ଶାକାହାର (ନିରାମିଷ ଖାଦ୍ୟ) ସହିତ ଭାରତର ଗଭୀର ସମ୍ପର୍କ ରହିଛି । ଭାରତ ନୁହେଁ ବିଶ୍ୱର ବିଭିନ୍ନ ଦେଶର ଅଧିକାଂଶ ଲୋକେ ଶାକାହାରୀ ଖାଦ୍ୟକୁ ଗ୍ରହଣ କରୁଥିବାର ଦେଖାଯାଉଛି । ଏକଦା ହିଟଲର ଶାକାହାର ପ୍ରତି ଏତେମାତ୍ରାରେ ପ୍ରଭାବିତ ହୋଇଥିଲା ଯେ, ସେ ତାଙ୍କ ଶାସନ କାଳରେ ପଶୁ କ୍ରୁରତା ବିପକ୍ଷରେ ଆଇନ ତିଆରି କରିଥିଲେ । ବିଶ୍ୱର ୭୦% ଶାକାହାରୀ କେବଳ ଭାରତରେ ଅଛନ୍ତି । ୧୮୪୭ ଇଂଲଣ୍ଡରେ ପ୍ରଥମ ଭେଜିଟେରିଆନ୍ ସୋସାଇଟିର ଗଠନ କରାଯାଇଥିଲା । ବିଶ୍ୱରେ ଏମିତି କିଛି ଶାକାହାରୀ ଅଛନ୍ତି ଯେଉଁମାନେ ଚିନି, ବ୍ରେଡ ମଧ୍ୟ ଖାଆନ୍ତି ନାହିଁ । କାରଣ ଏଗୁଡ଼ିକୁ ଧଳା କରିବା ପାଇଁ ପଶୁ ହାଡ଼ ମିଶାଯାଇଥାଏ । ବିଶ୍ୱର ଅନେକ ଧର୍ମ ଶାକାହାରକୁ ଗୁରୁତ୍ୱ ଦେଉଥିବାର ଦେଖାଯାଇଛି । ଜୀବ ଜଗତ କହିଲେ ଆମେ ମୁଖ୍ୟତଃ ପ୍ରାଣୀ ଜଗତ ଓ ଉଦ୍ଭିଦ ଜଗତ ବୁଝିଥାଉ । ମଣିଷ ଯେପରି ପ୍ରାଣୀ ଜଗତରେ ଅନ୍ତର୍ଭୁକ୍ତ ସେହିପରି ଅନ୍ୟ ସମସ୍ତ ହିଂସ୍ର ବା ନିରୀହ ପଶୁପକ୍ଷୀ ମଧ୍ୟ ଏହି ପ୍ରାଣୀଜଗତରେ ଅନ୍ତର୍ଭୁକ୍ତ । ତେଣୁ ସେମାନଙ୍କର ଜୀବକୋଷ ଓ ମଣିଷର ଜୀବକୋଷ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ପ୍ରାଣୀମାନଙ୍କ ମଧ୍ୟରେ ମଣିଷ ସବୁଠାରୁ ଶ୍ରେଷ୍ଠ ଓ ବଳବାନ ଜୀବ ଓ ତା’ର ଇଛା ଏବଂ ରୁଚି ଅନୁସାରେ ସେ ନିଜର ଖାଦ୍ୟ ଗ୍ରହଣ କରେ । ଏହି ଖାଦ୍ୟ ଆମିଷ କିମ୍ବା ନିରାମିଷ ହୋଇପାରେ । ଆବହମାନ କାଳରୁ ସବୁ ସମୟରେ ଆମିଷ ଖାଇବା ପାଇଁ ଆପତ୍ତି ରହିଛି, ତେବେ ମାଛ, ମାଂସ ଖାଇବାରେ ଏତେ ଦୋଷ କାହିଁକି? ଏହି ପ୍ରଶ୍ନର ଉତ୍ତରରେ ଯୁଗପୁରୁଷୋତ୍ତମ ଭଗବାନ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର କହିଛନ୍ତି - ଶରୀର, ମନ ଓ ଜୀବନ ପକ୍ଷରେ ଯଦି ଆମିଷ ଖାଦ୍ୟ ଭଲ ହୋଇଥାଆନ୍ତା ତେବେ ଏତେ ଆପତ୍ତି କାହିଁକି? ମଣିଷର ଯେଉଁ ସ୍ୱାଭାବିକ ଆମିଷ ଆହାର ପ୍ରତି ରୁଚି ଅଛି ତାହାକୁ ବିକୃତ ରୁଚି ମଧ୍ୟ କୁହାଯାଏ । ଆନିମଲ ସେଲ ବା ଜୀବନ୍ତ କୋଷ ଆଉ ଏକ ଜୀବନ୍ତ କୋଷକୁ ହଜମ କରିବାକୁ ଚାହେଁନାହିଁ, ବରଂ ତାକୁ ପ୍ରତ୍ୟାଖ୍ୟାନ କରେ । ବାହାର ଜୀବନ୍ତ କୋଷ ମଣିଷ ଶରୀରରେ ପ୍ରବେଶ କଲେ ତାହା ଆମର ଜୀବନ୍ତ କୋଷକୁ ନଷ୍ଟ କରିଦିଏ ।
ନିରାମିଷ ଆହାରରେ ଶକ୍ତି ବଢ଼େ ଓ ଏହି ଶକ୍ତି ଆମ ପକ୍ଷରେ ସୁସମଞ୍ଜସ୍ୟ । ଯେଉଁ ପ୍ରାଣୀ ନିିମିତ୍ତ ଯେଉଁ ଖାଦ୍ୟ ସୁସମଞ୍ଜସ୍ୟ ଓ ସୁସଙ୍ଗତ ତାହା ଗ୍ରହଣ କରିଲେ ଶରୀରରେ ପୁଷ୍ଟି ହୁଏ । ଉଦାହରଣ ସ୍ୱରୂପ - ହାତୀ, ଗାଈ, ଗୋରୁ, ମେଣ୍ଢା ଇତ୍ୟାଦି ପ୍ରାଣୀମାନେ ଘାସ ଖାଆନ୍ତି ଓ ସେଥିରେ ହିଁ ସେମାନଙ୍କର ପୁଷ୍ଟି । କତିପୟ ଚିକିତ୍ସକ ମନୁଷ୍ୟକୁ ଆମିଷ ଆହାର କରିବାକୁ କହିଥାନ୍ତି । ଏହି ପ୍ରସଙ୍ଗରେ ସେ କହିଛନ୍ତି - ଏହି ସବୁ ମତାମତ ନିଜର ବୁଝିବା ଉପରେ ନିର୍ଭର କରେ । ଯାହାର ଯେପରି ବୁଝିବା ସେମାନେ ସେହିପରି ମତ ଦେଇଥାନ୍ତି । ଏପରି ହୋଇପାରେ ଯେ ଚିକିତ୍ସକମାନେ ସ୍ୱାଦ ଓ ଲୋଭର ବଶବର୍ତ୍ତୀ ହୋଇ ଏହା କହିଥାଇପାରନ୍ତି । କିନ୍ତୁ ଥରେ ବୁଝିବା ଠିକ୍ ହେଲେ ନିରାମିଷ ଖାଦ୍ୟ ଶରୀର ପକ୍ଷେ ଯେ ମଙ୍ଗଳକର ଏହା ମଧ୍ୟ ସେମାନେ କହିପାରନ୍ତି । ଅନେକ ବ୍ୟକ୍ତି ପ୍ରଶ୍ନ କରନ୍ତି - ମାଛ, ମାଂସ ଯଦି ଆମ୍ଭେମାନେ ନଖାଇବୁ, ତାହାଲେ ଭଗବାନ କାହିଁକି ଏସବୁ ସୃଷ୍ଟି କରିଛନ୍ତି? ଏହା ଉତ୍ତରରେ ସେ କହିଲେ - ମନେକର ତୁମ ଜମିରେ ପକ୍ଷୀମାନେ ଆସି ବସୁଛନ୍ତି, ତୁମେ ସେଗୁଡ଼ିକୁ ମାରିଦେଲ । ପକ୍ଷୀମାନେ ତୁମ ଜମିର ପୋକଜୋକ ଖାଉଥିଲେ, ଏବେ ତାଙ୍କ ଅନୁପସ୍ଥିତିରେ ଜମିରେ ପୋକ ଭର୍ତ୍ତି ହୋଇଗଲା । ସେତେବେଳେ ସେହି ପୋକଭରା ଜମିର ଫସଲ ଖାଇ ପେଟ ଖରାପ ହେଲା । ନାନା ପ୍ରକାର ପୋକଜୋକ ଓ ଛେଳି, ମେଣ୍ଢା ଇତ୍ୟାଦିକୁ ଭଗବାନ ମଣିଷର ଉପକାର ପାଇଁ ହିଁ ସୃଷ୍ଟି କରିଛନ୍ତି । ମଣିଷ ପାଇଁ ଧାନ, ଚାଉଳ ଓ ପନିପରିବା ଇତ୍ୟାଦି ସୃଷ୍ଟି କରିଛନ୍ତି । ଆମିଷାହାରୀମାନଙ୍କର କୌଣସି ରୋଗ-ବିରାଗ ହେଲେ ଶରୀର ଯେତେ ଗଭୀର ଭାବେ କ୍ଷତିଗ୍ରସ୍ତ ହୁଏ ନିରାମିଷାଶୀଙ୍କ ତଦ୍ଜାତୀୟ ଅସୁସ୍ଥତା ହେଲେ ମଧ୍ୟ ଶରୀର ଏତେଟା କ୍ଷତିଗ୍ରସ୍ତ ହୁଏନାହିଁ । ଆମିଷରୁ ବାହାରୁଥିବା ଟକ୍ସିନ୍ ସ୍ନାୟୁକୁ ଉତ୍ତେଜିତ କରେ, ସହନ-ବହନ କ୍ଷମତା କମିଯାଏ, ସ୍ନାୟୁ ଅପଟୁ ଓ ସାମ୍ୟ ସଙ୍ଗତିହରା ହେଲେ ଅହମିକା, କ୍ରୋଧ, ହିଂସା ଓ ଅସହିଷ୍ଣୁତା ବଢ଼ିଉଠେ । ଦୁଗ୍ଧ ଆମିଷ ଖାଦ୍ୟ ହେଲେ ମଧ୍ୟ କ୍ଷତିକାରକ ନୁହେଁ । କାରଣ ଦୁଗ୍ଧ ପେଟରେ ଯାଇ ଲାକ୍ଟିକ୍ ଏସିଡ଼ ବ୍ୟାସିଲସ୍ ହୁଏ ଓ ବ୍ୟାସିଲସ୍ମାନେ ନିରାମିଷ କୋଷ । ବ୍ୟାକ୍ଟେରିଆମାନେ କିନ୍ତୁ ଆନିମଲ୍ ସେଲ୍ । ଭେଜିଟେବଲ ସେଲ ଆନିମଲ୍ ସେଲ ତୁଳନାରେ କମ୍ ଜୀବନୀ ଶକ୍ତି ସମ୍ପନ୍ନ । ତେଣୁ ସେମାନେ ଶରୀରରେ ଯାଇ ସଞ୍ଜୀବିତ ହେବାକୁ ଚାହାଁନ୍ତି । ସେମାନଙ୍କ ସହିତ ଦେହ କୋଷର ମଧ୍ୟ ବିରୋଧ କମ୍ ହୁଏ । ତେଣୁ ଶରୀରର ଜୀବନ୍ତ କୋଷ ଗୁଡ଼ିକ ବେଶୀ ପୋଷଣ ପାଆନ୍ତି । ନରହତ୍ୟା ଶବ୍ଦରେ ଆମ୍ଭେମାନେ ଆତଙ୍କିତ ହୋଇଉଠୁ କିନ୍ତୁ ଜୀବ ହତ୍ୟା ସମୟରେ ଆମକୁ କଷ୍ଟ ହୁଏନାହିଁ । ଏହିପରି ସହାନୁଭୂତିହୀନ ହୋଇ ପ୍ରବୃତ୍ତି ସ୍ୱାର୍ଥରେ ମଣିଷକୁ ହତ୍ୟା କରିବା ପାଇଁ ମଧ୍ୟ ମଣିଷକୁ କଷ୍ଟ ହୁଏନାହିଁ । ମଣିଷର ଦନ୍ତକୁ ଭଗବାନ ତୃଣ ଜାତୀୟ ଖାଦ୍ୟ ଖାଇବା ପାଇଁ ଗଢ଼ିଛନ୍ତି । ବାଘ, କୁକୁର ଇତ୍ୟାଦି ମାଂସାଶୀ ପ୍ରାଣୀମାନଙ୍କ ଭଳି ମନୁଷ୍ୟର ଶ୍ୱାନଦନ୍ତ ନାହିଁ । ବରଂ ମଣିଷର ଶ୍ୱାନଦନ୍ତ ଗାଈ, ଘୋଡ଼ା ସହିତ ସମାନ । ବଡ଼ ବଡ଼ ଚିକିତ୍ସକ ଓ ବୈଜ୍ଞାନିକମାନେ ମଧ୍ୟ ନିରାମିଷ ଆହାର ସପକ୍ଷରେ ଅନେକ କଥା କହିଛନ୍ତି । ଏହି ପ୍ରସଙ୍ଗରେ ଶ୍ରୀ ଅନୁକୂଳଚନ୍ଦ୍ର କହିଲେ - ମୋର ମନେହୁଏ ଯେଉଁମାନେ ଉନ୍ନତର ଜୀବନ ଯାପନ କରିବାକୁ ଚାହାଁନ୍ତି ଓ ସୁସ୍ଥ ଦେହରେ ସ୍ୱଚ୍ଛନ୍ଦ ମନରେ କ୍ରମାଗତି ନେଇ କଠୋର ପରିଶ୍ରମ କରିବାକୁ ଚାହାଁନ୍ତି ସେମାନେ ନିରାମିଷ ଖାଇବା ହିଁ ଉଚିତ ଓ ଗୋଟିଏ ଜୀବନର ଚେତନା ପ୍ରଗତିକୁ ରୁଦ୍ଧକରି ଆମିଷ ଭକ୍ଷଣ କରିବା ଅନୁଚିତ ।
ଡା.ଉମେଶ ଚନ୍ଦ୍ର ପାତ୍ର,ମୋ : ୯୪୩୭୦୫୧୯୫୭