ଦ୍ବିତୀୟ ବିବାହ କରିବାକୁ ପୁଅକୁ ମାରିଦେଲା ବାପା

ଯାଜପୁର ଧର୍ମଶାଳାରେ ହଇଚଇ । ଜଣେ ଶିଶୁକୁ ଅପହରଣ ଅଭିଯୋଗ ପରେ ଖୋଜାଖୋଜି ଘଟଣାରେ ଆଜି ପର୍ଦ୍ଦାଫାଶ ହୋଇଛି । ଏକ ପରିତ୍ୟକ୍ତ ପୋଖରୀରୁ ମିଳିଛି ପୁଅର ମୃତଦେହ। ଏହି ଘଟଣା ଘଟିଛି ଧର୍ମଶାଳା ଜେନାପୁର ଚାରଗୋଟ ଗାଁରେ । ତେବେ ମୃତ ପୁଅର ବାପା ଦ୍ବିତୀୟ ବିବାହ କରିବାକୁ ପୁଅକୁ ହତ୍ୟା କରିଦେଇଥିବା କୁହାଯାଉଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏହି ଗାଁର ବାଉରୀବନ୍ଧୁ ରାଉତ ୭ ବର୍ଷ ପୂର୍ବେ ସେହି ଗାଁରେ ବିବାହ କରିଥିଲେ । ହେଲେ ସ୍ତ୍ରୀର ମାନସିକ ସମସ୍ୟା ଥିବା ଅଭିଯୋଗ କରି ଅନେକ ସମୟରେ ଅତ୍ୟାଚାର କରୁଥିଲେ । ଏଥିରେ ଅତିଷ୍ଠ ହୋଇ ପତ୍ନୀ ଓ ତାଙ୍କ ପୁଅ ସେମାନଙ୍କ ବାପ ଘରେ ରହୁଥିଲେ । ମଙ୍ଗଳବାର ପୁଅ ଟ୍ୟୁସନରୁ ଫେରି ଖେଳିବାକୁ ଯାଇଥିଲା ହେଲେ ଘରକୁ ଫେରିନଥିଲା । ବିଳମ୍ବ ହେବାରୁ ପୁଅର ମାମୁଁଘର ଲୋକେ ବହୁତ ଖୋଜାଖୋଜି କରିବା ସହ ପୋଲିସରେ ଅଭିଯୋଗ କରିଥିଲେ । ଆଜି ଗାଁର ଏକ ଅବ୍ୟବହୃତ ପୋଖରୀରୁ ପୁଅର ମୃତଦେହ ଉଦ୍ଧାର ହୋଇଛି। ପୋଲିସର କହିବା ଅନୁସାରେ, ପୁଅର ବାପା ବାଉରୀବନ୍ଧୁ ରାଉତକୁ ସନ୍ଦେହ କରାଯାଉଛି । କାରଣ ତାଙ୍କର ତାଙ୍କ ପତ୍ନୀଙ୍କ ସହ ମନୋମାଳିନ୍ୟ ଥିଲା । ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ଦୂରତା ମଧ୍ୟ ସୃଷ୍ଟି ହୋଇସାରିଥିଲା । ସେ ଦ୍ବିତୀୟ ବିବାହ କରିବାକୁ ଚାହୁଥିଲେ । ହେଲେ ବାଟରେ କଣ୍ଟା ସାଜିଥିଲା ପୁଅ ଶିବୁ । ତେଣୁ ସେ ଖେଳିବାକୁ ଯିବାବେଳେ ଅପହରଣ କରିନେଇ ହତ୍ୟା କରି ପୋଖରୀକୁ ଫୋପାଡିଦେଇଥିବା ସନ୍ଦେହ କରାଯାଉଛି । ପୋଖରୀ ପାଖରୁ ପୁଅର ପୋଷାକ ମିଳିବା ପରେ ସେହି ପୋଖରୀରେ ଖୋଜାଖୋଜି କରିଥିଲେ ସ୍ଥାନୀୟ ଯୁବକ ଓ ଉଦ୍ଧାରକାରୀ ଦଳ ଏବଂ ପୁଅର ମୃତଦେହ ଉଦ୍ଧାର ହୋଇଛି । ପୋଲିସ ଘଟଣାର ଛାନବିନ୍ କରୁଛି ।