ବିଶ୍ୱାସର ସଙ୍କଟରେ ରାଷ୍ଟ୍ର

ଗୋପାଳ ମହାପାତ୍ର: ଆମେ ସବୁବେଳେ କହିଥାଉ ଯେ ପ୍ରକୃତି ଆମ ଦେଶରେ ସବୁ ଭରପୂର କରିଦେଇଛି । ପୃଥିବୀ ପୃଷ୍ଠରେ ଓ ଗର୍ଭରେ, ପାହାଡ ଗର୍ଭରେ  ସାଗରରେ ଦୁନିଆର ସବୁ ପଦାର୍ଥ ଭରି ହୋଇ ରହିଛି । ଆମକୁ ସପ୍ତଧାତୁ ତ ଦେଇଛି ଏଥି ସହିତ ଜୀବନ ଜିଇବା ପାଇଁ ସମସ୍ତ ଆବଶ୍ୟକ ବସ୍ତୁ ମଧ୍ୟ ପୃଥିôବୀ (ଧରିତ୍ରୀ) ମାତା ଆମକୁ ଦେଇଛି । ବିଶ୍ୱର ଅନ୍ୟ ଦେଶ ମାନଙ୍କ ଅପେକ୍ଷା ବହୁ ଅଧିକ ଉପହାର ପ୍ରକୃତି ଆମକୁ ଦେଇଛି ହେଲେ ଭ୍ରଷ୍ଟାଚାର କାରଣରୁ ଆମ ଦେଶ ଅନ୍ୟ ଦେଶ ତୁଳନାରେ ପଛରେ ରହିଯାଇଛି । ଭ୍ରଷ୍ଟାଚାର ନଥିଲେ ଯେତେ ସାଧନ, ସଂସାଧନ ଆମ ପାଖରେ ରହିଛି ସେଥିରେ ଆମେ ବିଶ୍ୱର ପ୍ରଥମ ଶକ୍ତି ହୋଇ ପାରନ୍ତେ । ଏସବୁ ପରେ ବି ଆମେ ଆଗକୁ ବଢ଼ିଚାଲିଛେ । କୁହାଯାଉଥିଲା ଯେ ସ୍ୱାଧୀନତା ପୂର୍ବରୁ ଓ ସ୍ୱାଧୀନତାର ପ୍ରଥମ ଦଶକ ପର୍ଯ୍ୟନ୍ତ ନେତାଜୀ ଶବ୍ଦ ଏକ ମାନ୍ୟତା ପୁର୍ଣ୍ଣ ସାଧାରଣ ଶବ୍ଦଥିଲା । କିନ୍ତୁ ଅର୍ଦ୍ଧଶତାବ୍ଦୀ ବିତିବା ପରେ କାହାକୁ ନେତାଜୀ କହିବା ବେଳେ ମନେମନେ ଗାଳି ଦେବାକୁ ପଡୁଛି । ଏହାର କାରଣ ମଧ୍ୟ ରହିଛି । ଦେଶ ସ୍ୱାଧୀନ ହେବାର ୭୭ ବର୍ଷ ବିତି ଯାଉଛି ଓ ଦେଶରେ ଅମୃତ ମହୋସôବ ପାଳନ କରି ଆମେ ଆନନ୍ଦିତ ହେଉଛେ ହେଲେ ଦେଶରେ ଏବେ ଯେଉଁ ବଡ ସଙ୍କଟ ଦେଖାଦେଇଛି ତାହା ହେଉଛି ରାଜନୀତିରେ ବିଶ୍ୱାସର ସଙ୍କଟ । କେହି କାହା ଉପରେ ବିଶ୍ୱାସ କରୁନାହାଁନ୍ତି । କରିବେ ବା କାହିଁକି?
ଏଠାରେ ଏକ କାହାଣୀର ଅବତାରଣା କରିବା ଆବଶ୍ୟକ ହୋଇପଡିଛି । ଏହାକୁ କାହାଣୀ କୁହାଯାଇପାରେ ବା ବ୍ୟଙ୍ଗ, କିନ୍ତୁ ଏକଥା ଶତ ପ୍ରତିଶତ ଠିକ୍ । ଜଣେ ରାଜନେତାଙ୍କ ପୁତ୍ର ପିତାଙ୍କୁ ରାଜନୀତିରେ ପଶିବା ପାଇଁ କହିଲେ । ପିତା ଜଣକ କିନ୍ତୁ ପୁତ୍ରକୁ ପ୍ରଥମ ମନା କରୁଥିଲେ । ହେଲେ ପୁତ୍ର ଜଣକ କହିଲେ ତୁମେ ତ ୩-୪ ଦଶକ ରାଜନୀତିରେ ବିତାଇ ସାରିଲଣି, ମୋତେ ରାଜନୀତିର ମନ୍ତ୍ର ଶିଖାଅ । ପିତା ଏ ବାବଦରେ କିଛି କହିବାକୁ ନାରାଜ ହୋଇଥିଲେ ମଧ୍ୟ ପୁତ୍ର ଅଡି ବସିବାରୁ ପିତା ପୁତ୍ରକୁ ଛାତ ଉପରୁ ଡ଼େଇଁ ପଡିବାକୁ କହିଥିଲେ । ପୁତ୍ର ଏକଥା ଶୁଣି  ଚକିତ ହୋଇ ଯାଇଥିଲା କାରଣ ଛାତ ଉପରୁ ଡ଼େଇଁଲେ ହାଡ଼ ଗୋଡ଼ ଭାଙ୍ଗିଯିବାର ଆଶଙ୍କା ରହିଛି । କିନ୍ତୁ ପିତା ପୁନଃ ପୁତ୍ରକୁ ଡ଼େଇଁବା ପାଇଁ କହିଲେ, ପୁତ୍ର ଛାତରୁ ଡ଼େଇଁଲା ଓ ଯାହା ହେବାର ଥିଲା ହେଲା । ରାଜନୀତିର ବିଦ୍ୟାର୍ଥୀ (ପୁତ୍ର) ଛାତରୁ ଡ଼େଇଁବା ପରେ ତାର ହାଡଗୋଡ ଭାଙ୍ଗିଗଲା । ତାକୁ ଡାକ୍ତରଖାନା ନେବାକୁ ପଡିଲା । ସେତେବେଳେ ପିତା ପୁତ୍ରକୁ କହିଲେ ରାଜନୀତିର ମନ୍ତ୍ର ହେଉଛି କାହାରିକୁ ବିଶ୍ୱାସ କରନାହିଁ, ହୁଏତ ସେ ତୁମ ପିତା ବି ହୋଇପାରେ ।
ଦୁଭାର୍ଗ୍ୟ ବଶତଃ ଏବେ ଏହି ଭଳି ସବୁ କିଛି ହେଉଛି ।  ରାଜନେତା ମାନେ, ଯେତିକି ତାଙ୍କ ଭୋଟର ମାନଙ୍କର ଓ ନିଜ ଦଳର ନେତାଙ୍କ ବିଶ୍ୱାସ ଭାଙ୍ଗୁଛନ୍ତି ତା ଆଗରେ ହାଡ଼ ଭାଙ୍ଗିବା ବଡ଼ କଥା ନୁହେଁ । ଅନେକ ବଡ଼ ବଡ଼ ନେତା, ବିଧାୟକ, ସାଂସଦ, ମନ୍ତ୍ରୀ ରାତ୍ରୀ ଭୋଜନରେ ନିଜ ଦଳ ନେତାଙ୍କ ସହ ଖୁସି କରି ସ୍ୱାଦିଷ୍ଟ ମାଗଣା ଭୋଜନର ଆନନ୍ଦ ନେଇ ଶୁଭରାତ୍ରୀ କହିଯିବାପରେ ସୁପ୍ରଭାତ (ଗୁଡମର୍ଣ୍ଣିଂ) ସହ ଅନ୍ୟ ଦଳର ନେତାଙ୍କ ସହ ଉତ୍ତମ ବ୍ୟଞ୍ଜନର ଆନନ୍ଦ ନେଇଥିବା ଭଳି ଘଟଣା ଘଟୁଛି । ଅର୍ଥାତ୍ ଅନେକ ନେତା ନିଜ ଦଳ ଛାଡ଼ି ଅନ୍ୟ ଦଳକୁ ଚାଲିଯାଇଛନ୍ତି । ଦଳ ଛାଡିଥିବା ନେତା ମାନେ ଗୋଟିଏ ପଟେ ସେମାନଙ୍କୁ ଭୋଟ ଦେଇ ନେତା କରିଥିବା ଭୋଟରଙ୍କ ବିଶ୍ୱାସତ ଭାଙ୍ଗୁଛନ୍ତି ଅନ୍ୟପଟେ ନିଜ ଦଳର ନେତାଙ୍କ ବିଶ୍ୱାସ ମଧ୍ୟ ଭାଙ୍ଗୁଛନ୍ତି । ରାଜନୀତିରେ ଅବିଶ୍ୱାସର ସଙ୍କଟ ବାବଦରେ ଏହାଠାରୁ ଆଉ ବଡ଼ ପ୍ରମାଣ କ’ଣ ଥାଇପାରେ । ଏହାସାରା ଦେଶର ଘଟଣା ଅଟେ  ଲୋକସଭା ନିର୍ବାଚନ ପୁର୍ବରୁ ବ୍ୟାପକ ଭାବେ ଏମିତି ଘଟିଥିଲା । ନିର୍ବାଚନ ପରେ ମଧ୍ୟ ଏବେ ଏଭଳି ଘଟୁଛି । କିଏ ଟିକେଟ ନପାଇ ଦଳ ଛାଡିଛି ତ ଦଳୀୟ ଅସନ୍ତୋଷ କାରଣରୁ କିଏ ଦଳ ଛାଡିଛି । ଜଣେ କବି ଏଘଟଣାକୁ ନେଇ ଏକ କବିତା ଲେଖିଥିଲେ । କବିତାରେ କବି ଯାହା  ଲେଖିଥିଲେ ତାର ସାରମର୍ମ ହେଉଛି ଗୋଟିଏ ଏଣ୍ଡୁଅ ଥରେ ଆତ୍ମହତ୍ୟା କରିବାକୁ ଇଛା କରି ତାର ଆତ୍ମହତ୍ୟାର କାରଣ ଲେଖିଥିଲା  । ଏଣ୍ଡୁଅ ଆତ୍ମହତ୍ୟା ପୂର୍ବରୁ ଯେଉଁ ସୁଇସାଇଡ ନୋଟ ଲେଖିଥିଲା ସେଥିରେ ସେ ଲେଖିଥିଲା ଯେ ଆଜିର ନେତାମାନେ ଯେଭଳି ରଙ୍ଗ ବଦଳାଉଛନ୍ତି ସେଥିରୁ ସ୍ପଷ୍ଟ ଯେ ରଙ୍ଗ ବଦଳାଇବାରେ ସେ ନେତାଙ୍କଠାରୁ ପରାସ୍ତ ହୋଇଛି ଏଣୁ ଆତ୍ମହତ୍ୟା କରିବାକୁ ଚାହୁଁଛି । ବିଚରା ଏଣ୍ଡୁଅକୁ  ପ୍ରକୃତି ଏମିତି ହିଁ ଗଢ଼ିଛି ଓ ସେ ରଙ୍ଗ ବଦଳାଇବ ହିଁ ବଦଳାଇବ । ଏଠି କିନ୍ତୁ  ଯେଉଁ ରଙ୍ଗ ବୋଳିହେଲେ ଅଧିକ ଲାଭ ମିଳିବ, ଗାଦି ମିଳିବ ଏବଂ ନିଜର ଅସ୍ତିତ୍ୱ ବଞ୍ଚôରହିବ ଏପରି ନିଜର ପରପିଢ଼ୀକୁ ଗାଦିରେ ବସାଇହେବ ଓ ଧନକୁବେର କରିହେବା ପାଇଁ ଆଶ୍ୱାସନା ମିଳୁଛି ସେଇ ରଙ୍ଗ ବୋଳି ହେବାକୁ ନେତା ଚାହୁଁଛନ୍ତି । ଯେଉଁ ରଙ୍ଗ ବୋଳି ହେଲେ ବି ଫୁଲମାଳ ମିଳୁଛି ତେଣୁ ନେତାଙ୍କର ପରବାୟ ନାହିଁ । ସ୍ଲୋଗାନ ବଦଳିଲେ କ’ଣ ଅସୁବିଧା, ଯଦି ଶୁଆ ସାରୀ ନୂଆ ପାଠ ପଢି ପାରୁଛନ୍ତି ତେବେ ମଣିଷ (ନେତା) କାହିଁକି ପଢି ପାରିବେନି ।
ଦେଶର ସାଧାରଣ ଜନତା ଏସବୁ ଦେଖି ମନେ ମନେ ଅନେକ କଥା ଭାବୁଥିଲେ ମଧ୍ୟ ବାଧ୍ୟ ହୋଇ ଭୋଟ ଦେଉଛନ୍ତି ଓ ଦଳ ବଦଳି କାରୀଙ୍କୁ ଗ୍ରହଣ କରିବାକୁ ବାଧ୍ୟ ହେଉଛନ୍ତି । ମନେ ମନେ ଗାଳି କରୁଥିବେ ଓ ଭାବୁଥିବେ ଏମାନେ ଗରିବୀ ହଟାଓ କଥା କହିଥିଲେ, ଗରିବୀ ହଟିଲାନି, ସମସ୍ତଙ୍କୁ ଘର ଦେବା କଥା କହୁଥିଲେ ହେଲେ ଏବେବି କୋଟି କୋଟି ଲୋକଙ୍କୁ ଫୁଟପାଥରେ ରହିବାକୁ ପଡୁଛି । ଶିକ୍ଷା ସମସ୍ତଙ୍କର ଅଧିକାର କହୁଥିଲେ ହେଲେ ଦେଶରେ ଏବେ ଡ୍ରପଆଉଟ ହେଉଛି । ପିଲା ଅଧାରୁ ପାଠ ଛାଡୁଛନ୍ତି । ଅନେକ ପିଲା ସ୍କୁଲ ମୁଁହ ଦେଖିପାରୁ ନାହାଁନ୍ତି, ମାନବାଧିକାର ଆୟୋଗ ଭୁମି ଭିତରେ ରହିଯାଇଛି, ମାନବତାର ହତ୍ୟା ହେଉଛି । ସମ୍ବିଧାନର ସମାନତା ଅଧିକାର  ଗରୀବ ଲୋକଙ୍କ ପାଇଁ ନୁହେଁ । କୃଷକ ଆତ୍ମହତ୍ୟା କରୁଚି । ଲୋକେ କାହା ଉପରେ ବିଶ୍ୱାସ କରିବେ? କାହିଁକି କରିବେ? ଏବେ ଦେଶରେ ଅବିଶ୍ୱାସର ସଙ୍କଟ ଭୟାନକ ସଙ୍କଟରେ ପରିଣତ ହେବାକୁ ବସିଛି । ଜୀବନରେ ଏବଂ ରାଷ୍ଟ୍ରପାଇଁ ।
ରାମଚନ୍ଦ୍ର ପୁର, ରଣପୁର
ମୋ :-୯୪୩୮୪୮୫୦୯୪