ଫସଲ ଅମଳ ବନାମ୍ ପ୍ରଦୂଷଣ


ଫସଲ ଅମଳ ସହିତ ପ୍ରଦୂଷଣର କଣ ସମ୍ପର୍କ, ତା'ର ଆଲୋଚନା ନକଲେ ହଠାତ୍ ବୁଝି ହୁଏ ନାହିଁ । ପ୍ରତିବର୍ଷ ଗହମ ଅମଳ ପରେ ପାବ, ହରିୟାଣା ଏବଂ ଉତ୍ତର ଭାରତର ଚାଷୀମାନେ ଗହମ ଗଛ ଗୁଡ଼ିକୁ ଖେତରେ ନିଆଁ ଲଗାଇ ନଷ୍ଟ କରନ୍ତି । ଶୁଖିଲା ଗହମ ଗଛ ଗୁଡ଼ିକରେ ନିଆଁ ଲାଗିବା ପରେ ହଜାର ହଜାର ହେକ୍ଟର୍ ପରିମିତ ଅଞ୍ଚଳରେ ବାୟୁମଣ୍ଡଳରେ ଧୂଆଁ ଭର୍ତ୍ତି ହୋଇଯାଏ । ଏହି ସମସ୍ୟା ଗତ କିଛି ବର୍ଷ ହେଲା ଉକ୍ରଟ ଆକାର ଧାରଣ କରିଛି । ବିସ୍ତୀର୍ଣ୍ଣ ଶସ୍ୟ କ୍ଷେତ୍ରରୁ ଶସ୍ୟ ଅମଳ ପରେ ଗଛ ଗୁଡ଼ିକୁ ନଷ୍ଟ କରିବା ପାଇଁ ଚାଷୀମାନେ ଏଥିରେ ନିଆଁ ଲଗାଇ ଦେଉଛନ୍ତି । ଏହି ଗଛ ଗୁଡ଼ିକୁ ନଷ୍ଟ କରିବାର ଏହାଠାରୁ ଆଉ ସହଜ ଉପାୟ କିଛି ନାହିଁ । ତେଣୁ ଖେତରେ ନିଆଁ ଲଗାଇବା ଏକ ପାରମ୍ପରିକ ଘଟଣାରେ ପରିଣତ ହୋଇ ଯାଇଥିବା ବେଳେ ଏହି କାରଣରୁ ପରିବେଶ ଭୟଙ୍କର ଭାବରେ ଦୂଷିତ ହେଉଛି ବୋଲି ଚାଷୀମାନେ ଅନୁଭବ କରିପାରୁନାହାଁନ୍ତି । କିନ୍ତୁ ଏହି ଧୂଆଁର ଭୟଙ୍କର ପ୍ରଭାବ ନିକଟବର୍ତ୍ତୀ ସହରାଞ୍ଚଳ ଗୁଡ଼ିକରେ ପଡୁଛି । ଏଥିପାଇଁ ଗତକିଛି ବର୍ଷ ହେଲା ପାବ, ହରିୟାଣା, ଉତ୍ତର ପ୍ରଦେଶ, ଦିଲ୍ଲୀ ଆଦି ଅଞ୍ଚଳର କୃଷକମାନଙ୍କୁ ଅମଳ ପରେ ଶସ୍ୟ ନଡ଼ା ଗୁଡ଼ିକୁ ନ ପୋଡ଼ିବା ପାଇଁ ପରାମର୍ଶ ଦେଉଛନ୍ତି । ପ୍ରଥମେ ଏଭଳି ନକରିବା ପାଇଁ ଚାଷୀମାନଙ୍କୁ ଧମକ ଦିଆଗଲା । ଆଇନ୍ର ଜାଲରେ ଛନ୍ଦି ଦିଆଯିବ ବୋଲି କୁହାଗଲା । କିନ୍ତୁ ଅମଳ ପରବର୍ତ୍ତୀ ଶସ୍ୟ ନଡ଼ା ଗୁଡ଼ିକ କମ୍ ସମୟ ମଧ୍ୟରେ କୌଣସି ଉପାୟରେ ମଧ୍ୟ ନଷ୍ଟ ହୋଇପାରିବ ନାହିଁ । ଖେତକୁ ଶୀଘ୍ର ଖାଲି ନ କରିଲେ ପରବର୍ତ୍ତୀ ଚାଷ ଆଉ ସମ୍ଭବ ନୁହେଁ । ଗୋଟିଏ ପକ୍ଷରେ ଶୁଖିଲା ନଡ଼ା ଓ ଅନ୍ୟପକ୍ଷରେ ପରବର୍ତ୍ତୀ ଫସଲର ଆହ୍ୱାନ ନଡ଼ା ପୋଡ଼ିବା ପାଇଁ ଚାଷୀମାନଙ୍କୁ ବାଧ୍ୟ କରେ । ବର୍ତ୍ତମାନ ଫସଲ ଅମଳ ପରବର୍ତ୍ତୀ ନଡ଼ା ଗୁଡ଼ିକ ନଷ୍ଟ କରିବା ପାଇଁ ଏବଂ ସେସବୁକୁ ଜୈବିକ ଖତରେ ପରିଣତ କରିବା ପାଇଁ ବୈଜ୍ଞାନିକ ପଦ୍ଧତିର ଉପଯୋଗ କରାଯାଉଛି । ଏହିସବୁ ନଡ଼ା ଗୁଡ଼ିକୁ ମେସିନ୍ ସାହାଯ୍ୟରେ ଗୁଣ୍ଡ କରି ଏହାକୁ ଜୈବିକ ଖତ ପ୍ରସ୍ତୁତିରେ ବ୍ୟବହାର କରାଯାଉଛି । ଏଥିପାଇଁ କେନ୍ଦ୍ର ସରକାର ଦିଲ୍ଲୀ ଏବଂ ନିକଟବର୍ତ୍ତୀ ସହରର ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଉତ୍ତର ଭାରତର ଚାଷୀମାନଙ୍କୁ ଫସଲର ଅବଶେଷ ପରିଚାଳନା ନିମିତ୍ତ ମେସିନ୍ର ବ୍ୟବହାର କରିବାକୁ ଉତ୍ସାହିତ କରୁଛନ୍ତି । ଆର୍ଥôକ ସହାୟତା ମାଧ୍ୟମରେ ପଞ୍ଚାୟତ ଗୁଡ଼ିକୁ ମେସିନ୍ ଯୋଗାଇ ଦେଉଛନ୍ତି । ଏ ବାବଦରେ କେନ୍ଦ୍ର ସରକାର ଚଳିତବର୍ଷ ଶହ ଶହ କୋଟି ଟଙ୍କାର ଏକ ବଜେଟ୍ ପ୍ରସ୍ତୁତ କରିଛନ୍ତି ଏବଂ ଏ ପର୍ଯ୍ୟନ୍ତ ୨୭୫ କୋଟି ଟଙ୍କାର ପାଣ୍ଠି ଦିଆଗଲାଣି । ଉତ୍ପାଦନ ପରବର୍ତ୍ତୀ କୃଷି ଅବଶେଷର ପରିଚାଳନା ବୈଜ୍ଞାନିକ ପଦ୍ଧତିରେ ଉପଯୁକ୍ତ ଭାବରେ କରାଗଲେ ଏହା ଭବିଷ୍ୟତର ଖତ ଏବଂ ସାରର ଉତ୍ପାଦନକୁ ମଧ୍ୟ ବୃଦ୍ଧି କରିବାରେ ସହାୟକ ହେବ । ଏହି ପଦାର୍ଥ ଗୁଡ଼ିକ ଗୋଟିଏ ବର୍ଷ ମଧ୍ୟରେ ନଷ୍ଟ ନ ହେଲେ ମଧ୍ୟ କୃଷିକ୍ଷେତ୍ରରେ ନିର୍ଦ୍ଦିଷ୍ଟ ଏକ ଛୋଟ ସ୍ଥାନରେ ଏ ଗୁଡ଼ିକର ପ୍ରକ୍ରିୟାକରଣ କରି ପୋତି ଦେଲେ ଗୋଟିଏ ବର୍ଷ ମଧ୍ୟରେ ଏସବୁ ଉତ୍ତମ ଜୈବିକ ଖତରେ ପରିଣତ ହୋଇପାରିବ । 
କେବଳ ଗହମ, ସୋରିଷ, ଧାନ ଇତ୍ୟାଦି ଫସଲ ନୁହେଁ କଦଳୀ ଭଳି ଫଳ ଚାଷ କ୍ଷେତ୍ରରେ ମଧ୍ୟ ବିପୁଳ ପରିମାଣର ଉତ୍ପାଦନ ପରବର୍ତ୍ତୀ ଅବଶେଷ ଏକ ବଡ଼ ସମସ୍ୟା ରୂପେ ଦେଖା ଦେଇଛି । ବିଶେଷ କରି ଦକ୍ଷିଣ ଭାରତର କଦଳୀ ଚାଷୀମାନେ କାନ୍ଦି କାଟି ନେବା ପରେ ଗଛକୁ ରାସ୍ତାକଡ଼ରେ ଏଣେତେଣେ ଫୋପାଡୁଛନ୍ତିି । ଏଥିମଧ୍ୟରୁ କଦଳୀ ବାହୁଙ୍ଗା ଏବଂ ଗଣ୍ଡି ଆଦିକୁ କଦଳୀ ପଠାଯାଉଥିବା ରାଜ୍ୟମାନଙ୍କୁ କିଛି କିଛି ପରିମାଣରେ ସେହି ଟ୍ରକ୍ରେ ପଠେଇ ଦିଆଯାଉଛି । ମଣ୍ଡିରେ କଦଳୀ ଖଲାସ୍ ହେବା ପରେ ସେହି କଦଳୀପତ୍ର ଗୁଡ଼ିକ ବିପୁଳ ପରିମାଣରେ ଜମା ହେଉଛି କିମ୍ବା ଟ୍ରକ୍ ଗୁଡ଼ିକ ଫେରିବା ବେଳେ ରାସ୍ତାର ନିଛାଟିଆ ସ୍ଥାନରେ ଫୋପାଡ଼ି ଦେଉଛନ୍ତି । ବର୍ତ୍ତମାନ କେବଳ ଉତ୍ତର ଭାରତ ନୁହେଁ, ବରଂ ସମଗ୍ର ଦେଶରେ କୃଷି ଅବଶେଷ ପଦାର୍ଥର ପରିଚାଳନା ଏବଂ ବଡ଼ ସମସ୍ୟା ସୃଷ୍ଟି କରୁଥିବାରୁ ଏ ଦିଗରେ ଚିନ୍ତା କରିବାର ଆବଶ୍ୟକତା ଅଛି ।