ଭୂମିକମ୍ପ ଗୁଜବ


ଅକ୍ଟୋବର ମାସ ଶେଷ ବେଳକୁ ବାତ୍ୟା ଓଡ଼ିଶାରେ ହେବ ବୋଲି ଗୋଟିଏ ପାଞ୍ଜିରେ ଦର୍ଶାଯାଇଥିଲା । ଆହୁରି ମଧ୍ୟ ସେହି ପାଞ୍ଜିରେ ଲେଖା ଯାଇଥିଲା ଯେ ଭୂମିକମ୍ପ, ନଈବଢ଼ି ଆଦି ଦୈବୀ ଦୁର୍ବିପାକର ସମ୍ଭାବନା ରହିଛି । ଏ ପ୍ରକାରର ସୂଚନା କେବଳ ଗୋଟିଏ ପାଞ୍ଜିକୁ ଛାଡ଼ି ଦେଲେ ଅନ୍ୟ କୌଣସି ପାଞ୍ଜିରେ ନଥିଲା । ତେବେ ଭୂମିକମ୍ପ ଭଳି ଘଟଣାର ପୂର୍ବାନୁମାନ କରିବା ଏ ପର୍ଯ୍ୟନ୍ତ କୌଣସି ବୈଜ୍ଞାନିକ ପଦ୍ଧତିରେ ସମ୍ଭବ ହୋଇ ପାରିନାହିଁ । ବର୍ଷ ଆରମ୍ଭରୁ ଏକ ପାଞ୍ଜିର ଗଣନାରେ ଏଭଳି ଏକ ଭବିଷ୍ୟବାଣୀକୁ ଉଲ୍ଲେଖ କରାଯାଇଥିବାରୁ ସେହି ପାଞ୍ଜି ପ୍ରତି ଲୋକମାନଙ୍କର ବିଶ୍ୱାସ ଅବଶ୍ୟ ବଢ଼ିଯାଇଛି । କିନ୍ତୁ ସେହି ପାଞ୍ଜିରେ ରହିଥିବା  ଭବିଷ୍ୟବାଣୀ ଗୁଡ଼ିକ ମଧ୍ୟରୁ ଅକ୍ଟୋବର ମାସରେ ବାତ୍ୟା ହେବା କଥା ଉଲ୍ଲେଖ କରାଯାଇଥିଲା ଏବଂ ଅକ୍ଟୋବର ମାସରେ ହିଁ ଶେଷ ସପ୍ତାହ ବେଳକୁ ବାତ୍ୟା ‘ଦାନା’ ଓଡ଼ିଶା ଉପକୂଳ ଅତିକ୍ରମ କରିଲା । ତେବେ ଏହି ବାତ୍ୟାରେ ଓଡ଼ିଶା ଉପକୂଳରେ ବିଶେଷ କରି କ୍ଷୟକ୍ଷତି ହୋଇନାହିଁ । କିନ୍ତୁ ଯେହେତୁ ଏ ବିଷୟ ପାଞ୍ଜିରେ ଲେଖାଥିଲା ଏବଂ ସେଭଳି ଏକ ବାତ୍ୟା ହେଲା ତେଣୁ ପାଞ୍ଜିରେ ଲେଖାଥିବା ଅନ୍ୟ ଘଟଣା ଗୁଡିକୁ ମଧ୍ୟ ସତ୍ୟ ହେବ ବୋଲି ଲୋକମାନେ ଦୃଢ଼ ଭାବରେ ବିଶ୍ୱାସ କରୁଛନ୍ତି । ଏହି ପାଞ୍ଜିରେ ଓଡ଼ିଶାରେ ଭୂମିକମ୍ପ ହେବା କଥା ମଧ୍ୟ ଉଲ୍ଲେଖ ରହିଛି । ତେବେ ଭୂମିକମ୍ପ ନ ହୋଇ ମଧ୍ୟ କିଛି ବ୍ୟକ୍ତି ନଭେମ୍ବର ୪ ତାରିଖ ଦିନ ଓଡ଼ିଶାରେ ଭୂମିକମ୍ପ କରି ଦେଲେ । ହଠାତ୍ କୌଣସି ଏକ ଅଜଣା ସୂତ୍ରକୁ ଆଧାର କରି ନଭେମ୍ବର ୪ ତାରିଖ ଭୋର୍ରୁ ଗୋଟିଏ ସେକେଣ୍ଡ୍ ପାଇଁ ଭୂମିକମ୍ପ ହୋଇଥିବାର ଏକ ଗୁଜବ ପ୍ରଚାରିତ ହୋଇଗଲା । କିଛି ସାମାଜିକ ଗଣମାଧ୍ୟମ ଏବଂ ୱେବ୍ ଚ୍ୟାନେଲ୍ରେ ଏଭଳି ଗୁଜବକୁ ବଢ଼େଇ ଚଢ଼େଇ ପାଞ୍ଜି ସହିତ ଯୋଡ଼ି ଭାରତୀୟ ଫଳିତ ଜ୍ୟୋତିଷର ଗଣନାକୁ ପ୍ରଶଂସା କରି ଦିନତମାମ୍ ବିଭିନ୍ନ ଚର୍ଚ୍ଚା ସୃଷ୍ଟି କରିଲେ । କିଛି ଲୋକ ଏଭଳି ଏକ ଭୂମିକମ୍ପ ଗୋଟିଏ ସେକେଣ୍ଡ ପାଇଁ ଅନୁଭବ କରିଥିବା ବର୍ଣ୍ଣନା କରି ବିଭିନ୍ନ ସାଙ୍ଗସାଥି ତଥା ପରିଜନମାନଙ୍କୁ ଫୋନ୍ କରିବା ଆରମ୍ଭ କରି ଦେଲେ । ଏ ପ୍ରକାର ଗୁଜବର କୌଣସି ବସ୍ତୁଗତ ଲାଭ କାହାରିକୁ ମିଳିବାର ନାହିଁ । କିନ୍ତୁ ଭାରତୀୟ ସଂସ୍କୃତି ଏବଂ ଫଳିତ ଜ୍ୟୋତିଷକୁ ନେଇ ଅନେକ କାହାଣୀ ବଢ଼େଇ ଚଢ଼େଇ ଦିନ ତମାମ୍ ଚର୍ଚ୍ଚା ହେଲା । ଅପରାହ୍ନ ବେଳକୁ ସରକାରୀ ଭାବରେ ପାଣିପାଗ ବିଭାଗ ପକ୍ଷରୁ ଏଭଳି କୌଣସି ଭୂମିକମ୍ପ ହୋଇନଥିବାର ସୂଚନା ଆସିଲା । ତେବେ ଦିନ ଯାକ ଗୋଟିଏ ସେକେଣ୍ଡ ଭୂମିକମ୍ପର ଅନୁଭୂତି ବଖାଣୁଥିବା ଲୋକମାନେ କି ପ୍ରକାରର ଅନୁଭୂତି ପାଇଛନ୍ତି, ତାହା ସ୍ୱାଭାବିକ ଭାବେ ଏବେ ପ୍ରଶ୍ନବାଚୀ ଘେରରେ । 
ପାଞ୍ଜିର ଅନେକ କଥା ସମ୍ଭାବନା ଭାବରେ ଲେଖାଯାଏ । ସେଥିରେ କୌଣସି ବୈଜ୍ଞାନିକ ପଦ୍ଧତି ଅବଲମ୍ବନ କରାଯିବା ପରିବର୍ତ୍ତେ ଗ୍ରହ, ନକ୍ଷତ୍ରଙ୍କର ଖଗୋଳ ଅବସ୍ଥିତି ନେଇ ତାକୁ ପୂର୍ବାନୁମାନ କରାଯାଏ । ଏହି ପୂର୍ବାନୁମାନ ସବୁବେଳେ ଯେ ସତ ହେବ, ତାହାର କୌଣସି ନିଶ୍ଚିତତା ନାହିଁ । ଯେତେବେଳେ ମିଛ ହୁଏ ସେତେବେଳେ ମିଛ ହେଲା ବୋଲି କେହି କହନ୍ତି ନାହିଁ । କିନ୍ତୁ ଘଟଣାଟିଏ ଘଟିଗଲା ପରେ ତାକୁ ବିଭିନ୍ନ ପ୍ରକାରର ପାରମ୍ପରିକ ଓ ପ୍ରାଚୀନ ବିଦ୍ୟା ସହିତ ଯୋଡ଼ି ଦିଆଯାଏ । ସେହି ବିଦ୍ୟା ଗୁଡ଼ିକୁ ବିଜ୍ଞାନ ଗ୍ରହଣ କରେ ନାହିଁ । କୌଣସି ଏକ ପୂର୍ବାନୁମାନର ପଦ୍ଧତି କଣ ତାହା ହିଁ ବିଜ୍ଞାନ ଖୋଜେ । ତେବେ କଥାଟି ବିଜ୍ଞାନ ନିକଟରେ ନାହିଁ, ରହିଛି ଗୁଜବ ନିକଟରେ । ବୈଜ୍ଞାନିକ ପଦ୍ଧତିରେ ଭୂମିକମ୍ପ ସମ୍ପର୍କିତ ସୂଚନା ଦେଉଥିବା ବିଭାଗ ନିକଟରେ ଭୂମିକମ୍ପର କୌଣସି ସୂଚନା ନାହିଁ । କିନ୍ତୁ ଲୋକେ କହୁଛନ୍ତି ସେମାନେ ଭୂକମ୍ପନ ଅନୁଭବ କରିଛନ୍ତି । ସବୁଠାରୁ ମଜା କଥା ହେଲା ପରିବାର ଭିତରୁ ଜଣେ ଏହି ଭୂକମ୍ପନ ଅନୁଭବ କରିଥିବା ବେଳେ ଅନ୍ୟମାନେ ଏଭଳି ଅନୁଭୂତି ପାଇନଥିବା ମତ ପ୍ରକାଶ କରିଛନ୍ତି । ତେବେ ଯାହାବି ହେଉ କୌଣସି ଏକ ମିଥ୍ୟାକୁ ପ୍ରଚାର କରିବା ଦିଗରେ ବର୍ତ୍ତମାନର ଗଣମାଧ୍ୟମ ଗୁଡ଼ିକ କେତେ ତତ୍ପର ତାହା ହିଁ ଚିନ୍ତାର ବିଷୟ ।