ଓଳକଣା ମେଲଣ

ବଟକୃଷ୍ଣ ସାମଲ : ଓଡ଼ିଶାର ପାରମ୍ପରିକ ମୁଖ୍ୟ ଯାତ୍ରା ଭାବରେ ଲୋକମୁଖରେ ଯୁଗ ଯୁଗ ଧରି ଗୋଟିଏ ସ୍ମରଣୀୟ ଧାଡ଼ିଟି ଶୁଣାଯାଇଥାଏ - "ଓଳକଣା ମେଲଣ, ଆଳି ରଜା ଝୁଲଣ, ଅସୁରେଶ୍ୱର ରାମ ନବମୀ, ଶ୍ରୀକ୍ଷେତ୍ରରେ ଚନ୍ଦନ ।' ବାସ୍ତବିକ ଓଳକଣା ମେଲଣ କେବଳ ଓଡ଼ିଶା ପ୍ରସିଦ୍ଧ ନୁହେଁ ଏହା ଭାରତ ପ୍ରସିଦ୍ଧ କହିଲେ ଅତୁ୍ୟକ୍ତି ହେବନାହିଁ । ଏହା ଏପରି ଏକ ସ୍ୱତନ୍ତ୍ର କ୍ଷେତ୍ର ଯେଉଁଠି କୌଣସି ଦୋଳ ବିମାନକୁ ନିମନ୍ତ୍ରଣ କରାଯାଇନଥାଏ  ବୋଲି କୁହାଗଲେ ମଧ୍ୟ ବାସ୍ତବରେ ଆଳି ରାଜାଙ୍କ ପକ୍ଷରୁ ଏହି ମେଲଣ କ୍ଷେତ୍ରରେ ହିଁ ନିମନ୍ତ୍ରଣ ପ୍ରଦାନ କରାଯିବାର ବିଧି ରହିଛି । କିନ୍ତୁ ଓଡ଼ିଶାର ମୁଖ୍ୟ ବିଶେଷକରି ଉପକୂଳବର୍ତ୍ତୀ ଅଞ୍ଚଳର ଦୋଳ ବିମାନ ଗୁଡ଼ିକ ନିଜ ଆୟୋଜନରେ ଭବ୍ୟ ଆଡ଼ମ୍ବର ସହିତ ଏହି ସ୍ଥାନକୁ ବିଜେ ହୋଇଥାନ୍ତି । 
ଓଁକାର କ୍ଷେତ୍ର ଓଳକଣାରେ ସନ୍ଥ ଅରକ୍ଷିତ ଦାସ ଓଁକାର ସାଧନା କରି ସିଦ୍ଧି ପ୍ରାପ୍ତି ହୋଇ ଥିବାରୁ ଏହି ଗ୍ରାମଟିକୁ ଓଳକଣା ନାମରେ ନାମିତ କରିଥିବା କିମ୍ବଦନ୍ତୀ କୁହେ । ଏହି ଓଁକାରକ୍ଷେତ୍ର ପଡ଼ିଆଟି ଏକ ତ୍ରିକୋଣାକାର ଭୂମି ଅଟେ । ପଡ଼ିଆକୁ ପ୍ରବେଶ କରିବାକୁ ତିନିଗୋଟି ଦ୍ୱାର ରହିଛି । ହରିହର ମିଳନ କ୍ଷେତ୍ର ହୋଇଥିବା ଦୃଷ୍ଟିରୁ, ତିନି ଦ୍ୱାରରେ ହରିଙ୍କ ବାହନ ଗରୁଡ଼ ଏବଂ ଶିବଙ୍କ ବାହାନ ବୃଷଭ, ତିନି ପ୍ରବେଶ ଦ୍ୱାରରେ ସ୍ଥମ୍ଭ ମାନଙ୍କରେ ବିଦ୍ୟମାନ ହୋଇ ପଡ଼ିଆକୁ ଜଗି ରହିଛନ୍ତି । ମେଲଣ ସମୟରେ ବିମାନମାନେ ଉକ୍ତ ଦ୍ୱାର ଦେଇ ମେଲଣ ପଡ଼ିଆକୁ ପ୍ରବେଶ କରିଥାନ୍ତି । ପଡ଼ିଆର ପୂର୍ବପଟରେ ଅତୀତରେ ଗୋଟିଏ ନଦୀ ପ୍ରବାହିତ ହେଉଥିଲା । ଉକ୍ତ ନଦୀର ନାମ ସୁବଳୟା ନଦୀ ବୋଲି, କିମ୍ବଦନ୍ତୀ ବା ଜନସ୍ମୃତିରେ ଶୁଣିବାକୁ ମିଳେ । ଉକ୍ତ ନଦୀଟି ଲୁଣାନଦୀର ଏକଧାର ବୋଲି କୁହାଯାଏ । ନଦୀ ଯେଉଁ ବାଟରେ ବହୁଥିଲା, ଏବେ ବି ସେହି ସ୍ଥାନ ମାନଙ୍କର ବିଭିନ୍ନ ବଡ଼ ବଡ଼ ଗଣ୍ଡ ଗୁଡ଼ିକ ପୋଖରୀ ଭାବେ ରହିଅଛି । ପଞ୍ଚସଖାମାନେ ମିଳିତ ଭାବେ ଉକ୍ତ ପଡ଼ିଆର ପୂର୍ବ ଓ ଦକ୍ଷିଣ ଭାଗର ଅଗ୍ନିକୋଣରେ ଏକ ବିଶ୍ୱଶାନ୍ତି ଯଜ୍ଞ ଆରମ୍ଭ କରିବା ସମୟରେ ରାଜ ବାଧା କାରଣରୁ ଯଜ୍ଞଟି ଅସପୂର୍ଣ୍ଣ ରହିବାରୁ, ପୋତି ଦେଇ ସେହି ସ୍ଥାନରେ ଏକ ବଟ ବୃକ୍ଷ ରୋପଣ କରି ତାର ନାମ ରତ୍ନବଟ ନାମରେ ନାମିତି କରି ଚାଲିଯାଇଥିଲେ । ସେହି ଦିନ ଠାରୁ ସ୍ଥାନୀୟ ଓ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁ ଭକ୍ତମାନେ ରତ୍ନବଟଙ୍କୁ ପୂଜାପାଠ କରି ଆସୁଥିଲେ । ଯେଉଁ ଶ୍ରଦ୍ଧାଳୁ ଭକ୍ତମାନେ ସେହି ରତ୍ନବଟ ନିକଟରେ କୌଣସି ମାନସିକ କରି ଗୁଆ ବସାଉଥିଲେ, ସେମାନଙ୍କର ମାନସିକ ପୂରଣ ହେବାପରେ, ରତ୍ନବଟ ମୂଳରେ ଦୁଗ୍ଧ ଢ଼ାଳି ପୂଜାଚର୍ଚ୍ଚନା କରୁଥିଲେ । ଓଳକଣା ମେଲଣ ବାସ୍ତବିକ ଏକ ଅଲୌକିକ ମେଲଣ କହିଲେ ଅତୁ୍ୟକ୍ତି ହେବନାହିଁ । ଏହା ଏକ ଆଶ୍ଚର୍ଯ୍ୟକର କ୍ଷେତ୍ର ଯେଉଁଟି ତିନିଗୋଟି ଜିଲ୍ଲା ଯଥା କଟକ-କେନ୍ଦ୍ରାପଡ଼ା-ଯାଜପୁରର ସୀମା ରହିଛି ଏବଂ ଏହାର ନିକଟରେ ଦୈତାରୀ-ପାରାଦ୍ୱୀପ ତ୍ୱରିତ ରାଜପଥ ରହିଥିବା ସହ ନିକଟରେ ଲଳିତଗିରି ରେଳ ଷ୍ଟେସନ ରହିଛି । କିନ୍ତୁ ସରକାରୀ ଭାବେ ଏହାର ସେପରି ପ୍ରଚାର ପ୍ରସାର ହୋଇନଥିବାରୁ ତଥାପି କିନ୍ତୁ ଲକ୍ଷାଧିକ ଜନସମାଗମ ହୋଇଥାଏ ଏବଂ ସବୁକିଛି ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ମହିମାରେ ଅତି ଆନନ୍ଦକର ଭାବରେ ସମାପନ ହୋଇଯାଏ । ପରମ୍ପରା ଅନୁଯାୟୀ ଆଳି ରାଜାଙ୍କ ବିମାନ ପଡ଼ିଆ ମଧ୍ୟକୁ ପ୍ରଥମ ପ୍ରବେଶ କରିଥାନ୍ତି । କୌଣସି କାରଣ ବଶତଃ ରାଜାଙ୍କ ବିମାନ ପଡ଼ିଆ ମଧ୍ୟକୁ ପ୍ରବେଶ ନକରିପାରିଲେ ତେବେ ଅନ୍ୟ କୌଣସି ବିମାନ ପଡ଼ିଆକୁ ଆସିଯାଇଥିଲେ ସେମାନେ କିନ୍ତୁ ବିମାନ ବସାଇ ପାରିବେ ନାହିଁ । ରାଜାଙ୍କ ବିମାନ ଆସି ସ୍ଥାନ ଗ୍ରହଣ ନକରିବା ପର୍ଯ୍ୟନ୍ତ ବିମାନ ଗୁଡ଼ିକ ସ୍ଥାନ ଗ୍ରହଣ ନକରିକି ପୂର୍ବବତ୍ କାନ୍ଧରେ ରହିଥାଏ । ପ୍ରଚାରିତ ହୁଏ ଯେ ବିନା ନିମନ୍ତ୍ରଣରେ ଠାକୁରମାନେ ବିମାନରେ ମେଲଣକୁ ଆସିଥାନ୍ତି । କିନ୍ତୁ ତାହା ମଧ୍ୟ ଠିକ କଥା ନୁହେଁ । ମେଲଣ କାର୍ଯ୍ୟକ୍ରମ ଶେଷ ହେବା ପରେ ଆଳି ରାଜାଙ୍କ ବିମାନ ତରଫରୁ ତାଙ୍କର ତତ୍ତ୍ୱାବଧାରକମାନେ ପ୍ରତ୍ୟେକ ବିମାନ ମାନଙ୍କୁ ଚନ୍ଦନ ଓ ଫୁଲମାଳ ଦେଇ ଆସନ୍ତା ବର୍ଷ ମେଲଣକୁ ଆସିବାକୁ ନିମନ୍ତ୍ରଣ କରିଥାନ୍ତି । ଯେଉଁଥିରୁ ବିଶ୍ୱାସ କରାଯାଏ ଯେ ପ୍ରଥମେ ମେଲଣ ଆରମ୍ଭ କରାଯିବା ସମୟରେ ଆଳି ରାଜାଙ୍କ ଦ୍ୱାରା ଠାକୁରମାନଙ୍କୁ ନିମନ୍ତ୍ରଣ କରାଯାଇଅଛି । ଭବିଷ୍ୟତରେ କାଳେ ରାଜାଙ୍କ ଆଗାମୀ ଉତ୍ତରାଧିକାରୀଙ୍କ ତରଫରୁ ପ୍ରତ୍ୟେକ ବର୍ଷ ବିମାନ ମାନଙ୍କୁ ନିମନ୍ତ୍ରଣ ଦେବାର ଅବହେଳା ଜନିତ ତ୍ରୁଟି ସୃଷ୍ଟି ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖାଯାଇ ଆଗାମୀ ବର୍ଷ ମେଲଣକୁ ଆସିବା ପାଇଁ ମେଲଣ ଶେଷରେ ପ୍ରତ୍ୟେକ ଠାକୁରଙ୍କୁ ଏହିଭଳି ଫୁଲ ଚନ୍ଦନ ଦିଆଯାଇ ନିମନ୍ତ୍ରଣ କରାଯାଇଥାଏ । ଏଥିରୁ ସ୍ପଷ୍ଟ ଅନୁମେୟ ହୁଏ ଯେ ଏହି ପବିତ୍ର ଆଧ୍ୟାତ୍ମିକ ସ୍ୱାକ୍ଷର ବହନ କରୁଥିବା ଓଳକଣା ମେଲଣଟି ଆଳି ରାଜାଙ୍କ ଦ୍ୱାରା ସୃଷ୍ଟି ହୋଇଥାଇପାରେ ।
ମହାତ୍ମା ବିଦୁର ପ୍ରଭୁ ବଳରାମଙ୍କୁ ବର ମାଗିଥିଲେ ଯେ ମୁଁ ଏହି କ୍ଷେତ୍ରରେ ପ୍ରତ୍ୟେକ ବର୍ଷ ଫାଲଗୁନ ଚତୁର୍ଦ୍ଦଶୀ ରାତି ବ୍ରହ୍ମ ମୁହୂର୍ତ୍ତରେ ଆପଣଙ୍କ ଶିବଶମ୍ଭୁ ଓ ଭଗବାନ ଶ୍ରୀକୃଷ୍ଣଙ୍କ ମିଳନ ରାହାସ ଦେଖିବା ପାଇଁ ମୋତେ ବର ପ୍ରଦାନ କରନ୍ତୁ । ବିଦୁରଙ୍କ ଅନୁରୋଧ ରକ୍ଷା କରି ପ୍ରଭୁ ବଳରାମ ବିଦୁରଙ୍କୁ ବର ପ୍ରଦାନ କରି ଏଠାରେ ହରିହର ଭେଟ ବା ମେଲଣ ଅନୁଷ୍ଠିତ ହେବାକୁ ବର ପ୍ରଦାନ କରିଥିବା ହେତୁ ଏହି ମେଲଣ ଅନୁଷ୍ଠିତ ହୋଇ ଆସୁଥିବା ଲୋକ ମାନଙ୍କ ମୁଖରୁ ଶୁଣିବାକୁ ମିଳେ । ଏଠାରେ ଓଳକଣାର ମାହାତ୍ମ୍ୟ ସମ୍ପର୍କରେ ଓ ହରିହର ମେଲଣର ତାତ୍ପର୍ଯ୍ୟ ସମ୍ପର୍କରେ ନିକଟସ୍ଥ ଗୋପାଳପୁର ଗ୍ରାମର କବି ଦ୍ୱିତୀୟ ଉପେନ୍ଦ୍ର ଭଞ୍ଜଙ୍କ ସ୍ୱର୍ଗତଃ ଗୋଲକ ଚନ୍ଦ୍ର ପ୍ରଧାନ ତାଙ୍କ ତୁଳସୀ କାବ୍ୟରେ ଉଲ୍ଲେଖ କରିଛନ୍ତି - "ନୈମିଷାରଣ୍ୟେ ବଲ୍ଲଭ ନିଧନେ ମନେଭରି ମହାଦୁଃଖଃ, ବ୍ରହ୍ମହତ୍ୟା ପାପ ବିମୋଚନେ ଅବା ସେ ପାପୁ ହେବାକୁ ମୋକ୍ଷ । ସର୍ବ ତୀର୍ଥ ଘୁରି ଘୁରି ମହାବଳୀ ଓଳକଣାରେ ପ୍ରବେଶ, ଗ୍ରାମ୍ୟ ଆଦ୍ୟ ପ୍ରାନ୍ତ ଆରମ୍ଭ ସମାପ୍ତ ଜାଣି ନପାରି ବିଶେଷ, ଗୁପ୍ତ ତୀର୍ଥ ଠାରୁ ଭଦ୍ରେଶ୍ୱର ଯାଏ ସର୍ବେ ଓଳକଣା ପୁର । ଗୁପ୍ତେ କେତେ ଦେବାଦେବୀ ରହିଛନ୍ତି ବର୍ଣ୍ଣିବାକୁ ଶକ୍ତିକାର । ଭକ୍ତଜନ ମାନ , ତୁହି ଏହା କାମ୍ୟ, ପୁଣ୍ୟବତୀ ଓଳକଣା, ତୋ ତତ୍ତ୍ୱ ନପାଇ କେତେ ମୁନିଋଷି ଜ୍ଞାନୀ ହୋଇଛନ୍ତି ବଣା । '
ପବିତ୍ର ଦୋଳଯାତ୍ରା ଓ ଓଳକଣା ମେଲଣ ଅବସରରେ ଭଗବାନ ଶ୍ରୀକୃଷ୍ଣ ସମସ୍ତଙ୍କୁ ଆନନ୍ଦ ଓ ଘରେ ଘରେ ସୁଖ ଶାନ୍ତି ପ୍ରଦାନ କରନ୍ତୁ ଏହା ହିଁ ମୋର ପ୍ରାର୍ଥନା । 
ଅରାଖଣ୍ଡ, ଓଳକଣା, ଡେରାବିଶ, କେନ୍ଦ୍ରାପଡ଼ା, କଟକ
ମୋ: ୯୪୩୯୧୭୫୫୨୯