ସବୁ କଂଗ୍ରେସ ବିଧାୟକ ନିଲମ୍ବିତ

 ଭୁବନେଶ୍ୱର:  ବିଧାନସଭାରେ ଅଲୋଡ଼ା ଇତିହାସ ସୃଷ୍ଟି ହୋଇଛି  । ଗତକାଲି ୧୨ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ କରାଯାଇଥିବାବେଳେ ଆଜି ବିଧାୟକ ତାରା ପ୍ରସାଦ ବାହିନୀପତି ଓ ରମେଶ ଜେନାଙ୍କୁ ନିଲମ୍ବନ କରାଯାଇଛି  । ଫଳରେ ସବୁ ବିଧାୟକଙ୍କ ପାଇଁ ଗୃହକୁ ଆସିବାର ରାସ୍ତା ୭ ଦିନ ବନ୍ଦ ହୋଇଯାଇଛି  । ଅପରପକ୍ଷରେ ଗୃହ ଅଚଳ ଓ କଂଗ୍ରେସ ବିଧାୟକଙ୍କ ନିଲମ୍ବନକୁ ନେଇ ବିଜେପି ଓ ବିଜେଡ଼ି ମୁହାଁମୁହିଁ ହୋଇଛନ୍ତି । 
ପୂର୍ବାହ୍ନ ସାଢ଼େ ୧୦ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପ୍ରମିଳା ମଲ୍ଲିକ କହିବାକୁ ଉଠିଥିଲେ  । ବାଚସ୍ପତି ତାଙ୍କୁ ସୁଯୋଗ ଦେଇନଥିଲେବି କାଡ଼ାମଙ୍କ ହାତ ଭାଙ୍ଗିବା ପ୍ରସଙ୍ଗ ଉଠାଇ  ସେ କିଛି କହୁଥିବା ଶୁଣିବାକୁ ମିଳିଥିଲା  । ଏନେଇ ବାଚସ୍ପତି କହିଥିଲେଯେ, ପ୍ରଶ୍ନକାଳ ପରେ ଆଲୋଚନା କରିହେବ  । କିନ୍ତୁ ବିଜେଡ଼ି ବିଧାୟକମାନେ କକ୍ଷତ୍ୟାଗ କରି ଚାଲି ଯାଇଥିଲେ  । ଠିକ୍ ୧୦ଟା ୫୩ରେ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ରମେଶ ଜେନା ଗୃହକୁ ଘଣ୍ଟା ପିଟିପିଟି ପ୍ରବେଶ କରିଥିଲେ  । ଏପଟେ ପ୍ରଶ୍ନୋତ୍ତର କାଳ ଚାଲିଥିବାବେଳେ ଘଣ୍ଟା ପିଟି ଗୃହକୁ କମ୍ପାଇ ଦେଇଥିଲେ ତାରା ଓ ରମେଶ  । ସେମାନଙ୍କ ଆଚରଣକୁ ବିଶୃଙ୍ଖଳିତ ବୋଲି ଦର୍ଶାଇ ବାଚସ୍ପତି ଚେତାଇ ଦେଇଥିଲେ ସେଥିପ୍ରତି ଦୁଇ ବିଧାୟକ କର୍ଣ୍ଣପାତ କରିନଥିଲେ ।  ପୂର୍ବାହ୍ନ ସାଢ଼େ ୧୧ଟାରେ ଆରମ୍ଭ ହୋଇଥିଲା ଶୂନ୍ୟ କାଳ  । ଗୃହକୁ ବିଜେଡ଼ି ବିଧାୟକମାନେ ଆସିବା ସହ ନିଜ ନିଜ ଆସନରେ ଠିଆ ହୋଇଥିଲେ  । ଏହି ସମୟରେ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ବିଶୃଙ୍ଖଳିତ ଆଚରଣ ପାଇଁ ତାରା ପ୍ରସାଦ ବାହିନୀପତି ଓ ରମେଶ ଜେନାଙ୍କୁ ୭ ଦିନ ପାଇଁ ଗୃହରୁ ନିଲମ୍ବିତ କରିବାକୁ ପ୍ରସ୍ତାବ ଆଗତ କରିଥିଲେ  । ପରେ ଏହା ବାଚନିକ ଭୋଟରେ ପାରିତ ହେବା ସହ ଉଭୟ ବିଧାୟକଙ୍କୁ ବାଚସ୍ପତି ନିଲମ୍ବନ କରିଥିଲେ  ।
ଏହି ସମୟରେ ପଏଣ୍ଟ ଅଫ ଅର୍ଡ଼ର ଜରିଆରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଥିଲେଯେ, ଗତକାଲି ଏକ ଅଦ୍ଭୂତପୂର୍ବ ଘଟଣା ଘଟିଛି  । ପ୍ରତିବାଦ କରିବାର ଅଧିକାର ବିରୋଧୀଙ୍କର ରହିଛି  । କିନ୍ତୁ ସରକାର ଯଦି ଅଧିକ ପ୍ରତିକ୍ରିୟାଶୀଳ ହେବେ ତେବେ ଗୃହ ଚାଲିପାରିବ ନାହିଁ  । କାହିଁକିନା ସ୍ୱାଭାବିକ ଭାବେ ବିରୋଧୀ ବି ପ୍ରତିକ୍ରିୟାଶୀଳ ହେବେ  । ଗୃହ ଭିତରୁ ବିଧାୟକମାନଙ୍କୁ ବଳପୂର୍ବକ ବାହାର କରି ଦିଆଗଲା  । ୧୯୯୭ରେ ବି ଆମେ ଦୁଇଦିନ ଗୃହ ଭିତରେ ରହିଥିଲୁ  । ଏଇଠି ରହିଥିଲୁ ଓ ଖାଇଥିଲୁ  । ପୁଲିସ୍ କଥା ଛାଡ଼, ମାର୍ଶାଲ ବି ଆମକୁ ଛୁଇଁନାହାନ୍ତି  । କିନ୍ତୁ ଗତକାଲି ବାହାର ଲୋକ ବଳପ୍ରୟୋଗ କଲେ  । ଗୃହକୁ ଅମର୍ଯ୍ୟାଦା କରାଗଲା  । ଏଭଳି ଘଟଣା ଭବିଷ୍ୟତରେ ନଘଟୁ  । ବାଚସ୍ପତି ଏନେଇ ବିବୃତ୍ତି ରଖନ୍ତୁ ବୋଲି ପ୍ରସନ୍ନ ଦାବି କରିଥିଲେ ।
ବିରୋଧୀ ଦଳ ମୁଖ୍ୟ ସଚେତିକା ପ୍ରମିଳା ମଲ୍ଲିକ କହିଥିଲେଯେ, ଗତକାଲି କଂଗ୍ରେସ ବିଧାୟକମାନଙ୍କୁ ମାଡ଼ ମାରି ଗୃହରୁ ବିଦା କରାଗଲା  । ସେମାନେ ଆହତ ବି ହୋଇଛନ୍ତି  । ୩ ଦିନ ହେଲା ଆମେ ଏସସି ଏସଟି ଓବିସିଙ୍କୁ ଶିକ୍ଷା ଓ ନିଯୁକ୍ତିରେ ସଂରକ୍ଷଣ ଦେବାକୁ ଦାବି କରିଆସୁଛୁ  । ସେନେଇ ବାଚସ୍ପତି କି ସରକାର ପଦେ ବି କହୁନାହାନ୍ତି  । ଆମେ ଆଜି ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ନିକଟକୁ ଯାଉଥିଲୁ  । ପୁଲିସ୍ ଆମକୁ ବି ମାଡ଼ ମାରିଲା  । ଫାଟକରେ ତାଲା ପକାଇ ଦିଆଗଲା  । ଫେରିବା ବେଳକୁ ବି ଛାଡ଼ିଲେନି  । ଖରାରେ ଅଧ ଘଣ୍ଟା ଠିଆ କରାଗଲା  । ବିନା ବିରୋଧୀରେ ଆପଣ ଗୃହ ଚଳାଇଲେ ଓଡ଼ିଶାବାସୀ ଏହାର ବିଚାର କରିବେ ବୋଲି ପ୍ରମିଳା କହିଥିଲେ  । ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଲେଯେ, ଚାକିରୀ ଓ ଶିକ୍ଷାରେ ଏସସି ଏସଟି ଓ ପଛୁଆ ବର୍ଗଙ୍କ ସଂରକ୍ଷଣ ନେଇ ଆମେ ନୋଟିସ୍ ଦେଇଥିଲେବି ବାଚସ୍ପତି ଗ୍ରହଣ କରୁନାହାନ୍ତି  । ଗୃହ ହେଉଛି ବିରୋଧୀଙ୍କର  । ଆପଣ ଓ ଗୃହର ନେତା କିଛି ପଦକ୍ଷେପ ନେଲେନାହିଁ  । କିନ୍ତୁ ଏଭଳି ଏକପାଖିଆ ନିଷ୍ପତ୍ତି ଆମେ ୪୦ ବର୍ଷ ହେଲା ଦେଖିନଥିଲୁ  । ଗୃହରେ ପୁଲିସକୁ କିଭଳି ବ୍ୟବହାର କରାଗଲା  । ଏନେଇ ବାଚସ୍ପତି ବିବୃତ୍ତି ରଖନ୍ତୁ  । ଆପଣଙ୍କ କାର୍ଯ୍ୟାନୁଷ୍ଠାନକୁ ଓଡ଼ିଶାବାସୀ ଗ୍ରହଣ କରିପାରିବେନି ବୋଲି ସେ କହିଥିଲେ  ।
ଅପରପକ୍ଷରେ ବିଧାୟକ ଅରୁଣ ସାହୁ ଏହି ପ୍ରସଙ୍ଗରେ ଉଭୟ କଂଗ୍ରେସ ଓ ସରକାରଙ୍କୁ ସମାଲୋଚନା କରିଥିଲେ  । ସେ କହିଲେଯେ, କଂଗ୍ରେସ ଦାବି କରିଥିଲା ମୁଖ୍ୟମନ୍ତ୍ରୀ ବିବୃତ୍ତି ରଖନ୍ତୁ  । କିନ୍ତୁ ମୁଖ୍ୟମନ୍ତ୍ରୀ ବିବୃତ୍ତି ନରଖିବାରୁ ସେମାନେ ଗୃହ କମିଟି ପାଇଁ ଦାବି କଲେ  । ଖାଲି ଓଡ଼ିଶା ବିଧାନସଭାରେ ବିରୋଧୀ ପ୍ରତିବାଦ କରୁନାହାନ୍ତି ସଂସଦ ଓ ଅନ୍ୟ ରାଜ୍ୟର ବିଧାନସଭାରେ ବି ହେଉଛି  । କଂଗ୍ରେସ ବିଧାୟକଙ୍କ ଗୋଟିଏ ଧାଡ଼ିବି ରେକର୍ଡ଼ ହୋଇପାରିନାହିଁ  । ମୁଁ ରାତି ଅନିଦ୍ରା ହୋଇ ପଢ଼ିକି ଆସିଲେବି କହିପାରୁନି  । ଗୃହରେ ଘଣ୍ଟ, ତୁରୀ ବହୁଦିନ ହେଲା ଚାଲିଲା  । କିନ୍ତୁ ଆରମ୍ଭରୁ ଏନେଇ କାହିଁକି ପଦକ୍ଷେପ ନିଆଗଲାନାହିଁ ବୋଲି ସେ ପ୍ରଶ୍ନ କରିଥିଲେ  । ଅଭିଜ୍ଞତା ଅଭାବରୁ ସରକାର ଗୃହ ଚଳାଇ ପାରିଲେ ନାହିଁ  । କଂଗ୍ରେସ ବିଧାୟକମାନେ ନିଲମ୍ବନ ପରେ ଗୃହରେ ରହି ପ୍ରସଙ୍ଗ କରିବାକୁ ଚାହିଁଲେ  । ଆପଣ ବି ପ୍ରସଙ୍ଗ କରିବାକୁ ସୁଯୋଗ ଦେଲେ  । ବିଧାନସଭାରେ ପୁଲିସ ଏମିତି ଛାଇ ହୋଇଯାଇଛନ୍ତିଯେ, ମନେହେଲା ଇସ୍ରାଏଲ-ପାଲେଷ୍ଟାଇନ୍ ଯୁଦ୍ଧ ହୋଇଗଲା  । ଓଡ଼ିଶାର ଅସ୍ମିତା ହେଉଛି ଶାନ୍ତି  । ତାକୁ ବି ସରକାର ଧ୍ୱଂସ କରିଦେଲେ ବୋଲି ଅରୁଣ କହିଥିଲେ  ।  ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ କହିଥିଲେଯେ, ଗୃହ ସାଢ଼େ ୪ କୋଟି ଓଡ଼ିଆଙ୍କର ଆଶା ଓ ଆକାଂକ୍ଷାର ପ୍ରତିଫଳନ ହେବା କଥା  । ପ୍ରତିବାଦ କେଉଁ ତରିକାରେ ହେବ ତାହାର ବିଧିବିଧାନ ରହିଛି  । କିନ୍ତୁ ଟିକସଦାତାଙ୍କ ଟଙ୍କାରେ ଚାଲୁଥିବା ଗୃହକୁ ବନ୍ଦ କରିବାକୁ ବିରୋଧୀଙ୍କୁ କିଏ ଅଧିକାର ଦେଲା ? ଗଣତନ୍ତ୍ରକୁ ହତ୍ୟା କରାଯାଉଛି ବୋଲି ସେ କହିଥିଲେ  । ଏହି ସମୟରେ ବିଜେଡ଼ି ବିଧାୟକମାନେ ନିଜ ନିଜ ଆସନରେ ଠିଆହୋଇ ‘ଏ ଜୁଲମ୍ ଚଳିବ ନାହିଁ, ‘ଗଣତାନ୍ତ୍ରିକ ଅଧିକାର ଆମର ଦାବି’ ଆଦି ନାରାବାଜି କରିଥିଲେ  । ଫଳରେ ବାଚସ୍ପତି ଠିଆହୋଇ ନିବେଦନ କରିବା ସହ ଗୃହକୁ ସ୍ୱାଭାବିକ କରିବା ପାଇଁ କହିଥିଲେ  । ଗତକାଲିର ଘଟଣା ଉପରେ ସେ ବିବୃତ୍ତି ଦେବେ ବୋଲି କହିଥିଲେ  । ତଥାପିବି ବିଜେଡ଼ି ବିଧାୟକମାନେ ହୋହାଲ୍ଲା କରୁଥିବା ଦେଖିବାକୁ ମିଳିଥିଲା  । ସେହିପରି ବିଜେପି ବିଧାୟକ ସନାତନ ବିଜୁଳି କହିଥିଲେଯେ, ବିଜେପି ସରକାର ଶାନ୍ତି ଶୃଙ୍ଖଳା ସହ ବିଧାନସଭା ଚଳାଇବାକୁ ଚାହୁଁଛନ୍ତି  । କିନ୍ତୁ ବିରୋଧୀ ଏଠି ଡ୍ରାମା କରୁଛନ୍ତି  । ହୁଇସିଲ୍, ତୂରୀ, ଘଣ୍ଟା ବଜାଉଛନ୍ତି  । ଛଅରୁ ସାତ ଥର ସର୍ବଦଳୀୟ ବୈଠକ ଡକାଯାଇଛି  । ହେଲେ ସେମାନେ ନଶୁଣି ଗଣତନ୍ତ୍ରର ସୀମା ଲଂଘନ କରିଛନ୍ତି  । ଗତକାଲି ବଳପ୍ରୟୋଗ କରାଯାଇନାହିଁ  । ବାଚସ୍ପତି ଯେଉଁ ପଦକ୍ଷେପ ନେଇଛନ୍ତି ଆମେ ତାହାକୁ ସ୍ୱାଗତ କରୁଛୁ ବୋଲି ସେ କହିଥିଲେ  । ବିଧାୟକ ଓମ୍ ପ୍ରକାଶ ମିଶ୍ର ମଧ୍ୟ ବିଜେଡ଼ି ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଥିଲେ  । ବିଜେଡ଼ି ୨୪ ବର୍ଷ ଭିତରେ ସଂରକ୍ଷଣ କାହିଁକି ଆଣିଲାନି ବୋଲି ସେ ପ୍ରଶ୍ନ କରିବା ସହ ପୂର୍ବ ସରକାରମାନଙ୍କରେ କିଭଳି ଆଇନଶୃଙ୍ଖଳା ଭୁଷୁଡ଼ି ଯାଇଥିଲା ତାହାର ଅବତାରଣା କରିଥିଲେ  । ବିଧାୟକ ବାବୁ ସିଂ ପିସିସି ସଭାପତିଙ୍କୁ ଟାର୍ଗେଟ୍ କରିଥିଲେ  । ସେ କହିଥିଲେଯେ, ବିଧାନସଭା କୌଣସି ବ୍ୟକ୍ତିର ଏଜେଣ୍ଡାରେ ଚାଲିପାରିବ ନାହିଁ  । ପିସିସି ସଭାପତି ତାଙ୍କ ଏଜେଣ୍ଡାରେ ଗୃହ ଚଳାଇ ପାରିବେ ନାହିଁ  । ବିଜେଡ଼ି ବି ପଛପଟୁ ନିଅାଁ ଚେଙ୍ଗିବା ଠିକ୍ ନୁହେଁ ବୋଲି ସେ କହିଥିଲେ  । ବିଧାୟକ ପଦ୍ମଲୋଚନ ପଣ୍ଡା ବି ବିଜେଡ଼ି ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଥିଲେ  । ଏହି ସମୟରେ ବିଜେଡ଼ି ବିଧାୟକମାନେ କକ୍ଷତ୍ୟାଗ କରିଥିଲେ  । ଗୃହକୁ ସ୍ୱାଭାବିକ କରିବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ  । ତେବେ କଂଗ୍ରେସର ସବୁ ବିଧାୟକ ନିଲମ୍ବିତ ହୋଇଥିବାରୁ ସେମାନଙ୍କ ନାମ ଡକା ଯାଇନଥିଲା  । ଫଳରେ ଗୃହକୁ ପ୍ରଥମେ ୧୨ଟା ୭ରୁ ୩୦ ମିନିଟ୍ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା  । ପରେ ୧୨ଟା ୩୭ରୁ ୩୦ ମିନିଟ୍, ୧ଟା ୭ରୁ ୧୦ ମିନିଟ୍, ୧ଟା ୧୭ରୁ ୧୦ ମିନିଟ୍ ଓ ୧ଟା ୨୭ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରାଯାଇଥିଲା ।