ଶିବ ଓ ଶ୍ରାବଣ


 ହିନ୍ଦୁ ସଂସ୍କୃତି ଅନୁସାରେ ଶ୍ରାବଣ ମାସର ମହତ୍ୱ ଅଧିକ । ଚତୁର୍ମାସ ମଧ୍ୟରେ ଆସୁଥିବା ଏହି ଶ୍ରାବଣ ମାସରେ ଶିବ ପୂଜନକୁ ଅଗ୍ରାଧିକାର ଦିଆଯାଇଥାଏ । ଏହି ମାସକୁ ଏକ ପବିତ୍ର ମାସ ବୋଲି ମଧ୍ୟ କୁହାଯାଇଥାଏ । ଏହି ମାସରେ ଶିବଲିଙ୍ଗ ଉପରେ ଜଳାଭିଷେକ, ବେଲପତ୍ର ଏବଂ ଦୁର୍ଦୁରା ଲାଗି କରାଯାଇ ଶିବଙ୍କ ଆରାଧନା କଲେ ମଙ୍ଗଳ ହୁଏ । ଏହି ମାସର ଧାର୍ମିକ, ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ମହତ୍ୱ ମଧ୍ୟ ରହିଛି । ଶିବ ପୁରାଣରେ ମାସର ଗୁରୁତ୍ୱ ବାବଦରେ ଉଲ୍ଲେଖ ଅଛି । ହିନ୍ଦୁ ଗ୍ରନ୍ଥମାନଙ୍କରେ ଉଲ୍ଲେଖ ଅଛି ଯେ ସୃଷ୍ଟିର କଣ କଣରେ ଶିବର ନିବାସ ଅଟେ । ମହାଧିଦେବ ଶିବ ନିରାକାର ରୂପରେ ଜଗତର କଲ୍ୟାଣ କରିଥାନ୍ତି ତଥା ସାକାର ଋପରେ ମାନବତାର କଲ୍ୟାଣ ପାଇଁ ବିଭିନ୍ନ ଅବତାର ଧାରଣ କରିଥାନ୍ତି । ଯଦିଓ ଭଗବାନ ଶିବଙ୍କର ଉପାସନା ସବୁ ସମୟରେ, ସବୁଦିନ ଓ ସବୁମାସରେ ଫଳଦାୟକ ପରନ୍ତୁ ଶ୍ରାବଣ ମାସ ଶିବଙ୍କର ଅତିପ୍ରିୟ ଅଟେ । କଳିଯୁଗରେ ସର୍ବାଧିକ ପୂଜିତ ଭଗବାନ ଶଙ୍କରଙ୍କ ଆରାଧନା କରାଯାଉଛି ଓ ପ୍ରତିଟି ହିନ୍ଦୁ ଶିବାଳୟକୁ ଯାଇ ଅବଶ୍ୟ ଶିବଙ୍କ ଦର୍ଶନ କରୁଛନ୍ତି । ଶ୍ରାବଣ ମାସରେ ତାମସିକ ଭୋଜନ ତ୍ୟାଗ କରି ଯେଉଁମାନେ ଭଗବାନ ଶିବଙ୍କ ପୂଜା ଆରାଧନା କରିଥାନ୍ତି ସେମାନେ ସବୁବନ୍ଧନରୁ ମୁକ୍ତ ହୋଇଥାନ୍ତି ।
ଏହି ମାସରେ କାଉଡି ଯାତ୍ରା କରାଯାଇଥାଏ । ଶିବ ଭକ୍ତ ମାନେ କାଉଡ଼ିରେ ଜଳଆଣି ଶିବଙ୍କ ଉପରେ ଢାଳିଥାନ୍ତି । ଏହି କାଉଡି ଯାତ୍ରାର ଏକ ପୌରାଣିକ ତଥ୍ୟ ରହିଛି । ସମୁଦ୍ର ମନ୍ଥନ ବେଳେ ହଳାହଳ ବିଷ ବାହାରିଥିଲା । ବିଷର ଉତ୍ତାପରେ ଦେବତା, ଦୈତ୍ୟ ଏପରିକି ସାରା ସଂସାର ବ୍ୟାକୁଳ ହୋଇଉଠିଥିଲା । ସେତେବେଳେ ଭଗବାନ ବିଷ୍ଣୁଙ୍କ ପରାମର୍ଶକ୍ରମେ ଶିବ  ସେଇ ହଳାହଳ ବିଷକୁ ପିଇଥିଲେ । ବିଷକୁ କିନ୍ତୁ ଶିବ କଣ୍ଠରେ ଧାରଣ କରିଥିଲେ ଯେଉଁଥିପାଇଁ ବିଷର ପ୍ରକୋପରେ ତାଙ୍କ କଣ୍ଠ ନୀଳବର୍ଣ୍ଣ ହୋଇଯାଇଥିଲା । ସେବେଠାରୁ ତାଙ୍କୁ ନୀଳକଣ୍ଠ ବୋଲି କୁହାଯାଏ । ବିଷର ଉତ୍ତାପ କାରଣରୁ ଶିବ ତିନିପୁର ପରିକ୍ରମା କରିବାରେ ଲାଗିଲେ ଏବଂ ତାଙ୍କ ମୁହଁରୁ ରାମ ରାମ ଧ୍ୱନି ପରିବର୍ତ୍ତେ ବମ୍ – ବମ୍ ବାହାରିଥିଲା । ଦେବତା ମାନେ ଶିବଙ୍କ ବିଷର ପ୍ରକୋପକୁ ଶାନ୍ତ କରିବା ପାଇଁ ଶିବଙ୍କ ମସ୍ତକରେ ଜଳ ଚଢ଼ାଇଥିଲେ ଏବଂ କାଳାନ୍ତରରେ ଗଙ୍ଗା ମଧ୍ୟ ଶିବଙ୍କ ମସ୍ତକରେ ରହିଲେ । ସେହି ସମୟଠାରୁ ଶିବଙ୍କ ଉପରେ ଜଳ ଚଢାଇବା ବା ଲାଗି କରିବାର ପରମ୍ପରା ରହିଆସିଛି । ଏହି ଶ୍ରାବଣ ମାସରେ ସମୁଦ୍ର ମନ୍ଥନ ହୋଇଥିଲା । ଏଣୁ କାଳକ୍ରମେ ଭକ୍ତମାନେ କାନ୍ଧରେ ଜଳଭାର ଆଣି ଶିବଙ୍କ ଉପରେ ଲାଗି କରିବାର ଏକ ପରମ୍ପରା ଆରମ୍ଭ ହୋଇଯାଇଥିଲା ଯାହାକୁ ଆମେ ଏବେ କାଉଡ଼ି ଯାତ୍ରା ବୋଲି କହୁଛେ । ଆଉ ଏକ ପୌରାଣିକ ତଥ୍ୟ ଅନୁସାରେ ରାବଣ ସହ ଯୁଦ୍ଧ କରିବା ପାଇଁ ଯିବା ପୁର୍ବରୁ ଶ୍ରୀରାମ ତାଙ୍କ ଦୂତ ମାନଙ୍କୁ ପଠାଇ ୭ଟି ପବିତ୍ର ନଦୀର ଜଳ ଆଣି ଭଗବାନ ଶିବଙ୍କ ଅଭିଷେକ କରିଥିଲେ । କାଳାନ୍ତରରେ ଶିବ ଭକ୍ତମାନେ କାଉଡ଼ି ଯାତ୍ରା କରି ଜଳଆଣି ଶିବଙ୍କୁ ଅର୍ପଣ କରୁଛନ୍ତି ।
ଶ୍ରାବଣ ମାସ ସଂଯମର ଶିକ୍ଷା ଦେଇଥାଏ । ପୁରାଣ କଥା ଅନୁସାରେ ଭଗବାନ ଶିବ ଯେତେବେଳେ ଧ୍ୟାନ ମୁଦ୍ରାରେ ବସିଥିଲେ ସେତେବେଳେ କାମଦେବଙ୍କୁ ଅନ୍ୟ ଦେବତାମାନେ ଶିବଙ୍କ ଧ୍ୟାନ ଭଙ୍ଗ କରିବା ପାଇଁ ପଠାଇଥିଲେ । କାମଦେବ ଅନେକ ପ୍ରଯତ୍ନ କରିଥିଲେ କିନ୍ତୁ ଶିବଙ୍କ ତପସ୍ୟା ଭଙ୍ଗ କରିପାରି ନଥିଲେ । କିଛି ସମୟ ପରେ ଶିବ ଯେତେବେଳେ ଧ୍ୟାନ ମୁଦ୍ରାରୁ ପୂର୍ବ ଅବସ୍ଥାକୁ ଫେରିଲେ ସେତେବେଳେ ସେ ତାଙ୍କ ସମ୍ମୁଖରେ କାମଦେବଙ୍କୁ ଦେଖି ତାଙ୍କ ଉଦ୍ଦଣ୍ଡତା ପାଇଁ କ୍ରୋଧିତ ହୋଇ ଯାଇଥିଲେ । ଶିବଙ୍କ କ୍ରୋଧରେ କାମଦେବ ଭଷ୍ମ ହୋଇଯାଇଥିଲେ । କାମଦେବ ଭଷ୍ମ ହୋଇଯାଇଥିବା କଥା ଶୁଣି କାମଦେବଙ୍କ ପତ୍ମୀ ରତି କାନ୍ଦି କାନ୍ଦି ଭଗବାନ ଶିବଙ୍କ ନିକଟରେ ପହଞ୍ଚôଥିଲେ ଓ ତାଙ୍କ ପତି କାମଦେବ ନିଦେ୍ର୍ଦାଷ ବୋଲି କହିଥିଲେ । ଦେବତା ମାନଙ୍କ ନିଦେ୍ର୍ଦଶରେ କାମଦେବ ତପସ୍ୟା ଭଙ୍ଗ କରିବାକୁ ଆସିଥିବା କଥା ଶିବଙ୍କୁ କହିଥିଲେ । ରତିଙ୍କ ପ୍ରାର୍ଥନାରେ ପ୍ରୀତ ହୋଇ ଶିବ କାମଦେବଙ୍କୁ ଜୀବନ ଦେଇଥିଲେ । ଶ୍ରାବଣ ମାସ ଆଧ୍ୟାତ୍ମିକତାର ପରିଚୟ କରାଇଥାଏ କିନ୍ତୁ ଏଥିସହ ଧୈର୍ଯ୍ୟ ଏବଂ ସଂଯମର ଶିକ୍ଷା ଦେଇଥାଏ ।
ସୃଷ୍ଟିର ପ୍ରାରମ୍ଭ ହେବା ପୂର୍ବରୁ ଶିବ ବିଦ୍ୟାମାନ ଥିଲେ । ଏଇ ଶିବତତ୍ୱରେ ହିଁ ସୃଷ୍ଟିର ଉତ୍ପତ୍ତି । ଶିବ ଅଜନ୍ମା, ଅବିନାଶୀ, ଅଖଣ୍ଡ ଏବଂ ମୃତୁ୍ୟର ମାଲିକ ଅଟନ୍ତି । ଭଗବାନ ଶିବ ଜୀବନ ମୃତୁ୍ୟର ଦେବତା । ଶିବ ହିଁ ଶ୍ୱାସ, ଶିବ ହିଁ ବିଶ୍ୱାସ ଏବଂ ଶିବରେ ଅବିଶ୍ୱାସ ବା ମୃତୁ୍ୟ । ଶିବଙ୍କ ଚରିତ୍ରରୁ ଅନେକ କଥା ଶିଖିବାକୁ ମିଳିଥାଏ, ଯାହା ସତ୍ୟମ, ଶିବମ୍ ଏବଂ ସୁନ୍ଦରମ୍ ଅଟେ । ଶିବ ହେଉଛନ୍ତି ଭୋଳାନାଥ । ଅତୁଟ ବିଶ୍ୱାସ ହିଁ ଭୋଳାପଣ ଅଟେ । ଶିବଙ୍କ ମଥାର ଜଟାସବୁ ଜଞ୍ଜାଳ କଷ୍ଟ ଏବଂ ଚିନ୍ତାର ପ୍ରତୀକ ଅଟେ । ଏହାକୁ ବାନ୍ଧି ରଖିଥିବା ଶିବ ସୂଚାଇ ଦେଉଛନ୍ତି ଯେ ଜଞ୍ଜାଳ, କଷ୍ଟ ଓ ଚିନ୍ତାକୁ ବଶରେ ରଖାଯିବା ଉଚିତ୍ । ତାଙ୍କ ମୁଣ୍ଡ ଉପରର ଗଙ୍ଗାରୁ ଶିବ ସୂଚାଇ ଦେଉଛନ୍ତି ଯେ ଯେତେ ଜଞ୍ଜାଳ ଥିଲେ ମଧ୍ୟ ମୁଣ୍ଡକୁ ଥଣ୍ଡା ରଖିବା ଆବଶ୍ୟକ ।
ସଂଯମର ଆରାଧନା, ମସ୍ତିଷ୍କକୁ ଥଣ୍ଡା ରଖିବା ଏବଂ ଶରୀର ନଶ୍ୱର ବୋଲି ସଦୈବ ମନେରଖିବା ହେଉଛି ପ୍ରକୃତ ଶିବ ଆରାଧନା । ଶିବ ଏବଂ ଶ୍ରାବଣ ପରସ୍ପର ପରିପୂରକ । ସନାତନ ସଂସ୍କୃତି ଅନୁସାରେ ଶ୍ରାବଣ ମାସରେ ସାରା ବ୍ରହ୍ମାଣ୍ଡରେ ଶିବତ୍ୱ ବ୍ୟାପ୍ତି ହୋଇଯାଇଥାଏ । ଏହି ମାସ ଶେଷ ହେବା ପରଠାରୁ ଅନେକ ପର୍ବପର୍ବାଣି ଅନୁଷ୍ଠିତ ହୋଇଥାଏ ।
ରାମଚନ୍ଦ୍ର ପୁର, ରଣପୁର
ମୋ -୯୪୩୮୪୮୫୦୯୪