ଭାରତରୁ ୬୫ ଲକ୍ଷ କୋଟି ଡଲାର ଲୁଟିଛନ୍ତି ଇଂରେଜ
ନୂଆଦିଲ୍ଲୀ: ଇଂରେଜମାନେ ଭାରତକୁ ଶାସନ ସମୟରେ ଭାରତରୁ ପ୍ରାୟ ୬୪.୮୨ ଟି୍ରିଲିୟନ ଡଲାର ବା ୬୪ ଲକ୍ଷ ୮୨ ହଜାର କୋଟି ଡଲାର ଲୁଟି ନେଇଛନ୍ତି । ଯାହା ଏବେ ବି୍ରଟେନର ୧୦ ପ୍ରତିଶତ ଧନୀଙ୍କ ପାଖରେ ରହିଛି ଏହି ଲୁଟ ସମ୍ପତ୍ତିର ଅଧାରୁ ଅଧିକ । ଏପରି ଚାଞ୍ଚଲ୍ୟକର ତଥ୍ୟ ଅକ୍ସଫାମ ଇଣ୍ଟରନେସନାଲ ପକ୍ଷରୁ ପ୍ରକାଶ ପାଇଛି । ଉପନିବେଶକାଳୀନ ଶୋଷଣ କିପରି ଆଧୁନିକ ବୈଶ୍ୱିକ ଅସମାନତା ଏବଂ ସମ୍ପତ୍ତି ବଣ୍ଟନକୁ ଆକାର ଦେଉଛି ତାହା ଏହି ରିପୋର୍ଟରେ ଆଲୋକପାତ କରାଯାଇଛି । ଯାହା ଜାଣିଲେ ମୁଣ୍ଡ ଚକ୍କର କାଟିଦେବ । ଯଦି ଏହି ଭାରତୀୟ ଲୁଟ ଅର୍ଥ ବି୍ରଟେନରୁ ଆଦାୟ କରାଯାଇପାରନ୍ତା ତାହେଲେ ଦେଶର ଅର୍ଥନୀତିରେ ବିରାଟ ପରିବର୍ତ୍ତନ ଆସିବା ସହ ସାଧାରଣ ଲୋକଙ୍କ ଜୀବନମାନରେ ବି ବଡ ପରିବର୍ତ୍ତନ ହୋଇପାରନ୍ତା । ୧୭୬୫ରୁ ୧୯୪୭ ଯାଏ ବ୍ରିଟେନ ଭାରତକୁ ଶାସନ କରିଥିଲା । ଦୀର୍ଘ ୨୦୦ ବର୍ଷ ଧରି ଇଂରେଜମାନେ ଆମକୁ ଶାସନ କରିଥିଲେ । ତେବେ ୧୭୬୫ରୁ ୧୯୦୦ ମସିହା ଯାଏ ଉପନିବେଶବାଦ ଶାସନ ସମୟରେ ଇଂରେଜମାନେ ଭାରତରୁ ପ୍ରାୟ ୬୪.୮୨ ଟ୍ରିଲିୟନ ଡଲାରର ବା ୬୪ ଲକ୍ଷ ୮୨ ହଜାର କୋଟି ଡଲାର ଲୁଟି ନେଇ ଯାଇଛନ୍ତି । ଏହା ମଧ୍ୟରୁ ୩୩.୮ ଟ୍ରିଲିୟନ ଡଲାର ବା ୩୩ ଲକ୍ଷ ୮ ହଜାର କୋଟି ଡଲାର ବ୍ରିଟେନର ୧୦% ଧନୀଙ୍କ ପକେଟକୁ ଯାଇଛି । ଭାରତରୁ ଇଂରେଜମାନେ ଲୁଟି ନେଇ ଯାଇଥିବା ଟଙ୍କାର ପରିମାଣ ଏତେ ଥିଲା ଯେ ଯଦି ଏହାକୁ ବ୍ରିଟେନର ୫୦ ପାଉଣ୍ଡର ନୋଟରେ ପରିଣତ କରାଯାଏ, ତା’ହେଲେ ପୂରା ଲଣ୍ଡନରେ ୪ ଥର ନୋଟର କାରପେଟ୍ ବିଛା ଯାଇପାରିବ ।
ଅକ୍ସଫାମ ଇଣ୍ଟରନେସନାଲର ନୂଆ ରିପୋର୍ଟରେ ଏପରି କୁହାଯାଇଛି । ସମଗ୍ର ବିଶ୍ୱର ଧନୀ ଓ ଶକ୍ତିଶାଳୀ ଲୋକଙ୍କ ବାର୍ଷିକ ବୈଠକ ଆରମ୍ଭ ହେବାର କିଛି ଘଣ୍ଟା ପୂର୍ବରୁ ଡାଭୋସରେ ଏପରି ରିପୋର୍ଟ ଜାରି କରାଯାଇଛି । ଏହି ରିପୋର୍ଟରେ ଏକାଧିକ ଗବେଷଣା, ତଦନ୍ତ ଓ ଦସ୍ତାବିଜରୁ ମିଳିଥିବା ତଥ୍ୟ ଆଧାରରେ ଦାବି କରାଯାଇଛି ଯେ ଆଧୁନିକ ବହୁରାଷ୍ଟ୍ରୀୟ କମ୍ପାନୀଗୁଡିକ କେବଳ ଉପନିବେଶବାଦ ଯୋଗୁ ସୃଷ୍ଟି ହୋଇଛନ୍ତି । ଐତିହାସିକ ଉପନିବେଶନବାଦ ସମୟରେ ଆରମ୍ଭ ହୋଇଥିବା ଅସମାନତା ଓ ଲୁଟର ପରମ୍ପରା ଆଧୁନିକ ଜୀବନକୁ ଆକାର ଦେବାରେ ଲାଗିଛି । ଏହା ଏକ ଗଭୀର ଅସମାନ ବିଶ୍ୱ ସୃଷ୍ଟି କରିଛି । ଜାତିବାଦ ଆଧାରିତ ବିଭାଜନ ଦ୍ୱାରା ବିଚ୍ଛିନ୍ନ ହୋଇଥିବା ଏକ ବିଶ୍ୱ ସୃଷ୍ଟି କରିଛି । ଏକ ବିଶ୍ୱ ଯାହା ବିଶ୍ୱ ଉତ୍ତରର ଧନୀ ଲୋକମାନଙ୍କୁ ମୁଖ୍ୟତଃ ଉପକୃତ କରିବା ପାଇଁ ଗ୍ଲୋବାଲ ସାଉଥରୁ ଯୋଜନାବଦ୍ଧ ଭାବରେ ସମ୍ପତ୍ତି ଉତ୍ତୋଳନ ଜାରି ରଖିଛି ବୋଲି ଅକ୍ସଫାମ୍ କହିଛି । ଏଥିଯୋଗୁ ଗୋଟିଏ ଗଭୀର ଅସମାନତାର ବିଶ୍ୱ ତିଆରି ହୋଇଛି । ବର୍ଣ୍ଣବୈଷମ୍ୟ ଆଧାରରେ ଗୋଟିଏ ବିଭାଜିତ ବିଶ୍ୱ ଗଠିତ ହୋଇଛି । ଏହା ଏପରି ଏକ ବିଶ୍ୱ ଯେଉଁଠାରେ ବେଶ ବ୍ୟବସ୍ଥିତ ଢଙ୍ଗରେ ଗ୍ଲୋବାଲ ସାଉଥଠାରୁ ଟଙ୍କା ଶୋଷଣ କରାଯାଇ ଏହାର ଲାଭକୁ ଗ୍ଲୋବାଲ ନର୍ଥର ଧନୀ ଲୋକମାନଙ୍କୁ ଦିଆଯାଉଛି । ବିଭିନ୍ନ ଅଧ୍ୟୟନ ଓ ଦସ୍ତାବିଜକୁ ଆଧାର କରି ଅକ୍ସଫାମ ଆକଳନ କରିଛି ଯେ ୧୭୬୫ରୁ ୧୯୦୦ ମସିହା ମଧ୍ୟରେ ବ୍ରିଟେନର ସବୁଠାରୁ ୧୦% ଧନୀ କେବଳ ଭାରତ ଠାରୁ ଆଜିର ମୂଲ୍ୟ ହିସାବରେ ୩୩.୮ ଟ୍ରିଲିୟନ ଡଲାର ସମ୍ପତ୍ତି ନେଇଯାଇଛନ୍ତି । ଏହା ଲଣ୍ଡନକୁ ବ୍ରିଟେନର ୫୦ ପାଉଣ୍ଡ ନୋଟରେ ୪ ଥର ଘୋଡାଇ ଦେଇପାରିବାକୁ ସକ୍ଷମ ।
ରିପୋର୍ଟ ଅନୁସାରେ ଆଜିକା ଦିନରେ ଧନୀ ଲୋକଙ୍କ ଗୋଟିଏ ବଡ ଅଂଶ ନିଜ ପରିବାର ପାଖରେ ଥିବା ସମ୍ପତ୍ତିର ଶ୍ରେୟ ଗୁଲାମୀ ଓ ଉପନିବେଶବାଦକୁ ଦେଉଛନ୍ତି । ବିଶେଷ କରି ଗୁଲାମୀ ଶେଷ ହେବା ପରେ ମାଲିକଙ୍କୁ ଦିଆଯାଇଥିବା କ୍ଷତିପୂରଣରୁ ସେମାନଙ୍କୁ ଅଧିକ ଆୟ ହୋଇଛି । ଆଧୁନିକ ବହୁରାଷ୍ଟ୍ରୀୟ କମ୍ପାନୀ ସୃଷ୍ଟି ହେବା ପଛରେ ଉପନିବେଶବାଦ ରହିଥିବା କଥା ଦାବି କରି ଅକ୍ସଫାମ କହିଛି ଯେ ଏହାର ଆରମ୍ଭ ଇଷ୍ଟ ଇଣ୍ଡିଆ କମ୍ପାନୀ ଭଳି ନିଜସ୍ୱ ନିୟମରୁ ହୋଇଛି । ଏମାନେ ନିଜସ୍ୱ ଆଇନ ପ୍ରସ୍ତୁତ କରିଥିଲେ ଓ ଅନେକ ଉପନିବେଶନବାଦ ଅପରାଧ କାରଣ ପାଲଟିଥିଲେ । ରିପୋର୍ଟରେ କୁହାଯାଇଛି ଯେ ଆଧୁନିକ ଯୁଗରେ ବହୁରାଷ୍ଟ୍ରୀୟ କମ୍ପାନୀଗୁଡିକ ସର୍ବଦା ଏକଚାଟିଆ ଓ ପ୍ରାୟ ଏକଚାଟିଆ ସ୍ଥିତିରେ ରହିଛନ୍ତି । କମ୍ପାନୀଗୁଡିକ ବିଶ୍ୱର ଦକ୍ଷିଣ ପ୍ରାନ୍ତର ଶ୍ରମିକ ବିଶେଷ କରି ମହିଳା ଶ୍ରମିକମାନଙ୍କୁ ଶୋଷଣ କରି ଚାଲିଛନ୍ତି । ଉତ୍ତର ପ୍ରାନ୍ତର ଧନୀ ଅଂଶଧାରୀଙ୍କ ପାଇଁ ସେମାନେ ଏପରି କରୁଥିବା ଅକ୍ସଫାମ କହିଛି । ବିଶ୍ୱସ୍ତରୀୟ ସପ୍ଲାଏ ଚେନ ଓ ରପ୍ତାନୀ ପ୍ରକ୍ରିୟା ଶିଳ୍ପ ସଂସ୍ଥାଗୁଡିକ ଆଧୁନିକ ଉପନିବେଶବାଦ ବ୍ୟବସ୍ଥାକୁ ପ୍ରତିଫଳିତ କରୁଛନ୍ତି । ଦକ୍ଷିଣ-ଉତ୍ତର ସମ୍ପତ୍ତି ବାଗବଣ୍ଟାକୁ ପ୍ରୋସôାହିତ କରୁଛନ୍ତି । ସପ୍ଲାଏ ଚେନରେ ଥିବା ଶ୍ରମିକମାନେ ସବୁବେଳେ ଶୋଷଣର ଶିକାର ହେଉଛନ୍ତି । ସେମାନଙ୍କୁ ନିଜର ଅଧିକାର ମିଳୁନାହିଁ । ସେମାନେ ସାମାଜିକ ସୁରକ୍ଷାର ଲାଭ ପାଉ ନାହାନ୍ତି । ସମାନ ଦକ୍ଷତା ପାଇଁ ଉତ୍ତର ପ୍ରାପ୍ତର ଲୋକଙ୍କୁ ମିଳୁଥିବା ପାରିଶ୍ରମିକ ତୁଳନାରେ ଦକ୍ଷିଣ ପ୍ରାନ୍ତର ଶ୍ରମିକଙ୍କୁ ୮୭ରୁ ୯୫% କମ ମିଳୁଛି । ବଡବଡ ବହୁରାଷ୍ଟ୍ରୀୟ କମ୍ପାନୀ ବିଶ୍ୱର ଯୋଗାଣ ବ୍ୟବସ୍ଥାକୁ ନିଜ ଦଖଲରେ ରଖିଛନ୍ତି । ସେମାନେ ଶସ୍ତା ଶ୍ରମିକମାନଙ୍କ ଦ୍ୱାରା ଲାଭ ଉଠାଉଛନ୍ତି ଓ ଦକ୍ଷିଣ ପ୍ରାନ୍ତରେ ଥିବା ସମ୍ପତ୍ତିକୁ ନେଇ ଯାଉଛନ୍ତି । ସେମାନେ ବେଶ ବ୍ୟବସ୍ଥିତ ଢଙ୍ଗରେ ବିଶ୍ୱ ଅର୍ଥନୀତିକୁ ନିଜ ଅକ୍ତିଆରରେ ରଖି ଚାଲିଛନ୍ତି ।
ଭାରତରୁ ଉପନିବେଶବାଦ ଶାସନ ମଧ୍ୟରେ ବ୍ରିଟେନ ନେଇଥବା ଟଙ୍କାର ଲାଭ କେବଳ ଧନୀ ପାଇ ନାହାନ୍ତି, ବରଂ ନୂଆ କରି ସାମ୍ନାକୁ ଆସିଥିବା ମଧ୍ୟବିତ୍ତ ମଧ୍ୟ ଏହାର ଲାଭ ପାଇଛନ୍ତି । ୧୦% ଧନୀ ଲୋକ ଭାରତରୁ ଯାଇଥିବା ୫୨% ଆୟର ଲାଭ ପାଇଥିବା ବେଳେ ୩୨% ଆୟ ମଧ୍ୟବିତ୍ତଙ୍କ ପାଖକୁ ଯାଇଛି ବୋଲି ଅକ୍ସଫାମ କହିଛି ।
ଏହାବ୍ୟତୀତ ୧୭୫୦ ମସିହାରେ ଭାରତୀୟ ଉପମହାଦେଶ ବିଶ୍ୱ ଶିଳ୍ପ ଉତ୍ପାଦନର ପ୍ରାୟ ୨୫ ପ୍ରତିଶତ ଅଂଶ ଗ୍ରହଣ କରିଥିଲା । ତେବେ ୧୯୦୦ ବେଳକୁ ଏହି ସଂଖ୍ୟା ମାତ୍ର ୨ ପ୍ରତିଶତକୁ ଖସି ଆସିଥିଲା ବୋଲି ଅକ୍ସଫାମ୍ ରିପୋର୍ଟରେ ଦର୍ଶାଯାଇଛି । ଏସୀୟ ବୟନଶିଳ୍ପ ବିରୋଧରେ ବ୍ରିଟେନ କଠୋର ସଂରକ୍ଷଣବାଦୀ ନୀତି ପ୍ରଣୟନ କରିବା ପାଇଁ ଏହି ନାଟକୀୟ ହ୍ରାସକୁ ଦାୟୀ କରାଯାଇପାରେ, ଯାହା ଭାରତର ଶିଳ୍ପ ଅଭିବୃଦ୍ଧି ସମ୍ଭାବନାକୁ ଯୋଜନାବଦ୍ଧ ଭାବରେ ଦୁର୍ବଳ କରିଛି ବୋଲି ଅକ୍ସଫାମ୍ କହିଛି । ଅକ୍ସଫାମ୍ କହିଛି ଯେ କେତେକ ବୈଶ୍ୱିକ ସଂସ୍ଥାରେ ଆନୁଷ୍ଠାନିକ ଦୃଷ୍ଟିକୋଣରୁ ପ୍ରତ୍ୟେକ ରାଷ୍ଟ୍ରର ସମାନ ମାନ୍ୟତା ଥିଲେ ମଧ୍ୟ ଗ୍ଲୋବାଲ ନର୍ଥ ଆଧିପତ୍ୟ ବଜାୟ ରଖିଛି ।