ଗାଡ଼ିର ବେଗ ନିୟନ୍ତ୍ରଣ


ନଭେମ୍ବରରୁ ଫେବୃଆରୀ ପର୍ଯ୍ୟନ୍ତ ବିଭିନ୍ନ ଦର୍ଶନୀୟ ସ୍ଥାନକୁ ଲୋକଙ୍କ ସୁଅ ଛୁଟିଥାଏ । ଯାତ୍ରୀ ପରିବହନ କ୍ଷେତ୍ରରେ ନିୟୋଜିତ ଥିବା ବାଣିଜି୍ୟକ ଗାଡ଼ି ତଥା ବସ, କ୍ୟାଣ୍ଟର, ଟାଟା ମ୍ୟାଜିକ ଓ ଅନ୍ୟାନ୍ୟ ଛୋଟ ଗାଡ଼ିରେ ସ୍ପିଡ କଣ୍ଟ୍ରୋଲ ଡିଭାଇସ ବା ସ୍ପିଡ ଲିମିଟର ଲଗାଯାଇଛି ନା ନାହିଁ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଯନ୍ତ୍ର ଲଗାଯିବା ଫଳରେ ଗାଡ଼ିର ବେଗ ଚାହିଁଲେ ବି ନିର୍ଦ୍ଧାରିତ ସୀମା ଟପିବ ନାହିଁ । ଏଣୁ ପରିବହନ ବିଭାଗ ପକ୍ଷରୁ ଦୁର୍ଘଟଣା ରୋକିବା ପାଇଁ ଏଭଳି ବ୍ୟବସ୍ଥା କିଛି ବର୍ଷ ପୂର୍ବରୁ ଲାଗୁ ହୋଇଥିଲା । ବାସ୍ତବ କ୍ଷେତ୍ରରେ ଏବେ ବି ଗାଡ଼ିଗୁଡ଼ିକରେ ସ୍ପିଡ ଲିମିଟର ଡିଭାଇସ ବେଗ ନିୟନ୍ତ୍ରକ ଯନ୍ତ୍ର ନାମକୁ ମାତ୍ର ଲାଗିଥିବା ଜଣାପଡ଼ିଛି । ପ୍ରତି ଦିନ ବସ ଓ ଅନ୍ୟ ଗାଡ଼ିଗୁଡ଼ିକ ପିକନିକ ପାଇଁ ବହୁ ସଂଖ୍ୟାରେ ବୁକିଂ କରାଯାଉଛି । ପିକନିକ ଯାଉଥିବା ଲୋକଙ୍କୁ ଶୀଘ୍ର ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ଓ ପୁଣି ଫେରାଇବା ପାଇଁ ଅଧିକ ବେଗ ଉପରେ ନିର୍ଭର କରିଥାନ୍ତି ଏହି ଗାଡ଼ି । ଏଣୁ ସ୍ପିଡ ଲିମିଟର ପାଇଁ ବେଗ ବଢ଼ୁ ନଥିବାରୁ ଅଧିକାଂଶ ଗାଡ଼ିରେ ଏହାର ସଂଯୋଗ ବିଚ୍ଛିନ୍ନ କରାଯାଉଥିବା ଅଭିଯୋଗ ହେଉଛି । ଗାଡ଼ିରେ ସ୍ପିଡଲିମିଟର ଡିଭାଇସ ସଂଯୋଗ ତଥା କାର୍ଯ୍ୟକ୍ଷମ ଥିଲେ ହିଁ ଫିଟନେସ ଦିଆଯିବାର ନିୟମ ରହିଛି । ବାସ୍ତବରେ ଏହାର ସଂଯୋଗ ରହିଛି ନା ବିଚ୍ଛିନ୍ନ କରାଯାଇ ଗାଡ଼ି ଚଳାଚଳ କରୁଛି ତାହାର ଯାଞ୍ଚ ସଠିକ ଢ଼ଙ୍ଗରେ ହେଉନାହିଁ ।
ମୋଟର ଯାନ ଆଇନ ୧୯୯୩ର ରୁଲ ୧୭୩ ଅନୁସାରେ ଗାଡ଼ି ଗୁଡ଼ିକର ସର୍ବାଧିକ ବେଗ ଧାର୍ଯ୍ୟ କରିଥିଲା ପରିବହନ ପ୍ରାଧିକରଣ । ସ୍ପିଡ ଗଭର୍ଣ୍ଣର ଲଗାଯିବା ପରେ ବି ଗାଡ଼ି ଗୁଡ଼ିକ କିପରି ଦ୍ରୁତଗତିରେ ଚଳାଚଳ କରୁଛି ତାହା ଯାଞ୍ଚ ସାପେକ୍ଷ । ସେହିଭଳି ପିକନିକ ଯାଉଥିବା ଗାଡ଼ି ମଧ୍ୟ ଓଭରଲୋଡ଼ ହୋଇଯାଉଥିବା କାରଣରୁ ଅନେକ ସମୟରେ ଦୁର୍ଘଟଣା ଘଟିଥିବାର ନଜିର ରହିଛି । ରାଜ୍ୟ କ୍ରାଇମବ୍ରାଞ୍ଚ ମଧ୍ୟ ଅତୀତରେ ଏହି ପ୍ରସଙ୍ଗରେ ରାଜ୍ୟ ପରିବହନ ବିଭାଗକୁ ଯାଞ୍ଚ କରିବା ପାଇଁ ପରାମର୍ଶ ଦେଇ ଆସିଛି । ଏ ସମ୍ପର୍କରେ ପରିବହନ ବିଭାଗର ଅଧିକାରୀଙ୍କ କହିବାନୁସାରେ, ବିଭାଗ ପକ୍ଷରୁ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଖୁବ ଶୀଘ୍ର ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବ । ରାଜ୍ୟରେ ବର୍ଷକୁ ଦୁର୍ଘଟଣାଜନିତ ମୃତୁ୍ୟ ସଂଖ୍ୟା ୬ ହଜାର ଛୁଇଁଲାଣି । ୨୦୨୦ରେ ଯେଉଁଠି ୪୭୩୮ ଜଣଙ୍କ ମୃତୁ୍ୟ ହୋଇଥିଲା ୨୦୨୧ରେ ୫୦୮୧, ୨୦୨୨ରେ ୫୪୬୭ ସ ୨୦୨୩ରେ ୫୬୯୬ ଥିଲା । ସେହିପରି ୨୦୨୪ରେ ପ୍ରଥମ ଆଠ ମାସରେ ଏହା ଚାରି ହଜାର ଛୁଇଁଥିଲା । ପରିବହନ ବିଭାଗ ପକ୍ଷରୁ ବସ ଡ୍ରାଇଭର ମାନଙ୍କୁ ମୋବାଇଲ ଫୋନ ମନା ହୋଇଥିଲା । ଗାଡ଼ି ଚଳାଉଥିଲାବେଳେ ବସ ଡ୍ରାଇଭର ମାନଙ୍କର ଫୋନ ସଂପୃକ୍ତ ବସର କଣ୍ଡକ୍ଟର ମାନଙ୍କ ନିକଟର ରହିବ ବୋଲି ଗତ ୮ ବର୍ଷ ପୂର୍ବରୁ ନିଦେ୍ର୍ଦଶ ଥିଲା । ଟୋଲ ଫ୍ରି ନମ୍ବର ଲେଖାଯିବା ବାଧ୍ୟତାମୂଳକ ହୋଇଥିଲେ ମଧ୍ୟ ଅନେକ ଏହାକୁ ପାଳନ କରୁନଥିବା ଦେଖିବାକୁ ମିିଳିଛି । ତେଣୁ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦିଅନ୍ତୁ ଓ ଲୋକମାନଙ୍କ ଜୀବନ ରକ୍ଷା ପାଇଁ ନିଜ ଗୁରୁଦାୟିତ୍ୱ ନିର୍ବାହ କରନ୍ତୁ । 
ଶାରଦା ପ୍ରସନ୍ନ ବେହେରା
ମୋ : ୭୬୫୭୦୭୧୯୬୭