ମହାତ୍ମା ଗାନ୍ଧିଙ୍କ ସାମ୍ବାଦିକ ଜୀବନ

ମହାତ୍ମା ଗାନ୍ଧିଙ୍କ ସାମ୍ବାଦିକ ଜୀବନ

ଶଶାଙ୍କ ଶେଖର ଦାଶ  :    ଜାତିର ପିତା ମହାତ୍ମାଗାନ୍ଧି ଦେଶ ଓ ଜାତି ପାଇଁ ମହାନ । ତାଙ୍କର ଅବଦାନ ପାଇଁ ଆମେ ଆଜି ସ୍ୱାଧୀନ । ତାଙ୍କୁ ଆମେ ଜଣେ ସ୍ୱାଧୀନତା ସେନାନୀ ଓ ନେତା ଭାବେ ଯେମିତି ଜାଣନ୍ତି ତାଙ୍କର ସାମ୍ବାଦିକତା ଓ ସମ୍ପାଦନା ସଂପର୍କରେ ଆମେ ସେପରି ଜାଣିନାହାନ୍ତି । ଅନେକ ତାଙ୍କୁ ଜଣେ ନେତା ପରେ ସେ କେବଳ ଜଣେ ବାରିଷ୍ଟର ବୋଲି ଜାଣନ୍ତି । ତେବେ ମହାତ୍ମାଗାନ୍ଧି ଏକାଧାରରେ ଜଣେ ବାରିଷ୍ଟର, ସ୍ୱାଧୀନତା ସେନାନୀ, ନେତା, ସାମ୍ବାଦିକ, ସମ୍ପାଦକ ଓ ଅନେକ ବିଶେଷଣର ସମାହାର ଥିଲେ । ଏଥିପାଇଁ ତାଙ୍କୁ ସେ ସମୟର ଅନେକ ଲୋକ ବ୍ୟକ୍ତି ନୁହେଁ ଅନୁଷ୍ଠାନ ବୋଲି କହୁଥିଲେ । ଗାନ୍ଧିଜୀ ଗୋଟିଏ ଅନୁଷ୍ଠାନ ଏହା ପ୍ରମାଣିତ ହୋଇଛି । ସେ ଜାତିର ପିତା ଆଖ୍ୟା ପାଇଛନ୍ତି । ତାଙ୍କ ସ୍ମୃତିରେ ବିଶ୍ୱର ପ୍ରାୟ ପ୍ରତ୍ୟେକ ଦେଶରେ ଡ଼ାକଟିକଟ ଛପା ଯାଇଛି । ତାଙ୍କୁ ଆମେ ଅହିଂସାର ପ୍ରତୀକ ଭାବେ ମାନିଛନ୍ତି । ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବହୁବ୍ୟକ୍ତି ବିଶିଷ୍ଟ ବ୍ୟକ୍ତିରେ ରୂପାନ୍ତରିତ ହୋଇପାରିଛନ୍ତି ।
ସ୍ୱାଧୀନତାର ବାଣୀକୁ ଲୋକଙ୍କ ନିକଟରେ ପହଂଚାଇବା ପୂର୍ବରୁ ଗାନ୍ଧି ନିଜର ସାମ୍ବାଦିକତା ଆରମ୍ଭ କରିଥିଲେ । ୧୮୯୩ ମସିହାରେ ସେ ଏକ କୋର୍ଟ କେସ୍ ଲଢିବାକୁ ଦକ୍ଷିଣ ଆଫ୍ରିକା ଯାଇଥିଲେ । ସେଠାକାର ରାଜନୈତିକ ପରିସ୍ଥିତି ତାଙ୍କୁ ସତ୍ୟାଗ୍ରାହୀ ଓ ସାମ୍ବାଦିକ କରିଥିଲା । ସେ ନିଜର ମନର ଭାବକୁ ଖବର କାଗଜ ଓ ପତ୍ରିକା ମାଧ୍ୟମରେ ପହଂଚାଇବା ପାଇଁ ଚେଷ୍ଟା କରିଥିଲେ । ଗାନ୍ଧି କହିଥିଲେ ଯେ, ସାମ୍ବାଦିକତା ହେଉଛି ଏକ ସେବା । ଅନ୍ୟ ଅନେକ ସେବା ପରିସମ୍ବାଦ ଲିଖନ ଏକ ସେବା । ଏହା ଦ୍ୱାରା ସମାଜର ସେବା କରାଯାଇଥାଏ । ଅନେକ ସମସ୍ୟାର ସମାଧାନ ସାମ୍ବାଦିକତା ମାଧ୍ୟମରେ କରାଯାଇପାରେ । କଳା-ଗୋରା ଭେଦଭାବ ଠାରୁ ଆରମ୍ଭ କରିଶାସକ ବଦଳା ଯାଇପାରେ । ଏବଂ ଗାନ୍ଧିଜୀ ତାଙ୍କ ଜୀବଦଶା ମଧ୍ୟରେ ତାଙ୍କର ଲେଖା ଓ ଅହିଂସା ଦ୍ୱାରା ଏହା ପ୍ରମାଣିତ କରିଛନ୍ତି । ତାଙ୍କ ମୃତୁ୍ୟ ପରେ ଅନେକ ବ୍ୟକ୍ତି ଓ ଦେଶ ଏହି ପରଂପରାକୁ ଆପଣାଇଛନ୍ତି ।
ଗାନ୍ଧିଜିଙ୍କ ପ୍ରଥମ ସାମ୍ବାଦିକତା ଦାଦାଭାଇ ନାରୋଜୀଙ୍କ ପ୍ରତିଷ୍ଠିତ“ଭଏସ ଅଫ ଇଣ୍ଡିଆ”ରେ ଆରମ୍ଭ ହୋଇଥିଲା । ସେ ଦକ୍ଷିଣ ଆଫ୍ରିକାରୁ ସେଠାକାର ଭାରତୀୟଙ୍କ ଉପରେ ହେଉଥିବା ଅତ୍ୟାଚାର ଓ ଅନ୍ୟାୟ ସଂପର୍କରେ ପ୍ରଥମେ ଲେଖା ଆରମ୍ଭ କଲେ । ପରେ ପରେ ସେଠାରେ ଆରମ୍ଭ ହୋଇଥିବା“ବୋଏର ଯୁଦ୍ଧ” ଖବର ସେ ଭାରତକୁ ପ୍ରେରଣ କଲେ । ତାଙ୍କୁ ସେ ସମୟରେ ଜଣେ ବାରିଷ୍ଟର କମ୍ ଯୁଦ୍ଧ ସାମ୍ବାଦିକ ଅଧିକ ବୋଲି କୁହାଯାଉଥିଲା । କେତେକ ଭାରତୀୟ ସହଯୋଗୀଙ୍କ ସହଯୋଗରେ ୧୯୦୩ ଜୁନ୍ ୪ ତାରିଖରେ ଦକ୍ଷିଣ ଆଫ୍ରିକାରେ ଗାନ୍ଧିଙ୍କ ଦ୍ୱାରା ପ୍ରଥମ ଖବରକାଗଜ“ଇଣ୍ଡିଆନ ଓପିନିୟନ” ପ୍ରକାଶ ପାଇଲା । ଏହା ସେଠାକାର ଭାରତୀୟଙ୍କ ଖବର ପ୍ରକାଶ କରିଲା । ଏହା ଇଂରାଜୀ ଓ ୩ଟି ଭାରତୀୟ ଭାଷା (ହିନ୍ଦୀ, ଗୁଜୁରାଟୀ ଓ ତାମିଲ)ରେ ପ୍ରକାଶ ପାଇ ଯଥେଷ୍ଟ ଆଦୃତି ଲାଭ କରିଥିଲା । ଏହା ୧୯୧୫ ମସିହା ପର୍ଯ୍ୟନ୍ତ ସାପ୍ତାହିକ ଭାବେ ପ୍ରକାଶ ପାଉଥିଲା । ବିଭିନ୍ନ ସମୟରେ ୪ଟି ଭାଷାରେ ପ୍ରକାଶ ପାଇ ଏହା ସାଧାରଣ ପାଠକଙ୍କ ପ୍ରିୟ ହେବା ସହ ସରକାରଙ୍କ ରୋଷର ଶୀକାର ହୋଇଥିଲା । ଭାରତକୁ ଫେରିବା ପରେ ଗାନ୍ଧି “ନବଜୀବନ” ନାମକ ସାପ୍ତାହିକ ଗୁଜୁରାଟୀ ପତ୍ରିକା ପ୍ରକାଶ କରିଥିଲେ । ଦକ୍ଷିଣ ଆଫ୍ରିକାର ଅଭିଜ୍ଞତାକୁ ସେ ଭାରତରେ “ନବଜୀବନ” ମାଧ୍ୟମରେ ପ୍ରୟୋଗ କରିଥିଲେ । ଏହାର ପ୍ରଥମ ସଂଖ୍ୟା ୧୯୧୯ ମସିହା ସେପ୍ଟେମ୍ବର ୭ରେ ପ୍ରକାଶ ପାଇଥିଲା । ଏହା ଉଭୟ ଦେଶର ବିକାଶ ଓ ସ୍ୱାଧୀନତା ସଂଗ୍ରାମର କଥା ପ୍ରକାଶ କରୁଥିଲା । ଏହାକୁ ପ୍ରକାଶ କରିବା ପାଇଁ ଗାନ୍ଧି ଏକ ପ୍ରକାଶନ ସଂସ୍ଥା ନିର୍ମାଣ କରିଥିଲେ । ଏହା ଗୁଜୁରାଟର ଅହମଦାବାଦରୁ ପ୍ରକାଶ ପାଇଥିଲା । ତେବେ ଏହାର ଚାହିଦା ଦେଖି ଏହାକୁ ବିଭିନ୍ନ ଭାରତୀୟ ଭାଷାରେ ପ୍ରକାଶ କରାଯାଇଥିଲା । ଏହା ୧୯୩୧ ମସିହା ପର୍ଯ୍ୟନ୍ତ ପ୍ରକାଶ ପାଇଥିଲା । ଏହାକୁ ପୁନର୍ବାର ମହାତ୍ମାଗାନ୍ଧି ଓ ଜବାହରଲାଲ ନେହେରୁ ୧ ନଭେମ୍ବର୧୯୪୭ରେ ପୁନଃ ପ୍ରକାଶନ କରିଥିଲେ । ଏହା ଦୈନିକ ଭାବେ ପ୍ରକାଶ ପାଇଥିଲା ।
ଇଂରାଜୀ ଭାଷାର ପ୍ରଭାବ ଓ ଇଂରେଜ ଅଧିକାରୀଙ୍କ ନିକଟରେ ନିଜର ମନର ଭାବ ଓ ଭାଷା ପ୍ର୍ରକାଶ ପାଇଁ ମହାତ୍ମାଗାନ୍ଧି ୧୯୧୯ ଜାନୁୟାରୀ ୧ରେ “ୟଙ୍ଗଇଣ୍ଡିଆ” ନାମକ ଇଂରାଜୀ ସାପ୍ତାହିକ ଖବର କାଗଜ ପ୍ରକାଶ ଆରମ୍ଭ କରିଥିଲେ । ଏହା ବମ୍ବେରୁ ପ୍ରକାଶ ହୋଇଥିଲା । ଏହା ମଧ୍ୟ ୧୯୩୧ ମସିହା ପର୍ଯ୍ୟନ୍ତ ପ୍ରକାଶ ପାଇଥିଲା । ଏହା ସେ ସମୟରେ ସ୍ୱାଧୀନତା ସଂଗ୍ରାମର ମୂଳ ଉତ୍ସ ହୋଇ ପାରିଥିଲା । ଗାନ୍ଧିଙ୍କସହ ଅନ୍ୟ ନେତାମାନଙ୍କର ବ୍ୟକ୍ତିଗତ ବନ୍ଧୁତା ଏହି ଖବରକାଗଜ ମାଧ୍ୟମରେ ହୋଇଥିଲା । ସରକାରଙ୍କ ଉପରେ ଗାନ୍ଧିଙ୍କ ଏହି ଖବରକାଗଜ ଅନେକ ପ୍ରଭାବ ପକାଇ ରୋଷର ଶୀକାର ହୋଇଥିଲା । ଫଳରେ ବିଭିନ୍ନ ଉପାୟରେ ଏଗୁଡ଼ିକୁ ବନ୍ଦ କରାଇ ଦିଆଯାଇଥିଲା ।
“ନବଜୀବନ” ଓ “ୟଙ୍ଗ ଇଣ୍ଡିଆ” ପ୍ରକାଶନ ବନ୍ଦ ହେବା ପରେ ଗାନ୍ଧିଜୀ ୧୯୩୩ ମସିହା ଫେବୃୟାରୀ ୧୧ରେ “ହରିଜନ” ପ୍ରକାଶ କରିଥିଲେ । ଏହା ୟେରୱାଡ଼ା ଜେଲରୁ ଆତ୍ମ ପ୍ରକାଶକରିଥିଲା । ଏହି ସମୟରେ ଗାନ୍ଧିଜୀ ଜେଲରେ ଥିଲେ । ଏହା ମଧ୍ୟ ଇଂରାଜୀ ଭାଷାରେ ପ୍ରକାଶ ପାଇବା ସହ ସାପ୍ତାହିକ ଭାବେ ପ୍ରକାଶ ପାଇଥିଲା ।ଏହା ୧୯୪୮ ମସିହା ପର୍ଯ୍ୟନ୍ତ ପ୍ରକାଶ ପାଇଥିଲା । ଏହା ମୁଖ୍ୟତଃ ସ୍ୱାଧୀନତା ସଂଗ୍ରାମର ଭାଷା ପ୍ରକାଶ କରୁଥିଲା । ଭାରତ ବର୍ଷର ବିଭିନ୍ନ ସ୍ଥାନରେ ଏହି ଖବର କାଗଜର ପ୍ରସାରଣ ହେବା ସହ ସମସ୍ତଙ୍କ ପ୍ରିୟ ଥିଲା । ଏହି ସମୟ ମଧ୍ୟରେ ଗୁଜୁରାଟୀ ଭାଷାରେ “ହରିଜନ ବନ୍ଧୁ” ଓ ହିନ୍ଦୀ ଭାଷାରେ “ହରିଜନ ସେବକ” ନାମରେ ମଧ୍ୟ ଅନ୍ୟ ୨ଟି ଖବର କାଗଜ ମଧ୍ୟ ଗାନ୍ଧି ପ୍ରକାଶ କରିଥିଲେ ।
ଗାନ୍ଧିଙ୍କ ସାମ୍ବାଦିକତା ଓ ସଂପାଦନା ଉଭୟରେ ସେ ଦେଶର ସ୍ୱାଧୀନତା ସଂଗ୍ରାମ, ଆର୍ଥିକବିକାଶ, ସାମାଜିକ ବିକାଶ ଓ ସାଂସ୍କୃତିକ ବିକାଶର କଥା ଲେଖୁଥିଲେ ଓ କହୁଥିଲେ । ସେଥିପାଇଁ ଏହା ଦେଶର ସାଧାରଣ ଲୋକଙ୍କ ନିଜର ହେବା ସହ ସ୍ୱାଧୀନତା ସଂଗ୍ରାମରେ ଏକ ବିରାଟ ଭୂମିକା ରହିଥିଲା । ତେଣୁ ଯଥାର୍ଥରେ କୁହାଯାଇପାରେ ଗାନ୍ଧି ବାରିଷ୍ଟର, ସ୍ୱାଧୀନତା ସଂଗ୍ରାମ ଓ ସାମ୍ବାଦିକତା-ସମ୍ପାଦନାରେ ମଧ୍ୟ ସଫଳ ଥିଲେ ।
ଈଶ୍ୱରପୁର,ସୁନ୍ଦରଗ୍ରାମ, କଟକ