ସୁଖର ବନ୍ଧୁ ଦୁଃଖର ବନ୍ଧୁ

ସୁଖର ବନ୍ଧୁ ଦୁଃଖର ବନ୍ଧୁ

ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର ‘ଅମୃତ ବିନ୍ଦୁ  ।' ‘ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ କରିବା ସୁଖର ବନ୍ଧୁ ଓ ଦୁଃଖର ବନ୍ଧୁକୁ ନେଇ କିଛି କଥା  । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା  ।
ଯେତେବେଳେ ମଣିିଷର ଅର୍ଥ ଥାଏ, ଧନସମ୍ପତ୍ତି ଥାଏ, ପ୍ରତିଷ୍ଠା କି ପ୍ରତିପତ୍ତି ଥାଏ ସେତେବେଳେ ତାର ବନ୍ଧୁ, ସମ୍ପର୍କୀୟ, ପରିବାର ଆଦି ତାକୁ ସମର୍ଥନ କରନ୍ତି, ଆଦର କରନ୍ତି  । କିନ୍ତୁ ଅବେଳ ପଡିଲେ, ଅସମୟ ପଡିଲେ ପ୍ରାୟ ଲୋକ ପାଖ ମାଡନ୍ତି ନାହିଁ, ସଜରେ ଦୂରେଇ ଯାଆନ୍ତି  । ହେଲେ ଅବେଳରେ, ଅସମୟରେ, ଦୁର୍ଦ୍ଦିନରେ ଯେଉଁ ଲୋକଟେ ଠିଆ ହେଇଚି, ସିଏ ହିଁ ପ୍ରକୃତରେ ଆପଣାର  ।
ସମସ୍ତଙ୍କ ଜୀବନରେ ଅନେକ ସୁଖର ସାଥୀ  । ଦୁଃଖର ସାଥୀ ଅଳ୍ପ । ଜଣେ ଦୁଃଖରେ ପଡିଗଲେ ବହୁ ଲୋକ ବାଟ ଭାଙ୍ଗି ଚାଲିଯାଆନ୍ତି  । ସ୍ୱାର୍ଥ ଓ ସୁବିଧା ପାଇଁ ସଜରେ ସଜରେ ଜୀବନରେ ଖଞ୍ଜ ହେବା ଲୋକ ତ ଅନେକ  । ସୁଖରେ ଥିଲେ ପେଣ୍ଡାଳି ହେବା ଲୋକଙ୍କ ସଂଖ୍ୟା, ଏ ସଂସାରରେ ଊଣା ନାହିଁ  । ଏହା ଲୋକଚରିତ୍ର  ।
କିନ୍ତୁ ଏହା ମଧ୍ୟରେ ବ୍ୟତିକ୍ରମ ମଧ୍ୟ ରହିଛି  । ସମସ୍ତେ ସମାନ ନୁହଁନ୍ତି  । କିଛି ବ୍ୟକ୍ତି ଅନ୍ୟମାନଙ୍କ ଠାରୁ ନିଶ୍ଚିତ ଭାବେ ଅଲଗା  । ଏଭଳି ଲୋକମାନେ ସମ୍ପତ୍ତି ବା ବିପତ୍ତିରେ କୌଣସି ପାର୍ଥକ ନରଖି ବନ୍ଧୁତା ନିରନ୍ତର ଭାବେ ସ୍ଥାପନ କରିଥାଆନ୍ତି  । ଖୁବ୍ କମ୍ ଲୋକ, ଅନ୍ୟର ବିପଦ ବେଳାରେ ବିଶେଷ ସାହାଯ୍ୟ କରିନପାରିଲେ ମଧ୍ୟ ସଙ୍ଗତ୍ୟାଗ କରନ୍ତି ନାହିଁ  । ଦୁନିଆରେ ଏଇଭଳି ବନ୍ଧୁଙ୍କର ସଂଖ୍ୟା ବହୁତ କମ୍ ଏବଂ ସେମାନେ ଯେକୌଣସି ପରିସ୍ଥିତିରେ ବି ବିପଦରେ ପଡିଥିବା ଲୋକଙ୍କୁ ଛାଡି ଚାଲିଯାଆନ୍ତି ନାହିଁ  । ବିପଦ ସମୟର ବନ୍ଧୁ ହିଁ ପ୍ରକୃତ ବନ୍ଧୁ  । ବିପଦ ଓ ବିପତ୍ତି ସମୟରେ ମଣିଷ ନିଜକୁ ଅସହାୟ ଏବଂ ଏକୁଟିଆ ମନେ କରେ  । ଏହି ଅସହାୟପଣ ହିଁ ବହୁ ସମୟରେ ବ୍ୟକ୍ତିର ପରାଜୟ ପାଇଁ ଦାୟୀ  । ଅସହାୟ ସମୟରେ ଯେଉଁ ବନ୍ଧୁ ଆଶ୍ୱାସନାର ବାଣୀ ଶୁଣାଇ ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ସାହସ ଦେଇପାରେ, ଜୟ/ପରାଜୟର ହିସାବ ନକରି ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ପ୍ରେରଣା ଦିଏ ସେ ହିଁ ପ୍ରକୃତ ବନ୍ଧୁ  । ମଣିଷର ମଣିଷପଣିଆ ଏତିକି ବେଳେ ହିଁ ଜଣାପଡ  ।
ଦୁଃଖ ଏବଂ ବିପଦରେ ସାହାଯ୍ୟ କରିଥିବା ବ୍ୟକ୍ତି ସବୁବେଳେ ଯେ ବନ୍ଧୁ ହୋଇଥିବ, ତାହା ମଧ୍ୟ ଠିକ୍ ନୁହେଁ  । ଅନ୍ୟର ଅସହାୟ ସମୟରେ ଟିକିଏ ସହାୟତାର ହାତ ବଞ୍ଚାଇ ଦେଉଥିବା ଲୋକଟି ହୃଦୟରେ ବ୍ୟାପକ ଏବଂ ଚିହ୍ନା-ଅଚିହ୍ନା ନିର୍ବିଶେଷରେ ଏପରିକିରି ଶତ୍ରୁକୁ ମଧ୍ୟ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଏ ନାହିଁ  । ଏହା ହିଁ ମଣିଷପଣିଆର ଶ୍ରେଷ୍ଠତ୍ୱ  ।  ଅଭାବ, ଅସୁବିଧା ସମୟରେ ଆମେ ଜଣଙ୍କୁ ଯଦି ଟିକେ ସାହାଯ୍ୟ ନକରିବା, ତେବେ ଆମେ ମଣିଷ ନୁହଁ ତ ଅମଣିଷ  । ମଣିଷ ଯୋଉ ପର୍ଯ୍ୟନ୍ତ ମଣିଷକୁ ଚିହ୍ନିପାରେନି, ସିଏ ଅବା କି ମଣିଷ ? ପଢିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ  । ଆସନ୍ତୁ ପ୍ରତ୍ୟେକ ଦିନ ଆମେ ‘ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା  । ନମସ୍କାର  ।