ଓଡ଼ିଶାର ଦାର୍ଜିଲିଂ ପାରଦ ୪ ହାଡଭଙ୍ଗା ଜାଡ଼, ତୁଷାରପାତ ଜାରି
ଘୁ.ଉଦୟଗିରିରୁ ଗଗନ କୁମାର ପ୍ରଧାନ : ପ୍ରବଳ ଜାଡ଼ରେ ଥରୁଛି ଓଡ଼ିଶାର ଡାର୍ଜିଲିଂ ଘୁ.ଉଦୟଗିରି । ଏହା ସହ ଆଭ୍ୟନ୍ତରୀଣ ଅଞ୍ଚଳରେ ତୁଷାରପାତ ମଧ୍ୟ ଜାରି ରହିଛି । ପାଣିପାଗ ବିଭାଗ ପାଖରୁ ଚଳିତବର୍ଷର ଶୀତରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ରେକର୍ଡ ହୋଇଛି ଆଜି । ଦିନକୁଦିନ ତାପମାତ୍ରା ଖସି ଆଜି ୪ ଡିଗ୍ରୀରେ ପହଞ୍ଚିଛି । ରବିବାର ଦିନ ସର୍ବନିମ୍ନ ତାପମାତ୍ରା ୪.୮ ଡିଗ୍ରୀ ରହିଥିବା ବେଳେ ଆଜି ତାହା ୪ ଡିଗ୍ରୀକୁ ଖସି ଆସିଛି । ଚଳିତ ବର୍ଷ ଶୀତ ଋତୁରେ ସର୍ବନିମ୍ନ ୪.୨ ଡିଗ୍ରୀ ଯାଏ ଯାଇଥିବା ତାପମାତ୍ରା ଆଜି ୪ ଡିଗ୍ରୀ ସହିତ ରାଜ୍ୟର ଅତ୍ୟନ୍ତ ଥଣ୍ଡା ସହର ଭାବେ ପରିଗଣିତ ହୋଇଛି ପାହାଡପର୍ବତ, ଝରଣା ଓ ଘଞ୍ଚ ଜଙ୍ଗଲ ଘେରା ଘୁ.ଉଦୟଗିରି ।
ପ୍ରବଳ ଥଣ୍ଡା ଯୋଗୁ ଅସ୍ତବ୍ୟସ୍ତ ହୋଇପଡିଛି ସାଧାରଣ ଲୋକଙ୍କ ଜୀବନ ଜୀବିକା । ଘୁ.ଉଦୟଗିରି, ଗୁଡୁରିପଡି, ରାଇକେଲା, ଡଡାପଡା, ସରୁଚିନାଗିଂଆ, କୁର୍ମିଂଗିଆ, ମୁକୁଲିଙ୍ଗିଆ, ସିପାଏଜୁ ଇତ୍ୟାଦି ଆଦି ଗ୍ରାମାଞ୍ଚଳରେ ପ୍ରବଳ ତୁଷାରପାତ ଓ ଜାଡ଼ ଅନୁଭୂତ ହୋଇଥିବା ଦେଖିବାକୁ ମିଳିଛି । ଅସହାୟ, ନିରାଶ୍ରୟମାନଙ୍କ ପାଇଁ ଶୀତ ଘାତକ ହୋଇଥିବା ବେଳେ ପ୍ରଭାବିତ ହୋଇଛି ଜୀବିକା । ଏହାଦ୍ୱାରା ମଧ୍ୟ ଚାଷକାମ ପ୍ରଭାବିତ ହୋଇଛି । ଦିନସାରା ହାଡ଼ ଭଙ୍ଗା ଥଣ୍ଡାର ଲହରି ବହିବା ଯୋଗୁଁ ଅଂଚଳବାସୀଙ୍କୁ ବାହାରକୁ ବାହାରିବା ମୁସ୍କିଲ ହୋଇ ପଡିଛି । ସନ୍ଧ୍ୟା ହେଲେ ରାସ୍ତାଘାଟ ଶୂନଶାନ ହୋଇପଡୁଥିବା ବେଳେ ଥଣ୍ଡାରୁ ରକ୍ଷା ପାଇଁ ନିଆଁର ସାହାରା ନେଉଛନ୍ତି ଅଂଚଳବାସୀ । ମାତ୍ର ପର୍ଯ୍ୟଟକଙ୍କ ଭିଡ ବଢିବାରେ ଲାଗିଛି । ଶୀତର ମଜା ନେଉଛନ୍ତି ବାହାରୁ ଆସୁଥିବା ପର୍ଯ୍ୟଟକମାନେ ।