ବୈଜ୍ଞାନିକ ଡଃ.ପ୍ରାଣକୃଷ୍ଣ ପରିଜା
ହିମାଂଶୁ ଶେଖର :ଫୁଲର ବାସ୍ନା ଥିଲେ ସେ ମହକିବ ଓ ପ୍ରତିଭା ଥିଲେ ତା’ର ପରିସ୍ଫୁଟନ ଘଟିବ । ଏହାକୁ ଯଥାର୍ଥରେ ପ୍ରତିପାଦନ କରିଥିଲେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବୈଜ୍ଞାନିକ ଡକ୍ଟର ପ୍ରାଣକୃଷ୍ଣ ପରିଜା । ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ ସେ । ଏକାଧାରରେ ସେ ଥିଲେ ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ବୈଜ୍ଞାନିକ, ପ୍ରବୀଣ ଶିକ୍ଷାବିତ୍, ଦକ୍ଷ ପ୍ରାଶସକ, ସୁସାହିତି୍ୟକ ଓ ସର୍ବୋପରି ଜଣେ ଆଦର୍ଶ ଜନନାୟକ । ବିଜ୍ଞାନ ଓ ଗବେଷଣା କ୍ଷେତ୍ରରେ ଥିଲା ତାଙ୍କର ଯେତିକି ରୁଚି, ଅଧ୍ୟାପନା,ରାଜନୀତି ଓ ସାମାଜିକ ଜୀବନରେ ମଧ୍ୟ ଥିଲା ସେତିକି ଅନୁରକ୍ତି । ଖାଲି ସେତିକି ନୁହେଁ, ନିଜର କୃତି ଓ କୀର୍ତ୍ତି ବଳରେ ସେ କେବଳ ଆମ ଦେଶ ନୁହେଁ, ସମଗ୍ର ବିଶ୍ୱରେ ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଯାଇଛନ୍ତି । ପ୍ରକୃତରେ କହିବାକୁ ଗଲେ ଆଜି ଯେଉଁମାନେ ଓଡିଶାରେ ବିଶିଷ୍ଟ କବି, ଲେଖକ, ପ୍ରାବନ୍ଧିକ, ସମାଲୋଚକ, ପ୍ରଶାସକ, ରାଜନେତା ଓ ବୈଜ୍ଞାନିକ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ତାଙ୍କ ଛାତ୍ର । ଯଥାର୍ଥରେ ସେ ଥିଲେ ଆଧୁନିକ ଓଡିଶାର ଶିକ୍ଷାଗୁରୁ ।
ଏହି ଯୋଗଜନ୍ମା ବରପୁତ୍ର ଜନ୍ମଗ୍ରହଣ କରିଥିଲେ ୧୮୯୧ ମସିହା ଏପ୍ରିଲ ଏକ ତାରିଖରେ ବର୍ତ୍ତମାନର ଜଗତିସଂହପୁର ଜିଲ୍ଲା ଅନ୍ତର୍ଗତ ବାଲିକୁଦା ବ୍ଲକର ଇଚ୍ଛାପୁର ଗ୍ରାମରେ । ତାଙ୍କ ପିତାଙ୍କ ନାମ ଥିଲା ବିଶ୍ୱନାଥ ପରିଜା ଓ ମାତାଙ୍କ ନାମ ଜୟନ୍ତୀ ଦେବୀ । ବାଲ୍ୟକାଳରୁ ପରିବାରର ଆର୍ଥôକ ଦୁରବସ୍ଥା ଓ ପ୍ରତିକୂଳ ପରିସ୍ଥିତି ତାଙ୍କ ପ୍ରତିଭାର କଣ୍ଠରୋଧ କରିପାରିନଥିଲା । ନିଜର ମେଧା, ସଂକଳ୍ପ ଓ ବିଦ୍ବତ୍ତା ବଳରେ ସେ ଜୀବନର ଶୀର୍ଷତମ ସୋପାନରେ ପହଞ୍ଚôପାରିଥିଲେ । ୧୯୦୪ ମସିହାରେ ମାଇନର ପରୀକ୍ଷାରେ ବାଲିକୁଦା ସ୍କୁଲରୁ ସମଗ୍ର ଓଡ଼ିଶାରେ ପ୍ରଥମ ହେବାପରେ ସେ ଆଉ ପଛକୁ ଫେରି ·ହିଁନଥିଲେ । ଏହାପରେ ୧୯୦୯ ମସିହାରେ ଏଣ୍ଟ୍ରାନ୍ସ ପରୀକ୍ଷାରେ ଏବଂ ରେଭେନ୍ସା କଲେଜରୁ ଆଇ.ଏସ୍ସି ପରୀକ୍ଷାରେ ଯଥାକ୍ରମେ ସପ୍ତମ ଓ ପଞ୍ଚମ ସ୍ଥାନ ଲାଭ କରି ବୃତ୍ତି ପାଇ ନିଜର ଅଧ୍ୟୟନ ଅବ୍ୟାହତ ରଖିଥିଲେ । ସେହିପରି କଲିକତାର ପ୍ରେସିଡ଼େନ୍ସି କଲେଜରୁ ବି.ଏସ୍ସି ପାଶ୍ ଓ ପରେ କଲିକତା ବିଶ୍ୱବିଦ୍ୟାଳୟରେ ଏମ୍.ଏସ୍ସି ପଢ଼ିବା ସମୟରେ ପ୍ରାଣକୃଷ୍ଣ ପରିଜା ବିହାର-ଓଡ଼ିଶା ସରକାରଙ୍କ ତରଫରୁ ରାଷ୍ଟ୍ରୀୟ ବୃତ୍ତିପାଇ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ପଢ଼ିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ଜଣେ ବୈଜ୍ଞାନିକ ଭାବେ ଡକ୍ଟର ପରିଜାଙ୍କ ଦାନ ଅତୁଳନୀୟ । ସାରା ଜୀବନ ଉଦ୍ଭିଦ ବିଜ୍ଞାନ ଉପରେ ଗବେଷଣା କରି ସେ ଯେଉଁ ନୂତନ ତଥ୍ୟ ଦେଇଯାଇଛନ୍ତି ତାହା ବହୁ ବିଜ୍ଞାନୀଙ୍କର ଆଖି ଖୋଲି ଦେଇଛି । କେମ୍ବ୍ରିଜରେ ଅଧ୍ୟୟନ କରିବା ସମୟରେ ସେ ଏଫ୍.ଏଫ୍ ବ୍ଲାକମ୍ୟାନ୍ଙ୍କ ଅଧୀନରେ ଗବେଷଣା କରି ସେଓର ଶ୍ୱାସକ୍ରିୟା ସଂକର୍ପରେ ଯେଉଁ ନିବନ୍ଧ ରଚନା କରିଥିଲେ ତାହା “ପରିଜା-ବ୍ଲାକମ୍ୟାନ”ଥିଓରି ନାମରେ ଖ୍ୟାତ । ଏହି ଗବେଷଣା ପ୍ରସ୍ତୁତ ତଥ୍ୟ ଲଣ୍ଡନର ପ୍ରସିଦ୍ଧ ‘ରୟାଲ ସୋସାଇଟି’ ପତ୍ରିକାରେ ପ୍ରକାଶିତ ହେଲାପରେ ପ୍ରାଣକୃଷ୍ଣ ପରିଜାଙ୍କ ଖ୍ୟାତି ସମଗ୍ର ବିଶ୍ୱରେ ବ୍ୟାପୀ ଯାଇଥିଲା । ଉଦ୍ଭିଦର ଶ୍ୱାସକ୍ରିୟା ସମ୍ବନ୍ଧୀୟ ଏହି ମୌଳିକ ତଥ୍ୟ ଭାରତ ସମେତ ପୃଥିବୀର ବହୁ ପାଠ୍ୟ ପୁସ୍ତକରେ ପ୍ରକାଶିତ ହୋଇଅଛି । ଏଥି ସହିତ ପରିଜା ସାହେବ ବିଲାତି ଦଳ ଉପରେ ଗବେଷଣା କରିଛନ୍ତି । ସେହିପରି ବିଭିନ୍ନ ଉଦ୍ଭିଦ କିଭଳି ଭାବରେ ମାଧ୍ୟାକର୍ଷଣ ଶକ୍ତି, ଆଲୋକ, ଉତ୍ତାପ ଓ ଜଳୀୟବାଷ୍ପ ପ୍ରଭୃତି ବାହ୍ୟଶକ୍ତି ଦ୍ୱାରା ପ୍ରଭାବିତ ହୁଅନ୍ତି ସେ ବିଷୟରେ ମଧ୍ୟ ଗବେଷଣା କରିଛନ୍ତି ପ୍ରାଣକୃଷ୍ଣ ପରିଜା ।
ଜଣେ ସ୍ୱନାମଧନ୍ୟ ଅଧ୍ୟାପକ ଓ ଦକ୍ଷ ପ୍ରଶାସକ ରୂପେ ଡକ୍ଟର ପରିଜା ନିଜ ପାଇଁ ଏକ ନିଆରା ପରିଚୟ ସୃଷ୍ଟି କରିଥିଲେ । ୧୯୨୧ ମସିହାରେ ଇଂଲଣ୍ଡରେ ଭାରତୀୟ ଶିକ୍ଷାସେବା (ଆଇ.ଇ.ଏସ୍)ରେ ନିଯୁକ୍ତି ପାଇ ସେତେବେଳର ରେଭେନ୍ସା କଲେଜର ଉଦ୍ଭିଦ ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପକ ଭାବରେ ଅବସ୍ଥାପିତ ହେଲେ ପ୍ରାଣକୃଷ୍ଣ । ପରାଧୀନ ଭାରତ ବର୍ଷରେ ୧୯୩୮ ମସିହାରେ ରେଭେନ୍ସା କଲେଜର ଅଧ୍ୟକ୍ଷ ପଦ ଅଳଙ୍କୃତ କରି ୧୯୪୩ ପର୍ଯ୍ୟନ୍ତ ସେହି ପଦବୀରେ ରହି ନିଜ କାର୍ଯ୍ୟକୁଶଳତାର ପ୍ରମାଣ ଦେଇଥିଲେ । ସେତେବେଳେ ଜଣେ ଓଡ଼ିଆ ପୁଅ ଏପରି ପଦବୀ ପାଇବା କମ୍ ଗୌରବର କଥା ନଥିଲା । ଏହାପରେ ୧୯୪୪ ମସିହାରୁ ୧୯୪୮ ମସିହା ପର୍ଯ୍ୟନ୍ତ ଉକôଳ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଓ ପରେ ୧୯୫୧,୧୯୫୫ ଏବଂ ୧୯୬୧ ମସିହାରେ ଏହିପରି ସର୍ବୋମୋଟ ୪ଥର କୁଳପତି ହେବାର ସୌଭାଗ୍ୟ ଲାଭ କରିଥିଲେ ସେ । ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଉପ-କୁଳପତି ଦାୟିତ୍ୱ ବହନ କରିବା ତାଙ୍କ ପାରିବାପଣିଆର ଆଉ ଏକ ନମୁନା ଥିଲା । ଏଥି ସହିତ ଜାତୀୟ ବିଜ୍ଞାନ କଂଗ୍ରେସର ସଭାପତି, ଓଡ଼ିଶାର ପ୍ରଥମ କୃଷି ନିଦେ୍ର୍ଦଶକ, ଜାତୀୟ ଭାଷା କମିଶନର ସଦସ୍ୟ, ବିଶ୍ୱ ବିଦ୍ୟାଳୟ ମଂଜୁରୀ କମିଶନ ସାଧାରଣ ଶିକ୍ଷା କମିଟିର ଅଧ୍ୟକ୍ଷ ଏବଂ ବହୁ ଜାତୀୟ ଓ ଅନ୍ତର୍ଜାତୀୟ ଅନୁଷ୍ଠାନରେ ଉଚ୍ଚ ପଦବୀରେ ରହି ନିଷ୍ଠା ଓ ଦକ୍ଷତାର ସହ ଦାୟିତ୍ୱ ତୁଲାଇଥିଲେ । ଏପରିକି ୧୯୫୨ ମସିହାରେ ବାଲିକୁଦା ନିର୍ବାଚନ ମଣ୍ଡଳୀରୁ ନିର୍ଦ୍ଦଳୀୟ ବିଧାୟକ ରୂପେ ନିର୍ବାଚନ ହୋଇ ଜନତାର ସେବା କରିବାର ସ୍ୱପ୍ନକୁ ସାକାର କରିଥିଲେ ।
ପ୍ରଫେସର ପରିଜା ଜଣେ ସୁସାହିତ୍ୟକ ଥିଲେ । ଛାତ୍ରାବସ୍ଥାରେ ସେ ଶିଶୁମାନଙ୍କ ପାଇଁ ଗପ ଓ ପଦ୍ୟ ଲେଖୁଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ସେ ନୀଳକଣ୍ଠ ଦାସଙ୍କ ଦ୍ୱାରା ସଂପାଦିତ ନବଭାରତ ପତ୍ରିକାରେ କେତେ ଗୁଡ଼ିଏ ବିଜ୍ଞାନ ପ୍ରବନ୍ଧ ପ୍ରକାଶ କରିଥିଲେ । ଏଥିସହିତ ସେ ଚିନ୍ତାମଣି ଆ·ର୍ଯ୍ୟଙ୍କ ସଂପାଦନାରେ ପ୍ରକାଶିତ ହେଉଥିବା ପିଲାଙ୍କ ପତ୍ରିକା ପଞ୍ଚାମୃତରେ ଖଜୁରୀ ଗଛ ଓ ଛତୁ ପ୍ରଭୃତି ବିଷୟରେ ଲେଖିଥିଲେ । ସେହିପରି ଓଡ଼ିଆ ଭାଷାକୋଷ ପ୍ରଣୟନ ପାଇଁ ଡକ୍ଟର ମାୟାଧର ମାନସିଂହଙ୍କୁ ମୁଖ୍ୟ ସଂକଳକ ରୂପେ ନିଯୁକ୍ତ କରି ଓଡ଼ିଆ ଭାଷାର ଶୁଦ୍ଧ, ନିର୍ଭୁଲ ଓ ଅତ୍ୟାଧୁନିକ ଭାଷାକୋଷ ପ୍ରତିଷ୍ଠାର ପ୍ରଥମ ପଦକ୍ଷେପ ନେଇଥିଲେ ସେ । ଏଥି ସହିତ ସମୟାନୁବର୍ତ୍ତିତାର ମୂର୍ତ୍ତିମନ୍ତ୍ର ପ୍ରତୀକ ଥିଲେ ପ୍ରାଣକୃଷ୍ଣ ପରିଜା । ଅଫିସ୍ କାର୍ଯ୍ୟ, ସଭାସମିତି, ବୈଠକ ଏପରିକି ନିଜର ଦୈନନ୍ଦିନ କାର୍ଯ୍ୟରେ ଡକ୍ଟର ପରିଜା ସର୍ବଦା ସମୟର ସଦୁପଯୋଗ କରୁଥିଲେ । ଏହାହିଁ ଥିଲା ତାଙ୍କ ବ୍ୟକ୍ତିତ୍ୱର ବିଶେଷତ୍ୱ ।
ଡକ୍ଟର ପରିଜାଙ୍କ ଛାତ୍ରବତ୍ସଳତା ଥିଲା ଅସାଧାରଣ । ବିଶେଷତଃ ଯେଉଁମାନେ ଗରିବ ଘରର ପିଲା କିନ୍ତୁ ସେମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ ବୋଲି ତାଙ୍କର ହୃଦ୍ବୋଧ ହୁଏ ସେଥିପାଇଁ ଡକ୍ଟର ପରିଜା ଆପଣାର ଅତୀତ କଥା ସ୍ମରଣ କରି ସେମାନଙ୍କୁ ଯଥା ସମ୍ଭବ ସାହାଯ୍ୟ କରିଥାନ୍ତି । ବହୁ ଜ୍ଞାନୀ, ଗୁଣୀ, ଲବ୍ଧପ୍ରତିଷ୍ଠ ବ୍ୟକ୍ତି, ପରିଜା ସାହେବଙ୍କର ପ୍ରତ୍ୟକ୍ଷ ସାହାଯ୍ୟରେ ହିଁ ତାଙ୍କର ଛାତ୍ରଜୀବନ ଅତିବାହିତ କରିଛନ୍ତି । ବିଶେଷ କରି ସେ ଛାତ୍ରଛାତ୍ରୀମାନଙ୍କୁ ନିଜର ପୁଅ-ଝିଅ ଓ ନାତି-ନାତୁଣୀ ସଙ୍ଗେ ବ୍ୟବହାର କଲାଭଳି ବ୍ୟବହାର କରୁଥିଲେ । ତାଙ୍କଠାରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଅନୁରାଗ, ମହାନୁଭବତା ଓ କର୍ତ୍ତବ୍ୟପରାୟଣତାର ଏକ ଅସରନ୍ତି ଉତ୍ସ ଭରପୂର ହୋଇ ରହିଥିଲା ପରି ମନେ ହେଉଥିଲା । ଏଥିପାଇଁ ପ୍ରଫେସର ପରିଜା ତାଙ୍କ ଦରମା ଟଙ୍କାରୁ ପ୍ରତିମାସରେ କିଛି ଟଙ୍କା ଗରିବ, ଅଭାବଗ୍ରସ୍ତ ଅଥଚ ମେଧାବୀ ଛାତ୍ରମାନଙ୍କ ପାଇଁ ଅଲଗା କରି ରଖିଦେଉଥିଲେ । ଏପରି ଗୁରୁ ଆଧୁନିକ ସମାଜରେ ବିରଳ ।
ବିଭିନ୍ନ ବିଭାଗରେ ସାମଗ୍ରିକ କୃତିତ୍ୱ ବିଶେଷତଃ ବିଜ୍ଞାନ କ୍ଷେତ୍ରରେ ପରାକାଷ୍ଠା ପାଇଁ ପ୍ରାଣକୃଷ୍ଣ ପରିଜାଙ୍କୁ ଭାରତ ସରକାର ଭାରତ ସରକାର ୧୯୫୫ ମସିହାରେ ପଦ୍ମଭୂଷଣ ଉପାଧି ପ୍ରଦାନ କରି ତାଙ୍କ ପ୍ରତିଭାର ଉପଯୁକ୍ତ ମୂଲ୍ୟାୟନ କରିଥିଲେ । ଏହାପୂର୍ବରୁ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେ ଡକ୍ଟରେଟ୍ ସମ୍ମାନ ଲାଭ କରିଥିଲେ । ଜଣେ ବିଶିଷ୍ଟ ଉଦ୍ଭିଦ ବିଜ୍ଞାନୀଭାବେ ଅନେକ ବିଶ୍ୱବିଦ୍ୟାଳୟ ତାଙ୍କୁ ସମ୍ମାନଜନକ ଡି.ଏସ୍ସି ଉପାଧି ପ୍ରଦାନ କରିଥିଲେ । ଏତଦ୍ବ୍ୟତୀତ ଭାରତୀୟ ଉଦ୍ଭିଦ ବିଜ୍ଞାନ ସମିତି ତରଫରୁ ଡକ୍ଟର ପରିଜା ବୀରବଲ ସାହାଣୀ ସ୍ୱର୍ଣ୍ଣପଦକ ପ୍ରାପ୍ତ ହୋଇଥିଲେ । ସେହିପରି କଲିକତା ରୟାଲ ଏସିଆଟିକ୍ ସୋସାଇଟି ତାଙ୍କୁ ବର୍କଲେ ମେମୋରିଆଲ ସ୍ୱର୍ଣ୍ଣ ପଦକରେ ସମ୍ବର୍ଦ୍ଧିତ କରିଥିଲେ । ଅଜସ୍ର ଖ୍ୟାତି ଓ ସମ୍ମାନର ଅଧିକାରୀ ହୋଇ ମଧ୍ୟ ଗର୍ବ ଓ ଅହଂକାର ତାଙ୍କୁ ସ୍ପର୍ଶ କରିନଥିଲା । ବାସ୍ତବିକ୍ ସେ ଥିଲେ ଏକ ଫଳନ୍ତି ଜ୍ଞାନବୃକ୍ଷ, ଯିଏକି ଜ୍ଞାନ ଭାରରେ ନଇଁ ପଡୁଥିଲେ ।
୧୯୭୮ ମସିହା ଜୁନ୍ ୦୨ତାରିଖରେ ଏହି ପ୍ରତିଭାଧରଙ୍କର ମହାପ୍ରୟାଣ ଘଟିଥିଲା । ତାଙ୍କ ବିୟୋଗରେ ଆମ ରାଜ୍ୟ ତଥା ଦେଶର ଶିକ୍ଷା ଓ ବିଜ୍ଞାନ ଜଗତରୁ ଏକ ଦିପ୍ତୀମାନ ନକ୍ଷତ୍ରର ଅବସାନ ହେଲା । ଓଡିଶା ସରକାରଙ୍କ ବିଶେଷାଙ୍କରେ ଉଲ୍ଲେଖ ଥିଲା- “ଓଡିଶାର ଗୌରବୋଜ୍ଜ୍ୱଳ ସନ୍ତାନଙ୍କ ମୃତୁ୍ୟରେ ଓଡ଼ିଶା ସରକାର ଗଭୀର ଦୁଃଖ ପ୍ରକାଶ କରୁଛନ୍ତି ।” ସେହିପରି ଭାରତର ବିଜ୍ଞାନ କଂଗ୍ରେସ ଡକ୍ଟର ପରିଜାଙ୍କ ମୃତୁ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଲେଖିଥିଲା- “ଭାରତର ଅନ୍ୟତମ ଯୁଗସ୍ରଷ୍ଟା, ବିଶିଷ୍ଟ ବୈଜ୍ଞାନିକ ଓ ଶିକ୍ଷାବିତ୍ ପ୍ରଫେସର ପ୍ରାଣକୃଷ୍ଣ ପରିଜାଙ୍କ ତିରୋଧାନରେ ଗଭୀର ଶୋକ ପ୍ରକାଶ କରୁଅଛି ।
ଜଗତସିଂହପୁର
ମୋ : ୯୩୩୭୨୨୧୯୨୪