ମଣିଷ ମନରେ ଦୁଃଖ କ’ଣ ପାଇଁ?

ସମଗ୍ର ବିଶ୍ୱର ଦେଶେଦେଶେ ବହୁ ମହାମନୀଷୀ ନିଜନିଜ ସମୟର ତଳିତଳାନ୍ତ ମାନବସମାଜ ପାଇଁ କାର୍ଯ୍ୟ କରିଯାଇଛନ୍ତି । ବିବ୍ରତ ନହୋଇ ସେ ପ୍ରତ୍ୟେକ ହୋଇଉଠିଛନ୍ତି ଏକ ମହାନ୍ ଜୀବନର ଜାଗରଣ ଉଦେ୍ଦଶ୍ୟରେ ଜଣେ ଜଣେ ଯଥାର୍ଥ ବ୍ରତମନସ୍କ ପଥଚାରୀ । କେହି ଜୀବନକୁ ବାଜି ଲଗାଇଦେଇ ମରଣ ସହିତ ମୁକାବିଲା କରିଛନ୍ତି, କେହି ହସିହସି ବିଷର ପିଆଲା ତୋଳିନେଇଛନ୍ତି ମୁହଁ ପାଖକୁ ଏବଂ ଆଉ କେହିକେହି ଫାଶୀଦଉଡ଼ିରେ ଗଳାଇଦେଇଛନ୍ତି ବେକ । ଶୂଳୀରୁ ଆରମ୍ଭକରି ଗୁଳି - ବନ୍ଧୁକରୁ ଆରମ୍ଭ କରି ବୋମା - କେବେହେଲେ କାହାର ଧମକଚମକ ଧରାଶାୟୀ କରିପାରିନି ସେମାନଙ୍କ ମହାନ୍ ଲକ୍ଷ୍ୟ ଓ ଉତ୍ତୁଙ୍ଗ ଆଦର୍ଶବାଦକୁ । ସେ ସମସ୍ତଙ୍କର ମହାର୍ଘ ମନ୍ତ୍ର-ଉଚ୍ଚାରଣ ହେଉଛି ସାରା ମଣିଷଜାତିର ଦୁନିଆରୁ ଦୁଃଖ ଦୂରୀକରଣ । ମାତ୍ର ସେ ଦୁଃଖ କ’ଣ ଏଯାଏଁ ସରିଛି? ଏବେ ବି ମଣିଷ ମନରେ ଦୁଃଖ ଭରି ରହିଛି । ଆନନ୍ଦକୁ ଖୋଜିଖୋଜି ମରୀଚିକା ପଛେପଛେ ଗୋଡେଇଗୋଡେଇ ମରଣଭୟର ମରୁବାଲିରେ, ହତାଶାପଙ୍କରେ ଘାଂଟି ହେଉଛୁ ଆମେ ସମସ୍ତେ ।
ଅର୍ଥାଭାବରୁ ଯେତିକି ଦୁଃଖଦୁର୍ଦ୍ଦଶାର ଘଟଣା ଘଟେ, ତା’ଠାରୁ ଅଧିକ ଘଟେ ଭଲ ପାଇବା ଅଭାବରୁ  । ବ୍ୟକ୍ତିଗତ ଓ ସାମାଜିକ ସଂପର୍କ ମଣିଷ ନିକଟରେ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ - ତା’ର ବ୍ୟାଙ୍କ୍ରେ କେତେ ଅର୍ଥ ଅଛି - ସେଟା ଏତେ ଗୁରୁତ୍ୱପୂର୍ଣ୍ଣ ନୁହେଁ । ଯଦି କିମିଆ କରି କେହି ସଂଗେସଂଗେ ବିଶ୍ୱର ଦାରିଦ୍ର୍ୟ କମେଇଦିଏ, ତା’ହେଲେ ମଣିଷର ଦୁଃଖ ମାତ୍ର ଶତକଡ଼ା ୫ଭାଗ କମିବ ଏବଂ ଆଉ ଯଦି କେହି ବିଷାଦ, ଉଦ୍ବେଗରୁ ମଣିଷକୁ ବିଚ୍ଛିନ୍ନ କରିଦିଏ, ତା’ହେଲେ ଦୁଃଖ କମିବ ମାତ୍ର ଶତକଡ଼ା ୨୦ଭାଗ ।
ଯେଉଁ ମଣିଷଟି ପ୍ରେମ ନ ପାଇ ଜୀବନ ହରାଇଦିଏ କିଂବା ପ୍ରେମ ପାଇବା ପାଇଁ ସଂପତ୍ତି ହରାଉଛି, ତାକୁ ଦେଖି ଲୋକେ ଭାବନ୍ତି - ଆବେଗର ଆତିଶଯ୍ୟ ଏହାର କ୍ଷତି କଲା ବା ଟଙ୍କାର ଅଭାବରେ କ୍ଷୁଧାର ଜ୍ୱାଳାରେ ମୃତ ମଣିଷର ଦୁଃଖଠାରୁ ଏହି ପ୍ରେମଦଗ୍ଧ ମଣିଷର ଦୁଃଖ ଅଜସ୍ରଗୁଣ ତୀବ୍ରତର ହୋଇସାରିଛି । ସମୀକ୍ଷା କିନ୍ତୁ କହୁଛି - ବାସ୍ତବରେ ସଂପର୍କ ସ୍ପୃହାହିଁ ଅଧିକ ଜୀବନ ନିୟନ୍ତ୍ରକ । ସମୀକ୍ଷା ଏହା ମଧ୍ୟ ଜଣାଇଛି ଯେ ଶିକ୍ଷା ଆୟ କରିବା ଅପେକ୍ଷା ଚମକ୍ରାର ଜୀବନସଂଗୀ ସନ୍ଧାନରେ ମଣିଷର ନିକଟତର ହେବା ଅଧିକ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ବର୍ତ୍ତମାନ ଯୁବଛାତ୍ରସମାଜ ମଧ୍ୟରେ ଦ୍ରୁତଗତିରେ ଅପସଂସ୍କୃତି ପ୍ରବେଶ କରି ଭବିଷ୍ୟତ ଜୀବନକୁ ଅନ୍ଧକାରର ଏକ ଅନ୍ଧକୂପ ଆଡ଼େ ଆଗେଇ ନେଉଛି । ବହୁସଂଖ୍ୟାରେ ଦେଖିବାକୁ ମିଳୁଛି ଏପରି ଉଚ୍ଛୃଙ୍ଖଳ ଯୁବକଯୁବତୀମାନଙ୍କୁ - ଯେଉଁମାନେ ପରବର୍ତ୍ତୀ କାଳରେ ଅନୁତାପ କରନ୍ତି ନାହିଁ ଯେ ସେତେବେଳେ ମନଦେଇ ପଢ଼ିଥିଲେ ଆଜି ସଂପନ୍ନ ଗୃହସ୍ଥ ହୋଇଥାନ୍ତୁ - ଶୀଘ୍ର ଶୀଘ୍ର ବାହାହୋଇ ସଂସାର କରି ଏଭଳି ଅନଟନରେ ପଡ଼ିନଥାନ୍ତୁ ।
ଆଜିର ଯୁବଛାତ୍ରସମାଜ ମଧ୍ୟରେ ନୈତିକତା, ଆଦର୍ଶ, ସତ୍ୟତାର ଚିହ୍ନବର୍ଣ୍ଣ ଦୁର୍ଲଭ । ୟାଙ୍କି ସଂସ୍କୃତି, ଅପସଂସ୍କୃତିରେ କଣ୍ଠାଗ୍ରତ, ଏବକାର ଅଧିକାଂଶ ଯୁବଛାତ୍ରସମାଜ ଟିଭି ସିନେମା ଦେଖି ହିରୋ-ହିରୋଇନ୍-ଭିଲାନମାନଙ୍କୁ ଅନୁକରଣ କରି ସେଇଭଳି ଅର୍ଦ୍ଧନଗ୍ନ ପୋଷାକ, ଚୁଟିକଟାକୁ ଅନୁକରଣ କରୁଛନ୍ତି । ବିଦେଶୀ ଖାଦ୍ୟ, ଜଙ୍କ ଫୁଡ୍କୁ ପ୍ରସାଦ ମନେ କରି ମୁନାଫାଖୋର୍ ବେପାରୀ କମ୍ପାନୀଗୁଡ଼ିକ ଦ୍ୱାରା ରାସାୟନିକ ପ୍ରକି୍ରୟାରେ ପ୍ରସ୍ତୁତ ଖଟାମିଠାକଡ଼ା ଥଣ୍ଡା ପାନୀୟକୁ ପାଦୁକ ଭଳି ପିଇଯାଉଛନ୍ତି । ପିଲାଠାରୁ ବୁଢ଼ାବୁଢ଼ୀ ପର୍ଯ୍ୟନ୍ତ ଟିଭିରେ ସିନେମା, ସିରିଅଲ୍ ଉପରୁ ଆଖିପତା ଫେରଉ ନାହାନ୍ତି । ମୋବାଇଲ୍ ତ ସବୁବେଳେ କାନରେ; ଆଙ୍ଗୁଠିଯାଇ ସ୍କି୍ରନ୍ ଟଚ୍ରେ । ଏହା ଫଳରେ ଏକେତ ଅଖାଦ୍ୟ ଖାଇ ରୋଗରେ ପଡ଼ୁଛନ୍ତି ଏଣେ ଆଖି ଖରାପ ହେଉଛି - ତେଣେ ପକେଟ୍କୁ କଣା କରି ଟଙ୍କାପଇସା ପବନରେ ଉଡ଼ିଯାଉଛି - ପୁଣି ରୋଜଗାର ନ ଥିବାରୁ ବାପମା’ଙ୍କୁ ଧମକେଇ ଚମକେଇ ଅର୍ଥ ନେଇଯାଉଛନ୍ତି । ଆଉ କେତେକେ ନିଜନିଜର ପ୍ରେମିକ-ପ୍ରେମିକାଙ୍କ ପର୍ସ ଖାଲିକରି ଦେଉଛନ୍ତି ।
ଏସବୁ ଧନଲୋଭୀ ଶିଳ୍ପପତି, କ୍ଷମତାଲୋଭୀ ଶାସକ-ପ୍ରଶାସକଙ୍କ କାରସାଦି । ଯୁବ-ଛାତ୍ରସମାଜ ମୁଣ୍ଡକୁ ଖରାପ ନ କଲେ ତାଙ୍କ ଶାସନ ଚାଲିପାରିବ ନାହିଁ । ସଂପତ୍ତି ସୁରକ୍ଷିତ ରହିବ ନାହିଁ । ଯେଉଁ ଦେଶରେ ଯୁବଛାତ୍ର ସମାଜ ଅନ୍ୟାୟ ଅତ୍ୟାଚାର, ଶୋଷଣ, କଷଣ, ହତ୍ୟା, ରାହାଜାନି, ଅପସଂସ୍କୃତି ବିରୋଧରେ ଖଡ଼୍ଗହସ୍ତ ହୁଏନା, ସେ ଦେଶର ଅଦୃଷ୍ଟରେ ଦୁର୍ଭାଗ୍ୟ ହିଁ ପ୍ରଥମ ଓ ଶେଷ ଲେଖା । ସେ ଦେଶ ଅଭାଗା । ଆମର ସବୁ ଥାଇ ଆମେ ହାହୁତାଶରେ ପ୍ରତିଦିନ ବଞ୍ଚି ବି ମରୁଛେ । ଯିଏ ଯେତେବଡ଼ÿÿ ଧନୀ ହୁଅନ୍ତୁ ପଛେ ମନରେ ସରସ ଭାବ ନାହିଁ । କୋଉ କୋଣରେ ନା କୋଉ କୋଣରେ ଦୁଃଖ, ହତାଶା, ଭୟ ମାଡ଼ି ବସୁଛି ।
ମଣିଷ-ମଣିଷର ସଂପର୍କ ଆର୍ଥିକ ସାମର୍ଥ୍ୟ ପାଇଁ ନିର୍ଦ୍ଧାରିତ ହୁଏ କି? ଗୋଟିଏ ଅତି ଆନନ୍ଦମୟ ଦାମ୍ପତ୍ୟ ସଂପର୍କ ଅର୍ଥାଭାବରୁ ଦୂଷିତ ହୋଇଯାଏନା? ସନ୍ତାନମାନେ କ’ଣ ପିତାମାତାଙ୍କ ଦରିଦ୍ରତା ପାଇଁ ଶତ୍ରୁମନୋଭାବାପନ୍ନ ହୋଇ ପଡ଼ନ୍ତି କି? ଗୋଟିଏ ସଂପର୍କର ପ୍ରକୃତ ଶ୍ରଦ୍ଧାପ୍ରୀତି ପାଇଁ ଯେଉଁ ପରିମଣ୍ଡଳ ପ୍ରୟୋଜନ - ଅର୍ଥାଭାବରୁ ତାହା ନଷ୍ଟ ହୋଇଯାଉଛି କି? ଏବେ ବିଭିନ୍ନ ଖବରରୁ ଜଣାପଡ଼ିଛି ପ୍ରେମ ପାଉ ନାହିଁ ବୋଲି ପ୍ରାଚୁର୍ଯ୍ୟ ଶିଖରରେ ପହଞ୍ଚି ମଧ୍ୟ ମଣିଷ ଆତ୍ମହତ୍ୟା କରୁଛି । ଧନୀଲୋକମାନେ ବରାବର ସଂପତ୍ତିର ପାହାଡ଼ ଉପରେ ବସି ପୁଣି ଧନ ପାଇଁ ବିକଳ ହୁଅନ୍ତି - ନାନା ଉପାୟ, କଳକୌଶଳ, ଷଡ଼ଯନ୍ତ୍ର, ଅନ୍ୟାୟ ଅତ୍ୟାଚାର, କଷଣ ଶୋଷଣ କରି ତାଙ୍କ ଧନସଂପତ୍ତିର ପାହାଡ଼କୁ ସ୍ୱର୍ଗ ପର୍ଯ୍ୟନ୍ତ ଲମ୍ବାଇ ଦେବାକୁ ଇଚ୍ଛା କରି ଶେଷରେ ରୋଗ, ନିରାଶା, ହତାଶାର ହାହୁତାଶନରେ ସ୍ୱର୍ଗଧାମକୁ ଯାତ୍ରା କରନ୍ତି । ସେହି ସଂପତ୍ତି ତାଙ୍କ ବଂଶ ପରିଜନମାନଙ୍କୁ ଖାଇ ଗୋଡ଼ାଏ । ସଂପର୍କ ଭାଙ୍ଗି ଛିନ୍ଛତ୍ର ହୋଇଯାଏ । ଧନଲୋଭ ମଣିଷକୁ ରସାତଳକୁ ଟାଣିନିଏ । ଟଲଷ୍ଟୟଙ୍କ ସେଇ ସ୍ମରଣୀୟ ଗଳ୍ପ ‘ମଣିଷ ପାଇଁ କେତେ ଜମି ଲୋଡ଼ା’କୁ ଟିକେ ହେଜନ୍ତୁ । ତେଣୁ ସଂପର୍କ ହିଁ ଏକମାତ୍ର ଅସଲ ସଂପତ୍ତି ।
ସଂପର୍କର ସଂକଳ୍ପଟିଏ ଆଜିର ମଣିଷ ପାଇଁ ବିଶ୍ୱଶାନ୍ତିର ବିକଳ୍ପ । ବୃତ୍ତିର ଦାୟ, କୃଷିଭିତ୍ତିକ ସଂସ୍କୃତିର କ୍ରମବିଦାୟ, ଶିଳ୍ପକୈନ୍ଦି୍ରକ ସଭ୍ୟତାର ଦ୍ରୁତସଂଚାର କେବଳ ଏକାନ୍ନବର୍ତ୍ତୀ ପରିବାରର ପରମ୍ପରାକୁ ମୂଳପୋଛ କରିନାହିଁ, ମଣିଷକୁ ତା’ ନିଜଠାରୁ ମଧ୍ୟ ଦୂରେଇ ଆଣିଛି ପୂରାପୂରି । ଆମେ ବିଭିନ୍ନ କ୍ଷେତ୍ରରେ ବ୍ୟକ୍ତି ଦେଖୁଛୁ, ନାଗରିକ ସମାଜ ସହିତ ରାସ୍ତାର ବାଁ ପଟେ ପ୍ରାତଃଭ୍ରମଣ ଓ ସାନ୍ଧ୍ୟଭ୍ରମଣ କରୁଛୁ - ମାତ୍ର ଭଦ୍ରବ୍ୟକ୍ତିମାନଙ୍କ ମଧ୍ୟରେ ମଣିଷଟିଏ ଭେଟିପାରୁନୁ, ଯେମିତି ଭଦ୍ରମହିଳାମାନଙ୍କ ଭିତରେ ଖୋଜି ପାଉନୁ ଅସଲ ନାରୀର ବ୍ୟକ୍ତିତ୍ୱ । ରାଜପଥରେ ପେଟ ପାଇଁ ପଟୁଆର । ଜନପଥରେ ଜନସମୁଦ୍ରର ଜୁଆର । ମାତ୍ର ଜୀବନପଥ ନିର୍ଜନ । ମଣିଷ ସହିତ ମଣିଷ ସଂପର୍କଶୂନ୍ୟ । ନିଜ ପାଇଁ ଭଲ ଚାହିବାଟା ଯେତେ ବଢୁଛି,  ଅନ୍ୟ ଅନେକଙ୍କୁ ଭଲପାଇବାଟି ସେତେ ଛିଡ଼ୁଛି । ଆମେ ଅର୍ଥରେ ସମର୍ଥ, ମାତ୍ର ଅନୁରାଗରେ ଅନନ୍ୟୋପାୟ, ଅସହାୟ । ଧନକୁବେରମାନଙ୍କ ଅର୍ଥନୀତିରେ ମନର ମଙ୍ଗଳ ନାହିଁ । ମନ ଯାଇ ବନବାସ କରୁଛି ଅଗମ୍ୟ ଅଂଚଳରେ, ହୃଦୟ ଅଛି ଅଜ୍ଞାତବାସରେ । ଖୋଜିଲା ମନ ପାଇଁ ଧ୍ୟାନ ଦିଆଯାଉ, ହଜିଲା ହୃଦୟ ପାଇଁ ହୁଲିଆ ଜାରି ହେଉ - ଏହା ହିଁ ଆଜିର ମଣିଷ ପ୍ରତି ସଂପର୍କର ଆହ୍ୱାନ ।
ଏହି ଭାରତର ସନ୍ଥସଂସ୍କୃତି ମଧ୍ୟ ଏକ ସମୁନ୍ନତ ନିର୍ଭୀକ ମାନବସମାଜର ନବଜାଗରଣ ପାଇଁ ମନ୍ତ୍ରପାଠ କରିଆସିଛି କାଳେକାଳେ । ଗୁରୁ ଗୋବିନ୍ଦ ସିଂ ଆହ୍ୱାନ ଦେଇଥିଲେ - ‘ଯୁବକମାନେ ଦେଶ ପାଇଁ, ଜାତି ପାଇଁ ମରିବାକୁ ପ୍ରସ୍ତୁତ ହୁଅ ।’ ଏହି ନିର୍ଭୀକ ଗୁରୁଙ୍କ ନେତୃତ୍ୱରେ ଶାନ୍ତସହିଷ୍ଣୁ ଶିଖ୍ଜାତି ନିଜ ସାମାଜିକ ଇଜ୍ଜତ ରକ୍ଷା କରିବାର ଶପଥ ନେଇ  ଅସ୍ତ୍ରଧାରଣ ପୂର୍ବକ ଏକ ସାହସିକ ସାମରିକ ଜାତିରେ ପରିଣତ ହୋଇପାରିଥିଲା । ଆପଣମାନଙ୍କର ମନେ ରଖିବା ଦରକାର - “କୋଟିଏ ମୁକୁଟ ଠୁଁ କାହିଁ କେତେଗୁଣରେ ମୂଲ୍ୟବାନ ଗୋଟିଏ ମୁଣ୍ଡ ... ସେ ମୁଣ୍ଡ ମଣିଷର ମୁଣ୍ଡ...”, ସେ ମୁଣ୍ଡଥିବା ମଣିଷମାନେ ପୁଣି ହେବା ଦରକାର ଚିରଉନ୍ନତ ଶିର ।
ଗୋଟିଏ ରାଜ୍ୟରେ ଜଣେ ସନ୍ନ୍ୟାସୀ ଥିଲେ । ତାଙ୍କର ମହିମା ସାରାରାଜ୍ୟରେ ସୁବିଦିତ । ବହୁଲୋକ ସେ ସନ୍ନ୍ୟାସୀଙ୍କ ପାଖରୁ ଦର୍ଶନକରି ଶିକ୍ଷାଲାଭ କରୁଥିଲେ । ସେ ରାଜ୍ୟର ରଜା ଦିନେ ମନ୍ତ୍ରୀପାରିଷଦ, ସୈନ୍ୟସାମନ୍ତ ଧରି ସନ୍ୟାସୀ ଆଶ୍ରମରେ ପହଞ୍ଚିଲେ । ସୈନ୍ୟ-ମନ୍ତ୍ରୀମାନେ ସନ୍ନ୍ୟାସୀଙ୍କୁ ମୁଣ୍ଡନୁଆଁଇ ପ୍ରଣାମ କଲେ । ରଜା କିନ୍ତୁ ମୁଣ୍ଡ ନୁଆଁଇଲେ ନାହିଁ କି ନମସ୍କାର ହେଲେନାହିଁ । ମନ୍ତ୍ରୀ କହିଲେ – ମହାନ୍ । ସନ୍ନ୍ୟାସୀଙ୍କୁ ମୁଣ୍ଡ ନୁଆଁଇ ପ୍ରଣାମ କରନ୍ତୁ । ମୁକୁଟଧାରୀ ରାଜା କହିଲେ – ରାଜା କାହାକୁ ନମସ୍କାର ହୁଏନି କି ମୁଣ୍ଡ ନୁଆଁଏନି ।
ଏ କଥା ଶୁଣି ସନ୍ନ୍ୟାସୀ ରାଜାଙ୍କ ପାଖକୁ ଆସି କହିଲେ – ହେ ରାଜନ୍ ! ମୋର ଗୋଟିଏ ଉପକାର କରିପାରିବେ କି?
ରଜା ପଚାରିଲେ – କ’ଣ କୁହନ୍ତୁ?
ସନ୍ନ୍ୟାସୀ କହିଲେ – ଗୋଟିଏ ଦିନ ରଜଗାଦୀ ଛାଡ଼ି ବେପାରୀ ହେବେ କି?
ରଜା କହିଲେ – ହଁ – ହେଇପାରିବି?
ସନ୍ନ୍ୟାସୀ ଗୋଟିଏ ଛେଳିମୁଣ୍ଡ, ଗୋଟିଏ ଗୋରୁମୁଣ୍ଡ, ଗୋଟିଏ ମଣିଷମୁଣ୍ଡଦେଇ କହିଲେ – ଏ ଛେଳିମୁଣ୍ଡ ଏକଟଙ୍କା, ଗୋରୁମୁଣ୍ଡ ଦୁଇଟଙ୍କା, ମଣିଷମୁଣ୍ଡ ତିନିଟଙ୍କା । ୟା’କୁ ହାଟରେ ବିକି ମୋତେ ଛ’ଟଙ୍କା ଦେବେ ।
ରାଜା ସନ୍ନ୍ୟାସୀଙ୍କ କଥାମାନି ବେପାରୀ ସାଜି ହାଟକୁ ଯାଇ ତିନୋଟି ମୁଣ୍ଡ ଥୋଇଲେ । ଲୋକେ ଛେଳିମୁଣ୍ଡ କିଣିବାକୁ ଭିଡକଲେ । ଯେଉଁମାନେ ନପାଇଲେ ସେମାନଙ୍କ ମଧ୍ୟରୁ ଜଣେ ଗୋରୁମୁଣ୍ଡ କିଣିନେଲେ । ମଣିଷମୁଣ୍ଡକୁ କେହି କିଣିଲେ ନାହିଁ । ରଜା ମଣିଷମୁଣ୍ଡକୁ ଦି’ଟଙ୍କାରେ ବିକିବାକୁ କହିଲେ – କେହି ନେଲେନାହିଁ । ଟଙ୍କାକରେ ବିକିବାକୁ କହିଲେ – କେହି କିଣିଲେ ନାହିଁ । ରଜା ମଣିଷମୁଣ୍ଡଟି ଧରି ସନ୍ନ୍ୟାସୀ ପାଖରେ ପହଞ୍ଚି ସବୁକଥା କହିଲେ ।
ସନ୍ନ୍ୟାସୀ କହିଲେ – ହେ ରାଜନ୍ ! ମୁକୁଟଠାରୁ ମୁଣ୍ଡ ମୂଲ୍ୟବାନ୍ । ଏ ମୂଢମଣିଷ ମୁଣ୍ଡରହସ୍ୟ ଭେଦକରିପାରି ନାହାଁନ୍ତି । ମଣିଷମୁଣ୍ଡକୁ ଟଙ୍କାଦେଇ କିଣାଯାଇପାରେନା । ରଜା ସବୁ ବୁଝିପାରି ସନ୍ନ୍ୟାସୀଙ୍କୁ ନତମସ୍ତକରେ ପ୍ରଣିପାତ କଲେ । ତେଣୁ ରାଜାଙ୍କ ମୁକୁଟଠୁ ସନ୍ନ୍ୟାସୀଙ୍କ ମୁଣ୍ଡ ମୂଲ୍ୟବାନ । ସେ ମୁଣ୍ଡ ଛେଳିମୁଣ୍ଡ କି ଗୋରୁମୁଣ୍ଡ ନୁହେଁ ମଣିଷମୁଣ୍ଡ । ଆଜିକାଲି ମଣିଷ ମୂଲ୍ୟବାନକୁ ଚିହ୍ନିପାରୁନି ।
ତା’ହେଲେ ଏ ବିଶ୍ୱମାନବସମାଜ ମଧ୍ୟରେ ସମସ୍ତଙ୍କପାଇଁ ଦାନା, କନା, ଦି’ବଖୁରିଆ ଘରର ଧ୍ୱନି ଉଠାଇବା ପରେ ବୃହତ୍ତର ଜୀବନ କ୍ଷେତ୍ରରେ ଶାନ୍ତି,ମୈତ୍ରୀ,ସାମ୍ୟ ପାଇଁ ବିପ୍ଳବର ଜୟଗାନ, ନବମାନବର ମାଙ୍ଗଳିକ ଯାତ୍ରାସଂଗୀତ ଗାଇବ କିଏ? କିଏ ପ୍ରତୁ୍ୟତ୍ତର ଦେବ ନବମାନବସମାଜ ପ୍ରତିଷ୍ଠାପାଇଁ ପ୍ରାଣପଣ ଆହ୍ୱାନର?
ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩