ଅଂଶୁଘାତ ଓ ‘ଡିହାଇଡ୍ରେସନ’

ଅଂଶୁଘାତ ଓ ‘ଡିହାଇଡ୍ରେସନ’


ଦିନକୁ ଦିନ ଖରାର ତାତି ବଢ଼ିଲାଣି । ଦିନ ନଅଟା ପରେ ବାହାରକୁ ବାହାରିବା ମୁସ୍କିଲ ହୋଇପଡ଼ିଲାଣି । ଅଂଶୁଘାତ ସମସ୍ୟା ମଧ୍ୟ ଦେଖାଦେଲାଣି । ମଣିଷ ଶରୀରର ୭୫ ଭାଗ ଜଳ ଆଧାରିତ, ଯାହା କି ଶରୀରର ବିଭିନ୍ନ କୋଷକୁ ଆଚ୍ଛାଦିତ କରିଥାଏ  । ଅବଶିଷ୍ଟ ରହିଥାଏ ରକ୍ତକଣିକାରେ  । ଶରୀରରୁ ଜଳ କମିଗଲେ ମଣିଷ ଜୀବନ ସଙ୍କଟରେ ପଡ଼ିଯାଏ  । ଏହାକୁ ଡାକ୍ତରୀ ଭାଷାରେ କୁହାଯାଏ "ଡିହାଇଡ୍ରେସନ୍'  । ଆମ ଶରୀରରୁ ନିୟମିତ ଭାବେ ଜଳ କ୍ଷୟହୁଏ ଝାଳ, ପରିସ୍ରା ଭଳି କେତେକ ଉପାୟରେ; କିନ୍ତୁ "ଆଣ୍ଟି-ଡୁ୍ୟରେଟିକ୍ ହରମୋନ୍' ବା ଏଏଚ୍ଡ଼ି ବୃକକ୍ ମାଧ୍ୟମରେ ଏହି ଜଳକ୍ଷୟକୁ ନିୟନ୍ତ୍ରିତ କରିଥାଏ ଓ ଶରୀର ପାଇଁ ଜଳ ସଂରକ୍ଷଣ କରିଥାଏ  । ଏଥିରେ ବ୍ୟାଘାତ ସୃଷ୍ଟି ହେଲେ ବିପଦ ନିଶ୍ଚିତ  । ତେବେ ଡିହାଇଡ୍ରେସନ୍ ଆଜିକାଲି ଏକ ବଡ଼ ସମସ୍ୟା ଭାବେ ଜଣାଶୁଣା ହେଲାଣି  । ଯଥେଷ୍ଟ ପାଣି ନପିଇବା ଦ୍ୱାରା ସାଧାରଣତଃ ଏହି ସମସ୍ୟା ଉପୁଜିଥାଏ  । ଝାଡ଼ା-ବାନ୍ତି ବା ଡାଏରିଆରୁ ମଧ୍ୟ ଡିହାଇଡ୍ରେସନ୍ ହୋଇଥାଏ । ଏହି କାରଣରୁ ଭାରତରେ ପ୍ରତିବର୍ଷ ପ୍ରାୟ ୪ ମିଲିୟନ୍ ଶିଶୁଙ୍କ ମୃତୁ୍ୟ ହୋଇଥାଏ  । ଶରୀରରୁ ଜଳୀୟ ଅଂଶ ଉଦ୍ବେଗଜନକ ଭାବେ ହ୍ରାସ ପାଇବା ହିଁ ଡିହାଇଡ଼୍ରେସନ୍ ବା ଡାଏରିଆର ପ୍ରମୁଖ କାରଣ  । ଝାଡ଼ା ସହିତ ବାନ୍ତି ହେଲେ ରୋଗୀ ଗୁରୁତର ହୋଇପଡ଼େ; କାରଣ ଏହାଦ୍ୱାରା ଶରୀରରେ ଜଳର ଅଭାବକୁ ଭରଣା କରିବା କଷ୍ଟକର ହୋଇଥାଏ  । ଗରମ ପରିବେଶ, ଅଧିକ ପରିଶ୍ରମ, ଦେହର ଉତ୍ତାପ ବୃଦ୍ଧି ଇତ୍ୟାଦି କାରଣରୁ ଅଧିକ ଝାଳ ବାହାରିବା ଦ୍ୱାରା ଶରୀରରୁ ଜଳୀୟ ଅଂଶ ହ୍ରାସ ପାଇଥାଏ  ।  ବହୁମୂତ୍ର ରୋଗୀ ଡିହାଇଡ୍ରେସନ୍ର ଶିକାର ହେବା ଆଶଙ୍କା ଅଧିକ ରହିଥାଏ  । ସେମାନଙ୍କ ରକ୍ତରୁ ଶର୍କରା ଅଂଶ ହ୍ରାସ ପାଇବା ହିଁ ଏହାର କାରଣ  । ପୋଡ଼ାରୋଗୀ ମଧ୍ୟ ଡିହାଇଡ୍ରେସନ୍ ଭୋଗି ପାରନ୍ତି; ଯେହେତୁ ସେମାନଙ୍କ ଚର୍ମ ଜଳ ଶୋଷିନିଏ  । ଏହାଛଡ଼ା ସଂକ୍ରମଣ କାରଣରୁ ମଧ୍ୟ ଜଳୀୟ ଅଂଶ ହ୍ରାସ ପାଇବାର ଆଶଙ୍କା ଥାଏ  ।
ଡିହାଇଡ୍ରେସନରେ ସବୁଠୁ ବଡ଼ ବିପଦ ହେଉଛି ବୃକକ୍ ଅକାମୀ ହୋଇଯିବା  । ରକ୍ତଚାପ ଗୁରୁତର ଭାବେ ହ୍ରାସପାଏ ଏବଂ ଏହାଦ୍ୱାରା କେତେକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅକାମୀ ହୋଇଯାଏ  । ଏମିିତିକି ରୋଗୀ କୋମାରେ ପଡ଼ିଯିବାର ଆଶଙ୍କା ରହିଥାଏ  । କାରଣ ରକ୍ତଚାପ ହ୍ରାସ ପ୍ରତ୍ୟକ୍ଷ ଭାବେ ମସ୍ତିଷ୍କକୁ ପ୍ରଭାବିତ କରେ  । ପରିସ୍ଥିତି ଗୁରୁତର ହେଲେ ମୃତୁ୍ୟ ଅବଶ୍ୟମ୍ଭାବୀ ହୋଇପଡ଼େ  । ବେଳେବେଳେ ଜଳୀୟ ଅଂଶ କ୍ଷୟର ଭରଣା କରାଯାଇନପାରିଲେ ମସ୍ତିଷ୍କ ଆଘାତ ଭଳି ଅବସ୍ଥା ଉପୁଜେ  । ଶରୀରକୁ ଯଥେଷ୍ଟ ଅମ୍ଳଜାନ ମିଳେନାହିଁ  । ରକ୍ତଚାପ ହ୍ରାସ ସହିତ ଏଭଳି ସମସ୍ୟା ରୋଗୀକୁ ମୃତୁ୍ୟମୁଖକୁ ଠେଲିଦିଏ  । ଅତ୍ୟଧିକ ଗରମ କାରଣରୁ ଯଦି ଡିହାଇଡ୍ରେସନ୍ ହୋଇଥାଏ ତେବେ ଅଧିକ ଝାଳବୋହି ଶରୀରକୁ ଶୀତଳ କରିବାକୁ ଚେଷ୍ଟାକରେ  । ଏହା ଯଥେଷ୍ଟ ନହେଲେ ବା ଆବଶ୍ୟକ ମେଣ୍ଟାଇ ନପାରିଲେ ମାଂସପେଷୀ ଗୁଡ଼ିକ ସଂକୁଚିତ ହୋଇଯାଏ  । ଯାହାକି ସୁଧୁରିବା କଷ୍ଟକର  । ଡିହାଇଡ୍ରେସନ୍ର ଚିକିତ୍ସା ପାଇଁ ସର୍ବୋକ୍ରୃଷ୍ଟ ଉପାୟ ହେଉଛି ଶରୀରକୁ ଯଥେଷ୍ଟ ଜଳ ଯୋଗାଇଦେବା ଓ ଜଳୀୟ ଅଂଶ ବୃଦ୍ଧି କରିବା । ପ୍ରଥମେ ରୋଗୀକୁ ଯଥେଷ୍ଟ ପରିମାଣରେ ପାଣି ପିଆଇବା ଉଚିତ  । "ଇଲେକ୍ଟ୍ରୋଲାଇଟ୍' ଆଧାରିତ ପାଣି ପିଆଇବା ଦ୍ୱାରା ଯଥେଷ୍ଟ ଉପକାର ମିଳିଥାଏ  । ଏହାଛଡ଼ା ପପ୍ସିକ୍ଲ, ଜେଲ- ଓ ଭଳି କେତେକ ଜଳୀୟଅଂଶ ବୃଦ୍ଧିକାରୀ ତରଳ ପଦାର୍ଥ ରୋଗୀକୁ ବାରମ୍ବାର ପିଆଇବା ଉଚିତ  । ଏଥିରେ ସଫଳତା ନମିଳିଲେ ସାଲାଇନ୍ ଯୋଗେ ସିଧା ଧମନୀରେ ଜଳୀୟ ଅଂଶ ଭରଣା କରାଯାଏ  । ପରିସ୍ରା ଠିକ୍ ହେବା ପର୍ଯ୍ୟନ୍ତ ଏ ବ୍ୟବସ୍ଥା ଜାରି ରଖାଯାଏ  । ଶରୀର ଶୁଷ୍କ ହୋଇଯାଇଥିବାରୁ ବୃକକ୍ର କାର୍ଯ୍ୟକାରିତା ପ୍ରାୟ ବନ୍ଦ ରହିଥାଏ  । ଔଷଧ ବା ଇଞ୍ଜେକସନ୍ ଦ୍ୱାରା ଏହାକୁ ସଚଳ କରିବାକୁ ହୁଏ  । ଗାଢ଼ାରଙ୍ଗର ପୋଷାକ ପିନ୍ଧିବା ଅନୁଚିତ  । ଏହାଛଡ଼ା ଚିପା ପୋଷାକ ପରିବର୍ତ୍ତେ ଢ଼ିଲା ପୋଷାକ ପିନ୍ଧିବା ଉଚିତ  । କାଫିନ୍ୟୁକ୍ତ ତଥା ନିଶାଯୁକ୍ତ ପାନୀୟ ସର୍ବାଦୌ ବର୍ଜନୀୟ  । ଅଧିକ ସୂର୍ଯ୍ୟତାପରୁ ନିଜକୁ ଦୂରେଇ ରଖନ୍ତୁ, ଶୀତଳ ଓ ଛାଇ ଜାଗାରେ ଚଳପ୍ରଚଳନ ହୁଅନ୍ତୁ  । ଖେଳାଖେଳି ଓ ବ୍ୟାୟାମ କରୁଥିବା ବ୍ୟକ୍ତି ଏହା ପୂର୍ବରୁ ମଝିରେ ବା ପରେ ସୋଡ଼ିୟମ୍ୟୁକ୍ତ ପାଣି ଯଥେଷ୍ଟ ପରିମାଣରେ ପିଇବା ଉଚିତ  । ଏହା ଜଳୀୟ ଅଂଶ କ୍ଷୟକୁ ଭରଣା କରିବ  । ଡିହାଇଡ୍ରେସନ୍ରେ ପୀଡ଼ିତ ରୋଗୀକୁ ତୁରନ୍ତ ତଳେ ଚଟାଣରେ ଶୁଆଇ ଦିଅନ୍ତୁ  । ପାଦକୁ ପିଢ଼ାପଟା ଆକାରରେ ଉଚ୍ଚା ରଖନ୍ତୁ  । ଯଥେଷ୍ଟ ପାଣି ବା ଇଲେକ୍ଟୋରାଲ ପାଣି ପିଆନ୍ତୁ  । ଶରୀର ଉତ୍ତାପ ହ୍ରାସ ପାଇଁ ଯଥେଷ୍ଟ ପବନ ଛାଡ଼ନ୍ତୁ  । ପାଖରେ ପଙ୍ଖା ଲଗାଇ ଦିଅନ୍ତୁ  । ଥଣ୍ଡା କପଡ଼ାରେ ବାରମ୍ବାର ଶରୀରକୁ ପୋଛନ୍ତୁ  । ମୁଣ୍ଡାବିନ୍ଧା ଓ ବିତୃଷ୍ଣା ବା ବାନ୍ତି ବାନ୍ତି ଲାଗିବା, ରକ୍ତଚାପ ହ୍ରାସ ପାଇବା, ଘୁମାଇବା ପରି ଲାଗିବା କିମ୍ବା ଚେତାଶୂନ୍ୟ ହୋଇଯିବା, ଭୋକ ମରିଯିବା, ପାଟି ଶୁଖିଲା ଲାଗିବା, ଚର୍ମ ଶୁଷ୍କ ହୋଇଯିବା, ପରିସ୍ରା ଗାଢ଼ ହଳଦିଆ ରଙ୍ଗ ହେବା, ପରିସ୍ରା ପରିମାଣ ହ୍ରାସ ପାଇବା, ଏମିତିକି ପରିସ୍ରା ବନ୍ଦ ହୋଇଯିବା, ଆଖି କୋରଡ଼ିଆ ହେବା ସହ ମୁକ୍ତ ରକ୍ତିମ ପଡ଼ିଯିବା, କାନ୍ଦିଲେ ବି ଆଖିରୁ ଲୁହ ନଆସିବା, ଆଦୌ ଝାଳ ନବହିବା ଓ ପ୍ରତି ମୂହର୍ତ୍ତରେ ଅଚେତ ଲାଗିବା ହେଉଛି ମୁଖ୍ୟ ଲକ୍ଷଣ । ଡିହାଇଡ୍ରେସନ ଅନୁଭବ କରିବା ମାତ୍ରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଜରୁରି । ନଚେତ ଏହା ଅତ୍ୟନ୍ତ ସଙ୍କଟାପନ୍ନ ପରିସ୍ଥିତି ସୃଷ୍ଟି କରିପାରେ । 
 ପାଲାମଣ୍ଡପ,କଟକ