ହସ୍ତତନ୍ତ ବସ୍ତ୍ରର ବ୍ରାଣ୍ଡ୍ ନାହିଁ
ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଆଞ୍ଚଳିକ ଭାବରେ ବିଭିନ୍ନ ପ୍ରକାରର ବସ୍ତ୍ର ଉତ୍ପାଦିତ ହୋଇଥାଏ । ପାର୍ବତ୍ୟାଞ୍ଚଳର ଜନଜାତିଙ୍କ ଠାରୁ ଆରମ୍ଭ କରି କୌଳିକ ବୃତ୍ତି ଭାବରେ ତନ୍ତୁବାୟ ଗୋଷ୍ଠୀଙ୍କ ଦ୍ୱାରା ବିଭିନ୍ନ ଶୈଳୀର ବସ୍ତ୍ର ବିଶ୍ୱ ବଜାରରେ ଓଡ଼ିଶାର ସୁନାମ ରକ୍ଷା କରିପାରିଛି । ତେବେ ସର୍ବାଧିକ ଲୋକପ୍ରିୟ ବସ୍ତ୍ର ଭିତରୁ ଓଡ଼ିଶାର ସମ୍ବଲପୁରୀ ବସ୍ତ୍ର, ସୋନପୁରର ବସ୍ତ୍ର, ବ୍ରହ୍ମପୁରର ପାଟ ବସ୍ତ୍ର, କଟକ ଜିଲ୍ଲା ଆଠଗଡ଼ ସବ୍ଡ଼ିଭିଜନ୍ର ବସ୍ତ୍ର ବିଶେଷ ଭାବରେ ଲୋକପ୍ରିୟତା ହାସଲ କରିଛି । ଏହାସତ୍ତ୍ୱେ ରାଜ୍ୟର ପ୍ରାୟ ପ୍ରତ୍ୟେକ ପାର୍ବତ୍ୟାଞ୍ଚଳରେ ସ୍ୱତନ୍ତ୍ର ବସ୍ତ୍ର ରହିଛି । ଏହି ବସ୍ତ୍ରକୁ ସ୍ଥାନୀୟ ଭାବରେ ସେମାନେ ଉତ୍ପାଦିତ କରିଥାନ୍ତି । ରାଜ୍ୟର କେତୋଟି ଜିଲ୍ଲାରେ ପ୍ରଚୁର ମାତ୍ରାରେ ଟସର ଉତ୍ପାଦନ ହେଉଥିବାରୁ ମଠା ବସ୍ତ୍ରର ଉତ୍ପାଦନ ମଧ୍ୟ ନିର୍ଦ୍ଦିଷ୍ଟ କେତୋଟି ଜିଲ୍ଲାରେ ଅଧିକ ଭାବରେ ହୋଇଥାଏ । କେନ୍ଦୁଝର ଜିଲ୍ଲାର ଭଗାମୁଣ୍ଡା ଟସର ପାର୍କ୍, ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ବ୍ଲକ୍ ଅଞ୍ଚଳରେ ଅନୁଗୋଳ ଜିଲ୍ଲା ପାଳଲହଡ଼ା ବ୍ଲକ୍ର ବିଭିନ୍ନ ଅଞ୍ଚଳରେ ବିପୁଳ ପରିମାଣରେ ଟସର ଉତ୍ପାଦନ ହେଉଛି । ଏହି ଟସର ବସ୍ତ୍ରର ମଧ୍ୟ ବିଶ୍ୱବ୍ୟାପୀ ବଜାର ରହିଛି । ତେବେ ଏ କ୍ଷେତ୍ରରେ ସମସ୍ୟାଟି ହେଉଛି ଓଡ଼ିଶାର ତନ୍ତୁବାୟମାନଙ୍କ ଦ୍ୱାରା ଉତ୍ପାଦିତ ବସ୍ତ୍ରର କୌଣସି ବ୍ରାଣ୍ଡ୍ ନାହିଁ । ଏହି କାରଣରୁ ସମ୍ବଲପୁରୀ ବସ୍ତ୍ର ଭାବରେ ସୁପରିଚିତ ଗାମୁଛା ଭଳି ବସ୍ତ୍ର ଅଣ-ଓଡ଼ିଆ ବସ୍ତ୍ର ବ୍ୟବସାୟୀମାନଙ୍କ ଦ୍ୱାରା ନକଲ କରାଯାଇ ଲୁଗାକଳରୁ ପ୍ରସ୍ତୁତ ହେଉଥିବା ଗାମୁଛାର ପ୍ରିଣ୍ଟ୍ କରାଯାଉଛି । ଯାହାକି ଦୂରରୁ ଓଡ଼ିଶୀ ଶୈଳୀର ବସ୍ତ୍ର ଭାବରେ ଦେଖା ଯାଉଥିଲେ ମଧ୍ୟ ଏହାର ପଛ ପଟ ସମ୍ପୂର୍ଣ୍ଣ ସାଧା ରହୁଛି । ବସ୍ତ୍ରକୁ ଭଲ ଭାବରେ ନୀରିକ୍ଷଣ ନ କରିଲେ ତାହା ପ୍ରିଣ୍ଟ୍ କରାଯାଇଥିବା ପାୱାରଲୁମ୍ର ବସ୍ତ୍ର ବୋଲି ଜଣାପଡ଼ିବା ସହଜ ନୁହେଁ । ଆହୁରି ମଧ୍ୟ ଓଡ଼ିଶାର ସ୍ଥାନୀୟ ଭାବରେ ଉତ୍ପାଦିତ ତନ୍ତବସ୍ତ୍ରର ନିର୍ଦ୍ଦିଷ୍ଟ ବ୍ରାଣ୍ଡ୍ ନାଁ ରହିବା ଆବଶ୍ୟକ । ବଡ଼ ବଡ଼ ଲୁଗାକଳ କମ୍ପାନୀମାନେ ସେମାନଙ୍କ କପଡାର ଦୁଇ ଧଡ଼ିରେ ନିଜର ନାଁ ଲେଖୁଛନ୍ତି । କିନ୍ତୁ ଓଡ଼ିଶାରୁ ହସ୍ତତନ୍ତ ଉତ୍ପାଦିତ କପଡ଼ାରେ କାହାରି ବ୍ରାଣ୍ଡ୍ ନାଁ ନାହିଁ । ପ୍ରତ୍ୟେକ ପ୍ରକାରର କପଡ଼ାକୁ ହସ୍ତତନ୍ତର ଉତ୍ପାଦନ ପରେ ତାହାର ଧଡ଼ିରେ ଓଡ଼ିଆ ଭାଷାରେ ବ୍ରାଣ୍ଡ୍ ନାଁକୁ ରଖାଯିବା ଉଚିତ୍ । ଏହାଫଳରେ ଦୁଇ, ତିନିଟି ଲାଭ ହେବ । ଓଡ଼ିଶାର ବସ୍ତ୍ର ଏବଂ ଓଡ଼ିଆ ଭାଷା ବିଶ୍ୱସ୍ତରରେ ସ୍ୱତନ୍ତ୍ର ବଜାର ସୃଷ୍ଟି କରିପାରିବ ଏବଂ ଦ୍ୱିତୀୟରେ ଏହାର ନକଲ କରାଯିବା ସମ୍ଭବ ହେବ ନାହିଁ । ତେଣୁ ବର୍ତ୍ତମାନ ରାଜ୍ୟରେ ଥିବା ବିଭିନ୍ନ ସିଲକ୍ ପାର୍କ୍ ଗୁଡ଼ିକରେ ଏଭଳି କରାଯିବାର ତାଲିମ୍ ହସ୍ତତନ୍ତ କାରିଗରଙ୍କୁ ଦିଆଯିବାର ଆବଶ୍ୟକତା ରହିଛି । ଆହୁରି ମଧ୍ୟ ପ୍ରତ୍ୟେକଟି ଡ଼ିଜାଇନ୍ର ଶାଢ଼ୀରେ ବାଣିଜି୍ୟକ ନାମ ଦିଆଯିବାର ଆବଶ୍ୟକତା ଅଛି । ଏହା ଫଳରେ ଓଡ଼ିଶାର ବିଭିନ୍ନ ହସ୍ତତନ୍ତ କ୍ଲଷ୍ଟର୍ରେ ଉତ୍ପାଦିତ ହେଉଥିବା ପଦାର୍ଥ ନିଜର ସ୍ୱାତନ୍ତ୍ର୍ୟକୁ ବଜାୟ ରଖିବ ଏବଂ ରାଜ୍ୟର ବଜାର ସହିତ ବିଶ୍ୱର ବଜାରରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିବ ।
ରାଜ୍ୟରେ ବାନ୍ଧବୁଣା କ୍ଷେତ୍ରରେ ଏକ ସ୍ୱତନ୍ତ୍ର ଶୈଳୀର ହସ୍ତତନ୍ତ ଉତ୍ପାଦିତ ବସ୍ତ୍ର ମିଳୁଥିବା ବେଳେ ରାୟଗଡ଼ା ଜିଲ୍ଲାର ଗୁଣୁପୁର ବ୍ଲକ୍ ଅର୍ନ୍ତଗତ ରେଞ୍ଜିତାଲ୍ ଗାଁରେ ହସ୍ତତନ୍ତ ଉତ୍ପାଦିତ କପଡ଼ା ଉପରେ ସଉରା ଜନଜାତିର କଳାକାରମାନେ ଏକ ପ୍ରକାରର ଚିତ୍ରାଙ୍କନ ବା ପେଣ୍ଟିଂ କରୁଛନ୍ତି । ହସ୍ତତନ୍ତ ବସ୍ତ୍ର ଉପରେ ଏହି ପେଣ୍ଟିଂ ଇଡ଼ିତାଲ୍ ଚିତ୍ରକଳା ବୋଲି କୁହାଯାଉଛି । ଏହି ଚିତ୍ରକଳାର ମଧ୍ୟ ସ୍ୱାତନ୍ତ୍ର୍ୟ ରହିଛି । ତେଣୁ ମୋଟ୍ ଉପରେ ଦେଖାଯାଉଛି ଯେ ଓଡ଼ିଶାର ହସ୍ତତନ୍ତ ବସ୍ତ୍ରର ବ୍ରାଣ୍ଡ୍ ନାଁ ଦେଇ ଏବଂ ଓଡ଼ିଆ ଭାଷାରେ ଏହାକୁ କପଡ଼ା ଉପରେ ଏହାକୁ ଉଲ୍ଲେଖ କରାଗଲେ ଏହା ରାଜ୍ୟର ଗୌରବ ବୃଦ୍ଧି କରିବା ସହିତ ହସ୍ତତନ୍ତ ବଜାରର ପରିସରକୁ ବୃଦ୍ଧି କରିବ ।