ଶ୍ରୀକୃଷ୍ଣଙ୍କର ଅକ୍ରୁରଙ୍କୁ ଜ୍ଞାନୋପଦେଶ


ଇନ୍ଦ୍ରପ୍ରଶସ୍ତରୁ ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କ ଅଶ୍ୱମେଧ ଯାଗ ସମାପନ ଅନ୍ତେ ଦ୍ୱାରକାକୁ ଫେରିଆସି ଚିନ୍ତିତ ହୋଇପଡିଲେ । ପିତାମାତା, ପନôୀ ଓ ପୁତ୍ରମାନଙ୍କୁ ଛାଡି ନିତ୍ୟଗୋଲକ ଧାମକୁ ଫେରିଯିବାପାଇଁ ବିଷ୍ଣୁନାଥଙ୍କ କଥା ବାରମ୍ବାର ତାଙ୍କର କର୍ଣ୍ଣଗହ୍ୱରରେ ପ୍ରତିଧ୍ୱନିତ ହେବାକୁ ଲାଗିଲା । ପୁତ୍ର କୁଟୁମ୍ବମାନଙ୍କୁ ଛାଡି ଯିବାପାଇଁ ତାଙ୍କର ମନ ବଳୁନଥିଲା । ସେଥିପାଇଁ ଶ୍ରୀକୃଷ୍ଣ ସର୍ବଦା ଚିନ୍ତିତ ରହୁଥିଲେ । ଦିନେ ଶ୍ରୀକୃଷ୍ଣ ଦ୍ୱାରକାରେ ସିଂହାସନରେ ବସି ଅନେକ ଧନରନô ଦାନ ଦେବାରେ ଲାଗିଥାନ୍ତି । କିନ୍ତୁ ଚକ୍ଷୁ ତାଙ୍କର ଲୋତକରେ ଢଳ ଢଳ ହେଉଥାଏ । ନିକଟରେ ଆଲଟ ଚାମର ଧରି ଅକ୍ରୁର ରହିଥିଲେ । ଶ୍ରୀକୃଷ୍ଣଙ୍କର ବିଷର୍ଣ୍ଣ ବଦନ ଦେଖି ସେ ପଚାରିଲେ ପ୍ରଭୁ ଆପଣ କାହିଁକି ବିଷର୍ଣ୍ଣ ଦେଖାଯାଉଛନ୍ତି ? ଆପଣଙ୍କର କ’ଣ ହୋଇଛି ? ଆପଣ କ’ଣ ଦ୍ୱାରକାପୁରୀର ଐଶ୍ୱର୍ଯ୍ୟ ଛାଡି ବଇକୁଣ୍ଠ ଲୋକକୁ ଫେରିଯିବା ପାଇଁ ଚାହୁଁଛନ୍ତି ? ଏହା କହି ଅକ୍ରୁର ଗୋବିନ୍ଦଙ୍କ ଚରଣ ତଳେ ଲୋଟିପଡିଲେ । ଅକ୍ରୁରକୁ ଆଶ୍ୱାସନା ଦେଇ ଗୋବିନ୍ଦ କହିଲେ ଏ କଥା ଦ୍ୱାରକାରେ ତୁମ୍ଭେ ବିସ୍ତାର (ପ୍ରଚାର) କରନା’ ସମୟ ଆସିଲେ ଯଥା ସମୟରେ ତୁମକୁ କହିବି । ଏ କଥା ସତ୍ୟ ଯେ ଦିନେ ନା ଦିନେ ମତେ ବଇକୁଣ୍ଠ ପୁରକୁ ଫେରିଯିବାକୁ ହେବ ।
ଅକ୍ରୁର ବାରମ୍ବାର ନିଉଛାଳି ହୋଇ ଶ୍ରୀକୃଷ୍ଣଙ୍କ ପାଦ ପଦ୍ମରେ ପଡି କହିଲେ- “ମୁଁ ହେଉଛି ଆପଣଙ୍କ ଭୃତ୍ୟ ଅନେକ କାଳରୁ । ଆପଣ ଯିବାବେଳେ ମତେ ସାଙ୍ଗରେ ନେଇ ଯିବେ ତ?”
ଗୋବିନ୍ଦ କହିଲେ ଅକ୍ରୁର ! ପୃଥିବୀକୁ ଭାରା ହେବାରୁ  ଦେବତାମାନେ ବିଷ୍ଣୁନାଥଙ୍କୁ ଗୁହାରି କଲେ । ବିଷ୍ଣୁନାଥ ନିଜ ଜାନୁରୁ ଶୁକ୍ଳବର୍ଣ୍ଣ ଓ କୃଷ୍ଣବର୍ଣ୍ଣ ଦୁଇଟି ରୋମ ଉପାଡି ଦେଲେ । ସେଥିରୁ କୃଷ୍ଣ ଓ ଶୁକ୍ଳ ବର୍ଣ୍ଣର ଦୁଇଭାଇ ଆମେ ଜନ୍ମହେଲୁ । ମୀନରୂପ ଧଣି ଶଙ୍ଖାସୁରକୁୂ ମାରି ବେଦପୋଥି ଉଦ୍ଧାର କରିଥିଲୁ । କୁର୍ମ ରୂପରେ ଅବନି ଦୈତ୍ୟକୁ ବଧ କଲୁ । ବରାହ ଅବତାରରେ ହିରଣାକ୍ଷ ବଧ କରିଥିଲୁ । କୁର୍ମ ରୂପରେ ଅବନି ଦୈତ୍ୟକୁ ନାଶ କରିଥିଲି । ନରସିଂହ ଅବତାରରେ ହିରଣ୍ୟକଶିପକୁ ବିଦାରଣ କରିଥିଲି । ବାମନ ରୂପରେ ତ୍ରିପାଦ ଭୂମି ଦାନ ମାଗି ରାକ୍ଷସ ରାଜ ବଳୀକୁ ଚାପିଲି । ପର୍ଶୁରାମ ରୂପେ ଜନ୍ମ ଗ୍ରହଣ କରି ଏକ ବିଂଶବାର ପୃଥିବୀକୁ ନିକ୍ଷତ୍ର କଲୁ । ଶ୍ରୀରାମ ରୂପେ ଦଶରଥ ତନୟ ଭାବେ ଜନ୍ମି ଲଙ୍କାର ଦଶାନନକୁ ବଧ କଲି । ଏବେ ଆମ୍ଭେ କାହ୍ନା ଓ ଶଙ୍କର୍ଷଣ ରୂପେ ଜନ୍ମ ହୋଇ କଂସାସୁରକୁ ବିନାଶ କଲାପରେ କୁଟୁମ୍ବର ମାୟାରେ ବିମୋହିତ ହୋଇପଡିଛି । ଏତେ କାଳ ମତେ କୁଟୁମ୍ବ ପ୍ରତି ମୋହ ସୃଷ୍ଟି ହୋଇଛି, କୁଟୁମ୍ବ ମାୟା ବଢିବାରୁ ସେମାନଙ୍କୁ ଛାଡି ଯିବାପାଇଁ ମନ ବଳୁ ନାହିଁ । ପିତାମାତା ବତିଶି ସହସ୍ର କନ୍ୟା ଓ ପଦ୍ମ ପରି ପୁତ୍ରମାନଙ୍କୁ ଛାଡିବି କିପରି ? ମୋ ଅନ୍ତେ ଏମାନେ ବହୁ ଶୋକ କରିବେ । ଏଥି ନିମିତ୍ତ ମୋ ମନ ଅସ୍ଥିର ।
ଅକ୍ରୁର ଗୋବିନ୍ଦଙ୍କୁ ପ୍ରଣାମ କରି କହିଲେ ଆପଣ ବୈକୁଣ୍ଠପୁର ଗଲେ ତାଙ୍କୁ ସାଙ୍ଗରେ ନେଇ ଯାଆନ୍ତୁ । ଅନେକ କାଳରୁ ମୁଁ ଆପଣଙ୍କ ସେବା କରି ଆସୁଛି । ଅକ୍ରୁର କଥା ଶୁଣି ନାରାୟଣ କହିଲେ- “ମଣିଷ ଦେହ ଧରି କେହି ବୈକୁଣ୍ଠ ଯାଇ ପାରିବ? ଅନେକ ଦିନରୁ ତୁମେ ମୋର ସେବା କଲଣି । ମୁଁ ତୁମକୁ ବ୍ରହ୍ମଜ୍ଞାନ ସାଧନା କରିବାର ମାର୍ଗ କହିବି । ତୁମେ ଏହାକୁ ସାଧନା କରି ବୈକୁଣ୍ଠ ଲୋକକୁ ଯାଇପାରିବ । ଅକ୍ରୁର କହିଲେ ପ୍ରଭୁ ! ମତେ ତ ବ୍ରହ୍ମଜ୍ଞାନ କହୁଛନ୍ତି, ହେଲେ ଆପଣ କାହିଁକି ଏହା ସାଧନା କରି ଯୁଗେ ଯୁଗେ ଦେହଧରି ଏ ପୃଥୀବୀରେ ରହୁନାହାଁନ୍ତି ? ଶ୍ରୀକୃଷ୍ଣ କହିଲେ- “ମୁଁ ଯଦି ତ୍ରିଜୀବୀ ହେବି, ତେବେ ପୃଥିବୀର ଭାରାଭାର କିଏ ନିବାରଣ କରିବ ? ପୃଥିବୀ ନିମନ୍ତେ ଆମ୍ଭେ ମନୁଷ୍ୟ ଜନ୍ମ ହୋଇ ମୋହବନ୍ଧନରେ ପଡି ଅନେକ ଦୁଃଖ ସହ୍ୟ କରି ଥାଉ । ନଚେତ ଆମ୍ଭର ସ୍ଥାନ ହେଉଛି ଅଭୟେ ବଇକୁଣ୍ଠ । ଦେବତାମାନଙ୍କ କଷ୍ଟ ନିବାରଣ ପାଇଁ ବାରମ୍ବାର ଧରାରେ ଜନ୍ମ ନେଇଥାଉ । ଏବେ ଯୋଗ ସାଧନା ବିଷୟରେ କହୁଛି, ଅକ୍ରୁର ମନଦେଇ ଶୁଣ । ଶ୍ରୀକୃଷ୍ଣ କହିଲେ ଅକ୍ରୁର ପ୍ରଥମେ ତୁ ପବନ ଆହାର କର । ସମାଧି ହେଉଛି ଆଠ ପ୍ରକାର । ପବନକୁ ଶୂନ୍ୟ ମାର୍ଗରେ ଚଳାଇ ସ୍ଥାନୀତ କରିବାକୁ ବା ପବନକୁ ଛନ୍ଦିଲେ ଯାଇ ମନର ତାପ ହରଣ ହୁଏ । ଯୋଗ ଆସନରେ ଚଉଶଠି ମୁଦ୍ରା ରହିଛି । ଏହି ୬୪ ମୁ୍ଦ୍ରାରେ ପଞ୍ଚମନକୁ ଅନିଦ୍ରା ରହି ଛନ୍ଦିବାକୁ (ଆୟତ୍ତ କରିବାକୁ) ହେବ । ଦଶ ଦ୍ୱାରା ରୋଧି କାମ ଭାବକୁ ନାଶ କରିବାକୁ ଅଷ୍ଟଦଳ ପଦ୍ମରେ ପବନ ଚଳାଇ ସାଧିବାକୁ ହେବ ।
ଇଅଁଳା, ପିଙ୍ଗଳା, ଶୁଷୁମୁନା ନାମକ ତିନି ନାଡିକୁ ଏକଦ୍ୱାର କରି ପବନକୁ ନିରୋଧିବାକୁ ହେବ । ଏହାପରେ ଖେଚରି ମୁଦ୍ରାରେ ନିଦ୍ରାକୁ ଛନ୍ଦିଲେ ଭୋକ ଲାଗିବ ନାହିଁ । ଭୋକ ନ ଲାଗିଲେ ଶରୀର ଗୋଟି ରକ୍ଷା ହେଲା ବୋଲି ଜାଣିବ । ଶରୀର ରକ୍ଷାର ଅନ୍ୟ ଏକ ମାଧ୍ୟମ ହେଲା ଆହାର, ନିଦ୍ରା ଉପେକ୍ଷା କରିବା । ଆହାର ଭୁଞ୍ଜନ୍ତେ ଆଉ କାଳ ଭୋଗୀ ହୁଏନାହିଁ । ଏହାକୁ ବୁଝି ସାଧନା କଲେ ଅକ୍ରୁର ଯୋଗୀ ହୋଇପାରିବୁ । ଏବେ ଅକ୍ରୁର ତୁମେ ବିଞ୍ଜଗିରି ନିକଟରେ ଥିବା ୟେକାମ୍ବର ତୀର୍ଥକୁ ଗମନ କର । ସେଠାରେ ଥିବା ଗହନ ଅରଣ୍ୟରେ ଲାଟକେଶ୍ୱର ଲିଙ୍ଗ ରହିଛନ୍ତି । ସେହି ସ୍ଥାନକୁ ଯାଇ ଯୋଗସାଧନା କର । ଦେହ ସିଦ୍ଧ ହୋଇଲେ ବଇକୁଣ୍ଠ ଯାଇପାରିବୁ ।
ଗୋବିନ୍ଦଙ୍କ ଠାରୁ ବ୍ରହ୍ମଜ୍ଞାନ ଶ୍ରବଣ କରି ଅକ୍ରୁର କହିଲେ, ପ୍ରଭୁ ! ଏବେ ମୁଁ ୟେକାମ୍ବର ତୀର୍ଥକୁ ଯାଉଛି । ପୁଣି କେବେ ଆପଣଙ୍କ ଦର୍ଶନ ଲାଭ କରିପାରିବି ?
ଶ୍ରୀକୃଷ୍ଣ କହିଲେ ମହୋଦଧି ଉତ୍ତର ଦିଗରେ ରହିଛି ଯାମନିକ ତୀର୍ଥ  । ସେଠାରେ ଥିବା ନୀଳସୁନ୍ଦର ପର୍ବତରେ ଥିବା ନୀଳକଳପ ବଟରେ ମୋର ସାକ୍ଷାତ ପାଇବ । ୟେ ପିଣ୍ଡକୁ (ଶରୀରକୁ) ଯମ ସେହି ସ୍ଥାନକୁ ନେଇଯିବ । ମୁଁ ନୀଳମାଧବ ପ୍ରତିମା ଭାବେ ଶ୍ରୀପୁରୁଷୋତ୍ତମରେ ଦାରୁ ରୂପରେ ପୂଜା ପାଇବି । ସେହି ଦାରୁ ଦାରୁବ୍ରହ୍ମ ଭାବେ ନୀଳକନ୍ଦରରେ ଚତୁର୍ଦ୍ଧାମୂର୍ତ୍ତି ରୂପେ ଆମ୍ଭେ ପୂଜା ପାଇବୁ । ଆମ୍ଭର ପୂଜାପାଇଁ ଇନ୍ଦ୍ରଦୁ୍ୟମ୍ନ ରାଜା ଏକ ମନ୍ଦିର ତୋଳାଇ ସେଠାରେ ଆମ୍ଭଙ୍କୁ ପୂଜା କରିବ । ହେ ଅକ୍ରୁର । ସେହିଠାରେ ଆମ୍ଭଙ୍କୁ ତୁ ପ୍ରତ୍ୟକ୍ଷ ଦର୍ଶନ କରି କୋଟି ଜନ୍ମର ପାପ ଖଣ୍ଡନ କରିବୁ । ଏବେ ଗୃହକୁ ନଫେରି ରାତ୍ରି ଅର୍ଦ୍ଧରେ ଦ୍ୱାରକାରୁ ବାହାରି ଚାଲିଯିବୁ ।  ବିଚିତ୍ର ପ୍ରଭୁ ! ବିଚିତ୍ର ତୁମ୍ଭର ଲୀଳା । ନିଜର ଭକ୍ତଙ୍କୁ ଉଦ୍ଧାରିବାର ମାର୍ଗ ବତାଇଦେଲେ । ଏପରିକି ସାତୁକୀ ପରି ଭାଇ ଓ ପ୍ରଦୁ୍ୟମ୍ନ ପରି ଅତି ଆପଣାର ପୁତ୍ରକୁ ମଧ୍ୟ ମୁକ୍ତିର ମାର୍ଗ ଦେଖାଇଲ ନାହିଁ । ଭକ୍ତ ଅକ୍ରୁରକୁ ବ୍ରହ୍ମଜ୍ଞାନ ଶିକ୍ଷାଦେଇ, ତାହାଙ୍କୁ ରକ୍ଷା ନିମିତ୍ତ  ଯାମନିକ ତୀର୍ଥକୁ ପଠାଇଦେଲ ।
ହେ ଗୋବିନ୍ଦ ! ଆପଣ ହେଉଛନ୍ତି ଜ୍ଞାନୀ ମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ, ଭକ୍ତମାନଙ୍କର ବନ୍ଧୁ ଭକ୍ତ ବତ୍ସଳ । ଯେଉଁ ଅକ୍ରୁର କଂସାସୁରର ମନ୍ତ୍ରୀଭାବେ ରାମକୃଷ୍ଣଙ୍କୁ ଧନୁଯାତ୍ରା ଦେଖିବା ନିମନ୍ତେ ମଥୁରାପୁରକୁ ନେଇ ଆସିଥିଲା ସେହି ବାଳୁତ ପୁତ୍ରକୁ କଂସ ରାଜାର ଭୟ ଦେଖାଇ ଘେନି ଆସିଲା ବେଳେ ନନ୍ଦ ଯଶୋଦାଙ୍କ କଥାକୁ ରଖିନଥିଲେ । ଅକ୍ରୁର ଯେତେବେଳେ ଯମୁନାରେ ସ୍ନାନ କରୁଥିଲେ ସେ ରାମକୃଷ୍ଣଙ୍କ ପରଂବ୍ରହ୍ମତ୍ୱ ଜାଣିପାରିଥିଲେ । କାରଣ ପାଣିରେ ବୁଡିମରିଲା ବେଳେ ସେ ଶଙ୍ଖଚକ୍ରଧାରୀ ଭଗବାନଙ୍କୁ ଦେଖି ପାଣି ଉପରକୁ ଉଠି ଚାହିଁ ଦେଖିଲା ଯେ ରାମକୃଷ୍ଣ ରଥରେ ଉପବେଶନ କରିଛନ୍ତି । ଜଳ ଭିତରେ ଓ ବାହାରେ ଏକା ମୂର୍ତ୍ତି ଦେଖି ଅକ୍ରୁର ଆସି ରାମକୃଷ୍ଣଙ୍କୁ ପ୍ରଣାମ ଜଣାଇ କହିଲେ- “ ଆପଣଙ୍କୁ ମୁଁ ମରାଇବା ପାଇଁ ମଥୁରାପୁର ନେଇ ପାରିବିନାହିଁ ।” ଶ୍ରୀକୃଷ୍ଣ କହିଲେ ଅକ୍ରୁର ! ମାମୁଁଙ୍କ ଧନୁଯାତ୍ରା ଦେଖିବାକୁ ଆମର ବହୁତ ଇଚ୍ଛା । ତେଣୁ ତୁମେ ଆମ୍ଭଙ୍କୁ ନେଇଚାଲ । ସେହିଦିନ ଠାରୁ ଅକ୍ରୁର ରାମକୃଷ୍ଣଙ୍କର ସେବାକରି ଆସିଛି । ତେଣୁ ସେ ଶ୍ରୀକୃଷ୍ଣଙ୍କ ଅନୁଗ୍ରହରୁ ଆସି ୟେକାମ୍ର ବନସ୍ତରେ ରହିଲେ ।
କାକର ପଡି ଯେପରି ପଦ୍ମବନ ପୋଡିଯାଏ, ସେହିପରି ଦ୍ୱାରକା ଭୁବନରେ ଦିନକୁ ଦିନ ଅପଚୟ ପଡିଲା । ଶ୍ରୀକୃଷ୍ଣଙ୍କର ବଇକୁଣ୍ଠ ଯିବା ପାଇଁ ମନ ଉଚ୍ଛନ୍ନ ହେବାରେ ଲାଗୁଥାଏ, ହେଲେ କୁଟୁମ୍ବ ମାୟାରେ ତାଙ୍କର ଶରୀର ଅସ୍ଥିର ଓ ଚିତ୍ତ ଛିନ୍ନ ଛିନ୍ନ ହେଉଥାଏ ।