । ଯଦି ଗୋଟିଏ ଜଙ୍ଗଲରେ ଦୁଇଦଳ ମାଙ୍କଡ ଅଛନ୍ତି, ତେବେ ସେମାନେ ଏମିତି ଚରା କରନ୍ତି ଯେମିତି ଗୋଟିଏ ଦଳର ଆଉ ଏକ ଦଳସହ ସାକ୍ଷାତ ନହେବ । ମାଙ୍କଡମାନେ ଭୂମିକମ୍ପ, ସୂର୍ଯ୍ୟଗ୍ରହଣ ଇତ୍ୟାଦି ଜାଣିପାରନ୍ତି । ଏହି ସମୟରେ ସେମାନେ ପ୍ରାୟ ସ୍ଥିର ହୋଇ ରୁହନ୍ତି । ମାଙ୍କଡମାନେ ଜଣେ ଜଣକର ବାଳକୁ ସାଉଁଳି ଦିଅନ୍ତି । ମା’ ମାଙ୍କଡ ଛୁଆର ଉପଯୁକ୍ତ ରକ୍ଷା କରେ । ସେମାନେ ନିଜ ଭିତରେ ଡକାଡକି ହୁଅନ୍ତି ଆଉ ବିପଦର ଧ୍ୱନି କରନ୍ତି ।
ନିକୋବରୀ ମାକାକ ପାଣ୍ଡାନାସ ଫଳ ଖାଏ । ଏମାନେ ସେଟଲରଙ୍କ ବଗିଚାରୁ ଅମୃତଭଣ୍ଡା, ନଡିଆ ଆଦିଫଳ ତୋଳିନିଅନ୍ତି । ନିକୋବରୀ ମାକାକମାନେ ୯ କିମି ମଗରନାଳା କ୍ୟାମ୍ପ, ୨୭ କିମି ଶାସ୍ତ୍ରୀ ନଗର , ୩୬ କିମି ଗଲାଥିଆ ନଦୀ ଅଞ୍ଚଳରେ ଦଳବାନ୍ଧି ରହୁଛନ୍ତି । ଇଷ୍ଟ-ୱେଷ୍ଟ ରୋଡରେ ମଧ୍ୟ କିଛି ମାଙ୍କଡ ଅଛନ୍ତି । ସେମାନଙ୍କୁ ବଡ ଜଙ୍ଗଲ ଭଲଲାଗେ । କିନ୍ତୁ ସମୁଦ୍ରକୂଳରେ ମଧ୍ୟ ବୁଲନ୍ତି । ସେମାନେ କୁକୁରକୁ ଦଳବଦ୍ଧ ହୋଇ ଆକ୍ରମଣ କରନ୍ତି । କୁକୁରମାନେ କେମିତି ମାଙ୍କଡକୁ ଗଳାରୁ ଧରିନେଇ ପାରିବେ ତାହା ଆର୍ମି ସେଟଲରମାନେ କୁକୁରକୁ ଶିଖାନ୍ତି । କିନ୍ତୁ ସେଇଟା ବେଶି ଫଳପ୍ରଦ ହୁଏନା । ମାଙ୍କଡମାନେ କୁକୁରକୁ ଚାପୁଡାମାରି, କୁକୁରର ବେକ ପଟିକୁ ଟାଣିଟାଣି ଫୋପାଡି ଦିଅନ୍ତି ।
“ମାଙ୍କଡ ସତରେ ମାଛ ମଧ୍ୟ ଖାଏ ଆଉ ପାଣିରେ ବୁଡି ଗେଣ୍ଡା ଶାମୁକା ଖୋଜେ ।”-କଥାଟା ୧୬ କିମି କ୍ୟାମ୍ପ ଅଫିସର ସତୀଶ କୁମାର ଦିନେ ଦୁଇଟା ବାକ୍ୟକୁ ରହି ରହି କହିଥିଲେ ।
“ଏ ମାଙ୍କଡ କଙ୍କଡା ଖାଏ? କ’ଣ କହୁଛନ୍ତି, ମାଙ୍କଡ ପୁଣି ପାଣିରେ ବୁଡେ?”-ଅସୀମ ଆଶ୍ଚର୍ଯ୍ୟ ହୋଇ କହିଲେ । ଯଦିଓ ସେ ପଢିଥିଲେ କିନ୍ତୁ କଥାଟା ମନକୁ ମନ ବିସ୍ମୟ ନେଇଆସୁଥିଲା । “ସେମାନେ ପାଣିରେ ବୁଡି ଶାମୁକା ଗେଣ୍ଡା ଇତ୍ୟାଦି ଖୋଜ ନେଇ ଖାଆନ୍ତି ପାଣି ବାହାରେ ବସି ଖାଆନ୍ତି । ମାକାକମାନେ ସର୍ବଭୁକ । ଏମାନେ ଫଳ, ଫୁଲ, ନରମ ପତ୍ର, ପୋକ ଜୋକ,ବିଟଲସ, ବୁଢୀଆଣୀ, ପ୍ରଜାପତି, ଝିଣ୍ଟିକା ଇତ୍ୟାଦି ମଧ୍ୟ ଖାଇଦେଇଥାନ୍ତି ।”-ସତୀଶ କୁମାର ଆଉଥରେ ଭଲଭାବରେ ବୁଝାଇ କହିଲେ । ଏମିତି ମାଙ୍କଡ କଙ୍କଡା ଖାଇବା ଶୁଣିଲାପାରେ ସେମାନଙ୍କ ଉପରେ ଜାଣିବା ପାଇଁ ଅସୀମଙ୍କ ଇଚ୍ଛା ବଢିଯାଇଥିଲା । ତା’ପରେ ଅନେକ ଲୋକଙ୍କୁ ମାଙ୍କଡ କଥା ପଚାରିଥିଲେ । ହାଲଦାରବାବୁ ମଗରନାଳାର କ୍ୟାମ୍ପର କ୍ୟାମ୍ପ ଅଫିସର ମଧ୍ୟ ସେଇଆ କହିଲେ । ତାଙ୍କର ଅନ୍ୟ ଲୋକମାନଙ୍କୁ ପଚାରିବା ପରେ ଏକ କଙ୍କଡା ଖାଇବା ଘଟଣା ଅସୀମ ଭଲକରି ଜାଣିପାରିଲେ । ଖବର ଏବେ ପକ୍କା । ମଗରନାଳା କ୍ୟାମ୍ପ ଆଉ ୧୬ କିମି କ୍ୟାମ୍ପ ମଧ୍ୟରେ ଅନେକ ମାଙ୍କଡ ରହୁଛନ୍ତି । ଏ କ୍ୟାମ୍ପମାନ ସମୁଦ୍ରକୂଳରେ । ଅସୀମ ଏହା ଭିତରେ ସମୁଦ୍ରକୂଳରେ ସାଇକେଲ ପାଟ୍ରୋଲିଙ୍ଗ କନସେପ୍ଟ ଆରମ୍ଭ କରିଥିଲେ । ପ୍ରତି କ୍ୟାମ୍ପରେ ଦୁଇରୁ-ଚାରିଟି ସାଇକେଲ ଦିଆଯାଉଥିଲା ଆଉ ସାଇକେଲ ଧରି ଫରେଷ୍ଟର ଲୋକମାନେ ଗସ୍ତରେ ବାହାରି ଯାଉଥିଲେ । ସମୁଦ୍ରକୂଳିଆ ରାସ୍ତାରେ ବେଶି ଉଠାଣି ଗଡାଣି ନଥିଲା । ତେଣୁ ପ୍ରାୟ ୨୭ କିମି ଯାଏ ଗସ୍ତ ଲଗାଯାଇପାରେ । ବେଶି ଅସୁବିଧା ହେବନାହିଁ । ଏମିତି ଗସ୍ତରେ କିଛି ଖର୍ଚ୍ଚ ପଡୁନଥିଲା, ଗୋଟାଏ ଯାଗାରୁ ଆଉ ଏକ ଜାଗା ଶୀଘ୍ର ଯାଇ ହେଉଥିଲା ଆଉ ପ୍ରାୟ ଶବ୍ଦ ନକରି କେଉଁ ଅଞ୍ଚଳରେ ପହଞ୍ଚô ହେଉଥିଲା । ମଝିରେ ମଝିରେ ଅସୀମ ନିଜେ ଦଳବଳ ସହ ସାଇକେଲ ପାଟ୍ରୋଲିଙ୍ଗରେ ବାହାରି ପଡନ୍ତି । ସେଦିନ ସେମାନଙ୍କ ପାଟ୍ରୋଲିଙ୍ଗ ରାସ୍ତା ସମୁଦ୍ରକୂଳ ହୋଇ ଚାଲିଯାଇଥିଲା । କେଉଁଠି ସମୁଦ୍ର ଦିଶୁଥିଲା ତ କେଉଁଠି ଗଛମାନ କୂଳରେ ବେଶ ଘଞ୍ଚ ହୋଇଯାଉଥିଲା । ଆଉ ସମୁଦ୍ରକୂଳିଆ କେଓଡା ଗଛମାନଙ୍କରେ ଥିଲା ଅନେକ ସବୁଜ ଆଉ ପାଚି ଆସୁଥିବା ଫଳ । ସେମାନେ ଜଙ୍ଗଲର ଗଛ ପତ୍ର ଦେଖି ଏମିତି ଆଗକୁ ଯାଉଥିଲେ । ରାସ୍ତାଟା ବେଳେ ବେଳେ ସାମାନ୍ୟ ବଙ୍କେଇ ଯାଉଥିଲା । ଏ ସବୁ ରାସ୍ତାରେ ଗାଡି ମଟର ବେଶି ଚାଲେନା । ଲୋକ ସଂଖ୍ୟା କମ ଏଇଟା ମୁଖ୍ୟ କାରଣ । “ଦଳେ ମାଙ୍କଡ ।”- ଏତିକି କହି ସତୀଶ କୁମାର ଅଟକିଗଲେ । (କ୍ରମଶଃ)
ଭୁବନେଶ୍ୱର