ସାମ୍ବାଦିକତା ଓ ଗଣମାଧ୍ୟମର ସାମ୍ପ୍ରତିକ ଭୂମିକା 

ପ୍ରଦୀପ ସେନାପତି : ସୁସ୍ଥ ଗଣତନ୍ତ୍ର ପାଇଁ ସୁସ୍ଥ ଗଣମାଧ୍ୟମର ଆବଶ୍ୟକତା ଅପରିହାର୍ଯ୍ୟ । ଗଣମାଧ୍ୟମ ସମାଜ ଓ ଗଣତନ୍ତ୍ର ପାଇଁ  ଗୋଟିଏ ସ୍ୱଚ୍ଛ, ନିର୍ମଳ ଦର୍ପଣ ଭଳି କାମ କରିବା ଧର୍ମ, କର୍ତ୍ତବ୍ୟ, ଉଚିତ ମଧ୍ୟ । ଗାଁରୁ ସହର, ଚାଷୀ ମୂଳିଆ ଠାରୁ ବଡ଼ ଅଧିକାରୀ, ଜନ ପ୍ରତିନିଧି ପର୍ଯ୍ୟନ୍ତ ସବୁଠି ସମସ୍ତଙ୍କ ଦ୍ୱାରା ଗଣମାଧ୍ୟମ ଆଦୃତ । ସମୟର ପରିବର୍ତ୍ତନ ଧାରା ସହିତ ତାଳଦେଇ ଗଣମାଧ୍ୟମରେ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ନେଇ କାର୍ଯ୍ୟଧାରା, ରୂପମଧ୍ୟ ବଦଳୁଛି ।ଏହି  କ୍ରମରେ ଆଜିର ଦିନରେ ‘କୃତ୍ରିମ ବୁଦ୍ଧିମତ୍ତା’ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ)ର ପ୍ରୟୋଗ ହେଉଛି । ତେବେ ଏହାର ସକାରାତ୍ମକ ଦିଗ ଆମ ସମାଜ ପାଇଁ ବେଶ୍ ଉପଯୋଗୀ ଓ ଗ୍ରହଣୀୟ ହୋଇପାରିଛି ମାତ୍ର ଏହାର ଦୁରୂପଯୋଗ ସର୍ବଦା ବର୍ଜନୀୟ ଅଟେ । 
ସାମ୍ବାଦିକତା ଏକ ବୃତ୍ତି ନୁହେଁ, ଏହା ଏକ ମିଶନ । ଦେଶ ସ୍ୱାଧୀନ ହେବାର ୭୭ ବର୍ଷପରେ ଏବେ ଗଣମାଧ୍ୟମ ବା ସମ୍ବାଦପତ୍ର ଉପରେ ସମୀକ୍ଷା କରିବାର ଆବଶ୍ୟକତା ଅନୁଭୂତ ହେଉଛି । ସ୍ୱାଧୀନତା ଲାଭ ପୂର୍ବରୁ ଭାରତର ସ୍ୱାଧୀନତା ଆନେ୍ଦାଳନକୁ ଆହୁରି ଦୃୃଢଶକ୍ତି, ସକ୍ରିୟ କରିବାକୁ ସମ୍ବାଦପତ୍ରକୁ ଏକ ଅସ୍ତ୍ର ଭାବେ ବ୍ୟବହାର  କରାଯାଇଥିଲା । ସ୍ୱାଧୀନତା ପରେ ମଧ୍ୟ ସମ୍ବାଦପତ୍ରକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବୋଲି ମାନ୍ୟତା ଦିଆଯାଇଥିଲା ।  ଏହି ମାନ୍ୟତା କେବଳ ଆମ ଦେଶ ପାଇଁ ପ୍ରଯୁଜ୍ୟ ନୁହେଁ, ସାରା ବିଶ୍ୱରେ ଏହି ମାନ୍ୟତାର ପରିଚୟର ଉଦାହରଣ ଦିଆଯାଇଛି । ମାତ୍ର ଦୁଃଖର କଥା, ସମ୍ବାଦପତ୍ର ବା ମୁଦ୍ରଣ ଗଣମାଧ୍ୟମ ଏବେ ସଙ୍କଟରେ, ଦୟନୀୟ ଅବସ୍ଥା ବୋଲି କୁହା ଗଲାଣି । ସେହିପରି, ସାମ୍ବାଦିକତା କରୁଥିବା ବ୍ୟକ୍ତି ବିଶେଷମାନଙ୍କର ଦୁଃଖ ଆଉ ଉଦାସିନତା କହିଲେ ନସରେ । ଏହା ମୋର ଅନୁଭବିର ଚିନ୍ତା ପ୍ରକଟ ବୋଲି କୁହାଯାଇପାରେ । ସମ୍ବାଦପତ୍ରର ଇତିହାସ ବେଶ୍ ଉଜ୍ଜ୍ୱଳ ବୋଲି ମନେ ହୋଇଥାଏ । ଅଷ୍ଟାଦଶ ଶତାବ୍ଦୀରେ ପ୍ରଥମ ଭାରତୀୟ ସମ୍ବାଦପତ୍ର ଭାବେ ବେଙ୍ଗଲ ଗେଜେଟ ବା କାଲକେଟା ଜେନେରାଲ ଆଡ଼୍ଭାଟାଇଜର ଇଂରାଜୀ ଭାଷାରେ ତତ୍କାଳୀନ କଲିକତା ଓ ଏବେର କଲକାତା ମହାନଗରରୁ ପ୍ରକାଶ ପାଇଥିଲା । ଏହାପରେ ୧୭୮୯ ମସିହାରେ ବମ୍ବେ (ଏବେର ମୁମ୍ବାଇ)ରୁ ପ୍ରକାଶିତ ହୋଇଥିଲା ‘ବମ୍ବେ ଭେରାଲଡ଼’ ଯାହା ପରବର୍ତ୍ତୀ ବର୍ଷ ‘ବମ୍ବେ କୋରିଆ’ ଭାବେ ପ୍ରକାଶ ଲାଭ  କରିଥିଲା ଓ ପରେ ଇଂରାଜୀ ଭାଷାର ସମ୍ବାଦଦପତ୍ର  ‘ଟାଇମ୍ସ ଅଫ ଇଣ୍ଡିଆ’ ରେ ୧୮୬୧ରେ ଏହାର ମିଶ୍ରଣ ଘଟିଥିଲା । 
ଭାରତରେ ବଙ୍ଗଳା ଭାଷାରେ ପ୍ରଥମ ଆଞ୍ଚଳିକ ସମ୍ବାଦପତ୍ର ଭାବେ ୧୮୧୮ ମେ ୨୩ରେ ସମାଚାର ଦର୍ପଣ ପ୍ରକାଶ ପାଇବାପରେ ହିନ୍ଦୀ ଭାଷାରେ ପ୍ରଥମ ସମ୍ବାଦପତ୍ର ‘ସମାଚାର ସୁଧା ଦର୍ପଣ’ ୧୮୫୪ରେ ପ୍ରକାଶ ପାଇଥିଲା ଓ ଏହା ପରେ କନ୍ଡ଼, ମାଲାୟଲାମ, ତାମିଲ ପ୍ରଭୃତି ଭାଷାରେ ସମ୍ବାଦପତ୍ର ପ୍ରକାଶିତ ହୋଇଥିଲା ଓ ପ୍ରକୃତରେ ପ୍ରଥମ ଓଡ଼ିଆ ସମ୍ବାଦପତ୍ର ‘ଉକôଳଦୀପିକା’ ସାପ୍ତାହିକ ସମ୍ବାଦପତ୍ର ଭାବେ ୪ ଅଗଷ୍ଟ ୧୮୬୬ରେ ମୁଦ୍ରିତ ହୋଇ ଲୋକପ୍ରିୟତା ଅର୍ଜନ କରିଥିଲା । ଗୌରୀଶଙ୍କର ରାୟ ଏହାର ସମ୍ପାଦକ ଥିଲେ । ପରେ ପରେ ‘ସମାଜ’, ‘ଦୈନିକ ଆଶା’, ‘ପ୍ରଜାତନ୍ତ୍ର’ ଓ ଅନ୍ୟାନ୍ୟ ସମ୍ବାଦପତ୍ର ଆଦୃତ ହୋଇଥିଲା । ଏବେ ଏକ ବିଂଶ ଶତାବ୍ଦୀରେ ‘ସମାଜ’ ଏକଶତ ବର୍ଷରୁ ଊଦ୍ଧ୍ୱର୍ ପୁରାତନ ସମ୍ବାଦପତ୍ର ଭାବେ ଓଡ଼ିଆ ପାଠକଙ୍କ ପ୍ରତିନିଧିତ୍ୱ କରି ଆସୁଥିବା ବେଳେ ଅନ୍ୟାନ୍ୟ ଦୈନିକ ସମ୍ବାଦପତ୍ର ଭାବେ ସମ୍ବାଦ, ଧରିତ୍ରୀ, ପ୍ରମେୟ, ପ୍ରଗତିବାଦୀ, ସମ୍ବାଦକଳିକା, ଆଜିକାଲି, ସୂର୍ଯ୍ୟପ୍ରଭା, ସମୟ, ଓଡ଼ିଶା ଭାସ୍କର, ସଂଚାର, ଜନମତ ପରିକ୍ରମା, ଦିନଲିପି, ପର୍ଯ୍ୟବେକ୍ଷକ, ନିର୍ଭୟ, ନିର୍ଭୟ ସୂଚନା, ଇପିଏ ଉଇକ୍ଲି, ମାତୃଭାଷା, ସକାଳ ଓ ପ୍ରଜାତନ୍ତ୍ର ମଧ୍ୟ ନିଜ ନିଜର ସ୍ଥିତି ବଜାୟ ରଖିପାରିଛନ୍ତି । ଆହୁରି ଅନେକ ଦୈନିକ ଓଡ଼ିଆ ସମ୍ବାଦପତ୍ର, ସାପ୍ତାହିକ ଖବରକାଗଜ ଅଛି ଯାହାର ନାମ ସବୁକୁ ଆଲୋଚନା କରାଯାଇ ପାରନ୍ତା ଏବଂମୋର ସ୍ୱଳ୍ପ ଲେଖନୀରେ ସେସବୁକୁ ବର୍ଣ୍ଣନା କରିବା ସମ୍ଭବପର ନୁହେଁ ।   
ସାପ୍ତାହିକ ସମ୍ବାଦପତ୍ର ଭାବେ ‘ରାଷ୍ଟ୍ରଦୀପ’ ଓ ମାସିକ ଓଡ଼ିଆ ପତ୍ରିକା ଭାବେ ଶୈଳବାଳା ମିଶ୍ରଙ୍କ ସଂଯୋଜନାରେ ‘ସମାରୋହ’, ନିରଞ୍ଜନ ରଥଙ୍କ ସମ୍ପାଦନାରେ ଗୋପବନ୍ଧୁଙ୍କ “ସତ୍ୟବାଦୀ” ଭର୍ତ୍ତୃହରି ମହତାବଙ୍କ ସମ୍ପାଦନରେ ‘ଝଙ୍କାର’, ଜୟାଶିଷ ରାୟଙ୍କ ସଂପାଦନାରେ ‘ଉକôଳ ଦୀପିକା’, ସୁପ୍ରଭା ରାୟଙ୍କ ସଂପାଦନାରେ ମାସିକ ଗଳ୍ପ ପତ୍ରିକା ‘କଥାକଳିକା’, ଇତି ସମାନ୍ତଙ୍କ ସମ୍ପାଦନରେ ‘କାଦମ୍ବିନୀ’ ସୁଜାତା ପଟ୍ଟନାୟକଙ୍କ ସମ୍ପାଦନାରେ ‘ପୌରୁଷ’ ପ୍ରଭୃତି ପ୍ରକାଶ ପାଇ ଚାଲିଛି । ତେବେ, ଏସବୁ ପତ୍ରିକା ପାଠକ ପାଠିକାମାନଙ୍କ ଦ୍ୱାରା ବେଶ୍ ଆଦୃତ ହୋଇଛି ।
ବିଶ୍ୱ କରୋନା ମହାମାରୀ ପରେ କେବଳ ଭାରତରେ ନୁହେଁ, ସାରା ବିଶ୍ୱରେ ସମ୍ବାଦପତ୍ର ଓ ପତ୍ରପତ୍ରିକାର ପ୍ରକାଶନ ଏବଂ ବିତରଣ କ୍ଷେତ୍ରରେ ସଙ୍କଟ ଦେଖାଯାଇଥିଲା । ମାତ୍ର ଏବେ ସେପରି ଅବସ୍ଥା ନାହିଁ । ଏବେ ମୁଦ୍ରଣ ଗଣମାଧ୍ୟମ ସହିତ ପ୍ରତିଯୋଗିତାର ସମ୍ମୁଖୀନ ହୋଇଛି ବିଭିନ୍ନ ଘରୋଇ ଟିଭି ଚାନେଲ । ଏବେ  ସେହିସବୁ ଘରୋଇ ଓ ସରକାରୀ ଟିଭି ଚାନେଲ ବା ତଡ଼ିତ ଗଣମାଧ୍ୟମକୁ ପଛରେ ପକାଇ ପାରିଛି ବିଭିନ୍ନ ସାମାଜିକ ଗଣମାଧ୍ୟମ ।  ଏବେ ମୋବାଇଲର ପ୍ରଚଳନ ବହୁ ସଂଖ୍ୟାରେ ହେବାରୁ ମୋବାଇଲ ଯୋଗେ ବିଭିନ୍ନ ଆମୋଦପ୍ରମୋଦ ବ୍ୟବସ୍ଥା ସମେତ ଖବର ତଥା ଅନ୍ୟାନ୍ୟ ସୂଚନା ଏବେ ସାମାଜିକ ଗଣମାଧ୍ୟମ ଜରିଆରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ରହିଛି । ‘ହ୍ୱାଟ୍ସ ଆପ’ ପରେ ସବୁଠାରୁ ବେଶୀ ଆଦୃତ ସାମାଜିକ ଗଣମାଧ୍ୟମ ହେଉଛି ‘ଫେସ୍ ବୁକ୍’ ।  ଏହା ପଛକୁ ‘ଇନଷ୍ଟାଗ୍ରାମ’ ବି ରହିଛି । ଅଳ୍ପ କେତେକ ଗ୍ରାହକ ଟୁଇଟରରେ ଥିଲେ ମଧ୍ୟ ଟୁଇଟର ଏତେଟା ପ୍ରଭାବଶାଳୀ ହୋଇପାରିନାହିଁ । 
ଏବେ ମୁଦ୍ରଣ ଗଣମାଧ୍ୟମର ମାଲିକ ଓ ସାମ୍ବାଦିକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେନ୍ଦ୍ର ବା ରାଜ୍ୟ ସରକାର ତଥା ସମ୍ବାଦପତ୍ରର ମାଲିକମାନେ ଏଥିପ୍ରତି ସଚେତନ ହୋଇ ପାରିଲେ ଅନେକ ସମସ୍ୟାର ସମାଧାନ ହୋଇପାରନ୍ତା । ଯେଉଁ ସମ୍ବାଦିକମାନେ ସାମ୍ବାଦିକ ସଂଘ ଗଠନ କରିଛନ୍ତି, ସେମାନେ ସାମ୍ବାଦିକ ବା ସମ୍ବାଦପତ୍ର କର୍ମଚାରୀଙ୍କ ସ୍ୱାର୍ଥରକ୍ଷା ଲାଗି ଏବେ କୌଣସି ସକ୍ରିୟ ଭୂମିକାରେ ଥିବାପରି ମନେ ହେଉନାହିଁ । ଅବଶ୍ୟ ବିଭିନ୍ନ ସଭା ସମିତି ଧାରଣା ଆଲୋଚନା ଚକ୍ରରେ ସେମାନେ ବ୍ୟସ୍ତ ରହୁଛନ୍ତି । 
ସମ୍ବାଦପତ୍ର ବା ଏହାର ସାମ୍ବାଦିକତା ସ୍ୱାଧୀନତା ମଧ୍ୟ ସଂକୁଚିତ ହୋଇଥିବା ପରି ମନେ ହେଉଛି । ସମ୍ବାଦପତ୍ରକୁ ନିୟନ୍ତ୍ରଣ କରିବାକୁ ୧୯୬୬ ମସିହା ନଭେମ୍ବର ୧୬ ତାରିଖରୁ ଭାରତ ସରକାର ପ୍ରେସ୍ କାଉନସିଲ ସଂସ୍ଥା ଆରମ୍ଭ କରିଥିଲେ । ତେଣୁ, ସେହି ଦିବସ ଅର୍ଥାତ୍ ନଭେମ୍ବର ୧୬କୁ ଆମେ ଓ ସରକାରୀ ସ୍ତରରେ ପ୍ରେସ୍ ଦିବସ ଭାବେ ପାଳନ କରି ଆସିଛୁ । ଆଜକୁ ଏହି ଦିବସ ୫୮ ତମ ଜାତୀୟ ପ୍ରେସ୍ ଦିବସ ଭାବେ ସର୍ବ ଭାରତୀୟ ସ୍ତରରେ  ସ୍ୱୀକୃତିପ୍ରାପ୍ତ ମାନ୍ୟତା ପାଇଛି । ଏହି ପରିପ୍ରେକ୍ଷୀରେ ଆଜିର ଏହି ୫୮ତମ ଜାତୀୟ ପ୍ରେସ୍ ଦିବସ ଅବସରରେ, ସମସ୍ତ ସମ୍ପାଦକ, ସାମ୍ବାଦିତ ବନ୍ଧୁମାନଙ୍କୁ ଓଡ଼ିଶା ସାମ୍ବାଦିକ ସୁରକ୍ଷା ସଂଗଠନ ପକ୍ଷରୁ ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି ।
ରାଜ୍ୟ ସଭାପତି, ଓଡ଼ିଶାସାମ୍ବାଦିକ
ସୁରକ୍ଷା ସଂଗଠନ, ଜାତୀୟ ସ୍ତରର  ସାମ୍ବାଦିକ 
ଇଣ୍ଡିଆନ ନିୟୁଜ ସାଇଟ ତଥା ଆନ୍ତର୍ଜାତୀୟ ସ୍ତମ୍ଭକାର, ସାମନ୍ତରାପୁର, ପୁରୁଣା ଭୁବନେଶ୍ୱର -୨
ମୋ - ୭୮୪୮୮୯୮୪୫୬