କୃଷି ଓ କୃଷିଜୀବୀଙ୍କ ସମସ୍ୟା
ବାଦଲ ଭୂୟାଁ : ଓଡ଼ିଶାରେ ପ୍ରାୟତଃ ଚାଷ କାର୍ଯ୍ୟ ପାଇଁ ନିୟୋଜିତ ପାରମ୍ପାରିକ ଶ୍ରମିକ ମାନଙ୍କ ସଂଖ୍ୟା କମି ଯାଉଛି । ଓଡ଼ିଶାରେ ଧାନରୁଆ, ବଛାରେ ନିୟୋଜିତ ହେଉଛନ୍ତି ପଶ୍ଚିମବଙ୍ଗରୁ ଆସୁଥିବା ଶ୍ରମିକ । କେବଳ ଏଇ ଗୋଟିଏ ରାଜ୍ୟ ନୁହେଁ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼ର ଶ୍ରମିକ ବି ଓଡ଼ିଶାର ଚାଷ କାର୍ଯ୍ୟ କରୁଥିବା ପରିଲକ୍ଷିତ ହୋଇଛି । ହଠାତ୍ ଏମିତି କ'ଣ ହେଲା ଯେ ଓଡ଼ିଶାରେ କୃଷି ଶ୍ରମିକ ସଙ୍କଟ ସୃଷ୍ଟି ହେଲା? ଏଭଳି ଗୋଟିଏ ପ୍ରସଙ୍ଗ କେବଳ କୃଷି ବିଶେଷଜ୍ଞମାନଙ୍କୁ ନୁହଁ ଆମ ସମସ୍ତଙ୍କୁ ଆନେ୍ଦାଳିତ କଲାଣି ।
ପ୍ରାରମ୍ଭିକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ କୃଷି ଶ୍ରମିକଙ୍କ ପାଇଁ କୃଷି କ୍ଷେତ୍ରରେ ବର୍ଷକୁ ମାତ୍ର ତିନି ମାସର ରୋଜଗାର ରହୁଛି । ଜାତୀୟ ନମୁନା ସର୍ଭେକ୍ଷଣ ୨୦୧୭-୧୮ ଅନୁଯାୟୀ ଦେଶରେ ଓଡ଼ିଶାର କୃଷି ଶ୍ରମିକଙ୍କ ମଜୁରି ସର୍ବନିମ୍ନ ରହିଛି । ବର୍ତ୍ତମାନସ୍ଥିତି ଏଭଳି ହୋଇଛି ଯେ ପୂର୍ବରୁ ଯେଉଁ ଶ୍ରମିକମାନେ ଆଡ଼ି ପ୍ରସ୍ତୁତି, ପହ୍ଲା ପକାଇବା, ରୁଆ ଲଟା କାଟିବା, ବାଛିବା, ଧାନ କାଟିବା ଭଳି ଚାଷର ଅଧା କାର୍ଯ୍ୟ କରି ଦେଉଥିଲେ ସେମାନେ ବର୍ତ୍ତମାନ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ସୁରତ, କେରଳରେ ପ୍ରବାସୀ ଶ୍ରମିକ ସାଜିଛନ୍ତି । ଓଡ଼ିଆ ଚାଷୀଙ୍କ ଶ୍ରମିକ ସଙ୍କଟ ଯୋଗୁଁ କିଛି ଚାଷ ଜମି ପଡ଼ିଆ ପଡ଼ୁଛି । ୨୦୧୧ ଜନଗଣନା ସମୟରେ ରାଜ୍ୟରେ ସମୁଦାୟ ୬୭ଲକ୍ଷ ୩୯ ହଜାର ୯୯୩ କୃଷି ଶ୍ରମିକ ଥିଲେ । ଏମାନଙ୍କ ମଧ୍ୟରେ କ୍ଷୁଦ୍ର କୃଷି ଶ୍ରମିକଙ୍କ ସଂଖ୍ୟା ୪୩ ଲକ୍ଷ ୧୯ହଜାର ୫୪୨ ଅଟେ । ଜନୈକ ଓୟୁଏଟି କୃଷି ବିଶେଷଜ୍ଞଙ୍କ ହିସାବ ଅନୁସାରେ, ଆଜି ଚାଷ ଏତେ ଖର୍ଚ୍ଚ ବହୁଳ ହେବାରେ ପ୍ରମୁଖ କାରଣ ମଧ୍ୟରେ ଅନ୍ୟତମ ଅଟେ ଶ୍ରମିକଙ୍କ ଅଭାବ । ସାମାଜିକ ଏବଂ ଆର୍ଥିକ ଭାବରେ କୃଷି ଶ୍ରମିକଙ୍କ ମଧ୍ୟରୁ ଅଧିକାଂଶ ଭୂମିହୀନ ଏବଂ ଦଳିତ, ଆଦିବାସୀ ବର୍ଗର ଅଟନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କୃଷି ଶ୍ରମିକଙ୍କୁ ରାଜ୍ୟ କୃଷି କିିମ୍ବା ଶ୍ରମ ବିଭାଗ କେହି ମଧ୍ୟ ନିଜର ବୋଲି କହୁ ନାହାନ୍ତି । ଫଳରେ ଉଭୟ ବିଭାଗ ପକ୍ଷରୁ ଏହି ବିରାଟ ସଂଖ୍ୟାକୁ ନେଇ କୌଣସି ଯୋଜନା ନାହିଁ । ଜନୈକ ଚାଷୀ ନେତାଙ୍କ କହିବା ମୁତାବକ ପୁରୁଣା କୃଷି ବ୍ୟବସ୍ଥାରେ କୃଷି ଶ୍ରମିକମାନେ ବଡ଼ ଚାଷୀଙ୍କ ଘରେ ଏକ ପ୍ରକାର କ୍ରୀତଦାସ ଭଳି ଥିଲେ । ଆବଶ୍ୟକ ସମୟରେ କିଛି ଟଙ୍କାର ଋଣ ଦେଇ ବଂଶାନୁକ୍ରମରେ ଦାସ ଭଳି କାର୍ଯ୍ୟ କରୁଥିଲେ । ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ ପୂର୍ବରୁ ଦାରିଦ୍ର୍ୟ ଏଭଳି ଥିଲା ଯେ କିଛି ଖାଦ୍ୟ ଏବଂ ନାମମାତ୍ର ମଜୁରିରେ ସେମାନେ ହାଡ଼ ଭଙ୍ଗା ପରିଶ୍ରମ କରୁଥିଲେ । ଖାଦ୍ୟ ସୁରକ୍ଷା ଯୋଜନା, ମନରେଗା ସହିତ କାରଖାନା ଏବଂ ରାଜ୍ୟ ବାହାରେ ବର୍ଷ ତମାମ ଅଧିକ ପ୍ରାପ୍ୟ ସହିତ ରୋଜଗାର ବ୍ୟବସ୍ଥା ସୃଷ୍ଟି ପରେ ନୂଆ ପିଢ଼ି କୃଷି ଶ୍ରମିକ ହେବାକୁ ଚାହୁଁ ନାହାନ୍ତି । ଏଣେ ଚାଷ ବ୍ୟୟ ବହୁଳ ହେବା ସହିତ ଅଭାବୀ ବିକ୍ରି ସମସ୍ୟା ଯୋଗୁଁ ଛୋଟ ଏବଂ ନାମମାତ୍ର ଚାଷୀ ଚାହିଁଲେ ମଧ୍ୟ ଅଧିକ ପ୍ରାପ୍ୟ ଦେଇ କୃଷି ଶ୍ରମିକଙ୍କୁ ଆକର୍ଷିତ କରିପାରୁ ନାହାନ୍ତି । ଏସବୁ କାରଣରୁ ଚାଷ ବିଳମ୍ବିତ ହେଉଛି ଏବଂ ଅନେକ କ୍ଷେତ୍ରରେ ଚାଷୀ ଚାଷ ଛାଡ଼ିବା ପଛର ଏହା ଏକ କାରଣ ।
କୃଷି ବିଭାଗର ସୂଚନା ଅନୁସାରେ ରାଜ୍ୟରେ ୫୦ରୁ ଅଧିକ ପ୍ରକାର ଚାଷ ହେଉଛି । କୌତୁହଳ କଥା ହେଉଛି, ଅଣଧାନ ଚାଷ ପାଇଁ ବ୍ୟାପକ ପ୍ରୋତ୍ସାହନ ଦେଉଛନ୍ତି ସରକାର । ମାତ୍ର ସବୁ ଫସଲ ମିଶାଇ ଯେତେ ଚାଷ ହେଉଛି କେବଳ ଧାନ ସେତିକି ହେଉଛି । ୨୦୧୩ରୁ ୨୦୨୨ ମସିହା ମଧ୍ୟରେ ଧାନ ଉତ୍ପାଦନ ୫୬.୬୩% ବୃଦ୍ଧି ପାଇଛି । ତୈଳବୀଜ ୬୯୮ ହଜାର ମେଟ୍ରିକ ଟନରୁ ୫୧୩ ହଜାର ମେଟି୍ରକ ଟନକୁ ହ୍ରାସ ପାଇଛି । ପରିବା ଉତ୍ପାଦନ ନାମକୁ ମାତ୍ର ଅର୍ଥାତ୍ ୪.୩% ବଢ଼ିଛି । ଡାଲି ମାତ୍ର ୩୪.୬୫% ବଢ଼ିଛି । ରାଜ୍ୟରେ ୪ଟି ଯୋଜନା ଅଧୀନରେ ଖରିଫରେ ୭ଲକ୍ଷ ହେକ୍ଟର ଏବଂ ରବିରେ ୧୩ ଲକ୍ଷ ହେକ୍ଟର ଡାଲି ଚାଷ ହୋଇ ସମୁଦାୟ ୧୦ଲକ୍ଷ ୭୪ ହଜାର ୨୪୦ ମେଟ୍ରିକ ଟନର ଡାଲି ଉତ୍ପାଦିତ ହେଉଛି । ହେଲେ ପ୍ରୋସେସିଂ ୟୁନିଟ ଅଭାବରୁ ଉତ୍ପାଦିତ ୧ଲକ୍ଷ ୮୦ ହଜାର ମେଟ୍ରିକ ଟନର ଡାଲି ହିଁ ରାଜ୍ୟ ବଜାରକୁ ଆସୁଛି । ଧାନ ଭଳି ଡାଲି ବିକ୍ରୟ ନେଇ ମଣ୍ଡି ବ୍ୟବସ୍ଥା ନାହିଁ । ଏଣୁ ଚାଷୀ ଏଥିପ୍ରତି ଆଗ୍ରହ ଦେଖାଉନାହାଁନ୍ତି । ଏମଏସପିର ଆଇନଗତ ମାନ୍ୟତା ନେଇ ଚାଷୀ ସଙ୍ଗଠନର ଆନେ୍ଦାଳନ ଚାଲିଥିବା ପରିପ୍ରେକ୍ଷୀରେ ବର୍ତ୍ତମାନ ସରକାର ଦୁଇ ପ୍ରକାର ଡାଲିଜାତୀୟ ଫସଲ ଏମଏସପିରେ କ୍ରୟ ପାଇଁ ପ୍ରସ୍ତାବ ଦେଇଛନ୍ତି । କେନ୍ଦ୍ର ଏହାକୁ କାର୍ଯ୍ୟକାରୀ କଲେ ଡାଲି ଚାଷୀ ଉପକୃତ ହେବା ସହିତ ଚାଷ ବଢ଼ିବା ଆଶା ରହିଛି ।
ସମ୍ବଲପୁର ଅଞ୍ଚଳର ଜନୈକ ଚାଷୀଙ୍କ କହିବା ଅନୁଯାୟୀ କତା ଗାଁରେ କୃଷି ଶ୍ରମିକ ମିଳୁନଥିବାରୁ ପଶ୍ଚିମ ଓଡ଼ିଶାର ଅଧିକାଂଶ ଚାଷୀ ଛତିଶଗଡ଼ର ଠିକା କୃଷି ଶ୍ରମିକଙ୍କ ଉପରେ ନିର୍ଭରଶୀଳ । ପ୍ରତ୍ୟେକ ଚାଷୀଙ୍କୁ ଅନୁ୍ୟନ ୧୨ରୁ ୧୫ ଶ୍ରମିକଙ୍କ ଆବଶ୍ୟକତା ହୁଏ । ଧାନ କାଟିବା ସମୟରେ ଛତିଶଗଡ଼ ଶ୍ରମିକ ଦଳଙ୍କୁ ଯୋଗାଯୋଗ କରାଯାଏ । ୫୦ଜଣ ଶ୍ରମିକ ସ୍ୱଳ୍ପ ସମୟରେ ଏକାଧିକ ଚାଷୀଙ୍କ ସହିତ କାର୍ଯ୍ୟ କରି ଫେରିଯାଆନ୍ତି । ଶ୍ରମିକ ଦଳଙ୍କ ମଧ୍ୟରେ ଅଧିକାଂଶ ମହିଳା ଥାଆନ୍ତି । ଛତିଶଗଡ଼ ଉପରେ ନିର୍ଭରଶୀଳତା ଯୋଗୁଁ ନିର୍ବାଚନ ଏବଂ ୨୦୨୦ ମସିହାର ଲକଡାଉନ ଯୋଗୁଁ ଧାନ କାଟିବା ବିଳମ୍ବିତ ହୋଇଥିଲା । ଗଞ୍ଜାମ ଓ ନୟାଗଡ ଜିଲାର କିଛିÿ ଚାଷୀଙ୍କ କହିବା ଅନୁସାରେ ସେମାନଙ୍କ ଜିଲ୍ଲାରେ କୃଷି ଶ୍ରମିକ ଅଭାବ ରହିଥିଲେ ମଧ୍ୟ ବାହାର ରାଜ୍ୟର କେହି ଏଠି କାମ କରୁନାହାନ୍ତି । ବର୍ତ୍ତମାନ ଅନେକ ଚାଷ କାର୍ଯ୍ୟ ମେସିନ ଦ୍ୱାରା ହେଉଥିବାରୁ କୃଷି ଶ୍ରମିକଙ୍କ କାର୍ଯ୍ୟ ସଙ୍କୁଚିତ ହେଉଛି । ସେହିପରି ଜନୈକ କୃଷି ଶ୍ରମିକଙ୍କ କହିବାକଥା ହେଲା ଯେ ସେ ନିଜେ ଜଣେ ଚାଷୀ ଏବଂ ଅନ୍ୟ ଜମିରେ କୃଷି ଶ୍ରମିକ ଅଛନ୍ତି । ଏତେ ପରିଶ୍ରମ ପରେ ବି ଘରର ଆର୍ଥିକ ସମସ୍ୟା ଦୂର କରିପାରନ୍ତି ନାହିଁ । ତାଙ୍କ ସନ୍ତାନ ଏହି କାର୍ଯ୍ୟ ପାଇଁ ଆଗ୍ରହୀ ନାହାନ୍ତି । ସାମାଜିକ କର୍ମକର୍ତ୍ତାଙ୍କ କହିବା କଥା ଅଧିକାଂଶ ପ୍ରବାସୀ ଶ୍ରମିକ ହେଲେ କୃଷି ଶ୍ରମିକ କିମ୍ବା ସେହି ପରିବାରର ଅଟନ୍ତି । ବର୍ତ୍ତମାନ ସ୍ଥିତି ଏଭଳି ଯେ କେରଳର ଅନେକ ଚାଷୀ ଅଧିକ ରୋଜଗାର ପାଇଁ ନିଜ ଜମି ଛାଡ଼ି ବାହାର ଦେଶକୁ ଚାଲି ଯାଇଛନ୍ତି । ସେମାନଙ୍କ ଛାଡ଼ି ଯାଉଥିବା ଜମିରେ ଓଡ଼ିଆ ଶ୍ରମିକ କର ନେଇ ଚାଷ କରୁଛନ୍ତି । ବର୍ତ୍ତମାନ ସ୍ଥିତିରେ କୃଷି କ୍ଷେତ୍ରରେ କୃଷି ଶ୍ରମିକ ସଙ୍କଟ ସମସ୍ୟାକୁ ଏଣିକି ସରକାର ଗୁରୁତ୍ୱର ସହିତ ବିଚାର କରିବାର ଆବଶ୍ୟକତା ରହିଛି । ଶ୍ରମିକ ଅଳସୁଆ ହେଲେଣି କେହି ଏହାକୁ ଅବହେଳା କଲେ ଆହୁରି ବଡ଼ ସଙ୍କଟ ସୃଷ୍ଟି ହେବ ବୋଲି ଅଧିକାଂଶ ବିଶେଷଜ୍ଞ ମତ ଦିଅନ୍ତି ।
ମୋ: ୭୪୮୮୯୯୮୫୩୨