ଶେଷ ଉପଦେଶ

ନିଜ ଜୀବନ କାଳ ମଧ୍ୟରେ ବହୁ ସାଧକ, ଭକ୍ତ, ଜ୍ଞାନୀ ଓ ହରିିବିମୁଖ ପାମର ଜୀବଙ୍କୁ ଅଧ୍ୟାତ୍ମ ମାର୍ଗ ଦେଖାଇ ଏବଂ ଜଗତରେ ପ୍ରଭୁଭକ୍ତିର ବିଜୟ ଧ୍ୱଜା ଉଡାଇ ଗୋସ୍ୱାମୀ ତୁଳସୀଦାସ କାଶୀର ଅସୀ ଘାଟରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ମହାପ୍ରୟାଣର ଅଳ୍ପ ଦିନ ପୂର୍ବରୁ ତାଙ୍କର ଭକ୍ତ ଓ ଅନୁଗାମୀମାନେ ଶେଷ ଉପଦେଶ ରୂପେ କିଛି କହିବାକୁ ଅନୁରୋଧ କରିଥିଲେ । ଏହାର ଉତ୍ତରରେ ଗୋସ୍ୱାମୀ କହିଲେ - "ଜୀବର ଆୟୁଷ ଖୁବ କମ୍ । ତା'ଭିତରେ ବି ଅନେକ ଜଞ୍ଜାଳରେ ଧନ୍ଦି ହେଉଥିବାରୁ ତାଙ୍କୁ ଫୁରୁସତ୍ ମିଳୁନାହିଁ । ତାଛଡ଼ା ଶାସ୍ତ୍ର, ପୁରାଣ, ବେଦ ଇତ୍ୟାଦିର ମଧ୍ୟ ଅନ୍ତ ନାହିଁ । ନାନା ସ୍ଥାନରେ ନାନା ପ୍ରକାର ଉପଦେଶ । କେଉଁଟା ଠିକ୍ ଓ କେଉଁଟା ଭୁଲ ନିର୍ଣ୍ଣୟ କରିବାକୁ ବୁଦ୍ଧି ପାଉନାହିଁ । କାବ୍ୟ, କଳା-କୌଶଳ, ଛନ୍ଦ, ପ୍ରବନ୍ଧ ଇତ୍ୟାଦିର ହିସାବ ନାହିଁ କି ରାଗ ରାଗିଣୀର ସୀମା ନାହିଁ । କ୍ଷୁଦ୍ର ଜୀବନକାଳ ଭିତରେ ସେ କ'ଣ କ'ଣ କରିବ? କିନ୍ତୁ ଯିବାବେଳେ ତୁଳସୀ ଦାସ ସବୁ ଉପଦେଶର ସାରରୂପେ ଏତିକି କହିଯାଉଛି ଯେ ଯିଏ ନିଜର ଜୀବନକୁ ପବିତ୍ର କରିବାକୁ ଚାହୁଁଛି, ସେ କେବଳ ରାମ ନାମ ହିଁ ଜପ କରୁ ।' "ଆପଦାମପହର୍ତ୍ତାରଂ ଦାତାରଂ ସର୍ବସମ୍ପଦାମ୍ । ଲୋକାଭିରାମଂ ଶ୍ରୀରାମଂ ଭୂୟୋ ଭୂୟୋ ନମାମ୍ୟହମ୍ ।' ଅର୍ଥାତ୍ ଯେ ବିପତ୍ତି ହରଣ କରନ୍ତି ଏବଂ ସକଳ ସମ୍ପଦ ପ୍ରଦାନ କରନ୍ତି, ସେହି ଲୋକାଭିରାମ ଭଗବାନ ରାମଙ୍କୁ ମୁଁ ବାରମ୍ବାର ନମସ୍କାର କରୁଛି । 
ଶ୍ୟାମ ସୁନ୍ଦର ସାମଲ
ମୋ : ୯୭୭୮୬୩୫୯୨୬