ଅଧାରେ ଅଟକିଛି ବୁଢାବଳଙ୍ଗ ସେତୁ ନିର୍ମାଣ
ବଡ଼ସାହି: ବଡ଼ସାହି ବ୍ଲକ୍ ମଧ୍ୟ ଦେଇ ବୁଢାବଳଙ୍ଗ ନଦୀ ପ୍ରବାହିତ । ନଦୀର ଉଭୟ ପାର୍ଶ୍ୱରେ ଜନବସତି ରହିଛି । ଉକ୍ତ ନଦୀର ବିଭିନ୍ନ ଘାଟରେ ସାଧାରଣ ଜନତାଙ୍କ ସୁବିଧା ନିମନ୍ତେ ସେତୁ ନିର୍ମାଣ ହୋଇଛି । ନଦୀ ଉପରେ ସେତୁ ନିର୍ମାଣ କରାଯାଇ ଗମନାଗମନ ସମୟ ସୀମାକୁ କମ୍ କରାଯିବା ସହିତ ଅଧିକରୁ ଅଧିକ ଲୋକ କିପରି ଉପକୃତ ହୋଇ ପାରିବେ ଏ ନେଇ ସରକାରଙ୍କ ପକ୍ଷରୁ ବେଶ ଗୁରୁତ୍ୱ ଦିଆଯାଉଛି । ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ସହିତ ବଡ଼ସାହି ବ୍ଲକ୍ ଅଞ୍ଚଳକୁ ଯୋଗାଯୋଗ କରିବାରେ ୫ କିମି ରାସ୍ତା କମ୍ କରାଯିବା ସହ ବାରିପଦା ବ୍ଲକର ଭାଗବତଚନ୍ଦ୍ରପୁର ପଞ୍ଚାୟତ ସହିତ ବଡ଼ସାହି ବ୍ଲକର ପ୍ରତାପପୁର ପଞ୍ଚାୟତ ସଂଯୋଗୀକରଣ ନିମନ୍ତେ ବୁଢାବଳଙ୍ଗ ନଦୀର ପ୍ରତାପପୁର ଘାଟ ଠାରେ ଏକ ଉଚ୍ଚ ସେତୁ ୧୪୫୪.୧୭ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କାର୍ଯ୍ୟ ଗତ ୨୦୧୮ ମସିହା ସେପ୍ଟେମ୍ବର ମାସ ୧୨ ତାରିଖରୁ ଆରମ୍ଭ ହୋଇଛି । ଏହା ନିର୍ମାଣର ଶେଷ ତାରିଖ ଥିଲା ୨୦୨୦ ମସିହା ମାର୍ଚ୍ଚ ମାସ ୧୧ ତାରିଖ । ୨୦୧୮ ମସିହା ପରେ ଲଗାତାର ଭାବେ ନିର୍ମାଣ କାର୍ଯ୍ୟ ଚାଲୁଥିଲା । ମାତ୍ର ପ୍ରାୟ ୨ ବର୍ଷ ନ ହେଉଣୁ ନିର୍ମାଣ କାର୍ଯ୍ୟ ଅଧାରୁ ଆଜି ପର୍ଯ୍ୟନ୍ତ ବନ୍ଦ ରହିଛି । ଯାହାଫଳରେ ସେମାନଙ୍କର ଦୀର୍ଘ ଦିନର ଆଶା ଧୂଳିସାତ ହୋଇଯାଉଛି ବୋଲି କ୍ଷୋଭର ସହିତ କହିଛନ୍ତି । ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଅଦ୍ୟାବଧି ଧ୍ୟାନ ନ ଦେବା ସେମାନଙ୍କୁ ଅଧିକ ବ୍ୟଥିତ କରୁଛି । ଉକ୍ତ ଅର୍ଦ୍ଧନିର୍ମିତ ସେତୁର ପୂର୍ଣ୍ଣାଙ୍ଗୀକରଣ ନିମନ୍ତେ ପୁନର୍ବାର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ନ ହେଲେ ବାରିପଦା ବ୍ଲକ୍ ଓ ବଡ଼ସାହି ଉଭୟ ବ୍ଲକ୍ ଅନ୍ତର୍ଭୁକ୍ତ ଅଞ୍ଚଳବାସୀ ପ୍ରତାପପୁର ସରପଞ୍ଚ ହରିଶଙ୍କର ନାଏକ ଓ ଭାଗବତଚନ୍ଦ୍ରପୁର ସରପଞ୍ଚ ଉର୍ମିଳା ସିଂଙ୍କ ନେତୃତ୍ୱରେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବେ ଏବଂ ଏଥିପାଇଁ ବିଭାଗ ଦାୟୀ ରହିବ ବୋଲି ଲିଖିତ ଚେତାବନୀ ଦେଇଥିବା ଦେଖାଯାଇଛି । ଏ ସମ୍ପର୍କରେ ଉଭୟ ପଞ୍ଚାୟତ ପକ୍ଷରୁ ପ୍ରାୟ ୧ହଜାରରୁ ଊର୍ଦ୍ଧ୍ୱ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ବିଭାଗୀୟ ମୁଖ୍ୟଯନ୍ତ୍ରୀ, ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ ଓଡ଼ିଶା ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ, ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ, ଉଭୟ ମୟୂରଭଞ୍ଜ ଓ ବାଲେଶ୍ୱର ସାଂସଦ, ଉଭୟ ବାରିପଦା ଓ ବଡ଼ସାହି ବିଧାୟକ, ଉଭୟ ବାରିପଦା ଓ ବଡ଼ସାହି ବିଡ଼ିଓଙ୍କୁ ପ୍ରଦାନ କରାଯାଇଥିବା ଜଣାପଡିଛି ।