ଦାରିଦ୍ର୍ୟ, ଅଶିକ୍ଷା ଓ ଶିଶୁ ଶ୍ରମିକ
ହିମାଂଶୁ ଶେଖର: ଆଜିର ଶିଶୁ କାଲିର ନାଗରିକ । ଏମାନେ କେବଳ ଦେଶର ଭବିଷ୍ୟତ ନୁହଁନ୍ତି, ଦେଶର ସମ୍ପଦ ଅଟନ୍ତି । ସବୁଠି ସମଗ୍ର ବିଶ୍ୱରେ ଏହି ସ୍ଲୋଗାନର ନାରା । ପ୍ରତ୍ୟେକ ଶିଶୁ କିପରି ସୁସ୍ଥ ସୁନ୍ଦର ହୋଇ ବଞ୍ଚିରହିବ ତାର ଦାୟିତ୍ୱ ନେବା ପ୍ରତ୍ୟେକ ରାଷ୍ଟ୍ରର ପ୍ରଧାନ କର୍ତ୍ତବ୍ୟ । ଏଥିପାଇଁ ବିଶ୍ୱ ସ୍ତରରେ ଓ ଜାତୀୟସ୍ତରରେ ଯୋଜନାର ଅଭାବ ନାହିଁ, ହେଲେ ଏହି ଯୋଜନା ଗୁଡିକ ଦିଗହରା ହୋଇଯାଇଛି । ଫଳସ୍ୱରୂପ, ଶିଶୁ ସମ୍ପଦ ଏବେବି ବିଡମ୍ବିତ ହୋଇ ରହିଛି । ଅଧିକାଂଶ ଶିଶୁ ଶିଶୁ-ଶ୍ରମିକ ଭାବେ ଦୟନୀୟ ଭାବରେ ଜୀବନ ଯାପନ କରୁଛନ୍ତି ।
ଶିଶୁମାନଙ୍କୁ ଶ୍ରମକ୍ଷେତ୍ରରୁ ବାହାର କରି ତାର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଅନ୍ତର୍ଜାତୀୟ କ୍ଷେତ୍ରରେ ବିଭିନ୍ନ ସଙ୍ଗଠନ ମିଳିତ ଜାତିସଙ୍ଘଠାରୁ ଆରମ୍ଭକରି ଆନ୍ତର୍ଜାତିକ ଶ୍ରମସଂସ୍ଥା ସମେତ ଅନ୍ତର୍ଜାତୀୟ ଶିକ୍ଷା ସଂସ୍ଥା କାର୍ଯ୍ୟକରୁଛି । ଆମ ଦେଶରେ ଏଥିପାଇଁ ସାମ୍ବିଧାନିକ ବିଧିବ୍ୟବସ୍ଥା ଓ ଆଇନଗତ ବ୍ୟବସ୍ଥା ରହିଛି । ଏସବୁ ସତ୍ତ୍ୱେ, ବାଲ୍ୟ ଖୁସି ସତେ ଯେମିତି ତା ପାଇଁ ସାତ ସପନ ହୋଇଛି । ସ୍ୱାସ୍ଥ୍ୟ, ଶିକ୍ଷା ଓ ଆହାର ଅଭାବରୁ ହଜିଯାଉଛି ଶିଶୁ ସୁଲଭ ଚପଳତା । ଶିଶୁଟି ଯଦି ଦୁଇଓଳି ଦୁଇମୁଠା ପେଟପୂରା ଖାଦ୍ୟ ଖାଇବାକୁ ପାଇବ ନାହିଁ ଓ ଦି’ ଅକ୍ଷର ପାଠ ପଢିବାର ସୁଯୋଗ ପାଇବ ନାହିଁ, ତାହାହେଲେ ସେ ଶିଶୁ ଶ୍ରମିକ ହେବାକୁ ବାଧ୍ୟ ହେବ । ଏକ ପରିସଂଖ୍ୟାନରୁ ଜଣାପଡେ ଯେ ଭାରତରେ ଜନସଂଖ୍ୟାର ଏକ ତୃତୀୟାଂଶ ହେଉଛନ୍ତି ଶିଶୁ ଏମାନଙ୍କ ମଧ୍ୟରୁ ଶିଶୁ ଶ୍ରମିକଙ୍କ ସଂଖ୍ୟା ବିଶ୍ୱର ଅନ୍ୟାନ୍ୟ ଦେଶ ତୁଳନାରେ ଅଧିକ । ଦାରିଦ୍ର୍ୟ ଓ ଅଶିକ୍ଷା ଏହାର ପ୍ରମୁଖ କାରଣ । ଫଳରେ ପେଟପାଟଣା ପାଇଁ ବହୁସଂଖ୍ୟାରେ ଶିଶୁ ବିଭିନ୍ନ କ୍ଷେତ୍ରରେ ଦୁଃଖ, ଦୁର୍ଦ୍ଦଶା, ଶୋଷଣ ଓ ନିର୍ଯାତନାର ଶିକାର ହେଉଛନ୍ତି । ପେଟ ଚାଖଣ୍ଡ ପାଇଁ କିଏ ହୋଟେଲ, ଗ୍ୟାରେଜ୍ ତ କିଏ ପୁଣି ବିଡି ବଳିବା, ଖଣିରେ ଇଟା ଭାଙ୍ଗିବା ଭଳି ବିପଦସଂକୁଳ କାମକରୁଛନ୍ତି । ଆଉ ପୁଣି କିଏ ବ୍ୟବସାୟ ପ୍ରତିଷ୍ଠାନ, ଘରୋଇ ଚାକର ଭାବେ କାମ କରୁଛନ୍ତି । ଏପରିକି କେତେକ ରାସ୍ତାରୁ ବା ଅଳିଆଗଦାରୁ ଭଙ୍ଗା ଟିଣ, ଲୁହା, ପ୍ଲାଷ୍ଟିକ୍ ଜରି ଇତ୍ୟାଦି ଗୋଟାଇ ଗୁଜୁରାଣ ମେଣ୍ଟାଇଥାନ୍ତି । ଏକ ହିସାବ ଅନୁଯାୟୀ ଦେଶରେ ଏବେ ଶିଶୁ ଶ୍ରମିକଙ୍କ ସଂଖ୍ୟା ୧,୦୧,୨୮,୬୬୬ ଥିବା ବେଳେ ଆମ ରାଜ୍ୟରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ୩,୩୪,୪୧୬ ।
ଶିକ୍ଷାକୁ ସାର୍ବଜନୀନ, ମାଗଣ ଓ ବାଧ୍ୟତାମୂଳକ କରିବାପାଇଁ କେନ୍ଦ୍ର ସରକାର ୨୦୦୯ମସିହାରୁ ଶିକ୍ଷାକୁ ମୌଳିକ ଅଧିକାର ପରିସରଭୁକ୍ତ କରିଛନ୍ତି । ଆମ ରାଜ୍ୟରେ ଏହା ୨୦୧୦ମସିହା ଏପ୍ରିଲ ପହିଲାରୁ କାର୍ଯ୍ୟକାରୀ ହେଉଛି । ଏହି ଆଇନ କାର୍ଯ୍ୟ କରିବାର ୧୪ ବର୍ଷରୁ ଊଦ୍ଧ୍ୱର୍ ସମୟ ବିତି ଯାଇଥିଲେ ମଧ୍ୟ ଏ ଦିଗରେ ଆମର ଅଗ୍ରଗତି ସନ୍ତୋଷଜନକ ହୋଇପାରିନାହିଁ । ଯେଉଁ ଶିଶୁମାନେ ମଧ୍ୟାହ୍ନଭୋଜନ ଆକର୍ଷଣରେ ବିଦ୍ୟାଳୟକୁ ଆସନ୍ତି, ପାରିବାରିକ ଦାରିଦ୍ର୍ୟ କାରଣରୁ ସେହି ବିଦ୍ୟାଳୟ ଶିକ୍ଷା ପରେ ପାଠପଢା ଛାଡି ଦେଇଥାନ୍ତି । ଆମ ରାଜ୍ୟରେ ସର୍ବଶିକ୍ଷା ଯୋଜନା ୨୦୦୨-୨୦୦୩ ମସିହାରୁ ଆରମ୍ଭ ହେଲାଣି । ଏଥିପାଇଁ ସ୍କୁଲରେ ମାଗଣା ପୁସ୍ତକ, ପୋଷାକ ଓ ମଧ୍ୟାହ୍ନ ଭୋଜନ ଦିଆଯାଉଛି । ତଥାପି ଆମ ରାଜ୍ୟରେ ପ୍ରାୟ ୩ ଲକ୍ଷରୁ ଊଦ୍ଧ୍ୱର୍ ପିଲା ବିଦ୍ୟାଳୟ ବାହାରେ ରହିଯାଉଛନ୍ତି । ସ୍କୁଲରେ ଉପସ୍ଥାନ ସଂଖ୍ୟା ବଢିଥିଲେ ମଧ୍ୟ ଅଧାରୁ ଅନେକ ଶିଶୁ ପାଠ ଛାଡିବା ଦେଖାଯାଉଛି । ସବୁ ଉଦ୍ୟମ ସତ୍ତ୍ୱେ ଏବଂ ସ୍ୱାଧୀନତାର ୭୮ବର୍ଷ ପରେ ବି ବିଶ୍ୱର ଏକ ତୃତୀୟାଂଶ ନିରକ୍ଷର ଲୋକ ଆମ ଦେଶରେ ଅଛନ୍ତି । ଏହାର କାରଣ ଓ ନିରାକରଣ ସମ୍ପର୍କରେ ତର୍ଜମା କରିବାର ଅଛି ।
ଶିଶୁ ଶ୍ରମିକ ବ୍ୟବସ୍ଥାର ଜନନୀ ହେଉଛି ଦାରିଦ୍ର୍ୟ । ଅର୍ଥାତ୍ ଦାରିଦ୍ର୍ୟ ଦୂର ନହୋଇପାରିଲେ ଯେତେ ଯୋଜନା କଲେବି ତାହା ଫଳପ୍ରସୂ ହୋଇପାରିବ ନାହିଁ । ଏକ ଆକଳନ ଅନୁଯାୟୀ ଦେଶର ୭୭ ଭାଗ ଲୋକ ଦୈନିକ ୨୦ ଟଙ୍କା ବି ଆୟ କରିପାରୁନାହାନ୍ତି । ମିଳିତ ଜାତିସଂଘର ସହସ୍ରାବ୍ଦୀ ଲକ୍ଷ୍ୟରେ କୁହାଯାଇଥିଲା ୨୦୧୫ ସୁଦ୍ଧା ଦାରିଦ୍ର୍ୟ, କ୍ଷୁଧା ଓ ରୋଗ ବିରୋଧରେ କାର୍ଯ୍ୟକାରୀ ବ୍ୟବସ୍ଥା ଗ୍ରହଣ କରାଯିବ । ମାତ୍ର ଅଦ୍ୟାବଧି ଏହି ଲକ୍ଷ୍ୟ ପୂରଣ ହୋଇପାରିନାହିଁ । ଦାରିଦ୍ର୍ୟ ହେତୁ ଦେଶର ସାକ୍ଷରତା ହାର ୭୫ ପ୍ରତିଶତ ତଳେ ରହିଛି । ୧୦ ବର୍ଷ ବୟସର ଶିଶୁଙ୍କ ମଧ୍ୟରେ ଅଦେ୍ର୍ଧକ ପ୍ରାରମ୍ଭିକ ପର୍ଯ୍ୟାୟରେ ପାଠପଢାର ସୁଯୋଗ ପାଆନ୍ତି ନାହିଁ । ୧୦ ଭାଗରୁ ଏକ ଭାଗ ଶିଶୁ କଲେଜ ପର୍ଯ୍ୟନ୍ତ ପହଞ୍ଚି ଥାଆନ୍ତି । ଏଦିଗରେ କିପରି ସୁଧାର ଆସିବ ସେ ଦିଗରେ ଚିନ୍ତା କରିବାକୁ ପଡିବ ଓ ସମସ୍ତ ଶିଶୁଙ୍କୁ ଶିକ୍ଷା ସୁଯୋଗ ଦେବାକୁ ହେବ । କାରଣ ଶିକ୍ଷା ହେଉଛି ମାନବ ସମ୍ବଳ ବିକାଶର ମୁଖ୍ୟ ଆୟୁଧ ଓ ପ୍ରଗତିର ଚାବିକାଠି । ଏଣୁ, ଶିକ୍ଷା ଅଧିକାର ଆଇନ ବଳରେ ଶିଶୁ ଶ୍ରମିକମାନଙ୍କୁ ବିଦ୍ୟାଳୟ ପରିସରକୁ ଆଣିବା ପାଇଁ ନିର୍ଦ୍ଦିଷ୍ଟ ବ୍ୟବସ୍ଥା କରାଯିବା ଜରୁରି ।
ଏଥିସହିତ ଦେଶର ଗରିବ ଲୋକ ଯେତିକି ରୋଜଗାର କରନ୍ତି ତା’ର ୮୦ ପ୍ରତିଶତ ଖାଦ୍ୟ ପାଇଁ ବ୍ୟୟ କରିଥାନ୍ତି । ତେଣୁ, ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ସେମାନଙ୍କର ସାମର୍ଥ୍ୟ ରହେନାହିଁ । ଯଦ୍ୱାରା ଦେଶରେ ୪୨ ପ୍ରତିଶତ ଶିଶୁ ପୁଷ୍ଟିହୀନତାର ଶିକାର । ଅର୍ଥାତ୍ ଏମାନଙ୍କ ଓଜନ ବୟସ ଅନୁସାରେ ସ୍ୱାଭାବିକ ଓଜନଠାରୁ ଯଥେଷ୍ଟ କମ୍ । ଦେଶର ପ୍ରତି ଏକ ହଜାର ଶିଶୁଙ୍କ ମଧ୍ୟରୁ ୫୩ ଜଣ ଶିଶୁଙ୍କର ଅକାଳ ମୃତୁ୍ୟ ଘଟୁଛି । କେବଳ ସେତିକି ନୁହେଁ ଦେଶରେ ପ୍ରତିଦିନ ୬ ହଜାର ଶିଶୁ ମୃତୁ୍ୟବରଣ କରୁଛନ୍ତି । ଏହା ଏକ ଜାତୀୟ ଲଜ୍ଜା । ଆମ ରାଜ୍ୟ କଥା ଆହୁରି ତଦ୍ରୁପ । ଏବେ ଆମ ରାଜ୍ୟରେ ପ୍ରତି ହଜାରରେ ୫୧ ଶିଶୁ ମୃତ୍ୟୁ ମୁଖରେ ପଡୁଛନ୍ତି । ଏଥିପାଇଁ ଅର୍ଥନୈତିକ ମାନଦଣ୍ଡ ଅପେକ୍ଷା ସମ୍ବଳର ଅସମ ବଣ୍ଟନ ଓ ମାନସିକତାର ଅଭାବ ହିଁ ପ୍ରମୁଖ କାରଣ । ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ମାଧ୍ୟମରେ ନିରାପଦ ମାତୃତ୍ୱ ପାଇଁ ଜନନୀ ସୁୁରକ୍ଷା ଯୋଜନା ରହିଛି । ଶିଶୁମାନଙ୍କ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ପୁଷ୍ଟିହୀନତା ଥିବା ଶିଶୁୁଙ୍କୁ ପ୍ରୋଟିନ୍ୟୁକ୍ତ ଖାଦ୍ୟ ଓ ଔଷଧ ଯୋଗାଇବାର ବ୍ୟବସ୍ଥା ମଧ୍ୟ ରହିଛି । କିନ୍ତୁ ଏହି ଯୋଜନାର ପ୍ରକୃତ ଲକ୍ଷ୍ୟ ହାସଲ ହୋଇପାରୁନାହିଁ । ଏସବୁ କାରଣରୁ ଶିଶୁ ସମ୍ପଦ ବିଡମ୍ବିତ ଅବସ୍ଥାରେ ରହିଛି । ଯେଉଁମାନେ ଶିଶୁ ଶ୍ରମିକ ହେଉଛନ୍ତି ସେହି କୋମଳମତି ଶିଶୁ ନିର୍ଯାତନା ତଥା ଶୋଷଣ-ପୀଡନର ଶିକାର ହେଉଛନ୍ତି । ଦେଶର ବିଭିନ୍ନ ସ୍ଥାନରେ ଶିଶୁବିକ୍ରି ଓ ଶିଶୁ ଚାଲାଣ ଭଳି ସ୍ପର୍ଶକାତର ପ୍ରସଙ୍ଗ ତଥା କଳଙ୍କିତ ଘଟଣା ଲୋକଲୋଚନକୁ ଆସୁଛି । ଶିଶୁ ଶ୍ରମିକମାନଙ୍କ ମଧ୍ୟରୁ ୫୩ ପ୍ରତିଶତ ଶିଶୁ ଯୌନ ନିର୍ଯାତନାର ଶିକାର ହେଉଛନ୍ତି । ଯେଉଁସବୁ କାର୍ଯ୍ୟରେ ଶିଶୁ ଶ୍ରମିକମାନଙ୍କୁ ନିଯୁକ୍ତି ଦେବାପାଇଁ ଆଇନଗତ ଭାବେ ନିଷିଦ୍ଧ କରାଯାଇଛି ସେସବୁ କ୍ଷେତ୍ରରେ ଆଇନକୁ ଉଲଙ୍ଘନ କରି ଶିଶୁ ଶ୍ରମିକମାନଙ୍କୁ ନିୟୋଜିତ କରାଯାଉଛି । ଏଥିରୁ ଜଣାପଡୁଛି ଶିଶୁ ଶ୍ରମିକ ନିରୋଧ ଆଇନ କେବଳ ନାମକୁ ମାତ୍ର । ରାଜ୍ୟ ତଥା ଦେଶରେ ବହୁ ଶିଶୁ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ ନା ଅଛି ଧରପଗଡ ନା କାର୍ଯ୍ୟାନୁଷ୍ଠାନ । ଫଳରେ ଶିଶୁ ଶ୍ରମିକମାନେ ଏବେ ବାହାରକୁ ଚାଲାଣ ହେବାକୁ ଲାଗିଲେଣି । ସଂପ୍ରତି ଚିନ୍ତା କରିବାର ବେଳ ଆସିଛି । ଶିଶୁମାନଙ୍କର ସାମାଜିକ, ଅର୍ଥନୈତିକ, ରାଜନୈତିକ ଓ ସାଂସ୍କୃତିକ ଅଧିକାର ଯୋଗାଇଦେବା ପାଇଁ ସବୁ ସ୍ତରରେ ଉଦ୍ୟମ ହେବା ଦରକାର । କେବଳ ସରକାରୀ ସ୍ତରରେ ଉଦ୍ୟମ ଶିଶୁ ଶ୍ରମିକ ପ୍ରତିରୋଧ କରିବାରେ ଯଥେଷ୍ଟ ହେବନାହିଁ । ଏଥିପାଇଁ ସରକାର ବୁଦ୍ଧିଜୀବୀ ସ୍ୱଚ୍ଛାସେବୀ ସଂଗଠନ,ଶିକ୍ଷକ ସମାଜ, ପିତାମାତା ଓ ଅଭିଭାବକ ଆଗେଇଆସିବା ଦରକାର ।
ସଭାପତି
ସାରସ୍ୱତ ପରିଷଦ , ଜଗତସିଂହପୁର
ମୋ - ୯୪୩୮୧୭୭୯୧୨