ଅଳ୍ପ କଥାର ଅନେକ ଦିଗ
ଆଜ୍ଞା ନମସ୍କାର,
‘ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟକୁ ଆପଣଂକୁ ସ୍ୱାଗତ । ଜୀବନର ଛୋଟ କଥାର ବଡ ବିଚାରକୁ ନେଇ ‘ଅମୃତ ବିନ୍ଦୁ'ର ଉପସ୍ଥାପନା । ଆଜିର ନିବେଦନରେ ଅଳ୍ପ କଥାର ଅନେକ ଦିଗ । ଯାହାର ବିଚାର ସରଳ ଓ ମର୍ମ ବାସ୍ତବରେ ଜୀବନ ଉପଯୋଗୀ ।
ଆମେ ଯାହା ଚାହୁଁ, ତାହା ହୁଏତ ଆମକୁ ମିଳିନପାରେ । କିନ୍ତୁ ବାସ୍ତବରେ ଆମେ ଯେଉଁଥି ପାଇଁ ଯୋଗ୍ୟ, ଜୀବନରେ ତାହା ନିଶ୍ଚୟ ଯୋଗ ହେଇଥାଏ । ନିଜ ହିସାବରେ ସମସ୍ତେ ଭାବନ୍ତି 'ଆମେ ହିଁ ଠିକ୍' ବୋଲି । ହେଲେ ଏ ଧାରଣା କେବଳ ଏକ ଭ୍ରମ, ଆଉ କିଛି ନୁହଁ । ନିଜକୁ ନିଜେ 'ଭଲ'ର ପ୍ରମାଣପତ୍ର ଦବାକୁ ଯାଇ ଆମେ ଯାବତୀୟ ଭୁଲକୁ ଘୋଡେଇବାକୁ ଚେଷ୍ଟା କରିଥାଉ । ଜଣଂକର ଆଚରଣ, ବ୍ୟବହାର, କଥାବାର୍ତ୍ତା, ପରିଧାନରୁ ମଧ୍ୟ ତାର ବ୍ୟକ୍ତିତ୍ୱର ପରିଚୟ ମିଳି ଯାଇଥାଏ । ଯିଏ ମଣିଷ ଚିହ୍ନିପାରେ, ସିଏ ନିଶ୍ଚୟ ଦେବତୁଲ୍ୟ । ଅବିଶ୍ୱାସ ସମସ୍ତେ କରିପାରନ୍ତି, କିନ୍ତୁ ବିଶ୍ୱାସ କେବଳ ସିଏ ହିଁ କରିପାରେ ଯିଏ ବ୍ୟାପକ ଆଉ ସଂକୀର୍ଣ୍ଣତାର ବଳୟରୁ ମୁକ୍ତ ।
ନିଜକୁ ଅନ୍ୟ କାହାରି ତୁଲେ ତୁଳନା କରିବା ଅନୁଚିତ । ଜୀବନରେ ଅନେକ ଯନ୍ତ୍ରଣା ଆମେ ନିଜକୁ ଅନ୍ୟ ସହିତ ତୁଳନା କରି ପାଇଥାଉ । ଭାଂଗିଦେବା ତ କ୍ଷଣକର କଥା । ଗଢିବା, ଉତଥାନ ଅନେକ ସମୟ ନିଏ । ସାହସ ନଥିଲେ ଜୀବନର ପ୍ରତ୍ୟେକ ପାଦରେ ଡର ଆଉ ଭୟ ଆମକୁ ଗ୍ରାସ କରି ଚାଲିବାଟା ଥୟ । ଆମେ ଆମ ନିଜକୁ ନପାଇବାର ସବୁଠାରୁ କାରଣଟି ହେଉଛି ଆମ ଅହଂକାର ଓ ଆତ୍ମଗର୍ବ । ମନରେ ଯଦି ଭୟ ନାହିଁ, ତେବେ ପରିସ୍ଥିତି ଯେତେ ଭୟଂକର ହେଲେ ମଣିଷ ତାକୁ ସମ୍ମୁଖୀନ କରିବା ପାଇଁ ସମର୍ଥ ।
ପଢିଥିବା ହେତୁ ଆପଣଂକ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ ‘ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।