ରୁକୁଣା ରଥଯାତ୍ରା ଓ କିମ୍ବଦନ୍ତୀ
ଅଜୟ କୁମାର ବେହେରା : ଐତିହାସିକଙ୍କ ମତରେ ଏହି ରୁକୁଣା ରଥଯାତ୍ରା ୧୦ତମ ଶତାବ୍ଦୀର । ତେବେ ପୌରାଣିକ ତଥ୍ୟ ଅନୁସାରେ ଏହା ଉପରେ କିଛି ନିର୍ଦ୍ଦିଷ୍ଟ ମତ ନାହିଁ । ଐତିହାସିକ ତଥା ଗବେଷକଙ୍କ ମତରେ ଶୈବକ୍ଷେତ୍ର ହେବା ପୂର୍ବରୁ ଏହା ବୌଦ୍ଧ ରଥଯାତ୍ରା ଥିଲା । ପରେ ଏହା ଶୈବ ରଥଯାତ୍ରା ହେଲା । ଏଥିପାଇଁ ଅନେକ ବିରୋଧ ମଧ୍ୟ ହୋଇଥିଲା । ପରେ ଗବେଷକମାନେ ଏ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କଲେ । କାଶୀରେ ଶୈବମାନଙ୍କ ଉପରେ ବୌଦ୍ଧମାନେ ଅତ୍ୟାଚାର କରିବାରୁ ସେମାନେ ଅନ୍ୟତ୍ର କାଶୀସ୍ୱରୂପ ଶୈବକ୍ଷେତ୍ର ପ୍ରତିଷ୍ଠା ସନ୍ଧାନରେ ଥିଲେ । ସେହି ସମୟରେ ଏଠାରେ ମଧ୍ୟ ବୌଦ୍ଧ ଥିଲେ । ଲକୁଳୀଶ ପନ୍ଥୀ ଶୈବମାନେ ଏଠାରେ ଆସି ଶୈବକ୍ଷେତ୍ର ପ୍ରତିଷ୍ଠା କରିବାକୁ ଉଦ୍ୟମ କଲେ । ଯାହାକୁ ସ୍ଥାନୀୟ ବୌଦ୍ଧମାନେ ପ୍ରତିରୋଧ କଲେ । ଏହାକୁ ନେଇ ଶୈବମାନଙ୍କ ସହ ତାଙ୍କର ବିବାଦ ଦେଖାଦେଲା । ଯାହା ପରବର୍ତ୍ତୀ ସମୟରେ ଯୁଦ୍ଧରେ ପରିଣତ ହୋଇଥିଲା । କାଶୀର ଅଶାନ୍ତ ବାତାବରଣରେ କ୍ଷୁବ୍ଧ ହୋଇ ଶିବ ଏକାମ୍ର କ୍ଷେତ୍ର ଚାଲି ଆସିଥିଲେ । ଏଠାରେ ଥିବା ଅସୁରମାନଙ୍କୁ ନିପାତ କଲେ । ସେହି ସମୟରେ ବେଦ ବିରୋଧୀଙ୍କୁ ଅସୁର କୁହାଯାଉଥିଲା । ବୌଦ୍ଧମାନଙ୍କୁ ଏହା ସଙ୍କେତ କରୁଥିଲା । ଏହି ଯୁଦ୍ଧର ଫଳ ସ୍ୱରୂପ ଏଠାକାର ସମସ୍ତ ବୌଦ୍ଧଙ୍କୁ ନିପାତ ଓ ବିତାଡ଼ିତ କରାଗଲା । ଯେଉଁ ବୌଦ୍ଧମାନେ ବଶତା ସ୍ୱୀକାର କଲେ ସେମାନଙ୍କୁ ଅସ୍ପୃଶ୍ୟ ଓ ଶୂଦ୍ର ଭାବେ ସ୍ଥାନ ଦିଆଗଲା । ଅଶୋକାଷ୍ଟମୀର ଏହି ରଥଯାତ୍ରା ଏହି ବିଜୟର ସ୍ମାରକୀ ବୋଲି କିଛି ଆଲେଖ୍ୟରେ ସୂଚନା ଦେଇଛନ୍ତି କିଛି ଗବେଷକ । ରାମେଶ୍ୱରମନ୍ଦିର ପାଖ ପଡ଼ିଆକୁ ବିଜୟ ପଡ଼ିଆ ବୋଲି କୁହାଯାଏ । ସେହିଦିନ ଠାରୁ ଏହି ରୁକୁଣା ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି । ଶ୍ରୀଲିଙ୍ଗରାଜ ମନ୍ଦିରରୁ ରାମେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଏହି ରଥ ଟଣାଯାଏ । ମଝି ରାସ୍ତାରେ ଅସୁର କିଆରିରେ ଅସୁରମାନଙ୍କୁ ଭୋଗ ଦିଆଯାଏ । ଏହା ରାସ୍ତା ଅବରୋଧକାରୀ ବୌଦ୍ଧ ମାନଙ୍କୁ ସନ୍ତୁଷ୍ଟୀକରଣ ପାଇଁ କରାଯାଇଥିବା ଅନୁମାନ କରାଯାଉଛି । ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା କଥା ପଡ଼ିଲେ ମରୀଚିକୁଣ୍ଡ କଥା ଆସେ । କାରଣ ଏହି କୁଣ୍ଡ ପାଣିରେ ରଥର ଅନୁକୂଳ କରାଯାଏ । ବିଶ୍ୱାସ ରହିଛି ଏହି ପାଣିରେ ଗାଧୋଇବା ଦ୍ୱାରା ନିଃସନ୍ତାନ ନଥିବା ମହିଳାମାନେ ସନ୍ତାନପ୍ରାପ୍ତି ହୁଅନ୍ତି । ମୁକ୍ତେଶ୍ୱର ମନ୍ଦିର ଭିତରେ ଏହି କୁଣ୍ଡ ରହିଛି ଯାହା ରଥଯାତ୍ରା ପୂର୍ବଦିନ ମଧ୍ୟରାତ୍ରିରେ ଖୋଲାଯିବ । ଇତିହାସକୁ ଦେଖିଲେ ରାମାୟଣରେ ରାମ, ସୁବାହୁ ଓ ମାରୀଚ ନାମକ ଦୁଇଜଣ ଅସୁରଙ୍କୁ ମାରିଥିଲେ । ଯେଉଁଠାରୁ ଏହି ମରୀଚିକୁଣ୍ଡ ସୃଷ୍ଟି ହୋଇଛି । ଅପରପକ୍ଷରେ ଐତିହାସିକଙ୍କ ମତରେ ମୁକ୍ତେଶ୍ୱର ମନ୍ଦିର ପୂର୍ବରୁ ଏଠାରେ ମରୀଚି କୁଣ୍ଡ ରହିଥିଲା । ରଥ ଅନୁକୂଳ ସହ ଶୈବ କ୍ଷେତ୍ରରେ ମନ୍ଦିର ନିର୍ମାଣ କାମରେ ଏହି ପାଣି ବ୍ୟବହାର ହୋଇଛି । ଏହି କୁଣ୍ଡ ଜଳରେ ଗାଧୋଇବା ଦ୍ୱାରା ସନ୍ତାନପ୍ରାପ୍ତ ହୁଏ ବୋଲି ଲୋକକଥା ରହିଛି । ବା‚ାର ପ୍ରତିଶବ୍ଦ ହେଉଛି ମଡ଼ିଛି । ଯେହେତୁ ନିଃସନ୍ତାନ ମହିଳାମାନେ ଏହି ପାଣିରେ ଗାଧୋଇବା ଦ୍ୱାରା ସେମାନଙ୍କର ସନ୍ତାନପ୍ରାପ୍ତ ହୁଏ ତେଣୁ ପରବର୍ତ୍ତୀ ସମୟରେ ମଡ଼ିଛିର ରୂପାନ୍ତରିତ ହୋଇ ମରିଛି କୁଣ୍ଡ ହୋଇଛି ବୋଲି ଗବେଷକଙ୍କ ମତ ।