ପରିବେଶ, ଧ୍ୟାନ ଓ ଜୀବନିକା


ସଂପ୍ରତି ସମଗ୍ର ବିଶ୍ୱର ବୈଜ୍ଞାନିକ, ପରିବେଶବିତ୍ ଏପରି କି ରାଜନୈତିକ ବ୍ୟକ୍ତିମାନେ ପୃଥିବୀର ଉତ୍ତାପ ବୃଦ୍ଧିଜନିତ ଭୟଙ୍କର ସମସ୍ୟା ନେଇ ବେଶ୍ ଚିନ୍ତିତ  । ବିଂଶ ଶତାବ୍ଦୀର ପ୍ରଥମ ୯୦ ବର୍ଷ (୧୯୯୦) ମଧ୍ୟରେ ପୃଥିବୀର ଉତ୍ତାପ ଅଧିକ ୩.୩ ଡିଗ୍ରୀ ସେଣ୍ଟିଗ୍ରେଡ଼ ବୃଦ୍ଧି ପାଇଥିଲା  । ଏହି ହାରରେ ୨୦୧୨ ମସିହା ସୁଦ୍ଧା ଆଉ ୦.୭ ଡିଗ୍ରୀ ହୋଇ (ସମୁଦାୟ ୪ ଡିଗ୍ରୀ) ଆଣ୍ଟାର୍କ୍ଟିକା ମହାଦେଶର ସମସ୍ତ ଜମାଟବନ୍ଧା ବରଫକୁ ତରଳାଇବାକୁ ସମର୍ଥ ଏବଂ ବହୁପରିମାଣରେ ବରଫ ତରଳି ବିଶ୍ୱବ୍ୟାପୀ ସମୁଦ୍ରର ଜଳପତ୍ତନ ଅଢ଼େଇ ଫୁଟ ବୃଦ୍ଧିପାଇ ସାରିଛି  । ପୃଥିବୀର ଜଳମଗ୍ନ ସ୍ଥାନ ମଧ୍ୟରେ ରହିଛି କଲିକତା ସହରଠାରୁ ଲଣ୍ଡନ, ହଲାଣ୍ଡ, ଜାପାନ, ବଙ୍ଗଳାଦେଶଯାଏ ୫୦ରୁ ଉଦ୍ଧ୍ୱର୍ ଦେଶ ଓ ସହର  । କେବଳ ୧୯୯୧ରେ ପୃଥିବୀର ଉତ୍ତାପ ଅଧିକ ୦.୯ ଡିଗ୍ରୀ ବୃଦ୍ଧି ପାଇ ବୈଜ୍ଞାନିକମାନଙ୍କୁ ଅଧିକ ଉଦ୍ବିଗ୍ନ କରିଛି ଯେ ପରିସମାପ୍ତିର ପର୍ବ ଆହୁରି ନିକଟତର ମନେ ହୁଏ  । ପୃଥିବୀର ଅଦେ୍ର୍ଧକ ଇନ୍ଧନ ତୈଳ (ପେଟ୍ରୋଲ, ଡିଜେଲ ପ୍ରଭୃତି) ଏକାକୀ ଆମେରିକା ବ୍ୟବହାର କରି ଅଙ୍ଗାରକାମ୍ଳ ଛାଡ଼ି ପୃଥିବୀକୁ ଉତ୍ତପ୍ତ କରୁଥିବାର ଅଭିଯୋଗ ହେଉଥିବାବେଳେ ଆମେରିକାର ଦୋଷାରୋପ ଯେ ଜନସଂଖ୍ୟା ବୃଦ୍ଧି ଜନିତ କାରଣରୁ ନିଃଶ୍ୱାସରେ ଅଙ୍ଗାରକାମ୍ଳ ଛାଡ଼ି ଚାଇନା ଭାରତ ଓ ବ୍ରାଜିଲ ବାୟୁମଣ୍ଡଳକୁ ଅଧିକ ଉତ୍ତପ୍ତ କରୁଛନ୍ତି  ।
    ଆମେ ପ୍ରତ୍ୟେକ ମଣିଷ ପ୍ରତିଦିନ ୧୬ କିଗ୍ରା (୩୦ ପାଉଣ୍ଡ) ଅମ୍ଳଜାନ ନେଉ ତ ସେହି ପରିମାଣରେ ଅଙ୍ଗାରକାମ୍ଳ ତ୍ୟାଗ କରୁ  । ପୃଥିବୀର ୫୮୧ କୋଟି ୭୩ ଲକ୍ଷ ମଣିଷ ନିଃଶ୍ୱାସ ନେଇ ପ୍ରତିଦିନ ୮୬କୋଟି କୁଇଣ୍ଟାଲରୁ ଅଧିକ ଅଙ୍ଗାରକାମ୍ଳ ବାୟୁ ସ୍ତରକୁ ଛାଡ଼ନ୍ତି  । କେବଳ ଚାଇନା ଓ ଭାରତର ଜନସଂଖ୍ୟା ବିଶ୍ୱ ଜନସଂଖ୍ୟାର ୩୯%  । ଅଧିକ ଅଙ୍ଗାରକାମ୍ଳ ଅର୍ଥ ଅଧିକ ଉତ୍ତାପ  । ଏହା ବାହାରେ ରହିଛି ପଶୁପକ୍ଷୀ ଜଗତର ନିଃଶ୍ୱାସ, କଳକାରଖାନାର ଧୂଆଁ, ଯୁଦ୍ଧ ଜନିତ ବିଷାକ୍ତ ଗ୍ୟାସ, ମୋଟରଗାଡ଼ିର କାର୍ବନ  । ଏପରିକି ଆମେ ଟାଣୁଥିବା ଖଣ୍ଡିଏ ସିଗାରେଟରୁ ନିର୍ଗତ ଅଙ୍ଗାରକାମ୍ଳକୁ ଛାଣି ନେବା ପାଇଁ ଦରକାର ୮ଟି ବୃକ୍ଷ  । ପ୍ରତିଦିନ ପୃଥିବୀର ବାୟୁମଣ୍ଡଳକୁ ନିଃଶ୍ୱାସର ପରମାଣୁ ବୋମା ଆମେ ଛାଡ଼ୁଛେ  । ଏକ ପରିସଂଖ୍ୟାନ ଅନୁଯାୟୀ ଗତ ଶତାବ୍ଦୀ ଆରମ୍ଭ ହେବା ବେଳକୁ ଅର୍ଥାତ୍ ୧୮୦୧ ମସିହାରେ ବିଶ୍ୱର ଜନସଂଖ୍ୟା ଥିଲା ୧୦୦ କୋଟି  । ଅର୍ଥାତ୍ ୧୦୦ କୋଟି ଜନସଂଖ୍ୟା ପାଇଁ ପୃଥିବୀ ନେଲା ୧୦୦ ବର୍ଷ  । କିନ୍ତୁ ୧୯୬୦ ମସିହରେ ମାତ୍ର ୬୦ ବର୍ଷ ପରେ ପୃଥିବୀର ଜନସଂଖ୍ୟା ହେଲା ୩୦୦ କୋଟି  । ପୁନଶ୍ଚ ଜନସଂଖ୍ୟା ୪୦୦ କୋଟି ହେଲା ୧୯୭୫ ମସିହାରେ ମାତ୍ର ୧୫ ବର୍ଷ ପରେ ଏବଂ ୫୦୦ କୋଟି ହେଲା ୧୯୮୭ ଜୁଲାଇ ୧୧ ତାରିଖରେ ପୁଣି ୧୨ବର୍ଷରେ  । ଚଳିତ ଶତାବ୍ଦୀ ଶେଷ ସୁଦ୍ଧା ଜନସଂଖ୍ୟା ୬୦୦ କୋଟି ଟପି ଯାଇଥିବ  । ଗୋଟିଏ ଶତାବ୍ଦୀରେ ୪୦୦ କୋଟିରୁ ଅଧିକ ମଣିଷ  । କିନ୍ତୁ ମନେ ରଖିବାକୁ ହେବ ଯେ, ପୃଥିବୀର ବାୟୁମଣ୍ଡଳ ଗୋଟିଏ, ଏହା ଯେଉଁଠାରେ ପ୍ରଦୂଷିତ ହେଲେ ବି ତା'ର ବିଷକ୍ରିୟା ଆମେ ସମସ୍ତେ ଭୋଗିବା  । ବିଶିଷ୍ଟ ଆଣବିକ ବିଜ୍ଞାନୀ ଓ ୟୁଜିସିର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ୟଶପାଲ କହିଛନ୍ତି "ଆମେରିକାର ମୁଣ୍ଡପିଛା ନାଗରିକ ବାର୍ଷିକ ୫ ହଜାର କି.ଗ୍ରା ଅଙ୍ଗାରକାମ୍ଳ ବାୟୁମଣ୍ଡଳରେ ଗଛିତ କଲାବେଳେ ଚାଇନାର ମୁଣ୍ଡପିଛା ୨୦୦ କି.ଗ୍ରା ଓ ଭାରତରେ ୧୬୦ ଅଙ୍ଗାରକାମ୍ଳ ଗଛିତ ହୁଏ  । ସୁତରାଂ ଆମେରିକା ଜାପାନ ଭଳି ଉନ୍ନତ ଦେଶ ଗୁଡ଼ିକ ଠାରୁ ପରିବେଶ ପ୍ରଦୂଷଣଜନିତ କ୍ଷୟକ୍ଷତି ପାଇଁ କ୍ଷତିପୂରଣ ମଗା ଯାଉଛି  । ଏହି କ୍ଷତିପୂରଣର ପରିମାଣ ପ୍ରତିବର୍ଷ ୧୨ ହଜାର ୫୦୦ କୋଟି ଡଲାର (ପ୍ରାୟ ୪ ଲକ୍ଷ କୋଟି ଟଙ୍କା) ହୋଇଥିବାବେଳେ ଏହା ଆଉ ୪/୫ ଗୁଣ ବୃଦ୍ଧି କରିବାକୁ ବିକାଶଶୀଳ ଦେଶଗୁଡ଼ିକ ଦାବି କରୁଛନ୍ତି  । ବ୍ରାଜିଲ ଦେଶର ରିଓଠାରେ ୨୦୦୧ ଜୁନ୍ ମାସରେ ପୃଥିବୀର ୧୦୫ଟି ଦେଶର ରାଷ୍ଟ୍ର ମୁଖ୍ୟ ଏକତ୍ରିତ ହୋଇ ନିଷ୍ପତ୍ତି ନେଲେ ଯେ, ବିକାଶମୁଖୀ ରାଷ୍ଟ୍ରଗୁଡ଼ିକୁ ଶିଳ୍ପୋନ୍ନତ ଦେଶ ଗୁଡ଼ିକୁ ପୁଞ୍ଜି ଦେଇ ଏହି କ୍ଷତି ଭରଣା କରିବେ ଏବଂ ସେ ପୁଞ୍ଜିରେ ତୃତୀୟ ବିଶ୍ୱରେ ପ୍ରଚୁର ବୃକ୍ଷ ରୋପଣ ହେବ  । ମାତ୍ର ଆଜିଯାଏ ଏ ଦିଗରେ କେହି ନିଜର ସର୍ତ୍ତରକ୍ଷା କଲେ ନାହିଁ  । ଅପରପକ୍ଷେ ପୃଥିବୀ କ୍ରମେ ଅଧିକରୁ ଅଧିକ ଆକ୍ରାନ୍ତ ହୋଇ ଚାଲିଛି  । 
ଏହା ନିଶ୍ଚିତ ଏକ ମି୍ରୟମାଣ ପରିସ୍ଥିତି  । ଏ ଅବସ୍ଥାରେ ଭାରତୀୟ ସଂସ୍କୃତି ଏକ ନିସ୍ତାରର ମାର୍ଗ ରଖିଛି  । ତାହା ହେଉଛି ଧ୍ୟାନ, ଆମେ ପ୍ରତି ମିନିଟ୍ରେ ୧୮ଥର ପ୍ରଶ୍ୱାସ ନେଉ ଏବଂ ଅନୁରୂପ ପରିମାଣର ଅଙ୍ଗାରକାମ୍ଳ ନିଃଶ୍ୱାସରେ ତ୍ୟାଗ କରୁ  । ଦୌଡ଼ିଲେ ଆମେ ଅଧିକ ପ୍ରଶ୍ୱାସ ଗ୍ରହଣ କରୁ  । କିନ୍ତୁ ଧ୍ୟାନ ଅବସ୍ଥାରେ ସଙ୍କୁଚିତ ହୋଇ ୧୮ରୁ ୧୨ଥରକୁ ଏବଂ ତାପରେ ୮ଥରକୁ ହ୍ରାସ ପାଏ  । ପ୍ରତିଦିନ ଧ୍ୟାନ କଲେ ଜଣେ ୧ କି.ଗ୍ରାରୁ ଅଧିକ ଅଙ୍ଗାରକାମ୍ଳ ବାୟୁମଣ୍ଡଳକୁ ନିର୍ଗତ କରିବାରୁ ରକ୍ଷା ପାଇବ ଏବଂ ନିଜେ ଜଣେ ସଚ୍ଚା ପରିବେଶବିତ୍ ହେବା ସହ ଆଧ୍ୟାତ୍ମିକ ସାଧନା କ୍ଷେତ୍ରରେ ଅଗ୍ରସର ମଧ୍ୟ ହେବ  । ସମାଧିସ୍ଥ ସ୍ତରରେ ମହାଯୋଗୀମାନଙ୍କର ପ୍ରଶ୍ୱାସ ନିଃଶ୍ୱାସର ଆଉ ସମସ୍ୟା ନଥାଏ  । ଏହା ଏକ ନିରୁତା ବିଜ୍ଞାନ ସମ୍ମତ ପରୀକ୍ଷା  । ଏହା ବାହାରେ ରହିଛି ମହାଜାଗତିକ ଅନୁଭୂତିର ସ୍ତର  । ତାହା ଏକ ଆଲୋଚନାର ପ୍ରସଙ୍ଗ ନୁହେଁ  । ଓପନହାର୍ଟ ସର୍ଜରୀ ବେଳେ ଏକ ଯାନ୍ତ୍ରିକ ପ୍ରକ୍ରିୟାରେ ରକ୍ତ ସ୍ରୋତ ମଧ୍ୟକୁ ଅମ୍ଳଜାନ ଗ୍ରହଣ କମେଇ ଦିଆଯାଇ ହୃତପିଣ୍ଡକୁ ସଂପୂର୍ଣ୍ଣ ସ୍ଥିର କରାଇ ଅପରେସନ୍ କରାଯାଏ  । ଭାରତୀୟ ସଂସ୍କୃତି କାହିଁ କେଉଁ ଶତାବ୍ଦୀରୁ ଏ ନିଗୂଢ଼ ସତ୍ୟକୁ ଯୋଗ ସିଦ୍ଧି ରୂପେ ଲିପିବଦ୍ଧ କରିଛି  ।
ଡା.ଉମେଶ ଚନ୍ଦ୍ର ପାତ୍ର,ମୋ : ୯୪୩୭୦୫୧୯୫୭