ମହାବିଷୁବ ସଂକ୍ରାନ୍ତି ପାଳିତ
ପୁରୀ : ଉତ୍ସାହ ଉଦ୍ଦୀପନାର ସହ ଶ୍ରୀକ୍ଷେତ୍ରରେ ପାଳିତ ହୋଇଛି ମହାବିଷୁବ ସଂକ୍ରାନ୍ତି, ହନୁମାନ ଜୟନ୍ତୀ ଏବଂ ଓଡ଼ିଆ ନବବର୍ଷ ପର୍ବ । ମହାବିଷୁବ ସଂକ୍ରାନ୍ତି ଅବସରରେ ଆରମ୍ଭ ହୋଇଛି ନୂତନ ପଞ୍ଜିକାର ପ୍ରଚଳନ । ବିଭିନ୍ନ ଜାଗା ଆଖଡ଼ା ଓ ଅନୁଷ୍ଠାନ ପକ୍ଷରୁ ଯାକଜମକରେ ପାଳିତ ହୋଇଛି ପଣାସଂକ୍ରାନ୍ତି ପର୍ବ । ସହରର ସମସ୍ତ ଜାଗା ଆଖଡ଼ା ପ୍ରତୁ୍ୟଷରୁ ହୋଇଉଠିଥିଲା ଚଳଚଳ । ଭକ୍ତମାନେ ହନୁମାନ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ସହ ଦୀପଦାନ କରିଥିଲେ । ବିଭିନ୍ନ ଜାଗା ଆଖଡ଼ାରେ ଛୁଟିଥିଲା ପଣା ଓ ଛତୁଆର ମହକ । କ୍ଷୀର, ଖୁଆ, ରାବିଡ଼ି ଓ ବିଭିନ୍ନ ଫଳ ଦ୍ୱାରା ପ୍ରସ୍ତୁତ ପଣା ଓ ଛତୁଆ ହନୁମାନଙ୍କ ନିକଟରେ ଭୋଗ କରାଯାଇ ସର୍ବସାଧାରଣଙ୍କୁ ବଣ୍ଟନ କରାଯାଇଥିଲା । ଘରେ ଘରେ ତୁଳସୀ ଚଉରା ଉପରେ ନଡ଼ିଆ ଚାଞ୍ଚର ଛାମୁଣ୍ଡିଆ ନିର୍ମାଣ କରାଯାଇ ଆମ୍ବ ଡ଼ାଳ, ବିଭିନ୍ନ ଫଳ, କୋଳି ଓ ଫୁଲରେ ସଜ୍ଜିତ କରାଯାଇଥିଲା । ଚାଞ୍ଚର ମଧ୍ୟ ଭାଗରେ ଟଙ୍ଗାଯାଇଥିଲା ବସନ୍ତରା ଘଡ଼ି । ଘଡ଼ିର ନିମ୍ନ ଭାଗରେ ଛିଦ୍ର କରାଯାଇ ସେଥିରେ ବନ୍ଧାଯାଇଥିଲା କୁସ । କ୍ଷୀର, ଚିନି, କଦଳୀ, ନଡ଼ିଆ, କାକୁଡ଼ି, କସି ଆମ୍ବ ଓ ଖଇର ସମିଶ୍ରଣରେ ପ୍ରସ୍ତୁତ ହୋଇଥିଲା ସ୍ୱାଦିଷ୍ଟ ପଣା । ବ୍ରାହ୍ମଣମାନେ ଧୂପ, ଦୀପ ଅର୍ପଣ ପୂର୍ବକ ଛତୁଆ ପଣା ଭୋଗ କରିବା ସହ ମହାବୀରଙ୍କ ନିକଟରେ ସଂକ୍ରାନ୍ତି ହୋମ କରିଥିଲେ । ବିଭିନ୍ନ ଜାଗା ସମ୍ମୁଖରେ ନିଶାଣ ପ୍ରଦର୍ଷିତ ହୋଇଥିଲା । ବିଭିନ୍ନ ଜାଗା ଘରେ ପୂଜା ପାଉଥିବା ମହାବୀର ବିଗ୍ରହଙ୍କୁ ମାଜଣା କରାଯିବା ସହ ସିନ୍ଦୁର ଓ ନୂଆ ଲୁଗା ଲାଗି କରାଯାଇଥିଲା । ଭକ୍ତମାନେ ମହାବୀର ମନ୍ଦିରରେ ବସି ହନୁମାନ ଚାଳିଶା ପାଠ କରିଥିଲେ । ଜାଗା ଘରମାନଙ୍କରେ ଖେଳ ଜାଗାକୁ ପରିଚ୍ଛନ୍ନ ଓ ସୁସଜ୍ଜିତ କରାଯିବା ସହ ମାଟିରେ ପକାଯାଇଥିଲା ଫୁଲ, ଫଗୁ ଓ ନିମ୍ବ ପତ୍ର । କୁସ୍ତିବିତ୍ମାନେ ଖେଳଜାଗାରେ ହାତକୁ ହାତ ମିଳାଇ କୁସ୍ତି ଲଢିଥିଲେ । ଖେଳଜାଗାକୁ ପୂଜା କରାଯିବା ସହ ମହାବୀରଙ୍କ ଠାରେ ଲାଗି କରାଯାଇଥିବା ନୂତନ କାଚ୍ଛା ପରିଧାନ ପୂର୍ବକ ମୁଦ୍ଗର, ଗଦା ଓ ଡ଼ମ୍ବରୁ ଚାଳନା କରିଥିଲେ । ଜାଗା ଘରେ ଥିବା ଆଧୁନିକ ବ୍ୟାୟାମ ଉପକରଣ ପୂଜା କରାଯାଇଥିଲା । ଜାଗା ଆଖଡ଼ାର ଭାଙ୍ଗ ପାଚକ ଏକ ପୁରୂଣା ପରମ୍ପରା । ତାହା ଦେଖାଯାଇଥିଲା ବିଭିନ୍ନ ଜାଗା ଆଖଡ଼ାରେ । ବିଭିନ୍ନ ମଠରେ ରାମ, ଲକ୍ଷ୍ମଣ, ସୀତାଙ୍କ ସହ ହନୁମାନଙ୍କୁ ପୂଜା କରାଯାଇଥିଲା । ବିଭିନ୍ନ ହନୁମାନ ମନ୍ଦିରରେ ହନୁମାନଙ୍କୁ ନାଗା ବେଶରେ ସଜ୍ଜିତ କରାଯାଇଥିଲା ।
ରାଜନଗର: ମହାବିଷୁବ ପଣା ସଂକ୍ରାନ୍ତୀରେ ଉପକୂଳ ଓଡ଼ିଶାର ପ୍ରଖ୍ୟାତ ଶକ୍ତିପୀଠ ଭାବେ ପରିଚିତ ବାରଗାଁର ମା ମାଟିଆ ମଙ୍ଗଳାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଛି । ପୂଜକ ମା’ଙ୍କ ପହଡ ଭାଙ୍ଗିବା ପରେ ମହାସ୍ନାନ କରାଯାଇଥିଲା । ପୂଜା ଆଳତୀ ପରେ ବଡସିଂହାର ବେଶ କରାଯାଇଥିଲା । ମା’ଙ୍କ ଷୋଡଶ ଉପଚାର ପୂଜା, ଆଳତୀ, ପଣାଭୋଗ ସହିତ ବାଲ୍ୟଭୋଗ କରାଯାଇଥିଲା । ର୍ପରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ମା ଙ୍କ ମନ୍ଦିର ଖୋଲାଯାଇଥିଲା । ମଧ୍ୟାହ୍ନ ୧୨ଟା ସମୟରେ ବଡଧୂପ(ଅନ୍ନଭୋଗ) କରାଯାଇଥିଲା । ଏହାପରେ ୧୫ମିନିଟ୍ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା । ମୁଖ୍ୟ ପୂଜକ ଜାମିନୀକାନ୍ତ ରାଉଳଙ୍କ ସହ ହରେକୃଷ୍ଣ ରାଉଳ, କେଶବ ରାଉଳ, ରା୍ଜନ ରାଉଳ, ଟୁଟୁ ରାଉଳ, ସୀତାକାନ୍ତ ରାଉଳ, ସୁରେଶ ରାଉଳ, ରମାକାନ୍ତ ରାଉଳ, ପୂଜକ କମିଟିର ସଭାପତି ଅଭିରାମ ରାଉଳଙ୍କ ସହ ରାଉଳ ସଂପ୍ରଦାୟର ସମସ୍ତ ସଦସ୍ୟ ମା’ଙ୍କ ପୂଜାରେ ନିୟୋଜିତ ଥିଲେ । ପୋଲିସ ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ଆଇଆଇସି ନରେଶକୁମାର ସାହୁଙ୍କ ନେତୃତ୍ୱରେ ଏସ୍ଆଇ ସୌମ୍ୟରଞ୍ଜନ ଜାଲିଙ୍କ ସହ କର୍ମଚାରୀମାନେ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ । ମା’ଙ୍କ ଦର୍ଶନ ପାଇଁ ସାଂସଦ ବୈଜୟନ୍ତ ପଣ୍ଡା, ବିଧାୟକ ଧୃବ ସାହୁ, ପ୍ରାକ୍ତନ ବିଧାୟକ ଅଂଶୁମାନ ମହାନ୍ତି, ବିଜେପି ନେତା ଲଳିତ ବେହେରା ଓ ଜ୍ଞାନ ବେଉରା, କଂଗ୍ରେସ ନେତା ଅଶୋକ ପ୍ରତିହାରୀ ପ୍ରମୁଖଙ୍କ ସହ ବିଭିନ୍ନ ଦଳର ନେତୃମଣ୍ଡଳୀ ଦର୍ଶନ କରିଥିଲେ । ମା ଙ୍କର ଏହି ବିଶେଷ ପର୍ବରେ ମନ୍ଦିର ଖୋଲିବା ଠାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଥିଲା ।
ପାରାଦୀପ: ମହାବିଷୁବ ସଂକ୍ରାନ୍ତି ଓ ଓଡିଆ ନବ ବର୍ଷ ପରିପ୍ରେକ୍ଷୀରେ ପାରାଦୀପ ପୌର ପରିଷଦ ପକ୍ଷରୁ ସମୁଦ୍ର ବେଳା ଭୂମିରେ ଦୁଇ ଦିନ ଧରି ଆୟୋଜିତ ଉତ୍ସବ ଉଦ୍ୟାପିତ ହୋଇଛି । ଉଦ୍ଘାଟନୀ ଦିବସରେ ସମୁଦ୍ର ବେଳାଭୂମି ସାମୂହିକ ସଫେଇ, ପାରମ୍ପରିକ ବାଦ୍ୟ ଢୋଲ, ମହୁରୀ, ତେଲିଙ୍ଗି ବାଜା, ଖୋଳ, ଝାଞ୍ଜ, ସଙ୍କୀର୍ତ୍ତନ ସହିତ ବୈଦିକ ପୂଜାର୍ଚ୍ଚନା, ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସେହିଭଳି ସନ୍ଧ୍ୟାରେ ପାରମ୍ପରିକ ନୃତ୍ୟ ଓଡ଼ିଶୀ, ସମ୍ବଲପୁରୀ ଓ ଲୋକନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କ୍ରମାଗତ ଦୁଇ ଦିନ ସରକାରୀ ଛୁଟି ଦିବସରୁ ପ୍ରତ୍ୟେକ ସନ୍ଧ୍ୟାରେ ସମୁଦ୍ର ବେଳା ଭୂମୀ ଜନ ସମୁଦ୍ର ପାଲଟିଥିବା ଦେଖିବାକୁ ମିଳିଥିଲା । ତେବେ ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ଦିଗରେ ପାରାଦୀପ ପୌରପରିଷଦ ଅଧ୍ୟକ୍ଷ ବସନ୍ତ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ