ଜଟିଳତମ ଚିକିତ୍ସା ସେବା


ସାଧାରଣ ଗୁରୁତର ସ୍ୱାସ୍ଥ୍ୟରକ୍ଷା କ୍ଷେତ୍ରରେ ଜଟିଳତମ ଚିକିତ୍ସା ସେବା ବ୍ୟବସ୍ଥାକୁ ଆଇସିୟୁ କୁହାଯାଇଥାଏ ।  ଆଇସିୟୁ ବା ଇଣ୍ଟେନସିଭ କେଆର ୟୁନିଟ ହେଉଛି ଡାକ୍ତରଖାନାର ଏକ ସ୍ୱତନ୍ତ୍ର ୱାର୍ଡ଼ ଯେଉଁଠି ଗୁରୁତର ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥାର ସୂକ୍ଷ୍ମ ନିରୀକ୍ଷଣ କରାଯାଏ ଏବଂ ସେମାନଙ୍କୁ ଜୀବନ ରକ୍ଷାକାରୀ ଚିକିତ୍ସା ପ୍ରଦାନ କରାଯାଏ । ଯେଉଁଠି ବିଶେଷଜ୍ଞ ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ଦଳର ଅନବରତ ନିରୀକ୍ଷଣ ଲୋଡ଼ୁଥିବା ରୋଗୀମାନଙ୍କ ପାଇଁ ଆଇସିୟୁ ଆବଶ୍ୟକ ହୋଇଥାଏ । ସେହିପରି ସ୍ୱାଭାବିକ ଭାବେ ପ୍ରଶ୍ନ ଉଠେ ଯେ କେଉଁ ପ୍ରକାରର ରୋଗୀ ବା ଶରୀରର କେଉଁ ପରି ଜଟିଳତମ ପରିସ୍ଥିତିରେ ଜଣକୁ ସାଧାରଣତଃ ଆଇସିୟୁରେ ଭର୍ତ୍ତି କରିବାକୁ ପଡ଼ିଥାଏ? ଯେଉଁ ରୋଗୀମାନେ ଗୁରୁତର ଭାବେ ଅସୁସ୍ଥ ବା ଆହତ ହୋଇଥାନ୍ତି, ଯେମିତିକି ଦୁର୍ଘଟଣାରେ ଗୁରୁତର ଆଘାତ ଲାଗିବା, ହୃଦଘାତ, ଷ୍ଟ୍ରୋକ ବା ଜଟିଳ ସଂକ୍ରମଣ ହେବା ଆଦି କ୍ଷେତ୍ରରେ ରୋଗୀଙ୍କୁ ଆଇସିୟୁରେ ରଖାଯାଏ । ବଡ଼ ଧରଣର ଅସ୍ତ୍ରୋପଚାର ବା ଅଙ୍ଗପ୍ରତ୍ୟଙ୍ଗ ନିଷ୍କ୍ରିୟ ହୋଇଯାଇଥିବା ରୋଗୀଙ୍କୁ ମଧ୍ୟ ଆଇସିୟୁରେ ଭର୍ତ୍ତି କରି ଚିକିତ୍ସା କରିବାକୁ ପଡ଼େ ।
ଚିକିତ୍ସା ସେବାରେ ଆଜି ଆଇସିୟୁ ଯଥେଷ୍ଟ ଅଗ୍ରଗତି କରିଥିବାବେଳେ ଏହି ବ୍ୟବସ୍ଥାରେ କେଉଁପରି ସରଞ୍ଜାମ, ଯନ୍ତ୍ର ଓ ସାମଗ୍ରିକ ସେବା ବ୍ୟବସ୍ଥା ସହ ପରୀକ୍ଷା ନିରୀକ୍ଷା ରହିଥାଏ? ଆଇସିୟୁରେ ଅତ୍ୟାଧୁନିକ ଯନ୍ତ୍ରପାତି ଓ ଉପକରଣ ରହିଥାଏ, ଯାହା ସାହାଯ୍ୟର ଗୁରୁତର ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ନିରୀକ୍ଷଣ କରିବା ସହିତ ସେମାନଙ୍କର ଯତ୍ନ ନିଆଯାଇଥାଏ । ସେଭଳି କେତେକ ସାଧାରଣ ଯନ୍ତ୍ର ହେଉଛି ଭେଣ୍ଟିଲେଟର ହାର୍ଟ ମନିଟର, ଡାଏଲିସିସ୍ ମେସିନ ଓ ଇନଫୁ୍ୟଜନ ପମ୍ପ, ଅଲଟ୍ରା ସୋନୋଗ୍ରାଫି, ଏବିଜି ମେସିନ, ସକ୍ସନ ମେସିନ, ଏଆରୱେ ସରଞ୍ଜାମ ଇତ୍ୟାଦି । ଜଣେ ରୋଗୀ ଆଇସିୟୁରେ ରହିଥିବାବେଳେ ମୋ ଅନୁଭବ ସମୟ ଭିତରେ ମନେ ପଡ଼ୁଛି ଅନେକ ଘଟଣାରେ ରୋଗୀ ସମ୍ପର୍କୀୟଙ୍କ ଆଇସିୟୁ ଭିତରକୁ ଯିବାକୁ ନେଇ ସମ୍ପୃକ୍ତ ଡାକ୍ତରଖାନା କର୍ତ୍ତୃପକ୍ଷ ଓ ଡାକ୍ତରଙ୍କ ସହ ମନୋମାଳିନ୍ୟ ହୋଇଥାଏ । କେତେକ କ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତି ସମ୍ପର୍କରେ ମୁଁ ଜାଣିଛି । ଆସନ୍ତୁ ସର୍ବପ୍ରଥମେ ଜାଣିବା ପ୍ରକୃତରେ ଆଇସିୟୁ ଭିତରକୁ କେଉଁମାନେ ଯାଇପାରିବେ? ହଁ, ପରିବାର ଲୋକ ଆଇସିୟୁ ଭିତରକୁ ଯାଇପାରିବେ, କିନ୍ତୁ କେତେକ କଟକଣା ରହିଛି । ଏହ ସମୟ ସୀମିତ ରହିଥାଏ ଏବଂ ସମ୍ପର୍କୀୟଙ୍କୁ ମାସ୍କ ଓ ଗାଉନ ପରି ସୁରକ୍ଷା ପୋଷାକ ପିନ୍ଧିବାକୁ ପଡ଼ିଥାଏ । ଏପରି କରାଯିବାର ଉଦେ୍ଦଶ୍ୟ ହେଲା ଉଭୟ ରୋଗୀ ଓ ସମ୍ପକୀୟଙ୍କୁ ସଂକ୍ରମଣରୁ ସୁରକ୍ଷା ଦେବା । ସେହିପରି ପ୍ରଶ୍ନ ଉଠେ ଜଣେ ରୋଗୀ ସାଧାରଣତଃ କେତେ ଦିନ ଆଇସିୟୁରେ ରହିଥାନ୍ତି? ଏହି ଜଟିଳତମ ପ୍ରଶ୍ନ ସହିତ ଆଉ ଏକ ପ୍ରଶ୍ନ ଅନେକଙ୍କ ସହିତ ଅନେକ ସମୟରେ ମଧ୍ୟ ଉଠିଥାଏ । ତାହା ହେଉଛି କେତେକ ଚିକିତ୍ସା ସେବା ପ୍ରତିଷ୍ଠାନ ମୁର୍ମୂର୍ଷୁଙ୍କୁ କେବଳ ଅର୍ଥ ଆଦାୟ ନିମିତ୍ତ ଦୀର୍ଘଦିନ ଧରି ଚିକିତ୍ସା ପାଇଁ ଆଇସିୟୁ ପରାମର୍ଶ ଦେଇଥାନ୍ତି ଏବଂ କେତେକ କ୍ଷେତ୍ରରେ ତାଙ୍କ ପରିଜନମାନେ ଅସହାୟ ଭାବେ ବାଧ୍ୟ ହୋଇ ଏହି ପରାମର୍ଶକୁ ଗ୍ରହଣ କରନ୍ତି ତେବେ ମୂଳକଥାଟି ହେଲା ଆଇସିୟୁ ରହଣିର ଅବଧି ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ଚିକିତ୍ସାର ଫଳପ୍ରଦତା ଉପରେ ନିର୍ଭର କରେ । କେତେକ ରୋଗୀ ମାତ୍ର କିଛି ଦିନ ପାଇଁ ଆଇସିୟୁରେ ରହୁଥିବାବେଳେ ଅନ୍ୟ ରୋଗୀମାନେ ଅନେକ ସପ୍ତାହ, ଏପରିକି ମାସ ମାସ ଧରି ରହିଥାନ୍ତି । ଆଇସିୟୁ ଟିମର କାମ ହେଲା ରୋଗୀକୁ ଆରୋଗ୍ୟଲାଭ କରିବାରେ ସାହାଯ୍ୟ କରିବା ଏବଂ ଯଥାଶୀଘ୍ର କମ ଯତ୍ନ ଲୋଡ଼ୁଥିବା ସ୍ଥିତିକୁ ଆଣିବା । ଚିକିତ୍ସା ବିଜ୍ଞାନର ଅତ୍ୟନ୍ତ ଗୁରୁତର ଓ ବ୍ୟୟସାପେକ୍ଷ ଚିକିତ୍ସା ବ୍ୟବସ୍ଥା ହେଉଛି ଆଇସିୟୁ । ଯେଉଁଠାରେ ପୀଡ଼ିତ ଜଣଙ୍କ ଅତ୍ୟନ୍ତ ଗୁରୁତର ଓ ମୁର୍ମୂର୍ଷୁ ଭାବେ ପରିଗଣିତ ହୋଇ ଏହି ଚିକିତ୍ସା ସେବାକୁ ଗ୍ରହଣ କରିଥାନ୍ତି । ଆପଣ, ଆପଣଙ୍କ ରୋଗୀ ପାଇଁ ସ୍ୱାସ୍ଥ୍ୟ ସେବା ନେଇ ଯାହାକିଛି ବୁଝିବା ପାଇଁ ଚାହୁଁଥିଲେ ସମ୍ପୃକ୍ତ ଡାକ୍ତରଙ୍କ ସହ ଖୋଲା ଭାବେ କଥା ହୁଅନ୍ତୁ । ମନେରଖନ୍ତୁ ଜଣେ ଡାକ୍ତରଙ୍କ ପାଇଁ ରୋଗୀଟିର ଜୀବନ ରକ୍ଷା କରିବା ଜୀବନର ବ୍ରତ । ତେବେ ସେ ଡାକ୍ତର ମଧ୍ୟ ଜଣେ ମଣିଷ ଏବଂ ତାଙ୍କର ବି ଜୀବନ ଅଛି, ତାଙ୍କର ବି ଧୈର୍ଯ୍ୟ ଅଛି, ତାଙ୍କର ବି ଘର ପରିବାର ସଂସାର ଅଛି । ତେଣୁ କୌଣସି ପରିସ୍ଥିତିରେ ଆପଣ ଧୈର୍ଯ୍ୟଚୁ୍ୟତ ହୋଇ ଚିକିତ୍ସା ବ୍ୟବସ୍ଥାକୁ ଅସହଯୋଗ କରନ୍ତୁ ନାହିଁ । ତେଣୁ ଏ କ୍ଷେତ୍ରରେ ଆପଣ ତମାମ ଚିକିତ୍ସା ବ୍ୟବସ୍ଥା ଉପରେ ଭରସା ରଖି ଆପଣଙ୍କ ରୋଗୀଟି ପାଇଁ ଧୈର୍ଯ୍ୟପୂର୍ଣ୍ଣ ଭାବେ ଭଗବାନଙ୍କ ପାଖରେ ପ୍ରାର୍ଥନା ପୂର୍ବକ ନିଜକୁ ଆଗେଇ ନେଲେ ପୀଡ଼ିତ ଜଣଙ୍କ ନିଶ୍ଚିନ୍ତ ଭାବେ ଆରୋଗ୍ୟ ଲାଭ କରିପାରିବେ । 
 ନାରାୟଣ ଚନ୍ଦ୍ର ବିଶ୍ୱାଳ
ମୋ : ୯୪୩୮୨୭୬୭୬୦