ଏମପକ୍ସ ଆତଙ୍କ

ପୂର୍ବରୁ ମଙ୍କିପକ୍ସ ନାମରେ ପରିଚିତ ଥିବା ଏମପକ୍ସକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ବୈଶ୍ୱିକ ସ୍ୱାସ୍ଥ୍ୟ ଜରୁରୀ ପରିସ୍ଥିତି ଭାବେ ଘୋଷଣା କରିବା ନିଶ୍ଚିତ ଭାବେ ସାଂଘାତିକ ରୂପ ସମ୍ପର୍କରେ ସଂକେତ ପ୍ରଦାନ କରେ । ଏହାକୁ ଭାରତ ସମେତ ସମଗ୍ର ବିଶ୍ୱ ଅତ୍ୟନ୍ତ ଗୁରୁତ୍ୱର ଭାବେ ଗ୍ରହଣ କରିବା ଜରୁରି ବୋଲି ହୁ’ ସଂସ୍ଥା ତରଫରୁ ଘୋଷଣା ସନେ୍ଦହ ଦେଇଛି ବୋଲି କୁହାଯାଇପାରେ । ଗତ ୨୦୨୨ ମସିହାରେ ହୁ’ ଏମପକ୍ସ ସଂକ୍ରମଣକୁ ପ୍ରଥମ ଥର ପାଇଁ ବୈଶ୍ୱିକ ସ୍ୱାସ୍ଥ୍ୟ ଜରୁରୀ ପରିସ୍ଥିତି ଭାବେ ଘୋଷଣା କରିଥିବା ଏବେ ଏବେ ଦ୍ୱିତୀୟ ଥର ପାଇଁ ପୁଣିଥରେ ଘୋଷଣା କରି ସମଗ୍ର ବିଶ୍ୱକୁ ସଜାଗ, ସତର୍କ ରହିବାକୁ କଡା ଚେତାବନୀ ଦେଇଛି । ଏହି ରୋଗରେ ବର୍ତ୍ତମାନ ସୁଦ୍ଧା ୧୩ଟି ରାଷ୍ଟ୍ରରେ ହଜାରରୁ ଅଧିକ ଏମପକ୍ସରେ ଆକ୍ରାନ୍ତ ହୋଇଥିବାବେଳେ ୫୩୭ ଜଣଙ୍କର ମୃତୁ୍ୟ ଘଟିଛି । କେବଳ ଆଫ୍ରିକୀୟ ରାଷ୍ଟ୍ର କଙ୍ଗୋରୁ ୯୬ ପ୍ରତିଶତ ମାମଲା ଆସିଥିବା ଜଣାଯାଏ । କେବଳ କଙ୍ଗୋ ନୁହେଁ, ଆଫ୍ରିକୀୟ ରାଷ୍ଟ୍ର ବୁରୁଣ୍ଡି, କେନିଆ, ରୁଅଣ୍ଡା, ଉଗାଣ୍ଡା ଆଦି ଦେଶରେ ଏହା ଦ୍ରୃତ ଗତିରେ ବ୍ୟାପୁଥିବାବେଳେ ବିଶ୍ୱର ଅନ୍ୟ କେତେକ ରାଷ୍ଟ୍ରରେ ଏବେ କାୟାବିସ୍ତାର କରିଥିବା ଜଣାଯାଇଛି । ଆଫ୍ରିକାରୁ ବହୁ ଦୂରରେ ଥିବା ସ୍ୱିଡେନ ଏବଂ ଭାରତର ପଡୋଶୀ ପାକିସ୍ଥାନରେ ଏବେ ଏହା ଚିହ୍ନଟ ହୋଇଛି । ଗତ ୨୦୨୨ ମସିହାରେ ୧୧୬ଟି ଦେଶରୁ ଏକ ଲକ୍ଷରୁ ଅଧିକ ମାମଲା ଦୃଷ୍ଟିଗୋଚର ହୋଇଥିବା ବେଳେ ୨୦୦ରୁ ଅଧିକ ଲୋକଙ୍କର ମୃତୁ୍ୟ ଘଟିଥିଲା । ସେତେବେଳେ ଶହଶହ ଶିଶୁ ଓ ମହିଳା ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ । ବହୁଳ ପ୍ରସାରିିତ “ଦି କଂଜରଭେସନ” ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ, ସଂକ୍ରମିତ ବ୍ୟକ୍ତିଙ୍କଠାରୁ ଖୁବ ସହଜରେ ନିକଟ ସମ୍ପର୍କୀୟଙ୍କୁ ଏହି ରୋଗ ବ୍ୟାପିଥାଏ । ଅନ୍ୟ ସହ କଥୋପକଥନ େବେଳ, ଶ୍ୱାସ ନେବାବେଳେ, ଅସୁରକ୍ଷିତ ସମ୍ପର୍କ କିମ୍ବା ଚର୍ମ ସଂସ୍ପର୍ଶରେ ଆସିବା ସମୟରେ ଏବଂ ବହୁଳ ଭାବେ ଜନ୍ମ ନିରୋଧକ ଉପକରଣ ବ୍ୟବହାର ଦ୍ୱାରା ଏହି ରୋଗ ସହଜରେ ବ୍ୟାପିବା ସହ କାୟାର ବିସ୍ତାର କରିଥାଏ । ଆହୁରି ମଧ୍ୟ ବୟସ୍କ-ଦୁର୍ବଳ କିମ୍ବା କମ ରୋଗ ପ୍ରତିରୋଧକ କ୍ଷମତା ଥିବା ଏହି ରୋଗରେ ଆକ୍ରାନ୍ତ ହୋଇ ଶେଷରେ ମୃତୁ୍ୟମୁଖରେ ପଡିଥାନ୍ତି । ଏହି ରୋଗରେ ସଂକ୍ରମିତ ବ୍ୟକ୍ତିଙ୍କୁ ସାମାନ୍ୟ ଜ୍ୱର ହେବା ସହ ଶରୀରର ବିିଭନ୍ନ ଅଙ୍ଗପ୍ରତ୍ୟଙ୍ଗ ବିଶେଷ କରି ମୁହଁ, ହାତ ପାପୁଲିରେ ଫୋଟକା ହୋଇ ଘା’ ସୃଷ୍ଟି ହୋଇଥାଏ । ଏହାବ୍ୟତୀତ ପ୍ରବଳ ମୁଣ୍ଡ ବିନ୍ଧା ଓ ମାଂସପେଶୀ ଯନ୍ତ୍ରଣା ଏହାର ଲକ୍ଷଣ ବୋଲି କୁହାଯାଇଛି । କରୋନା ପରି ଆଗାମୀ ଦିନରେ ଏମପକ୍ସ ବୈଶ୍ୱିକ ମହାମାରୀ ରୂପ ନେଇପାରେ ବୋଲି ହୁ ଚେତାବନୀ ଦେଇଛି । କରୋନା ପରି ଏହା ଦ୍ରୃତ ସଂକ୍ରମିତ ହେଉନଥିବା ସତ୍ତ୍ୱେ ଏହା ରୋଗୀଙ୍କ ପାଇଁ ସାଂଘାତିକ ହେବା ସହ ଜୀବନ ନେବା ଆଶଙ୍କାକୁ ଏଡାଇ ଦିଆଯାଇନପାରେ । ଏହା ନିସନେ୍ଦହ ଯେ, ପାକିସ୍ଥାନରେ ଏବେ ୩ଜଣ ଏମପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଭାରତ ପାଇଁ ସତର୍କ ଘଂଟି ସଦୃଶ ହୋଇଛି । ତେବେ ନିକଟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କରିବା ସହ ସତର୍କତାମୂଳକ ପଦକ୍ଷେପ ଗ୍ରହଣକରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ନିଦେ୍ର୍ଦଶ ଦେବା ନିଶ୍ଚିତ ଭାବେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କୁହାଯାଇପାରିବ ।
ଏହା ସତ୍ତ୍ୱେ ସତର୍କତା ଓ ପ୍ରତିଶୋଧାତ୍ମକ ବ୍ୟବସ୍ଥା ଏହାର ମୁକାବିଲା ପାଇଁ ସବୁଠୁ ବଡ ଆୟୁଧ ବୋଲି କୁହାଯାଇପାରିବ । ଏହା ନିସନେ୍ଦହ ଯେ, ବିଦେଶ ଭ୍ରମଣ, ଜଳବାୟୁ ପରିବର୍ତନ, ପ୍ରାକୃତିକ ମାନବିକ ଅଭ୍ୟାସର ପରିବର୍ତନ ଦ୍ୱାରା ଯେକୌଣସି ଭୂତାଣୁର ସଂକ୍ରମଣ ମାନବ ସମାଜ ତଥା ସମଗ୍ର ବିଶ୍ୱ କରୋନା ଠାରୁ ଆରମ୍ଭ କରି ଜିକା, ପର୍ଯ୍ୟନ୍ତ ସମ୍ମୁଖୀନ ହୋଇଥିବା ସଂକ୍ରମଣ ହେଉଛି ଏହାର ଜ୍ୱଳନ୍ତ ଉଦାହରଣ । ତେଣୁ ଯେକୌଣସି ଭୂତାଣୁର ମୁକାବିଲା ମଣିଷର ସ୍ୱାସ୍ଥ୍ୟ ପାଇଁ ଜରୁରି ହୋଇପଡିଛି । ଏବେ ଏମପକ୍ସ ସଂକ୍ରମଣ କାୟା ବିସ୍ତାର କରୁଛି । ଆସନ୍ତା କାଲି ଯେକୌଣସି ଭିନ୍ନ ଧରଣର ଭୂତାଣୁ ଜନ୍ମ ନେଇପାରେ । ତେଣୁ ସୁସ୍ଥ ସମାଜ ପାଇଁ ଆଧୁନିକ ଟିକା ଓ ଆଂଟିଭାଇରାଲ ଔଷଧର ପ୍ରସ୍ତୁତି ଅତ୍ୟନ୍ତ ଜରୁରି । ଏହା ସହ ଏମପକ୍ସ ଧମକର ମୁକାବିଲା ପାଇଁ ଜନସାଧାରଣ ସଜାଗ, ସତର୍କ ଓ ସଚେତନ ହେବା ଆବଶ୍ୟକ ।
ସୌଭାଗ୍ୟ ରଂଜନ ମହାନ୍ତି,ମୋ:୯୪୩୭୯୯୪୩୭୯