ଘର ଘରେ ମହାଭାରତ
ବର୍ତ୍ତମାନ ମନୋରଞ୍ଜନର ମୁଖ୍ୟ ସାଧନ କହିଲେ ଟେଲିଭିଜନ୍ର ବିଭିନ୍ନ ଚ୍ୟାନେଲ୍କୁ ବୁଝାଉଛି । ସକାଳୁ ସଞ୍ଜ ଯାଏଁ କିଛି ନିର୍ଦ୍ଦିଷ୍ଟ ଚ୍ୟାନେଲ୍ ପାରିବାରିକ ଧାରାବାହିକ ନାମରେ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରୁଛନ୍ତି, ଯାହାକୁ କି ମହାଭାରତ ଯୁଦ୍ଧ ବୋଲି କହିଲେ ଭୁଲ୍ ହେବ ନାହିଁ । ମନୋରଞ୍ଜନ ହେଉଛି କଠିନ ପରିଶ୍ରମ ପରେ ଶାରୀରିକ ଓ ମାନସିକ କ୍ଳାନ୍ତି ଲାଘବ କରିବାର ଏକ ମାଧ୍ୟମ । ହେଲେ ବର୍ତ୍ତମାନ ମନୋରଞ୍ଜନ କହିଲେ ଯାବତୀୟ ପ୍ରକାର ଅସାମାଜିକ କାର୍ଯ୍ୟକଳାପ, ହିଂସା, ଷଡ଼ଯନ୍ତ୍ର, ହତ୍ୟା, ଅପହରଣ, ବନ୍ଧୁକ, ଭୁଜାଲି, ଗୁଳି, ବିଷ, ମହିଳାମାନଙ୍କ ପ୍ରତି ଚରମ ଅସମ୍ମାନ ଆଦିକୁ ହିଁ ବୁଝାଉଛି । ଦେଖିବାକୁ ଗଲେ ଆଜିକାଲି ପ୍ରସାରିତ ହେଉଥିବା ସବୁତକ ଧାରାବାହିକ ଏୟା । ଆଉ କେତୋଟିରେ ନାରୀ ପୁରୁଷର ସମ୍ପର୍କକୁ ଏମିତି ଭାବରେ ପ୍ରଦର୍ଶନ କରାଯାଉଛି ଯେ କେଉଁ ପୁରୁଷ ସହିତ କେଉଁ ନାରୀର ସମ୍ପର୍କ କଣ ଜାଣିବାକୁ ହେଲେ ଅନୂନ୍ୟ ୧୦ଟି ଏପିସୋଡ୍ ଦେଖିବାକୁ ପଡ଼ିବ । ପ୍ରୟାତଃ ସବୁ ଧାରାବାହିକ ଗୁଡ଼ିକରେ ସ୍ୱାର୍ଥ ସମ୍ବଳିତ ନାରୀ ପୁରୁଷଙ୍କର ଏକ ଅବୈଧ ସମ୍ପର୍କକୁ ହିଁ ଅଧିକ ଗୁରୁତ୍ୱ ଦିଆଯାଉଛି । ଆହୁରି ମଧ୍ୟ ନାରୀ ମାନଙ୍କର ମଦ୍ୟପାନଜନିତ ଦୃଶ୍ୟକୁ ଉତ୍ସାହିତ କରାଯାଉଛି କହିଲେ ଭୁଲ୍ ହେବ ନାହିଁ ।
ଏବେ ଘର ଭିତରେ ଛୋଟ ପରଦାରେ ରାତି ପାହିଲେ ତୁଳସୀ ପତ୍ରିଆ ଭଜନ ପରେ ପରେ ମହାଭାରତ ଯୁଦ୍ଧର ବର୍ଣ୍ଣନା ଦେଖାଯାଉଛି । ଘର ଭିତରେ ୨୪ ଘଣ୍ଟା ଏହିଭଳି ଦୃଶ୍ୟ ଦେଖିଲେ ଘରେ କେବେ ହେଲେ ଶାନ୍ତି ଆସିବ ନାହିଁ । କାରଣ ଏସବୁ ଦୃଶ୍ୟକୁ ଦେଖୁଥିବା ଲୋକଙ୍କର ମାନସିକ ଉଦ୍ବେଗ ବଢ଼ି ବଢ଼ି ଚାଲୁଛି ଏବଂ ଅନେକ ପ୍ରକାରର ମାନସିକ ସମସ୍ୟା ସେମାନଙ୍କ ଠାରେ ଦେଖା ଦେଲାଣି । ବନ୍ଧୁକ, ଛୁରୀ, ବମ୍, ଷଡ଼ଯନ୍ତ୍ର, ହତ୍ୟା, ବିଷ ପ୍ରୟୋଗ, ଗାଡ଼ି ଚଢ଼ାଇ ମାରିବା, ଗୁଣ୍ଡା ଲଗାଇ ମହିଳାମାନଙ୍କୁ ଉଠାଇ ନେବା, ଚକ୍ରାନ୍ତ ଭଳି ଦୃଶ୍ୟ ଗୁଡ଼ିକୁ ବାଦ୍ ଦେଲେ ବୋଧହୁଏ ବର୍ତ୍ତମାନର ଏକ ଟିଭି ସିରିଏଲ୍ କରିବା ଅସମ୍ଭବ । ଏହି ସିରିଏଲ୍ର ନିର୍ମାତା ଏବଂ ପ୍ରଯୋଜକମାନ ଏହିସବୁକୁ ବାଦ ଦେଇ ଏକ ଶାନ୍ତିପୂର୍ଣ୍ଣ ଘଟଣାକୁ କିମ୍ବା ସକାରାତ୍ମକ କାହାଣୀକୁ ନେଇ ସିରିଏଲ୍ ପ୍ରଦର୍ଶନ କରିବାରେ ଅକ୍ଷମ । ତେଣୁ ଦିନକୁ ଦିନ ମହିଳାମାନଙ୍କ ପ୍ରତି ହେଉଥିବା ଆକ୍ଷେପ ବଢ଼ିଚାଲୁଛି । ନୂଆ ନୂଆ ଦ୍ୱିଅର୍ଥ, ତିନିଅର୍ଥ ବୋଧକ ସଂଳାପର ପରିବେଷଣକୁ ଏହିସବୁ ଚ୍ୟାନେଲ୍ର ପ୍ରଯୋଜକମାନେ ନିଜ ସଫଳତାର ଗୋଟିଏ ଗୋଟିଏ ପାହାଚ ଭାବରେ ଭାବୁଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଦିନରାତି ୨୪ ଘଣ୍ଟା ଘର ଭିତରେ ମହାଭାରତ ଯୁଦ୍ଧ ଭଳି ଅଶାନ୍ତିର ଚିତ୍ର ଦେଖୁଥିଲେ ମଧ୍ୟ କୌଣସି ମହିଳା ସଙ୍ଗଠନ ଏହାକୁ ବିରୋଧ କରି ଆଗକୁ ଆସୁନାହାନ୍ତି କିମ୍ବା ମହିଳାମାନଙ୍କର ସମ୍ମାନ ରକ୍ଷା ପାଇଁ ସ୍ୱର ଉତ୍ତୋଳନ ମଧ୍ୟ କରୁନାହାନ୍ତି । କେବଳ ଯାତ୍ରା ପାର୍ଟିର ଜଣେ ଦୁଇ ଜଣ ନାୟିକା କିମ୍ବା ୟୁଟୁ୍ୟବ୍ରେ ଗୀତ ଗାଉଥିବା ଜଣେ ଦୁଇ ଜଣ ଗୀତିକାରଙ୍କୁ ଛାଡ଼ି ଦେଲେ ବିରୋଧ କରି ମହିଳା ସଙ୍ଗଠନ ଗୁଡ଼ିକ ସମାଜରେ ନିଜର ସ୍ଥିତିକୁ ଦର୍ଶାଇବାକୁ ବ୍ୟାକୁଳ । ସମାଜର ବାସ୍ତବ ସ୍ଥିତି, ବାସ୍ତବ ସମସ୍ୟା, ମହିଳାମାନଙ୍କ ସମ୍ମାନ ରକ୍ଷା କ୍ଷେତ୍ରରେ ଏହି ତଥାକଥିତ ଗଣମାଧ୍ୟମ ଗୁଡ଼ିକ ଗ୍ରହଣ କରିଥିବା ନକାରାତ୍ମକ ଭୂମିକା ଆଦିକୁ ଆଖି ବୁଜି ଦେଇ କିଭଳି ଭାବରେ ମନୋରଞ୍ଜନ ନାମରେ ଏସବୁକୁ ଉପଭୋଗ କରୁଛନ୍ତି ତାହା ଏକ ବିସ୍ମୟ ଭାବ ସୃଷ୍ଟି କରୁଛି ।
ଯେଉଁଠାରେ ପରିଶ୍ରମଜନିତ କ୍ଳାନ୍ତି ନାହିଁ ସେଠାରେ ମନୋରଞ୍ଜନ ତାର ଉଦେ୍ଦଶ୍ୟ ପୂରଣ କରୁନାହିଁ । ଏହା ଏକ ମଦ ଦୋକାନ ସହିତ ସମାନ । କାରଣ ମଦ୍ୟପମାନେ ମଦ୍ୟପାନ କରିବା ପାଇଁ କୌଣସି କାରଣ ଖୋଜନ୍ତି ନାହିଁ କିମ୍ବା ସମୟ ବାଛନ୍ତି ନାହିଁ । ଠିକ୍ ସେହିପରି ମନୋରଞ୍ଜନଧର୍ମୀ ଚ୍ୟାନେଲ୍ଗୁଡ଼ିକ ନାରୀ ଚରିତ୍ରକୁ ଯେଉଁଭଳି ଭାବରେ ପ୍ରଦର୍ଶନ କରୁଛନ୍ତି ସେଥିରେ ସମାଜ ଉପରେ ତାର କି ପ୍ରଭାବ ପଡୁଛି ମୂଲ୍ୟାୟନ ହେବା ଆବଶ୍ୟକ । ଏପରି ନହେଲେ ସାମାଜିକ ଏବଂ ପାରିବାରିକ ସଂସ୍ଥାର ସମ୍ବଳିତ ପରିବାର ଗୁଡିକ ଖୁବ୍ କମ୍ ଦିନ ଭିତରେ ବିପର୍ଯ୍ୟସ୍ତ ହୋଇପଡ଼ିବ ।