ଲୁହା କଡେ଼ଇରେ ମହାପ୍ରସାଦ, ସେବାୟତ ନିଲମ୍ବିତ
MAHAPRASAD SHREE MANDIR

।। ପ୍ରଭାନ୍ୟୁଜ୍ ।। ଭୁବନେଶ୍ୱର : ଲୁହା କଡେ଼ଇରେ ହେଉଥିଲା ମହାପ୍ରସାଦ । ଶାସ୍ତ୍ର ଅନୁସାରେ ରୋଷଶାଳାରେ ଲୁହା ଜିନିଷରେ ରୋଷେଇ ହେବା କଥା ନୁହେଁ । ମହାପ୍ରସାଦ ପ୍ରସ୍ତୁତିର ସ୍ୱତନ୍ତ୍ର ବିଧିବ୍ୟବସ୍ଥା ରହିଛି । ଯାହାକି ବିଶ୍ୱର ଅଗଣିତ ଲୋକଙ୍କୁ ଚକିତ କରିଦେଇଥାଏ । କିନ୍ତୁ କରୋନା ସମୟରେ ମାଟି ହାଣ୍ଡି ଓ ଅନ୍ୟ ସାମଗ୍ରୀ ମିଳିବାରେ ସମସ୍ୟା ରହିଥିଲା । ଫଳରେ ସାମୟିକ ଭାବେ ଏସବୁକୁ ଅନୁମତି ମିଳିଥିଲା । ଏବେ ସବୁ ଜିନିଷ ମିଳୁଥିଲେବି ଅଧିକ ଲାଭ ଆଶାରେ କିଛି ସେବାୟତ ପୂର୍ବଭଳି ଲୁହା କଡେ଼ଇରେ ରୋଷେଇ କରୁଥିଲେ । ଯାହାକୁ ନେଇ ଭକ୍ତଙ୍କ ମନରେ ତୀବ୍ର ଅସନ୍ତୋଷ ପରିଲକ୍ଷିତ ହେଉଥିଲା । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବାରବାର ଚେତାବନୀ ଦିଆଯାଇଥିଲେବି କେତେକ ଅମାନିଆ ସେବାୟତ କର୍ଣ୍ଣପାତ କରିନଥିଲେ । ଶେଷରେ ବାଧ୍ୟହୋଇ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ୩ ସେବାୟତଙ୍କୁ ନିଲମ୍ବିତ କରିଛନ୍ତି । ସେମାନେ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିପାରିବେ ନାହିଁ । ମହାପ୍ରଭୁଙ୍କ ସେବା କାର୍ଯ୍ୟରେ ଅନିୟମିତତାକୁ ବରଦାସ୍ତ କରାଯିବ ନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି ।