ଧାନ ମଣ୍ଡିରେ ଅବ୍ୟବସ୍ଥା
ଚଳିତବର୍ଷ ବିଜେଡ଼ି ସରକାରକୁ ଗାଦିଚୁ୍ୟତ କରି ବିଜେପି ସରକାର ଆସିବା ପରେ ଚାଷୀଙ୍କୁ କ୍ୱିଣ୍ଟାଲ୍ ପିଛା ୩୧୦୦ ଟଙ୍କା ଦିଆଯିବ ବୋଲି ଘୋଷଣା କରିଥିଲେ । ସେହି ଅନୁସାରେ ଧାନ ଅମଳ ପୂର୍ବରୁ ଚାଷୀମାନଙ୍କ ଠାରୁ ଧାନ ସଂଗ୍ରହ ପାଇଁ ଧାନ ମଣ୍ଡି ଗୁଡ଼ିକରେ ଟୋକନ୍ ବ୍ୟବସ୍ଥାର ପ୍ରଚଳନ କରାଗଲା । ଟୋକନ୍ ବ୍ୟବସ୍ଥା ଆଗରୁ ମଧ୍ୟ ଥିଲା, କିନ୍ତୁ ଚଳିତବର୍ଷ ଧାନର ସହାୟକ ମୂଲ୍ୟ ୩୧୦୦ ଟଙ୍କା ହୋଇଯିବା ପରେ ଚାଷୀମାନେ ଧାନ ବିକ୍ରି କରିବା ପାଇଁ ସ୍ୱତଃ ଆଗ୍ରହ ପ୍ରକାଶ କରିଥିଲେ । ହେଲେ ଧାନ ମଣ୍ଡି ଖୋଲିବା ପୂର୍ବରୁ ରାଜ୍ୟର ଅନେକ ସ୍ଥାନରେ ଟୋକନ୍ ବ୍ୟବସ୍ଥାକୁ ନେଇ ଅବ୍ୟବସ୍ଥା ସୃଷ୍ଟି ହୋଇଥିବା ଦେଖାଯାଉଛି । ଏବେ ଧାନ କିଣିବା ପାଇଁ ଚାଷୀମାନଙ୍କୁ ଟୋକନ୍ ଦିଆଯିବାର ଏକ ବ୍ୟବସ୍ଥା, ସବୁତକ ଦୁର୍ନୀତିର ମୂଳ କାରଣ ବୋଲି କିଛି ଚାଷୀ ମତ ଦେଲେଣି । ଜିଲ୍ଲା ପ୍ରଶାସନ ଯଦି ସିଧାସଳଖ ଟୋକନ୍ ବ୍ୟବସ୍ଥାକୁ ନିଜ ନିୟନ୍ତ୍ରଣରେ ରଖନ୍ତେ ତେବେ ହୁଏତ ବିଭିନ୍ନ ଧାନମଣ୍ଡିରେ ସୃଷ୍ଟି ହେଉଥିବା ଅପ୍ରୀତିକର ପରିସ୍ଥିତି ଉପୁଜନ୍ତା ନାହିଁ ।
ଧାନ ମଣ୍ଡି ଖୋଲିବା, ଟୋକନ୍ ବଣ୍ଟନ ଏବଂ ଧାନର ମାନ ନାଁରେ କଟ୍ନିଛଟ୍ନି ଆଦି କରାଯିବା ଫଳରେ ଚାଷୀମାନେ ନାନାଦି ସମସ୍ୟାର ସମ୍ମୁଖୀନ ହେବା ସହିତ କ୍ଷତିର ମଧ୍ୟ ସମ୍ମୁଖୀନ ହେଉଛନ୍ତି । ଦୀର୍ଘ ବର୍ଷ ହେଲା ମଣ୍ଡି ଗୁଡ଼ିକରେ ଧାନ ବିକ୍ରିକୁ ନେଇ ଚାଷୀମାନେ ଘୋର ଅବ୍ୟବସ୍ଥାର ସମ୍ମୁଖୀନ ହେଉଛନ୍ତି । ଖରା, ବର୍ଷା, ଶୀତ କାକରରେ ଧାନ ବିକ୍ରି କରିବା ପାଇଁ ମଣ୍ଡି ଦୁଆରରେ ରହୁଛନ୍ତି । କେବେ କେବେ ମଣ୍ଡିରୁ ଧାନ ଫେରାଇ ଆଣିବାକୁ ବାଧ୍ୟ ହେଉଛନ୍ତି । ଆଉ କେବେ ମଣ୍ଡିରେ ବିକ୍ରି ହୋଇନପାରି ଧାନ ଗଜା ବି ହୋଇଯାଉଛି । ଏ ପ୍ରକାରର ଅବ୍ୟବସ୍ଥାରେ କେବଳ ଚାଷୀମାନେ ହିଁ ହନ୍ତସନ୍ତ ହେଉଛନ୍ତି । ଅଧିକ ଦାମ୍ରେ ଧାନ ବିକ୍ରି କରିବା ପାଇଁ ଚାଷୀମାନେ ନିଜ ଖର୍ଚ୍ଚରେ ମଣ୍ଡିକୁ ଧାନ ନେଉଥିବା ବେଳେ ସେଠାରେ ମିଲର୍ମାନେ ମଣ୍ଡି ବ୍ୟବସ୍ଥାକୁ ସହଯୋଗ କରୁନାହାନ୍ତି । ମୋଟ୍ ଉପରେ ଦେଖାଯାଉଛି ଯେ ମଣ୍ଡି ଗୁଡ଼ିକରୁ ଧାନ ଉଠିବା ମିଲର୍ମାନଙ୍କର ଇଚ୍ଛା ଉପରେ ନିର୍ଭର କରୁଛି । ମିଲର୍ମାନେ ଯଦି ଧାନ ନ ଉଠାଉଛନ୍ତି କିମ୍ବା ବିଳମ୍ବରେ ଉଠାଉଛନ୍ତି, ଚାଷୀମାନେ ହିଁ ଶେଷରେ ଏହାର କ୍ଷତି ସହୁଛନ୍ତି । ଚାଷୀମାନଙ୍କ ସ୍ୱାର୍ଥକୁ ସାମଗ୍ରିକ ଭାବରେ ସରକାର ଜଗି ରହୁଥିଲେ ମଧ୍ୟ ମଣ୍ଡି ଗୁଡ଼ିକରେ ଚାଷୀମାନଙ୍କୁ ମିଲରମାନଙ୍କ ଅସାଧୁ ମନୋବୃତ୍ତିରୁ ଏବଂ ଶୋଷଣରୁ ସୁରକ୍ଷା ଦିଆଯାଇପାରୁନାହିଁ । ମଣ୍ଡି ଖୋଲୁଥିଲେ ମଧ୍ୟ ମିଲରମାନଙ୍କର ଅସହଯୋଗରୁ ଚାଷୀମାନେ ଧାନ ବିକ୍ରି କରିପାରୁନଥିବା ଦେଖାଯାଉଛି । ଆଉ କେତେକ ସ୍ଥଳରେ ଧାନ ସଂଗ୍ରହର ଲକ୍ଷ୍ୟ ପୂରଣ ହୋଇଯାଉଥିବା ଦର୍ଶାଇ ଚାଷୀମାନଙ୍କ ଠାରୁ ଆଉ ଧାନ ନିଆଯାଉନାହିଁ । ଏହା ଫଳରେ ଟୋକନ୍ ପାଇଥିଲେ ମଧ୍ୟ ଚାଷୀ ଧାନ ବିକ୍ରି କରିନପାରି ମଣ୍ଡିରୁ ଘରକୁ ଫେରାଇ ଆଣିବାକୁ ବାଧ୍ୟ ହେଉଛନ୍ତି ।
ସେହିପରି ଧାନର ସହୟାକ ମୂଲ୍ୟ ୩୧୦୦ ଟଙ୍କା କରାଗଲେ ମଧ୍ୟ ଏହାର ପ୍ରକୃତ ଲାଭ ସବୁ ଚାଷୀ ପାଇପାରୁନାହାନ୍ତି । ଖୁବ୍ କମ୍ ସଂଖ୍ୟକ ଚାଷୀ ଏହି ଲାଭକୁ ଉଠାଉଛନ୍ତି । ଏହା ଫଳରେ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେଉଛି ଏବଂ ସେମାନେ ବାଧ୍ୟ ହୋଇ ଘର ନିକଟକୁ ଆସୁଥିବା ବେପାରୀମାନଙ୍କୁ କମ୍ ଦରରେ ଧାନ ବିକ୍ରି କରୁଛନ୍ତି । ଅନ୍ୟ ରାଜ୍ୟର ସୀମାନ୍ତବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ଚାଷୀମାନେ ଅନ୍ୟ ରାଜ୍ୟର ବେପାରୀମାନଙ୍କୁ କମ୍ ଦରରେ ଧାନ ବିକ୍ରି କରିବାକୁ ଏକ ପ୍ରକାରରେ ବାଧ୍ୟ ହେଉଛନ୍ତି । କାରଣ ମଣ୍ଡି ବ୍ୟବସ୍ଥାରେ ବଡ଼ ବଡ଼ ଚାଷୀମାନଙ୍କର ସବୁ ଧାନ ବିକ୍ରି ହେଉନାହିଁ । ତେଣୁ ସେମାନେ ବାଧ୍ୟ ହୋଇ କିଛି ଧାନ ମଣ୍ଡି ବ୍ୟବସ୍ଥାର ବିକ୍ରି କରୁଥିବା ବେଳେ ବାକି ସବୁ ଧାନକୁ ଅନ୍ୟ ରାଜ୍ୟର ବ୍ୟବସାୟୀମାନଙ୍କୁ ବିକ୍ରି କରୁଛନ୍ତି । ଦେଖାଯାଉଛି ଯେ ରାଜ୍ୟରେ ଚାଷୀଙ୍କର ଧାନ ବିକ୍ରିର ଏକ ସ୍ୱଚ୍ଛ ସ୍ପଷ୍ଟ ନୀତି ନାହିଁ । ଚାଷୀମାନଙ୍କ ଠାରୁ ଧାନ କିଣିବା ସମ୍ପର୍କିତ ଏକ ସ୍ପଷ୍ଟ ନୀତି ସରକାର ପ୍ରଣୟନ କରିଲେ ଚାଷୀମାନେ ଲାଭବାନ୍ ହେବା ସହିତ ଚାଷ ପ୍ରତି ଆଗ୍ରହ ପ୍ରକାଶ କରିପାରନ୍ତେ ।