ଜଗନ୍ନାଥ ସଂସ୍କୃତିରେ ଆତ୍ମସମର୍ପଣ

ଭାରତୀୟ ଧର୍ମ ଏବଂ ଦର୍ଶନ ଯେଉଁ ଚାରୋଟି ପୁରୁଷାର୍ଥ (ଧର୍ମ, ଅର୍ଥ, କାମ, ମୋକ୍ଷ) କଥା ପ୍ରତିପାଦନ କରନ୍ତି, ତନ୍ମଧ୍ୟରୁ ମୋକ୍ଷ ପୁରୁଷାର୍ଥଟିକୁ ଦାର୍ଶନିକମାନେ ବେଶୀ ଗୁରୁତ୍ୱ ଦେଉଥିବା ବେଳେ ଅନ୍ୟମାନେ ଧର୍ମ ପୁରୁଷାର୍ଥକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି । ମଣିଷ ନିଜ ଉଦ୍ୟମ ବଳରେ ମୋକ୍ଷ ବା ମୁକ୍ତିଲାଭ କରିପାରେ । ଏହି ପରିପ୍ରେକ୍ଷୀରେ ଏତିକି କୁହାଯାଇପାରେ ଯେ ମୁକ୍ତି କୌଣସି ଗୋଟିଏ ପ୍ରକାର ଫଳ କିମ୍ବା ପଦାର୍ଥ ନୁହେଁ । ଏହା ଗୋଟିଏ ଅବସ୍ତା । ସେହି ଅବସ୍ଥାକୁ ଆସିବାକୁ ହେଲେ ମଣିଷକୁ ନିଜେ ଉଦ୍ୟମ କରିବାକୁ ହେବ । କାରଣ ମୁକ୍ତ ଲୋକ ନିର୍ଭୀକ, ଜ୍ଞାନୀ ଏବଂ ମାନସିକ ସ୍ତରରେ ଅତ୍ୟନ୍ତ ଧନୀ ତଥା ସମଦର୍ଶୀ । ମୁକ୍ତ ଲୋକର ଆଚରଣରେ କିଛି ଭେଦଭାବ ବାଛ ବିଚାର ନଥାଏ । ମହାପ୍ରଭୁ ଜଗନ୍ନାଥଙ୍କର ଦୁଇଟି ବ୍ୟକ୍ତିତ୍ୱ ଅଛି । ପ୍ରଥମ ବ୍ୟକ୍ତିତ୍ୱଟି ହେଉଛି ନୃସିଂହଙ୍କର ବ୍ୟକ୍ତିତ୍ୱ ଏବଂ ଅନ୍ୟ ବ୍ୟକ୍ତିତ୍ୱଟି ହେଉଛି ଶ୍ରୀକୃଷ୍ଣଙ୍କର ବ୍ୟକ୍ତିତ୍ୱ । ନୃସିଂହଙ୍କର ବ୍ୟକ୍ତିତ୍ୱରେ ଉଭୟ ଭୟ ଏବଂ ଆନନ୍ଦ ମିଶ୍ରିତ ଭାବରେ ବିଦ୍ୟମାନ, କାରଣ ନୃସିଂହଙ୍କର ଆକୃତି ଭୟ ସଂଚାର କରୁଥିବା ସ୍ଥଳେ ତାଙ୍କର କାର୍ଯ୍ୟକଳାପ ଲୋକକଲ୍ୟାଣ ପାଇଁ ଉଦ୍ଦିଷ୍ଟ । ତେଣୁ ତାହା ଆନନ୍ଦର ଦ୍ୟୋତକ । ଭକ୍ତ ପ୍ରହ୍ଲାଦଙ୍କ ଉଦେ୍ଦଶ୍ୟରେ ଭଗବାନ ନୃସିଂହ ଅବତାର ଗ୍ରହଣ କରିଥିଲେ । ତେଣୁ ସେ ନୃସିଂହଙ୍କର ଉପାସକ ସେ ନିଜକୁ ପ୍ରହ୍ଲାଦ ଭାବରେ ଗଢ଼ି ତୋଳିବା ଆବଶ୍ୟକ । ନିଜ ଚରିତ୍ରରେ ପ୍ରହ୍ଲାଦ ଚରିତ୍ରକୁ ପ୍ରତିଫଳିତ କରିବା ଆବଶ୍ୟକ । ଭଗବାନ ସର୍ବତ୍ର ବିଦ୍ୟମାନ - ଏହି ଭାବକୁ ନିଜ ଜୀବନଚର୍ଯ୍ୟାରେ ଅନୁଭବ କରିବା ହେଉଛି ପ୍ରହ୍ଲାଦ ଚରିତ୍ରର ସର୍ବଶ୍ରେଷ୍ଠ ବୈଶିଷ୍ଟ୍ୟ । ଗୋପପୁରରେ ରାଧା ପ୍ରମୁଖ ଗୋପୀ ସକଳ କୃଷ୍ଣଙ୍କୁ ନିଜର ସର୍ବସ୍ୱ କରି ନେଇଥିଲେ । ସେମାନେ ସମସ୍ତେ ସଂସାରୀ । ସମସ୍ତଙ୍କ ଠାରେ ପରିବାର ଥିଲା । ତାଙ୍କର ସ୍ୱାମୀ, ଶାଶୁ, ଶ୍ୱଶୁର, ପୁତ୍ର, ଦୁହିତା ମଧ୍ୟ ସମସ୍ତେ ଥିଲେ । ପାରିବାରିକ ଜୀବନରେ ସମସ୍ତେ ପରିବାରରର ମୁଖ୍ୟଙ୍କ ନିୟନ୍ତ୍ରଣାଧୀନ ଥିଲେ ମଧ୍ୟ ସେମାନଙ୍କୁ ପଛକୁ ପକାଇ ଗୋପୀମାନେ କୃଷ୍ଣଙ୍କ ନିମନ୍ତ୍ରଣକୁ ଚାଲିଯାଇଥିଲେ । କୃଷ୍ଣଙ୍କୁ ଆତ୍ମସମର୍ପଣ କରି ସେମାନେ କୃଷ୍ଣାଧୀନ ହୋଇଯାଇଥିଲେ ।
ମଣିଷର ପାଞ୍ଚଟି ଜ୍ଞାନେନ୍ଦ୍ରିୟ, ପାଞ୍ଚଟି କର୍ମେନ୍ଦ୍ରିୟ । ପ୍ରତ୍ୟେକ ଇନ୍ଦି୍ରୟ ସାଂସାରିକ ବିଷୟବାସନା ଭୋଗ କରିବା ପାଇଁ ମଣିଷକୁ ସାହାଯ୍ୟ କରିଥାଏ । ତେଣୁ ଶ୍ରବଣେନ୍ଦ୍ରିୟ ଦ୍ୱାରା ଯଦି ଶୁଣିବା ସୁଖ ମିଳିଥାଏ, ତେବେ କୃଷ୍ଣକଥା ଶ୍ରବଣ ଦ୍ୱାରା କୃଷ୍ଣଙ୍କର ପ୍ରୀତିଜାତ ହୁଏ ବୋଲି ଅବଧାରଣା କରିବାକୁ ହେବ । ସେହିପରି ଚକ୍ଷୁ ଇନ୍ଦ୍ରିୟ ଦ୍ୱାରା ଯଦି ରୂପ ଦର୍ଶନ କରି ସୁଖ ଅନୁଭବ କରାଯାଏ, ତେବେ କୃଷ୍ଣଙ୍କ ରୂପକୁ ବରଂ ଦର୍ଶନ କରିବାକୁ ହେବ । ଏହିପରି ସବୁ ଇନ୍ଦ୍ରିୟର ସୁଖ ସହିତ ମନକୁ କୃଷ୍ଣଙ୍କୁ ସମର୍ପିତ କରିଦେବାକୁ ପଡ଼ିଥାଏ । କାରଣ ମନର ସବୁଠାରୁ ବଡ଼ କାମ ହେଲା ଇଛା । ତେଣୁ କୃଷ୍ଣଙ୍କୁ ଆତ୍ମସମର୍ପଣ କରିଦେବା ପରେ ଭକ୍ତ ଆଉ ଆପଣା ଇଛାରେ କିଛି କରିପାରେ ନାହିଁ । ସେ ସବୁ କୃଷ୍ଣଙ୍କ ଇଛାରେ କରେ । ଏହିପରି ଭାବରେ ଆପଣାର ସମସ୍ତ ସୁଖ, ପ୍ରୀତି, ଆନନ୍ଦ କୃଷ୍ଣଙ୍କ ଉଦେ୍ଦଶ୍ୟରେ ଅର୍ପଣ କରିଦେବା ଦ୍ୱାରା ଗୋଟିଏ ପଦାର୍ଥ କିପରି କୃଷ୍ଣଙ୍କ ଉଦେ୍ଦଶ୍ୟରେ ଅର୍ପଣ କରାଯାଇପାରିବ ତାହା ବିଚାରକୁ ଆସେ । ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ କୃଷ୍ଣ ଭାବରେ ଉପାସନା କରିବାକୁ ଯାଇ ଆତ୍ମ ସମର୍ପଣ କରିବାକୁ ହେଲେ ନିଜକୁ ଗୋପୀଭାବେ ବା ରାଧା ଭାବରେ ଅନ୍ୱିତ ହୋଇଥାଏ । ନବଧା ଭକ୍ତିରେ ପ୍ରଭୁ ଦାସ ସମ୍ବନ୍ଧ ରଖି ଜଗନ୍ନାଥଙ୍କୁ ପ୍ରଭୁ ଭାବରେ ମାନି ନିଜକୁ ଦାସ ଭାବରେ ସଜ୍ଜିତ କରାଯାଇଥାଏ । ଏହାଦ୍ୱାରା ଦାସ୍ୟଭକ୍ତି ପ୍ରକାଶିତ ହୋଇଥାଏ । ଯେଉଁମାନେ ସଖ୍ୟ ଭକ୍ତି ପ୍ରକାଶ କରନ୍ତି, ସେମାନେ ଜଗନ୍ନାଥଙ୍କୁ ସାଙ୍ଗସାଥୀ ଭାବରେ ମଣନ୍ତି । ଶ୍ରୀମନ୍ଦିରରେ ଦେବଦାସୀର ନୃତ୍ୟ ବ୍ୟବସ୍ଥା ଏତାଦୃଶ ଆତ୍ମସମର୍ପଣର ସଫଳ ଅନୁଷ୍ଠାନ । ମୋଟ ଉପରେ କହିବାକୁ ଗଲେ ଜଗନ୍ନାଥଙ୍କୁ କେନ୍ଦ୍ରକରି ଯେଉଁ ସଂସ୍କୃତିଟି ଗଢ଼ି ଉଠିଛି, ସବୁଥିରେ ଆତ୍ମସମର୍ପଣର ଏହି ଚିତ୍ର ପ୍ରତିଫଳିତ । ଉଲ୍ଲେଖଯୋଗ୍ୟ ଯେ ଲକ୍ଷ୍ମୀ ଶ୍ରୀଜଗନ୍ନାଥଙ୍କ ଧର୍ମପତ୍ନୀ । ଲକ୍ଷ୍ମୀ ଓ ଜଗନ୍ନାଥଙ୍କର ବା ଲକ୍ଷ୍ମୀ ନାରାୟଣଙ୍କର ଉପସନା ଜଗନ୍ନାଥ ସଂସ୍କୃତିରେ ବୈଧୀଭକ୍ତି କୈନ୍ଦ୍ରିକ ଆତ୍ମସମର୍ପଣ । କିନ୍ତୁ ରାଧାକୃଷ୍ଣ ରାଗାନୁଗାଭକ୍ତିକୈନ୍ଦ୍ରିକ ଆତ୍ମସମର୍ପଣ । ବୈଧୀଭକ୍ତିରେ ବର୍ଣ୍ଣାଶ୍ରମ ବ୍ୟବସ୍ଥା ବେଳେ ରାଗାନୁଗାଭକ୍ତିରେ ସାର୍ବଜନୀନ ବ୍ୟବସ୍ଥା ପ୍ରକଟିତ । ଏହି ପରିପ୍ରେକ୍ଷୀରେ ବିମଳାଙ୍କ ସହିତ ଜଗନ୍ନାଥଙ୍କ ସଂପର୍କ ଏହି ତତ୍ତ୍ୱକୁ କିଞ୍ଚôତ ଆଶ୍ରୟ କରିଥାଏ । ସେଥିପାଇଁ ସବୁ ବର୍ଗର ଲୋକଙ୍କ ଜଗନ୍ନାଥଙ୍କ ସେବାପୂଜାରେ ଯେ କେବଳ ଅଧିକାର ଥାଏ, ତାହା ନୁହେଁ, ଜଗନ୍ନାଥଙ୍କୁ ସାର୍ବଜନୀନ ତଥା ଜଗତର ନାଥ ଭାବରେ ପ୍ରତିପାଦନ କରିବା ପାଇଁ ଅନୁରାଗ-କେନ୍ଦ୍ରିକ ଆତ୍ମସମର୍ପଣର ଏତାଦୃଶ ଭୂମିକା ପ୍ରଣିଧାନଯୋଗ୍ୟ । ବିଶ୍ୱବାସୀ ଯେ ଯେଉଁଠି ଥାଆନ୍ତୁ ନା କାହିଁକି, ଯାହାର ଏହି ଭାବନା ଆସେ, ଏହି ମର୍ମରେ ଯେ ଅନୁପ୍ରାଣିତ ହୁଅନ୍ତି, ସେମାନେ ସମସ୍ତେ ଜଗନ୍ନାଥ ସଂସ୍କୃତିର ଦାୟାଦ ପାଲଟି ଯାଆନ୍ତି ।
ମୋ : ୯୪୩୭୦୫୧୯୫୭