ମହାଯାତ୍ରା ଦର୍ଶନରେ କବି ରମାକାନ୍ତ
ଡକ୍ଟର ଲକ୍ଷ୍ମଣ ସାହୁ : ଅତ୍ୟାଧୁନିକ କାଳର ଓଡ଼ିଆ କବିମାନଙ୍କ ମଧ୍ୟରେ ରମାକାନ୍ତ ରଥ ଜଣେ ସ୍ୱତନ୍ତ୍ର ପ୍ରତିଭା ଭାବରେ ପରିଚିତ ଓ ସମ୍ମାନିତ କବି । ଆଧୁନିକ ଜୀବନର ବହୁ ଘାତ-ପ୍ରତିଘାତ, ମାନସିକ ଦ୍ୱନ୍ଦ୍ୱ ଓ ଜାଗତିକ କ୍ରିୟା-ପ୍ରତିକ୍ରିୟା, ଶ୍ରୀଯୁକ୍ତ ରଥଙ୍କ କବିତାରେ ସ୍ଥାନ ପାଇଥାଏ । ତାଙ୍କ କବିତାରେ ସେ ଆଧୁନିକ କବିତାର ଆଙ୍ଗିକ ଦୃଷ୍ଟିରୁ ଚିତ୍ରକଳ୍ପ ଓ ପ୍ରତୀକ ଇତ୍ୟାଦି ପ୍ରୟୋଗ କରି ଯଥେଷ୍ଟ କୃତିତ୍ୱ ପ୍ରଦର୍ଶନ କରି ଅଛନ୍ତି । ତାଙ୍କ କବିତାରେ ସ୍ଥାପତ୍ୟଗତ ସିଦ୍ଧି, ବିଭିନ୍ନ ପରୀକ୍ଷା ଓ ପ୍ରୟୋଗ କରି ବିଶେଷ କୃତିତ୍ୱ ପ୍ରଦର୍ଶନ କରିଛନ୍ତି । ମିଥ୍ ପ୍ରୟୋଗରେ ସେ ଯଥେଷ୍ଟ ସ୍ୱାତନ୍ତ୍ର୍ୟ ଦେଖାଇଛନ୍ତି ।
୧୯୩୪ ମସିହାରେ ରମାକାନ୍ତ ରଥଙ୍କର ଜନ୍ମ । ବାଲ୍ୟକାଳରୁ ସେ ଥିଲେ ମେଧାବୀ । ଆନୁଷ୍ଠାନିକ ଭାବରେ ସ୍ନାତକ ଶିକ୍ଷା ସମାପ୍ତ କରିବା ପରେ ସେ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ କୃତିତ୍ୱର ସହିତ ଉତ୍ତୀର୍ଣ୍ଣ ହୋଇଥିଲେ । ଭାରତୀୟ ପ୍ରଶାସନରେ ବିଭିନ୍ନ ବିଭାଗରେ ଦକ୍ଷତାର ସହ ନିଜର ଦାୟିତ୍ୱ ସଂପାଦନ କରିଥିଲେ । ଜଣେ ପ୍ରଶାସନିକ କର୍ମଚାରୀ ଭାବରେ ସେ ଯେତିକି ପରିଚିତ, ତଦପେକ୍ଷା ଜଣେ ପ୍ରତିଭାଧର କବି ଭାବରେ ଅଧିକ ସମ୍ମାନିତ । କବି ଶ୍ରୀଯୁକ୍ତ ରଥ ନିଜ ଦାୟିତ୍ୱ ସଂପାଦନ କରିବା ଭିତରେ ଜନଜୀବନ ସହିତ ସାମିଲ ହୋଇଛନ୍ତି ଓ ସେସବୁ ଭିନ୍ନ ଭାବରେ ନିଜ ଭିତରେ ବିଶ୍ଳେଷଣ କରି ସଫଳ କବିତା ରଚନା କରିପାରିଛନ୍ତି । ଅତ୍ୟାଧୁନିକ ଜୀବନ ଓ ଅନୁଭୂତିକୁ ସୂକ୍ଷ୍ମ କାବ୍ୟରୂପ ପ୍ରଦାନ କରି ଅନେକ ପ୍ରତିଷ୍ଠିତ ଓ ସଂଭ୍ରାନ୍ତ ସାହିତ୍ୟ ପତ୍ରିକା ପୃଷ୍ଠାରେ କବି ରମାକାନ୍ତଙ୍କ କବିତା ପତ୍ରସ୍ଥ ହୋଇଛି । କବିତା ସଂପର୍କରେ ସେ କୁହନ୍ତି - "ସୁଖୀ ଲୋକମାନେ କ’ଣ କବିତା ଲେଖନ୍ତି ? ଯେଉଁମାନେ ଦୁଃଖୀ ସେହିମାନେ ହିଁ କବିତା ଓ ଗଳ୍ପ ଲେଖନ୍ତି । କାରଣ ବାଣ୍ଟି ଦେବା ଦ୍ୱାରା କାଳେ ସେମାନଙ୍କ ଦୁଃଖ କମ୍ ହୋଇଯିବ । ସୁଖୀ ଲୋକ କ’ଣ କିଛି ବାଣ୍ଟେ ? ସେ ତ ସବୁକିଛି ନିଜ ପାଖରେ ରଖିବା ପାଇଁ ଚାହେଁ । ସୁଖୀ ହୋଇଥିଲେ ଏତେ କବିତା ଲେଖୁଥାନ୍ତି କାହିଁକି ?" ତାଙ୍କ କବିତା ଗୁଡ଼ିକ ମଧ୍ୟରେ "କେତେ ଦିନର’ (୧୯୬୨) , "ଅନେକ କୋଠରୀ’ (୧୯୬୭), "ସନ୍ଧିଗ୍ଧ ମୃଗୟା’ (୧୯୭୧), "ସପ୍ତମ ଋତୁ’ (୧୯୭୭), "ସଚିତ୍ର ଅନ୍ଧାର’ (୧୯୮୨) , "ସୀମାନ୍ତ ବାସ’ , "ଫେରି ଚାହିଁଲେ’, "ସବୁଦିନେ ସେପାଖେ’ , " ନ ଯା ନ ଯା କହୁ କହୁ’ , "ସରଳ ହୃଦଗଣିତ’ , "ଜାହାଜ ଆସିବ ଓ ଆଉ କେତୋଟି’, ଧର୍ମପଦର ଆତ୍ମହତ୍ୟା (କବିତା) , କବିତା ସମଗ୍ର — ୧ମ, ୨ୟ ଓ ୩ୟ , ସେବେ, ଏବେ, ସବୁବେଳେ : କବୀରଙ୍କ କବିତା (ଅନୁବାଦ) ଆଦି । ଏସବୁ ସତ୍ତ୍ୱେ ତାଙ୍କର ଦୀର୍ଘ କବିତା ଶ୍ରୀରାଧା (୧୯୮୪) , ଶ୍ରୀ ପଳାତକ (୧୯୯୭) ଓ ଗଳ୍ପ ମେଘ ଓ ଅନ୍ୟାନ୍ୟ ଗଳ୍ପ ପାଠକୀୟ ଆଦର ଲାଭ କରିଛି । ବିଶେଷ କରି ପ୍ରଶାସନିକ ସେବାରେ ୧୯୯୨ରେ ଅବସର ଗ୍ରହଣ କରିବା ପୂର୍ବରୁ ଓଡ଼ିଶାର ମୁଖ୍ୟ ସଚିବ ଥିଲେ । ସେହି ସମୟରେ ତାଙ୍କର କେତେ ଦିନର (୧୯୬୨), ସନ୍ଦିଗ୍ଧ ମୃଗୟା (୧୯୭୧), ସପ୍ତମ ଋତୁ (୧୯୭୭), ସଚିତ୍ର ଅନ୍ଧାର (୧୯୮୨), ଶ୍ରୀରାଧା (୧୯୮୫) ଓ ଶ୍ରେଷ୍ଠ କବିତା (୧୯୯୨) ନାମରେ ସାତଟି କବିତା ସଂକଳନ ପ୍ରକାଶ ପାଇଥିଲା । କେନ୍ଦ୍ର ସାହିତ୍ୟ ଏକାଡେମୀ ୧୯୭୮ ମସିହାରେ ତାଙ୍କ କବିତା ସଂକଳନ ସପ୍ତମ ଋତୁ ପାଇଁ ତାଙ୍କୁ ପୁରସ୍କୃତ କରିଥିଲା । ୧୯୮୪ରେ ସଚିତ୍ର ଅନ୍ଧାର ପାଇଁ ତାଙ୍କୁ ଶାରଳା ପୁରସ୍କାର ମିଳିଥିଲା । ୧୯୯୨ ମସିହାପାଇଁ ସେ ଶ୍ରୀରାଧା ନିମନ୍ତେ ସରସ୍ୱତୀ ସମ୍ମାନରେ ସମ୍ମାନୀତ ହୋଇଥିଲେ । ଏହି କାବ୍ୟଗ୍ରନ୍ଥ ଇଂରାଜୀ ଓ ଆଠଟି ଭାରତୀୟ ଭାଷାରେ ଅନୁଦିତ ।
କବି ରମାକାନ୍ତ ରଥ ଆଧୁନିକ ମାନବର ଯନ୍ତ୍ରଣା ଦଗ୍ଧ ଜୀବନ ଜଞ୍ଜାଳକୁ ଓ ବିକଳ ମାନସିକତାକୁ ତାଙ୍କର ଅନେକ କବିତାରେ ସଫଳ ଭାବରେ ରୂପ ପ୍ରଦାନ କରିଥିଲେ । ରମାକାନ୍ତଙ୍କ କାବ୍ୟ-ଶୈଳୀ ବ୍ୟକ୍ତିକୈନ୍ଦ୍ରିକ ହୋଇ ପଡିଥିବା ଲକ୍ଷ୍ୟ କରାଯାଏ । ଯାହା ଫଳରେ ବୋଧହୁଏ ପାଠକମାନଙ୍କଠାରୁ ଦୂରେଇ ଯାଇଥାନ୍ତି । ତାଙ୍କ ସଂପର୍କରେ ଡ . ସୁରେନ୍ଦ୍ର ମହାରଣା କହିଛନ୍ତି – “ଆଧୁନିକ ଓଡ଼ିଆ କବିତାରେ ବୈପ୍ଳବିକ ସମୃଦ୍ଧି ଆନୟନକାରୀ ରୂପକଳ୍ଫ କବି ଶ୍ରୀଯୁକ୍ତ ରମାକାନ୍ତ ରଥ ନିଜ କାବ୍ୟ ଚେତନାର ପ୍ରାରମ୍ଭରୁ ହିଁ ସଚେତନ । ଏକ ଅଭିନବ ଢଙ୍ଗରେ ନିଜ କବିତାରେ ଚିତ୍ରକଳ୍ପ ପ୍ରତି ପ୍ରତୀକର ବିଚିତ୍ର ସମାବେଶ ଘଟାଇ, ସେ କବିତାର ଆତ୍ମିକ ଦିଗଟିକୁ ଉନ୍ନତ ଓ ମାର୍ଜିତ କରିପାରିଛନ୍ତି ।’’ ରମାକାନ୍ତ ତାଙ୍କ କବିତାରେ ବିଭିନ୍ନ ଗଦ୍ୟଛନ୍ଦ ପ୍ରୟୋଗ କରିବା କ୍ଷେତ୍ରରେ ସ୍ୱାତନ୍ତ୍ର୍ୟ ପ୍ରକାଶ କରିପାରିଛନ୍ତି । ତାଙ୍କ କବିତାର ଭାଷା ଗଦ୍ୟଧର୍ମୀ । ଆଲୋଚକ ଡକ୍ଟର ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟ କହିଛନ୍ତି – ‘‘ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ କବିତା କ୍ଷେତ୍ରରେ କବି ରମାକାନ୍ତଙ୍କ ଆସନ ବିଶେଷ ଗୌରବପୂର୍ଣ୍ଣ । ପୂର୍ବବର୍ତ୍ତୀ ସମସ୍ତ କବିମାନଙ୍କଠାରୁ ଓ କାବ୍ୟ ଶିଳ୍ପ ଠାରୁ ଭାଷା ପ୍ରୟୋଗରେ ଓ ଛନ୍ଦ ସଂଯୋଜନାରେ ସେ ତାଙ୍କ ନିଜସ୍ୱ ମୌଳିକତା ପ୍ରଦର୍ଶନ କରିଅଛନ୍ତି । ପ୍ରଚଳିତ ମୁକ୍ତ ଛନ୍ଦର କବିତା ପରିବର୍ତ୍ତେ ସେ ନିଜ କବିତାଶିଳ୍ପ ଲାଗି ଗୋଟିଏ ନୂତନ ଛନ୍ଦ ଅବଲମ୍ବନ କରିଅଛନ୍ତି, ଯାହା ତାଙ୍କର ନିଜସ୍ୱ ନାମରେ ପ୍ରଚଳିତ ହୋଇଅଛି । ତାଙ୍କର ଭାଷା ବିଷୟ ଅବବୋଧର ଅନୁଗାମୀ ଭାବରେ ଗଦ୍ୟସୁଲଭ ଏକ ରୁକ୍ଷ ଭାଷାଶୈଳୀ ସେ ପ୍ରକାଶ କରୁଥିଲେ । ତାଙ୍କ କବିତାର ଭାବଧାରାକୁ ଅତି ତୀବ୍ର ଓ ବେଦନାବୋଧକ ପରମ ଭାବରେ ପରିସ୍ଫୁଟ କରିବାରେ ସମର୍ଥ ହୋଇଅଛି । ସେ କୌଣସି ବାଦରେ ବିଶ୍ୱାସ କରୁନଥିବା ଜଣେ ସ୍ୱାଧୀନ ଚେତନା ସଂପନ୍ନ ଦାର୍ଶନିକ କବି ।” କବି ରମାକାନ୍ତ ତାଙ୍କ କବିତାର ଗଦ୍ୟମୟ ଭାଷା ଭିତରେ ହିଁ କାବ୍ୟିକ ଚମକôାରିତା ପ୍ରକାଶ କରିବା ଦିଗରେ ତାଙ୍କର ଯଥେଷ୍ଟ ପ୍ରଦର୍ଶନ କରିପାରନ୍ତି । ପୁଣି ଭାବଗତ ରହିଛି । ‘ଜହ୍ନରାତି’ କବିତାରୁ ଏକ ଦୃଷ୍ଟାନ୍ତ ନିଆଯାଇ ପାରେ । ଯଥା-
" ବେଳେ ବେଳେ ମନେହୁଏ
ମୁଁ ଆକାଶ ପ୍ରଶସ୍ତ ଅଥଚ ଫାଙ୍କା
ଏବଂ ଦେଖୁଅଛି ପୃଥିବୀ ଯେପରି
ତମେ ଠିକ୍ ମେଲା କରିଅଛ ହାତମାନ
ଯେଉଁଠାରେ ଓହ୍ଲାଇଲେ
ସେହି ଠାରେ ତମ ଆଲିଙ୍ଗନ ।’
ଆଧୁନିକ ମାନବ ଜୀବନର ତୀବ୍ର ଯନ୍ତ୍ରଣାବୋଧ ଓ ଦହନକୁ କବି ‘ଲଣ୍ଠନ’ କବିତାରେ ପ୍ରକାଶ କରିଛନ୍ତି । ସେଭଳି କବିଙ୍କର ବାଘାଲୋକନ କବିତାରେ ମୁକ୍ତ ବାଘ ଓ ମଣିଷ ସର୍କସର ବାଘକୁ ନେଇ ତୁଳନା କରିଛନ୍ତି । କବି ଅତ୍ୟନ୍ତ ଚମକôାର ଢଙ୍ଗରେ ବ୍ୟାଘ ଛଳରେ ମାନବର ଅବସ୍ଥାଭେଦ କଥା ହିଁ ସୂଚାଇ ଅଛନ୍ତି । କବିଙ୍କ ଭାଷାରେ– ‘‘ମୁଁ କିନ୍ତୁ ଦେଖିବି ତାକୁ ଗ୍ୟାଲେରିର ତୃତୀୟ ପାହାଚୁ /ଭଗ୍ନ ଏକ ସ୍ୱାସ୍ଥ୍ୟ ନେଇ ଗ୍ୟାଲେରୀରେ ପେଟ ପୋଷେ ତାର/ ଦେଖୁ ଦେଖୁ ମନେ ପଡ଼? ପିଲାଦିନେ ପଢ଼ିଥିବା ଗୀତ ଆଜି ଯେ ରାଜେନ୍ଦ୍ରାସନେ କାଲି ସେ ପଥର ଫକୀର ।’’
ସ୍ୱାଧୀନତା ପରବର୍ତ୍ତୀ କାଳରେ ଯେଉଁ କେତେଜଣ କବି ଆଧୁନିକ ଓଡ଼ିଆ କବିତାରେ ନିଜର ସ୍ୱକୀୟତାର ସ୍ୱାକ୍ଷର କରିପାରିଛନ୍ତି ସେମାନଙ୍କ ମଧ୍ୟରେ କବି ରମାକାନ୍ତ ହେଉଛନ୍ତି ଅନ୍ୟତମ । ସମସାମୟିକ ସ୍ୱର ତାଙ୍କ ସୃଷ୍ଟିରେ ଅତ୍ୟନ୍ତ ସ୍ପଷ୍ଟ ହୋଇଛି । ନିଃସଙ୍ଗତାର ଆସେ ଅସହାୟତା ଓ ସେଇ ଅସହାୟତାରୁ ସୃଷ୍ଟି ହୁଏ ନିଜପ୍ରତି, ସମଗ୍ର ସୃଷ୍ଟିପ୍ରତି । ଆବେଗ ନିଷିକ୍ତ ସେଇ କାରୁଣ୍ୟର, ବିଷର୍ଣ୍ଣତାର ସ୍ୱର ତାଙ୍କ ସୃଷ୍ଟିଭୂମି ପ୍ଲାବିତ କରି ପ୍ରବହମାନ । ଯେମିତି ସେ ଲେଖୁଛନ୍ତି— " ଯେଉଁ ଲୋକ ମଲା / ସେ ନିଶ୍ଚୟ ତମ ହାତ ଧରିବ ଜାବୁଡ଼ି, ତମକୁ /ବୁଝିବାର ସେ ସଂକ୍ଷିପ୍ତ ବିଷର୍ଣ୍ଣ ବେଳରେ / ସବୁରଙ୍ଗ ଦିଶିଥିବେ କଳା, ତାରାମାନେ/ ପ୍ରତାରଣା ଦେଖୁଥିବେ ଦାରୁଭୂତ ମୁରାରି ଭାବରେ -’ ।
ଅସହାୟ ଏକ ମଣିଷର ସମ୍ବେଦନଶୀଳ ପ୍ରାଣ ମୃତୁ୍ୟ କବିଙ୍କର ସମ୍ବେଦନଶୀଳ ପ୍ରାଣରେ ଯେଉଁ ପ୍ରତିବାଦ ସୃଷ୍ଟି କରିଛି, ମରିଯିବା ପୂର୍ବରୁ ମୃତୁ୍ୟର ଘନକଳା ବଞ୍ଚିବା ପାଇଁ ତା’ର ଯେଉଁ ଅଦମ୍ୟ ଲାଳସା ତାହା ହାତକୁ ଜାବୁଡ଼ି ଧରିବାରେ ବିକଳ ପ୍ରୟାସ ମାତ୍ର । ମୃତୁ୍ୟର ସେଇ ହିମଶୀତଳ ବିଷର୍ଣ୍ଣ ଛାୟା ଧୀରେ ଧୀରେ ମଣିଷକୁ ଗ୍ରାସ କରିଯାଇଥୁବ । ଏକ ମୃତୁ୍ୟ ପଥ ଯାତ୍ରାର ଦୈନ୍ୟ ଅତି ଜୀବନ୍ତ ଭାବରେ ଛାୟା ପକାଇ ଅଛନ୍ତି । ଜୀବନର ଏହି ଅନ୍ତିମ ପରିଣତି ଅତ୍ୟନ୍ତ ମର୍ମସ୍ପର୍ଶୀ । ବୌଦ୍ଧିକତାର ଭାବ ଗାମ୍ଭୀର୍ଯ୍ୟର, ମୃତୁ୍ୟ ଚେତନାର ଓ ଦାର୍ଶନିକତାର ଏକ ଆନୁପାତିକ ସମନ୍ୱୟ ବେଶ୍ ଚାତୁର୍ଯ୍ୟପୂର୍ଣ୍ଣ । ବିଶେଷ କରି ରୂପକଳ୍ପର ପ୍ରୟୋଗ ଓ ଚିତ୍ରକଳ୍ପର ବ୍ୟବହାର ପ୍ରଭାବଶାଳୀ । ସେଭଳି ଭିନ୍ନ ଆଉ ଏକ କବିତା ମାଷ୍ଟ୍ରାଣୀ ? । କବିତାରେ ଜୀବନ ଯୁଦ୍ଧରେ ପରାଜିତ ସୈନିକର କାହାଣୀ । ହାରିଯାଇଥିବାର ବେଦନାର୍ତ୍ତର ଅସହାୟ ଆର୍ତ୍ତନାଦ ।
" ଦିନେନା ଦିନେ ମୁଁ ପ୍ରୌଢ଼ା ହୋଇଯିବି, / ଏବଂ ଚଷମାର ମୋଟା ଫ୍ରେମ୍ରୁ ମୋ/ ପଶିଯାଇଥିବା ଗାଲ/ ଝୁଲିବ ବାଦୁଡ଼ି ପରି, ବା/ ମୁଁ ଘୋଷାରି ଚାଲୁଥୁବି ଅସହଜ/ ପୃଥୁଳ ଶରୀର-’
ଘର କୋଣରେ ନିରାପଦ ଆଶ୍ରୟ ଛାଡ଼ି ଜୀବନ ସଂଗ୍ରାମରେ ଯୋଗ ଦେବାପାଇଁ ବାହାରକୁ ଆସିଥିବା ଆଉ ଏକ ଅସହାୟ ଜୀବ ବିଂଶ ଶତାବ୍ଦୀର ଅଭିଶାପ । ତୁଳସୀ ଚଉରା, ଦୀପର ମହକ ବୋଧହୁଏ ଏମାନଙ୍କ ପାଇଁ ଦିବା ସ୍ୱପ୍ନ । ମୃତୁ୍ୟ ଚେତନାର କବି ରମାକାନ୍ତ । ମୃତୁ୍ୟ ପାଇଁ କେବେ ଭୟଭୀତ ନୁହନ୍ତି । କବି ରମାକାନ୍ତ ମୃତୁ୍ୟ ଚେତନା ସମ୍ପର୍କରେ ସଚେତନ ମୃତୁ୍ୟକୁ ଦେଖୁଲେ ଖାଲି ହସ ମାଡ଼େ, ଚେତନ । ମାତ୍ର ଭୟଭୀତ ନୁହନ୍ତି । ତାଙ୍କରି ଭାଷାରେ - "ମୃତୁ୍ୟ ଏକ ଚପଳ ବାଳକ,/ ଅଙ୍କା ଅକ୍ଷରରେ ବାଜେ କଥା ଲେଖୁଛି କାନ୍ଥରେ/;ବାର୍ଦ୍ଧକ୍ୟଟା ପରା ଅବା ଦାସୀଙ୍କର-’ ।
ଏଠାରେ ତାରୁଣ୍ୟ ସହିତ ମିଶିଛି ପରିହାସ । ମୃତୁ୍ୟ ଓ ଜୀବନ ଅପରିହାର୍ଯ୍ୟ ସତ । ସେଥିପାଇଁ ହାହୁତାଶ ପ୍ରକାଶ କରିବାରେ କେଉଁ ସାର୍ଥକତା, ତା' ଅପେକ୍ଷା ବରଂ ଜୀବନ ବିଷୟରେ ଚିନ୍ତା କରିବା ଖୁବ୍ ଭଲ । ତେଣୁ ତାଙ୍କ କବିତାରେ - " ଜିଇଁବାଟା ବୋଧହୁଏ ଜୀବନରେ ସବୁଠାରୁ ସତ, / ତା' ଠାରୁ ବି ସତ ବୋଧେ ଆଦର୍ଶର ହତ୍ୟା ଆଉ ବିବେକର ମୃତୁ୍ୟର କାହାଣୀ..’
ବଞ୍ଚିବା ପାଇଁ ମଣିଷ ସବୁ କରିପାରେ । ପେଟର କ୍ଷୁଧା ନିକଟରେ ବିବେକ ଆଉ ଆଦର୍ଶ ଆପେଆପେ ନିଷ୍ପ୍ରଭ ହୋଇଯାଏ । ବିଂଶ ଶତାବ୍ଦୀରେ ଜୀବନ ଯେତେବେଳେ ଅସ୍ୱାଭାବିକ ଭାବେ ଜଟିଳ ପାଲଟିଯାଇଛି, ସେତେବେଳେ କ'ଣ ବା ମୂଲ୍ୟ ଅଛି ଶୁଖିଲା ଆଦର୍ଶ ଅବା ବିବେକର ? କବି ରମାକାନ୍ତ ଅନୁଭୂତିକୁ କଳାର ଦରବାରରେ ସଜ୍ଜିତ କରି ରଖିବାର କଳା କୈାଶଳ ତାଙ୍କୁ ବେଶ୍ ଜଣା । ତୀକ୍ଷ୍ଣ ବୌଦ୍ଧିକତା , ଚିନ୍ତାଶୀଳ ଦାର୍ଶନିକତା, ଶାଣିତ ଅନୁଭୂତି ଓ ଜୀବନ ପ୍ରତି ଏକ ନୈର୍ବ୍ୟକ୍ତିକ ଦୃଷ୍ଟିଭଙ୍ଗୀ । ସେଥିଲେ ସମୟର କବି ଓ ଏ ସମୟ ହେଉଛି ନୈରାଶ୍ୟର, ଦୁଃଖ ଯନ୍ତ୍ରଣା ବେଦନାବୋଧର । ତୀବ୍ର ଜ୍ୱଳନ ହେଉଛି ସାମ୍ପ୍ରତିକ ମଣିଷର ଏକମାତ୍ର ନିୟତି । କବିଙ୍କ ଦୃଷ୍ଟିରେ-
" ମୁଁ ଜଳୁଛି ଓ ଜଳୁଚି ତୀବ୍ର ଦରଦରେ, / ମିଡିୟମ୍ ଧୋତି ଏବଂ ଇସ୍ତ୍ରୀ କରା ଅଧା କାମିଜ୍ରେ । ଏହାହିଁ ହେଉଛି ସାମ୍ପ୍ରତିକ ମଣିଷର ଏକମାତ୍ର ପରିଣତି । ଏଥିରେ ଆଶା ନାହିଁ, କି ସ୍ୱପ୍ନ ନାହିଁ କିମ୍ବା କୁହାଯାଇପାରେ କିଛି ଏଠି ନାହିଁ । ରମାକାନ୍ତ ସେଇ ସମୟର କଥା ହିଁ କୁହନ୍ତି— କହିବାର ସ୍ୱରଟି ବଡ଼ ଆନ୍ତରିକ, ନିଛକ ବାସ୍ତବ ଓ କାବ୍ୟିକ । ଏସବୁ ସତ୍ତ୍ୱେ୍ୱ କବିଙ୍କ ଦୀର୍ଘ କବିତା ଶ୍ରୀରାଧା । ପୁରାଣ ବର୍ଣ୍ଣିତ ରାଧାଙ୍କ ମନସ୍ତତ୍ତ୍ୱର ବାସ୍ତବଚିତ୍ର । ଭାରତବର୍ଷର କାବ୍ୟ ସାହିତ୍ୟରେ ‘ଶ୍ରୀରାଧା' ଏକ କ୍ଲାସିକ ସୃଷ୍ଟିର ଶ୍ରେଷ୍ଠ ମାନ୍ୟତା ପାଇଛି । ଏହା ଇଂରାଜୀ ଓ ଆଠଟି ଭାରତୀୟ ଭାଷାରେ ଅନୁଦିତ ହୋଇ ବିପୁଳ ପାଠକୀୟ ଶ୍ରଦ୍ଧା ଲାଭ କରିଛି । ଇଂରାଜୀ ଭାଷାକୁ ଅନୁବାଦ ନିଜେ କବି କରିଛନ୍ତି । ଶ୍ରୀରାଧାରେ ରାଧାଙ୍କୁ କବି କେବଳ କୃଷ୍ଣଙ୍କ ପ୍ରେମିକା ଭିନ୍ନ ଏକ ସ୍ୱତନ୍ତ୍ର ନାରୀର ପରିଚୟ ପ୍ରଦାନ କରିବାକୁ ଚେଷ୍ଟା କରିଛନ୍ତି । ଏ ସଂପର୍କରେ ଇଂରାଜୀ ସାହିତ୍ୟର ପ୍ରଖ୍ୟାତ ଆଲୋଚିକା ‘କ୍ୟାଥ୍ଲୀନ୍? ରାଇନ୍' କହିଛନ୍ତି,"ଭାରତୀୟ କାବ୍ୟମାନସରେ ଦିବ୍ୟସତ୍ତା ପ୍ରତି ଆକର୍ଷଣର ଯେଉଁ ପରମ୍ପରା ରହିଛି ଓ ଯେଉଁ ଆକର୍ଷଣଦ୍ୱାରା କାଳିଦାସ, କବୀର, ମୀରାବାଈ ଓ ରବୀନ୍ଦ୍ରନାଥଙ୍କ କବିତା ଅନୁପ୍ରାଣିତ, ରମାକାନ୍ତ ସେହି ପରମ୍ପରାର କବି । ‘ଶ୍ରୀରାଧା' ପରି ପ୍ରଗାଢ ଓ ଉତ୍ତୀର୍ଣ୍ଣ ପ୍ରେମର କବିତା, ଏକାଧାରେ ଦେହଜ ଓ ଦେହାତୀତ ପ୍ରେମର କବିତା, ଇହଜୀବନ ବାହାରେ ଅବସ୍ଥିତ ଦିବ୍ୟଭାବ ସହିତ ଏକକାର ହେବା ପାଇଁ ଆସ୍ପୃହାର କବିତା ଅନେକ ଦିନରୁ ମୋର ଦୃଷ୍ଟିଗୋଚର ହୋଇନାହିଁ ।" ସେଭଳି ମାଲୟାଲମ ଭାଷାର ବିଖ୍ୟାତ କବୟିତ୍ରୀ ସୁଗାତା କୁମାରୀ କହନ୍ତି, “ ‘ଶ୍ରୀରାଧା’ ପଢିସାରିଲା ପରେ ଟିକିଏ କାନ୍ଦି ପକେଇବାକୁ କେତେ ଚାହିଁଲି ! ରାତି ପରେ ରାତି ଅନିଦ୍ରାରେ, ନିସ୍ତବ୍ଧ ଅସ୍ଥିରତାରେ ବିତିଗଲା.... ନା ଦି’ପଦ ଲେଖିପାରିଲି, ନା ଦି’ ଟୋପା ଲୁହ ବୁହାଇ ପାରିଲି... ମୁଁ ଭାବିଥିଲି ବୃନ୍ଦାବନନିବାସିନୀ ରାଧାଙ୍କ ସବୁ ବୃତ୍ତାନ୍ତ ମତେ ଜଣା, କିନ୍ତୁ ଏ ରାଧା ! ମର୍ମନ୍ତୁଦ ପୀଡାର ଓ ଆନନ୍ଦପ୍ଳୁତ ଦିବ୍ୟପ୍ରେମର ମୂର୍ତ୍ତିମତୀ ଏ ରାଧାଙ୍କୁ ଭେଟି ମୋ ଆଖି ଝଲସି ଗଲା.... ତାଙ୍କର ପ୍ରସାରିତ ଦୁଇବାହୁ ଭିତରେ ଥିବା ଉଦଗ୍ରୀବ ଶୂନ୍ୟସ୍ଥାନର ଶ୍ୟାମବର୍ଣ୍ଣ ଦେଖି ମୋର ସର୍ବାଙ୍ଗ କମ୍ପିଉଠିଲା.... ଦ୍ୱୈତଭାବର ଅତଳତଳ ବିଷାଦ ଅଦ୍ୱୈତଭାବର ଉନ୍ମାଦକାରୀ ପୁଲକରେ ପରିଣତ ହୋଇଗଲା । ବାସ୍ତବରେ ଶ୍ରୀରାଧା କାବ୍ୟରେ- " ଅନ୍ୟ ସବୁ ସକାଳଠୁଁ ଆଜି ସକାଳ/ କାହିଁକି କେଜାଣି ଲାଗେ ଅଲଗା ଅଲଗା / ଖରାର କି ଦୁଃସାହସ / ଆଜି ପବନରେ ଅନ୍ୟମନସ୍କତା ଯାହା ନୁହେଁ ଆଗପରି / ସତେବା ଫେରିଛି କେଉଁ ଦେଶାନ୍ତରୀ ପ୍ରେମିକ, ରହୁଛି / ଆଖପାଖ କେଉଁଠାରେ ଛଦ୍ମବେଶ ଧରି ।"
ଜୀବନ ପ୍ରତି, ଜଗତ ପ୍ରତି ରମାକାନ୍ତଙ୍କର ଦୃଷ୍ଟିକୋଣ ନୈରାଶ୍ୟ ଓ ସମ୍ଭାବନା ହୀନତାର ଭିତ୍ତି ଉପରେ ପ୍ରତିଷ୍ଠିତ । ସେ ନୀତି ନିପୁଣ ଭାବରେ କୌଣସି ନୀତିର କଥା ଶୁଣାଇ ନାହାନ୍ତି । ସମାଜପତି ଭାବରେ ସେ ସମାଜର ଗଠନ ନିମନ୍ତେ ଆହ୍ୱାନ ଦେଇ ନାହାନ୍ତି । ଏପରିକି ସୌନ୍ଦର୍ଯ୍ୟ ବିଳାସୀ ଭାବରେ ପାଠକମାନଙ୍କୁ କଳ୍ପନାର କଳ୍ପଲୋକର ଇଲାକା ଭିତରକୁ ନେଇ ନାହାନ୍ତି । ଜୀବନ ଯେମିତି ତାକୁ ସେଇ ରୂପରେ ସେ ପାଠକମାନଙ୍କ ନିକଟରେ ଉପସ୍ଥାପିତ କରିଛନ୍ତି । ଅବଶ୍ୟ ଏଥିରେ ତାଙ୍କର ମନ୍ତବ୍ୟ ରହିଛି । କବି ରମାକାନ୍ତ ଆଜି ପଳାତକ । ନା ସେ ପଳାତକ ନୁହଁନ୍ତି । ପଳାତକ କବି ରମାକାନ୍ତ ରଥଙ୍କ ସପ୍ତମ କାବ୍ୟ-ଗ୍ରନ୍ଥ । ଏଥିରେ ଥିବା ପ୍ରତ୍ୟେକଟି କବିତା ଏକାଧାରରେ ସ୍ୱତନ୍ତ୍ର, ପୁଣି ଅନ୍ତରୀଣ ସଂହତିବଶତଃ ଏକ ଦୀର୍ଘ କବିତାର ଅଂଶ । ବାସ୍ତବରେ ସେ ଆମ ଗହଣରେ ନଥିଲେ ମଧ୍ୟ ତାଙ୍କ ରଚିତ କାବ୍ୟକବିତାରେ ଅଛନ୍ତି ଓ ରହିବେ ମଧ୍ୟ । ତାଙ୍କରି ଭାଷାରେ - " ଆଜି ମରିବାର ରାତି, ଏଠାରୁ ସେ ଯିବେ / ଚନ୍ଦ୍ରପକ୍ଷ ରାତିକୁ, ସେଠାରେ / ବୁଦା ଆଢୁଆଳୁ କିଏ ହଠାତ୍ ବାହାରି / ମୁହଁରୁ ପ୍ରତ୍ୟେକ ଅସହାୟତାର ଧୁଳି / ଝାଡିଦେବ ପଣତକାନିରେ । ବସାରେ ଘୁମେଇ ପଡ଼ିଥିବା ପକ୍ଷୀମାନେ / ହଠାତ୍ ଉଠି ପଡ଼ିବେ । ହଠାତ୍ ନିଜ ଇଛାର ନିଦ ଭାଙ୍ଗିଯିବ / ସଂପୂର୍ଣ୍ଣ ଅପରିଚିତ ସେ କୋଳାହଳରେ ...!’ ହେ କବି ତୁମ ଲଣ୍ଠନ ଲିଭିବ ନାହିଁ , ତୁମେ ଅମର.. । ଶତ ପ୍ରଣାମ...
ଅଧ୍ୟକ୍ଷ , ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ , କଟକ - ୪.
ମୋ: ୯୦୪୦ ୧୫୧୪୭୫