ପହଲଗାମ ଆକ୍ରମଣ ଭାରତ ପ୍ରତି ଆହ୍ୱାନ
ମହାମେଘବାହନ ଐର ଖାରବେଳ ସ୍ୱାଇଁ : ସ୍ୱାଧୀନତା ପରଠାରୁ ଭାରତ ତା’ର ମାଟି ଉପରେ ଅଗଣିତ ହତ୍ୟାମାନ ଦେଖିଛି । କେବଳ ଆତଙ୍କବାଦୀମାନେ ଏ ଧରଣର ଆକ୍ରମଣ କରିଛନ୍ତି ତାହା ନୁହେଁ ବିହାର ପରି ରାଜ୍ୟମାନଙ୍କରେ ଜାତିଭିତ୍ତିକ ଗୁଣ୍ଡାବାହିନୀ ଅନେକ ନିରୀହ ଗ୍ରାମବାସୀଙ୍କୁ ଅତି ଆନନ୍ଦରେ ହତ୍ୟା କରିଛନ୍ତି । ୧୯୯୦ ଦଶକରେ ଯେତେବେଳେ ପାକିସ୍ତାନରେ ଖାଲିସ୍ତାନୀମାନେ ଆତଙ୍କବାଦ ଚଳାଇଥିଲେ ସେତେବେଳେ ସେମାନେ ଦୂରଗାମୀ ବସମାନଙ୍କୁ ଅଟକାଇ ହିନ୍ଦୁ ଯାତ୍ରୀମାନଙ୍କୁ ଅନ୍ୟମାନଙ୍କ ପାଖରୁ ଅଲଗା କରି ସେମାନଙ୍କୁ ମଧ୍ୟ ହତ୍ୟା କରିଥିଲେ । ଅଗଷ୍ଟ ୨୦୦୦ ଅମରନାଥ ଯାତ୍ରା ବେଳେ ଯାଉଥିବା ଲୋକମାନଙ୍କୁ କାଶ୍ମୀରରେ ଆତଙ୍କବାଦୀମାନେ ଗୁଳି ଚଳାଇ ୩୬ଜଣ ଲୋକଙ୍କୁ ହତ୍ୟା କରିଥିଲେ । ୨୦୧୭ ଜୁଲାଇରେ ଅମରନାଥ ଯାତ୍ରାରେ ଯଦିଓ ଏ ଘଟଣା ଘଟିଥିଲା ସେତେବେଳେ କିନ୍ତୁ ସୁରକ୍ଷା ବାହିନୀର ସତର୍କତା ଯୋଗୁଁ କମ୍ ଲୋକଙ୍କର ପ୍ରାଣ ଯାଇଥିଲା ।
ଏ ଧରଣର ହତ୍ୟା ରାଜନୈତିକ ସ୍ଥିତିକୁ ଦୋହଲାଇ ଦେଇଥିଲା ଓ ଭାରତର ରାଜନୈତିକ ସ୍ଥିତିକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଥିଲା । ଅଥଚ ୧୯୧୪ରେ ସର୍ବିଆର ସାରାଜିଭୋଠାରେ ଆର୍କଡୁ୍ୟ ପ୍ରାନ୍ସ ଅଡିନାନ୍ ଯିଏକି ଅଷ୍ଟ୍ରେଲିଆର ରାଜକୁମାର ତାଙ୍କୁ ହତ୍ୟା କରାଯିବାରୁ ପ୍ରଥମ ବିଶ୍ୱଯୁଦ୍ଧ ସୃଷ୍ଟି ହୋଇଥିଲା । ଏହା ବିଶ୍ୱ ରାଜନୀତିର ରୂପକୁ ସମ୍ପୂର୍ଣ୍ଣ ଭାବରେ ବଦଳାଇ ଦେଇଥିଲା । ଏ ଧରଣର ଘଟଣା ଗୁଡ଼ିକ ଇତିହାସର ମୋଡ଼କୁ ବଦଳାଇ ଦେଇଛି ।
ଆଣବିକ ଯୁଦ୍ଧର ସମ୍ଭାବନା
ଅତୀତରେ ବିଶ୍ୱର ଦୁଇ ମହାଶକ୍ତି ଆମେରିକା ଓ ସୋଭିଏତ ୟୁନିୟନଙ୍କ ହାତରେ ପରମାଣୁ ଅସ୍ତ୍ର ଥିବା ହେତୁ ବିଶ୍ୱବ୍ୟାପୀ ଗୋଟିଏ ଆତଙ୍କ ସୃଷ୍ଟି ହୋଇଥିଲା ଯେ, ଏମାନଙ୍କ ମଧ୍ୟରେ କାଳେ ପରମାଣୁ ଯୁଦ୍ଧ ଆରମ୍ଭ ହୋଇଯିବ । ପହଲଗାମ ଆକ୍ରମଣ ପରେ ମଧ୍ୟ ଗୋଟିଏ ଯୁଦ୍ଧ ହେବ ବୋଲି ଭାରତ-ପାକିସ୍ତାନ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଲଗାମରେ ନରହତ୍ୟା କରିଥିବା ଆତଙ୍କବାଦୀମାନଙ୍କୁ ଖୋଜି ଖୋଜି ପାତାଳରୁ ମଧ୍ୟ ଚିହ୍ନଟ କରି ମାରିବେ ବୋଲି କହିଛନ୍ତି, ଯାହା ଗୋଟିଏ ଉପଯୁକ୍ତ ଶିକ୍ଷା ହେବ । କିନ୍ତୁ ଏହା ହେଲେ ତାହା ଗୋଟିଏ ବଡ଼ ଆଞ୍ଚଳିକ ଯୁଦ୍ଧରେ ପରିଣତ ହେବ । ପାକିସ୍ତାନର ରାଷ୍ଟ୍ରୀୟ ଉଦେ୍ଦଶ୍ୟ ହେଉଛି ଅତ୍ୟନ୍ତ ଭ୍ରମାତ୍ମକ । ଯେମିତିକି ଅଫଗାନିସ୍ତାନ ଯୁଦ୍ଧ ଆରମ୍ଭ ହେଲା ବେଳେ ୧୯୮୦ରେ ପାକିସ୍ତାନ ସେଥିରେ ସମ୍ପୃକ୍ତ ହୋଇଥିଲା । ଏହାଛଡ଼ା ଆମେରିକାରେ ୯/୧୧ର ଆକ୍ରମଣ ହୋଇଥିଲା ୨୦୦୧ରେ, ଯେଉଁଥିରେ ଅଲକାଏଦାର ଓସମା ବିନ୍ ଲାଦେନଙ୍କର ସମର୍ଥକମାନେ ୪ଟି ଆମେରିକୀୟ ବିମାନକୁ ଅପହରଣ କରି ନୁ୍ୟୟର୍କର ବିଶ୍ୱ ବାଣିଜ୍ୟ କେନ୍ଦ୍ର ଉପରେ ବୋମାମାଡ଼ କରିଥିଲେ । ଯାହାଫଳରେ ପ୍ରାୟ ୩ ହଜାର ଲୋକଙ୍କର ପ୍ରାଣ ଯାଇଥିଲା । ବର୍ତ୍ତମାନ ପହଲଗ୍ରାମରେ ଆକ୍ରମଣ ପରେ କାଳେ ସେପରି ଘଟଣା ଘଟିବ ସେଥିପାଇଁ ପୃଥିବୀରେ ଆତଙ୍କ ସୃଷ୍ଟି ହୋଇଛି । ତେବେ ଏ ଧରଣର ସଂଘର୍ଷରେ ଗୋଟିଏ ମୂଲ୍ୟ ମଧ୍ୟ ରହିଛି । ପାଲେଷ୍ଟାଇନରେ ହମାସ ପରି ଗୋଟିଏ ଆତଙ୍କବାଦୀ ସଂଗଠନ ଅଛି ଯାହା ଆତ୍ମରକ୍ଷା ସାମ୍ମୁଖ୍ୟ(ରେଜିଷ୍ଟାନ୍ସ ଫ୍ରଣ୍ଟ) ହତ୍ୟା କରିବାକୁ ଗୋଟିଏ ପୁରସ୍କାର ରୂପୀ ସମ୍ପଦ ବୋଲି ଭାବୁଛି । ଏହା ଅବଶ୍ୟ ବଡ଼ ବିରକ୍ତିକର ଅଟେ, ଯାହା ପରିସ୍ଥିତି ଉପରେ ନିର୍ଭର କରିଥାଏ ।
ପାକିସ୍ତାନରେ ଅନ୍ୟ ଦେଶମାନଙ୍କ ପରି ଜନମତର ମଧ୍ୟ ଗୋଟିଏ ଭୂମିକା ଅଛି । ଯାହାଉପରେ ଘଟଣା ପ୍ରବାହ ନିର୍ଭର କରିଥାଏ । ସେଥିରେ ବିଶିଷ୍ଟ ଲୋକମାନେ କ’ଣ ହେବ ସେଥିପାଇଁ ବାଜି ଲଗାଉଛନ୍ତି । ପାକିସ୍ତାନର ସେନାମୁଖ୍ୟ ଅସିମ ମୁନୀର ଭାରତ ପାକିସ୍ତାନ ବିଭାଜିତ ହେବା ସମୟର ଦ୍ୱିଜାତୀୟ ତତ୍ତ୍ୱ ଉପରେ ଏବେ ପୁଣି ଆଲୋକପାତ କରିଛନ୍ତି । ଏହା ବୁଝାପଡ଼ୁନାହିଁ ଯେ, ଜବାହାର ଲାଲ୍ ନେହରୁଙ୍କର ସିନ୍ଧୁ ନଦୀ ଚୁକ୍ତି ଉପରେ ଉଦାରତା ୧୯୬୦ରେ, ଅବା ଇନ୍ଦିରା ଗାନ୍ଧୀଙ୍କର ସିମଳା ଚୁକ୍ତିରେ ୧୯୭୨ରେ ବହୁ ଉଦାରତା ପ୍ରଦର୍ଶନ କରିବା ଏବେ ପୁଣି ଥରେ ଘଟିବ । ଏହାର କାରଣ କେବଳ ଏହା ନୁହେଁ । ନିର୍ବାଚନୀ ରାଜନୀତିର ଆକ୍ରାମକ ଭାବ ଏଠାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପ୍ରଦର୍ଶନ କରିଥାଏ । କିନ୍ତୁ ବର୍ତ୍ତମାନ ଭାରତର ରାଜନୈତିକ ନେତୃତ୍ୱର ବ୍ୟକ୍ତିତ୍ୱରେ ପରିବର୍ତ୍ତନ ଆସିଛି । ଗତ ଦଶନ୍ଧିରେ ଦେଖାଯାଇଛି ଯେ, ସେଥିରେ ବ୍ୟାପକ ପରିବର୍ତ୍ତନ ହୋଇଛି ।
ପହଲଗାମର ସ୍ୱତନ୍ତ୍ର ଚରିତ୍ର
ପହଲଗାମ ଆକ୍ରମଣର କେତେକ ସ୍ୱତନ୍ତ୍ର ଚରିତ୍ରମାନ ରହିଛି ଯାହାକି ଭାରତର ଜବାବକୁ ପୁଷ୍ଟ କରିବ । ପ୍ରଥମତଃ ଯେଉଁ ହତ୍ୟା କରାଯାଇଥିଲା ତାହା ଆଖିବୁଜା ଗୁଳିଚାଳନା ନୁହେଁ ,ଏପରି ଘଟଣା ୨୦୦୮ରେ ମୁମ୍ବାଇରେ ଘଟିଥିଲା । ମୁମ୍ବାଇରେ ଗଣହତ୍ୟା କରାଯିବା ପୂର୍ବରୁ ସେଠାକାର ଲୋକମାନଙ୍କୁ ଅପମାନିତ କରାଯାଇଥିଲା ଓ ଇସଲାମ ପୃଥିବୀରେ ସବୁଠାରୁ ବଡ଼ ଓ ଦୃଢ଼ ଧର୍ମ ବୋଲି ଲୋକଙ୍କୁ କୁହାଯାଇଥିଲା । କିନ୍ତୁ ପହଲଗାମଠାରେ ଅଣମୁସଲମାନମାନଙ୍କୁ ଗୋଟି ଗୋଟି କରି ବଛା ହୋଇଥିଲା ଯାହାକୁ ଗଣମାଧ୍ୟମ ଖୁବ୍ ବେଶି ପ୍ରଚାର କରିନାହିଁ । ମୁମ୍ବାଇ ଘଟଣା ପରେ ଅନେକ ମାସ ଲାଗିଯାଇଥିଲା ଯେତେବେଳେ କି ନୈତିକତାର ପ୍ରଶ୍ନ ଉଠିଥିଲା । କିନ୍ତୁ କାଶ୍ମୀର ଉପତ୍ୟାକାରୁ ହିନ୍ଦୁମାନଙ୍କୁ ତଡ଼ିବା ୧୯୯୦ ମସିହାରୁ ଘଟିବାରେ ଲାଗିଛି । ସାରା ଦେଶ ଏହି କଥାକୁ ଦେଖୁଛି । ପହଲଗାମଠାରେ ଯେଉଁ ଧରଣର ବିଭତ୍ସ ହତ୍ୟା ଦେଖାଯାଇଛି ସାରା ଭାରତରେ ମାନସିକତାକୁ ଅଳ୍ପ କେଇ ଘଣ୍ଟା ମଧ୍ୟରେ ବଦଳାଇ ଦେଇଛି ।
ସ୍ତ୍ରୀ ଆଗରେ ସ୍ୱାମୀକୁ ହତ୍ୟା । ଯେଉଁ ୨୬ଜଣ ଲୋକଙ୍କୁ ପହଲଗାମରେ ହତ୍ୟା କରାଯାଇଛି ସେମାନଙ୍କର ହତ୍ୟା ଅତି ନିର୍ଦ୍ଦୟ ଅଟେ । କାରଣ ତାଙ୍କ ସ୍ତ୍ରୀ ଓ ପିଲାଙ୍କ ଆଗରେ ସେମାନଙ୍କୁ ହତ୍ୟା କରାଯାଇଥିଲା । ଯେଉଁମାନେ ନିକଟ ଅତୀତରେ କାଶ୍ମୀର ଭ୍ରମଣ କରିଛନ୍ତି ପର୍ଯ୍ୟଟକ ଭାବରେ ବା ଯେଉଁମାନେ କାଶ୍ମୀରକୁ ଯିବାକୁ ଚାହାନ୍ତି ସେମାନଙ୍କର ମାନସିକତାକୁ ଏଭଳି ଘଟଣା ବହୁ ପରିମାଣରେ ଦୋହଲାଇ ଦେଇଛି ଏହି ଧାରଣା ଯେ, କୌଣସି ଲୋକ ଭାବୁଛି ଯେ, ସେ ଯଦି କାଶ୍ମୀର ଯାଇଥାନ୍ତା ହୁଏତ ତାକୁ ବା ତା’ର ପରିବାକୁ ଏପରି ନିର୍ଦ୍ଦୟ ଭାବରେ ହତ୍ୟା କରାଯାଇଥାନ୍ତା । ଯେଉଁମାନେ ଏହି ହତ୍ୟାର ଶିକାର ହୋଇଛନ୍ତି ସେମାନେ ହେଉଛନ୍ତି ମଧ୍ୟବିତ୍ତ ସମାଜର ଲୋକ । ଏମାନେ ମିଳିତ ଭାବରେ ନ୍ୟାୟ ଚାହୁଁଛନ୍ତି ଓ ପ୍ରତିଶୋଧ ଚାହୁଁଛନ୍ତି ଯାହାକୁ ବିଜେପି ଆଦୌ ଏଡ଼ାଇ ଦେଇପାରିବ ନାହିଁ । ଏହି ଧରଣର ଚାପ ସ୍ୱାଭାବିକ ଭାବରେ ସରକାରଙ୍କ ଉପରେ ପଡ଼ିବାରେ ଲାଗିଛି । ଯେଉଁମାନେ କି ୨୦୦୮ର ମୁମ୍ବାଇ ଆକ୍ରମଣ ସହ ଏହାକୁ ତୁଳନା କରୁଛନ୍ତି । ମୁମ୍ବାଇରେ ଆକ୍ରମଣ ମାତ୍ର କେତେ ମିନିଟ୍ ମଧ୍ୟରେ ଘଟିନଥିଲା । ଏହା ଦୀର୍ଘ ୪ଦିନ କାଳ ଧରି ଚାଲିଥିଲା ଯେଉଁଥିରେ ୧୭୫ ଜଣଙ୍କର ମୃତୁ୍ୟ ଘଟିଥିଲା ।
ଦୁଇ ଘଟଣାର ପାର୍ଥକ୍ୟ
ଯେତେବେଳେ ମୁମ୍ବାଇ ଆକ୍ରମଣ ଘଟିଥିଲା ସେତେବେଳେ କଂଗ୍ରେସର ମନମୋହନ ସିଂହ ଦେଶର ପ୍ରଧାନମନ୍ତ୍ରୀ ଥିଲେ । ମନମୋହନ ସିଂହ ଏହି ସମସ୍ୟାର ସମାଧାନ ପାଇଁ ବିଶ୍ୱ କୂଟନୀତି ଉପରେ ଅଧିକ ନିର୍ଭରଶୀଳ ଥିଲେ । ଏହାଦ୍ୱାରା କ୍ରୁଧିତ ରାଷ୍ଟ୍ରର କ୍ରୋଧକୁ କମାଇବାକୁ ଚାହୁଁଥିଲେ । କିନ୍ତୁ ବର୍ତ୍ତମାନର ମୋଦି ସରକାରଙ୍କ ଉପରେ ଜନସାଧାରଣଙ୍କ ଉପରେ ସେ ଧାରଣା ନାହିଁ । ଲୋକମାନେ ପରିଷ୍କାର ବୁଝୁଛନ୍ତି ଅତି ବିଦ୍ୱେଷୀ ଇସଲାମପନ୍ଥୀମାନଙ୍କୁ ପାକିସ୍ତାନ ପ୍ରରୋଚିତ କରିଛି ଏପରି କାର୍ଯ୍ୟ କରିବା ପାଇଁ । ତେଣୁ ମନମୋହନ ସିଂହଙ୍କ ପରି ବିଶ୍ୱ କୂଟନୀତି ଦ୍ୱାରା ଏହାର ସମାଧାନ ହୋଇପାରିବ ନାହିଁ । ଆହୁରି ମଧ୍ୟ ଇସ୍ରାଏଲର ରାଷ୍ଟ୍ରପତି ବେଞ୍ଜାମିନ୍ ନେଟନ୍ୟାହୁ ହାମାସ ଆତଙ୍କବାଦୀମାନଙ୍କ ଉପରେ କିପରି ଭାବରେ ଆକ୍ରମଣ କରିଛନ୍ତି ତାହାର ମଧ୍ୟ ଗାଜା ଉଦାହରଣ ସମସ୍ତଙ୍କ ଆଗରେ ଅଛି । ମୋଦି ସରକାର ସେପରି କୌଣସି ନିଷ୍ପତ୍ତି ନେବେ ବୋଲି ଲୋକଙ୍କର ଧାରଣା । ଅବଶ୍ୟ ଏହା ସତ୍ୟ, ଇସ୍ରାଏଲ ପରି କୌଣସି ସଂଗଠିତ ସୈନ୍ୟ ନଥିବା ତଥା ରାଷ୍ଟ୍ର ନଥିବା ଅଂଚଳ ଉପରେ ଆକ୍ରମଣ କରିବାର ସୁଯୋଗ ଭାରତର ନାହିଁ କାରଣ ଏଠାରେ ପାକିସ୍ତାନ ପରି ଏକ ସଂଗଠିତ ରାଷ୍ଟ୍ର ଉପରେ ଆକ୍ରମଣ କରିବାର ପ୍ରସଙ୍ଗ ରହିଛି । ଭାରତର ସେନାବାହିନୀ ଗାଜା ମଧ୍ୟରେ ଇସ୍ରାଏଲର ସୈନ୍ୟମାନଙ୍କ ପରି ପ୍ରବେଶ କରି ସେଠାକାର ହଜାର ହଜାର ଲୋକଙ୍କୁ ହତ୍ୟା କରିବା ସମ୍ଭବ ନୁହେଁ । ଏଥିପାଇଁ ଭାରତକୁ ବୁଝି ବିଚାରି ପଦକ୍ଷେପ ନେବାକୁ ପଡ଼ିବ ।
ଭାରତ ଯାହା କରିବ
ଅତୀତରେ ସର୍ଜିକାଲ ଆକ୍ରମଣ ଉରିଠାରେ ଓ ବାଲାକୋଟରେ ୨୦୧୯ରେ ଆତଙ୍କବାଦୀ ଶିବିରମାନଙ୍କ ଉପରେ ବୋମାମାଡ଼ ହୋଇସାରିଛି । ଦୁର୍ଭାଗ୍ୟଜନକ ଭାବରେ ଭାରତର ଜନମାନସିକତା ଏଠାକାର ଗଣମାଧ୍ୟମର ଉତ୍ତେଜକ ଦୃଷ୍ଟିଭଂଗୀ ଦୃଷ୍ଟିରୁ ପ୍ରଭାବିତ ହେଉଛି ଯାହା ହେବା ଅତି ସ୍ୱାଭାବିକ ମଧ୍ୟ । ଭାରତର ଲୋକମାନେ ଧୀରେ ଧୀରେ ଅଧୈର୍ଯ୍ୟ ହେଉଛନ୍ତି ମଧ୍ୟ । ଏହି ଧରଣର ଧେର୍ଯ୍ୟହୀନତା ଯଦି ଲାଗି ରହେ, ତା ହେଲେ ଭବିଷ୍ୟତରେ ଘଟଣା ବହୁ ଉତ୍ତେଜକ ହେବ । ଏହାଛଡ଼ା ଭାରତର ବିରୋଧୀ ଦଳମାନେ ପ୍ରଧାନ ମନ୍ତ୍ରୀ ମୋଦି ଗୋଟିଏ କାଗଜ ବାଘ ବୋଲି ଚିତ୍ରିତ କରିବାରେ ଲାଗିଛନ୍ତି । ଆଉ କେତେକ କହୁଛନ୍ତି ଏହି ଆତଙ୍କବାଦୀମାନେ ଯେଉଁମାନେ ହେଉଛନ୍ତି ପାକିସ୍ତାନର ଛାୟା ଯୋଦ୍ଧା ସେମାନଙ୍କ ଉପରେ ଆକ୍ରମଣ କରାଯାଉ । ରାଜନୈତିକ ଦୃଷ୍ଟିକୋଣରୁ ଭାରତୀୟ ଜନତା ପାର୍ଟି ଚାହେଁ ଯେ, ଏହା ପଛରେ ହିନ୍ଦୁମାନେ ଏକଜଟ ହୁଅନ୍ତୁ ।
ଯୁଦ୍ଧ ହେବ କି
ବର୍ତ୍ତମାନ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେବ କି କ’ଣ ତାହା ଉପରେ ପ୍ରଶ୍ନ ଉଠୁଛି । ଏହି ସମୟରେ କୂଟନୈତିକ ସ୍ତରରେ ଲଢ଼େଇ ମଧ୍ୟ ଆରମ୍ଭ ହୋଇଯାଇଛି ଓ ଉଭୟ ଭାରତ ଓ ପାକିସ୍ତାନ ସେମାନଙ୍କର ଆକାଶ ପଥ ଦେଇ ଅନ୍ୟ ବିମାନକୁ ଛାଡ଼ୁନାହାନ୍ତି । ଭାରତ ମଧ୍ୟ ଏ ଦେଶରେ ଥିବା ପାକିସ୍ତାନୀ ନାଗରିକମାନଙ୍କୁ ପାକିସ୍ତାନକୁ ଚାଲିଯିବାକୁ ନିଦେ୍ର୍ଦଶ ଦେଇଛି, ଯାହା ଅନେକ ପରିମାଣରେ କାର୍ଯ୍ୟକାରୀ ହେଲାଣି ମଧ୍ୟ । ଏହାଛଡ଼ା ବର୍ତ୍ତମାନ ଆମେରିକା ଓ ପାଶ୍ଚାତ୍ୟ ଦେଶମାନେ ଭାରତକୁ ପୂର୍ଣ୍ଣଭାବରେ ଏ କ୍ଷେତ୍ରରେ ସମର୍ଥନ କରୁଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା କାଶ୍ମୀରରେ ଏହି ଗଣହତ୍ୟା ପ୍ରବଳ ବିରୋଧ କରାଯାଇଛି । ସେଠାକାର ଜନସାଧାରଣ ଏ ଧରଣର ଘଟଣା ଉପରେ ଆଦୌ ସନ୍ତୁଷ୍ଟ ନୁହନ୍ତି ତେଣୁ ଏହି ଅବସରରେ ଭାରତ ପାଇଁ ପାକିସ୍ତାନ ସହିତ ଗୋଟିଏ ପ୍ରତ୍ୟକ୍ଷ ଯୁଦ୍ଧ ଏକମାତ୍ର ବିକଳ୍ପ ନୁହେଁ ,ଭାରତ କେବଳ ପ୍ରତିଦିନ ୨୪ଘଣ୍ଟା ଧରି ପାକିସ୍ତାନକୁ ବିଭିନ୍ନ ସ୍ତରରେ ଆତଙ୍କିତ କରି ରଖିବା ଉଚିତ । ଏହି ସବୁ ବିକଳ୍ପ ମଧ୍ୟରେ ଅଛି ଯେ, ପାକିସ୍ତାନ ଉପରେ ସବୁ ପ୍ରକାର ଅର୍ଥନୈତିକ ବାସନ୍ଦ ଲାଗୁ ହେବା କଥା । ବିଦେଶୀ ରାଷ୍ଟ୍ରମାନଙ୍କର ପାକିସ୍ତାନକୁ ବିରୋଧ କରିବା ପାଇଁ ସେମାନଙ୍କ ମଧ୍ୟରେ ଗୋଟିଏ ସହମତି ସ୍ଥାପନ ହେବା ଆବଶ୍ୟକ । ଯାହାଫଳରେ ସାରା ପୃଥିବୀରେ ପାକିସ୍ତାନ ଉତ୍ତର କୋରିଆ ପରି ଗୋଟିଏ ଏକୁଟିଆ ରାଷ୍ଟ୍ରରେ ପରିଣତ ହୋଇଯାଏ ଯେପରି ।
ପାକିସ୍ତାନ ଭିତରେ ମଧ୍ୟ ବିଚ୍ଛିନ୍ନତାବାଦୀମାନଙ୍କର ସଂଖ୍ୟା କମ୍ ନୁହେଁ । ଯେମିତିକି ହେଉଛନ୍ତି ବାଲୋଚ ଓ ପଠାନ । ପ୍ରଚାର ହେବା ଉଚିତ ଭାରତ ତରଫରୁ ଯେ, ଭାରତ ଏମାନଙ୍କର ସମର୍ଥକ । ବର୍ତ୍ତମାନ ଦେଖାଯାଉଛି ଯେ, ଏକଦା ପାକିସ୍ତାନର ଅତ୍ୟନ୍ତ ବନ୍ଧୁ ଥିବା ଅଫଗାନିସ୍ତାନର ତାଲିବାନ ସରକାର ପହଲଗାମର ହତ୍ୟାକୁ ସମର୍ଥନ ନକରି ନିନ୍ଦା କରୁଛନ୍ତି । ଅଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ଧୀରେ ଧୀରେ ବିବାଦ ପ୍ରବଳ ହେବାରେ ଲାଗିଛି ଯାହାକୁ ଆହୁରି ବଢ଼େଇବା ପାଇଁ ଭାରତ ଚେଷ୍ଟା କରିବା ଦରକାର । ପାକିସ୍ତାନର ସେନାବାହିନୀର ଗୁରୁତ୍ୱପୂର୍ଣ୍ଣ ଘାଟିମାନଙ୍କ ଉପରେ ଭାରତ ମଧ୍ୟ ଆକ୍ରମଣ କରିପାରେ । ଏହାଫଳରେ ପାକିସ୍ତାନରେ ଧାରଣା ସୃଷ୍ଟି ହେବ ଯେ, ଭାରତ ପାକିସ୍ତାନର ଜନସାଧାରଣଙ୍କ ବିରୁଦ୍ଧରେ ନୁହେଁ ବରଂ ସେଠାକାର ସେନାବାହିନୀ ବିରୁଦ୍ଧରେ ପଦକ୍ଷେପ ନେଉଛି । ବର୍ତ୍ତମାନ ଅବସ୍ଥାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ସବୁଠାରୁ ଲୋକପ୍ରିୟ ନେତା ଇମ୍ରାନ ଖାଁଙ୍କୁ ସେଠାକାର ସେନାବାହିନୀ ଜେଲରେ ରଖିଥିବା ହେତୁ ତାଙ୍କର ସମର୍ଥକମାନେ ପାକିସ୍ତାନର ସେନାବାହିନୀ ସପକ୍ଷରେ ନୁହଁନ୍ତି । ବର୍ତ୍ତମାନ ସେମାନେ କିପରି ଭାବରେ ଆହୁରି ଆହୁରି ଅଧିକ ସେନାବାହିନୀ ବିରୋଧୀ ହେବେ ଏ ସମ୍ପର୍କରେ ଭାରତ ଚେଷ୍ଟା କରିବା ଉଚିତ । ଭାବପ୍ରବଣ ପ୍ରତିଶୋଧ ଅନେକ ସମୟରେ ପରିସ୍ଥିତିକୁ ବରଂ ନିଜ ବିରୁଦ୍ଧରେ ନେଇଥାଏ । ଏ ବିଷୟରେ ଗଭୀର ଚିନ୍ତନ ହେବା ଉଚିତ ଏବଂ ପାକିସ୍ତାନର ଜନସାଧାରଣ କିପରି ଭାରତ ବିରୁଦ୍ଧରେ ନଯାନ୍ତି ଓ ସେଠାକାର ସେନାବାହିନୀକୁ ସମର୍ଥନ ନ କରନ୍ତି, ସେ ସବୁ ସମ୍ପର୍କରେ ଧ୍ୟାନ ଦିଆଯିବା ଉଚିତ ଏବଂ ଭାରତ ସରକାର ତାହା କରୁଛନ୍ତି ବୋଲି ବର୍ତ୍ତମାନ ମନେ ହେଉଛି ।
ର-ଜ୍ଞବସକ୍ଷ:ଳଷବକ୍ସବଭରକ୍ଷବଗ୍ଦଙ୍ଗବସଦ୍ଭ(ଅଶଜ୍ଞବସକ୍ଷ.ମକ୍ଟଜ୍ଞ
ମୋବାଇଲ୍ -୯୪୩୭୦୨୦୨୯୦