ପଡ଼ୋଶୀ ପ୍ରକୃତ ବନ୍ଧୁ


ଯେମିତି ଜନ୍ମ ହେଲେ ମୃତୁ୍ୟ ଅବଧାରିତ, ସେମିତି ଘର କରିଥିଲେ ପଡ଼ୋଶୀ ରହିବା ସୁନିଶ୍ଚିତ । ଆପଣ ପୃଥିବୀର ଯେକୌଣସି ସ୍ଥାନରେ ରହିଲେ ବି ସେଠି ଆପଣଙ୍କର କେହି ନା କେହି ପଡ଼ୋଶୀ ନିଶ୍ଚିତ ଥିବେ । ଆପଣ ଘରେ ରୁହନ୍ତୁ, କି ଭଡ଼ାଘରେ ରୁହନ୍ତୁ, କି ଅସ୍ଥାୟୀ ଘରେ ରୁହନ୍ତୁ । ସେଠି କେହି ନା କେହି ପାଖ ପଡ଼ିଶା ଥାଆନ୍ତି । ଯେମିତି ଘର ଭିତରେ ସବୁ ଭଲ ମନ୍ଦକୁ ଆଦରି ଚଳିବାକୁ ପଡେ ସେମିତି ପଡ଼ୋଶୀ ଭଲ ହୁଅନ୍ତୁ ବା ଖରାପ ତାଙ୍କ ସହ ଉତ୍ତମ ସମ୍ପର୍କ ଓ ବୁଝାମଣା ରଖି ଚଳିବାକୁ ପଡ଼େ । ଅଧିକାଂଶ କ୍ଷେତ୍ରରେ ପଡୋଶୀଙ୍କ ନଜର ଆପଣଙ୍କ ଘର, ପରିବାର, ବ୍ୟକ୍ତିବିଶେଷଙ୍କ ଚାଲିଚଳଣିକୁ ମାର୍ଜିତ କରେ ଓ ସୁରକ୍ଷା ଦିଏ । ପରିବାରର ସମ୍ମାନରେ ଆଞ୍ଚ ଆସିବା ପୂର୍ବରୁ ପଡ଼ୋଶୀଟେ ଢାଲ ହୋଇ ଠିଆ ହୁଏ । ଯେତେ କଳି ଝଗଡ଼ା ଓ ମନୋମାଳିନ୍ୟ ଥିଲେ ବି ଯଦି ଆପଣଙ୍କ ଘରେ ନିଆଁ ଲାଗେ ପ୍ରଥମେ ସେ ନିଆଁରେ ପାଣିଢାଳେ ପଡ଼ୋଶୀ । ଯଦି କେହି ବାହ୍ୟ ଶତ୍ରୁ ଆପଣଙ୍କୁ ଆକ୍ରମଣ କରୁଛି ତ ପ୍ରଥମେ ପଡ଼ୋଶୀ ହିଁ ପ୍ରତିବନ୍ଧକ ସାଜେ । ଯଦି ଆପଣଙ୍କ ଘରର ପିଲା ଖରାପ ବାଟରେ ଯାଉଛି ତାକୁ ଆକଟ କରିବା ସହ ପରିବାର ଲୋକଙ୍କ କାନରେ ପ୍ରଥମେ କଥା ପହଞ୍ଚାଏ ପଡ଼ୋଶୀ ।
 ବାହାଘର, ବ୍ରତଘର, ଏକୋଇସିଆ ପୂଜା ଠୁ ଅନ୍ତ୍ୟେଷ୍ଟି କ୍ରିୟା ପର୍ଯ୍ୟନ୍ତ ପ୍ରତି ମୁହୂର୍ତ୍ତରେ ପାଖରେ ଥାଆନ୍ତି ପଡୋଶୀ । ବିପଦ ଆପଦରେ ସାହସ ଓ ଧୈର୍ଯ୍ୟ ବଢାଇବା ସହ ସବୁ କଥାରେ ପଡୋଶୀ ହିଁ ଆଗ ସହାୟତାର ହାତ ବଢାନ୍ତି । ଆଗରୁ ଗାଁରେ ଅଧିକାଶ ଲୋକେ ପଡ଼ିଶା ଘର ମଧ୍ୟରେ ବାଡ଼ ବସାଉନଥିଲେ । ତୋଟା ବାଡ଼ି ପୂରା ମୁକୁଳା ରହୁଥିଲା । ପରସ୍ପରର ଘର ତୋଟା ବାଡ଼ିକୁ ରହୁଥିଲା ଅବାଧ ପ୍ରବେଶ । ଓଡ଼ିଆରେ ଏକ ଢଗ ଅଛି ‘ଦେଶରେ ପଡ଼ିଲେ ହେଁସରେ ପଡ଼?’ ସେହି ନ୍ୟାୟରେ ଯଦି ଜଣଙ୍କର ଗଛରେ ଆମ୍ୱ ଫଳିଛି ସେ ଲୋକଙ୍କ ପରିବାର ଯେତିକି ଆମ୍ୱ ଖାଉଥିଲେ ତା ପଡ଼ିଶାଘର ଲୋକ ସେ ଗଛରୁ ତାଠୁ କୋଉ କମ୍ ଆମ୍ୱ ଖାଉନଥିଲେ । ଯଦି ଜଣଙ୍କ ଘରକୁ କୁଣିଆ ଆସିଛନ୍ତି, ସେ ମିଠା ଆଣିଛନ୍ତି ତେବେ ସେ ମିଠାରୁ କିଛି ପଡ଼ିଶାଘର ଲୋକଙ୍କ ପାଟିରେ ବି ବାଜୁଥିଲା । ଯଦି ୟାଙ୍କ ଘରେ ମାଂସ ରନ୍ଧା ହେଉଛି ତାଙ୍କ ଘରକୁ ଦିପହରକୁ ତାଟିଆ ଯାଉଥିଲା । ଆମ ଘରର ବଡ଼ ବାପା, ବଡ଼ ବୋଉ, ଦାଦା, ଖୁଡ଼ି, ଜେଜେ, ଜେଜେମା, ଭାଇ ଓ ଭଉଣୀ ପରି ପଡ଼ିଶା ଘରର ସଦସ୍ୟମାନଙ୍କ ସହ ସମ୍ପର୍କ ଅତୁଟ ଥିଲା । ଆମ ଦୁଃଖରେ ଦୁଃଖୀ, ଆମ ସୁଖରେ ସୁଖୀ ହେବାକୁ ଆଗଭର ହେଉଥିଲେ ପଡ଼ୋଶୀ । କାନ୍ଥ ସିନା ଦି’ ଘରକୁ ଅଲଗା କରି ରଖୁଥିଲା ନ ହେଲେ ଦୁଇ ପରିବାରର ଆତ୍ମା କିନ୍ତୁ ଏକ ଥିଲା । ଏ ପରିବାରରେ ଦୁଃଖ ଆସିଲେ ସେ ଘରେ ଚଡ଼କ ପଡ଼ୁଥିଲା । ଏ ଘରେ ପିଲାଟେ ଜନ୍ମ ହେଉଥିଲେ ସେ ଘରେ ଖୁସି ଲହଡ଼ି ଭାଙ୍ଗୁଥିଲା । କେଡ଼େ ମଧୁର ଥିଲା ପଡ଼ିଶା ଘର ସହ ସମ୍ପର୍କ । 
ଏବେ କିନ୍ତୁ ଗାଁରେ ପଡ଼ିଶାଘର ମଧ୍ୟରେ ଆଉ ସେହି ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ନାହିଁ । ସହର ପରି ଗାଁର ଅବସ୍ଥା ବି ଅତି ସଂକୀର୍ଣ୍ଣ । ରାଗ, ଈର୍ଷା, ଦ୍ୱ୍ୱେଷ, ପରିଶ୍ରୀକାତରତା ଓ ହିଂସା ପଡ଼ିଶା ଘର ପ୍ରତି ଭରି ରହିଛି । ଛାଇ ପଡ଼ିଲେ ନାହି ଡେଉଁଛି । ସକାଳୁ ଉଠିଲା କ୍ଷଣି ହିଁ କଳହର ସୂତ୍ରପାତ ହେଇଯାଉଛି ।  ଯଦି କାହା ଗାଇ କାହା ବାଡ଼ିରେ ପଶି ଯାଇଛି ତାକୁ ନେଇ ଝଗଡ଼ା, ଯଦି କାହା ଘରର ପିଲାଟେ ପଡ଼ିଶା ଘର ଗଛରୁ ପିଜୁଳିଟେ ଛିଡ଼େଇଦେଇଛି ତାକୁ ନେଇ ଝଗଡ଼ା । ଟିକେ ଟିକେ କଥାରେ ସତ୍ୟାନ ସାତ ପୁରୁଷ ଉଦ୍ଧାର ହେଇଯାଉଛି । ପଡ଼ିଶାଘର ମୁହଁ ଦେଖିଲେ ଅଶୁଭ ଭଳି ଆମ ଭିତରେ ଯାବତୀୟ ଖଳ ପ୍ରକୃତି ସବୁ ମନ ଭିତରେ ବସା ବାନ୍ଧୁଛି । ପଡ଼ିଶା ଘରକୁ ନେଇ ଯେତେ ଯେତେ ଖରାପ କଥା ସବୁ ପର ପିଢିଙ୍କ ମନରେ ଭରି ଦିଆଯାଉଛି । ପଡ଼ିଶାଘର ଲୋକ ଭଲ ନୁହନ୍ତି, ସେପଟ ଘରକୁ ଯିବୁନି, ତାଙ୍କ କଥା ବି ହେବୁନି ଇତ୍ୟାଦି ଇତ୍ୟାଦି ଯାବତୀୟ କଥାମାନ ।
ପଡ଼ିଶା ଘରକୁ ନେଇ ବିଷର ମଞ୍ଜି ଆମେ ପ୍ରଥମ ବୁଣୁଛୁ ପରସ୍ପର ମଧ୍ୟରେ । ତାହା କ୍ରମଶଃ ବିଶାଳ ଦ୍ରୁମ ହୋଇ ଆମର ସାରା ଜୀବନକୁ ବିଷମୟ ପରିବେଶରେ ଆଛନ୍ନ କରିରଖୁଛି । ଗୁରୁଜନଠାରୁ ଲଘୁଜନ ପର୍ଯ୍ୟନ୍ତ ସ୍ତର ସ୍ତର ଦେଇ ପିଢ଼ି ପରେ ପିଢ଼ି ସମ୍ପର୍କରେ ଅଧୋଗତି ହୋଇଚାଲିଛି । ଗାଁଠାରୁ ସହର, ସହରଠାରୁ ରାଜ୍ୟ ଏବଂ ଦେଶ ଦେଶ ଭିତରେ, ପଡ଼ୋଶୀ ଭିତରେ ଆଉ ସୁସମ୍ପର୍କ ନାହିଁ । ମାନବିକତାର ଅଧୋପତନ ଘଟିଛି । ସାମାଜିକ ସମ୍ପର୍କର ସୂତା ଛିଡ଼ିଛିଡ଼ି ଯାଇଛି । ମଣିଷ ଭିତରେ ଆବେଗ ଓ ସମ୍ବେଦନଶୀଳତା ମରିହଜି ଯାଇଛି । ଆପଣାପଣ ନିଶ୍ଚିହ୍ନ ହେଇଯାଇଛି । ଆମର ଅହଂକାର, ସ୍ୱାର୍ଥ, ଅନ୍ୟକୁ ନୁ୍ୟନକରି ଦେଖିବାର ମନୋଭାବ ତଥା ଜମିଜୁମା ବିବାଦ ଓ ରାଜନୀତି ପଡ଼ୋଶୀଘର ପ୍ରତି ଥିବା ସମ୍ପର୍କକୁ ଗିଳିପକେଇଛି । ଯାହାର କୁପରିଣାମ ସ୍ୱରୂପ ସମୁଦ୍ର ମନ୍ଥନରେ ବାସୁକିର ପାଟିରୁ ବିଷାକ୍ତ ଗରଳ ବାହାରିଲା ପରି ଆମ ପାରିବାରିକ ସମ୍ପର୍କକୁ ବିଷାକ୍ତ କରିଦେଇଛି । କୋଉ ମୌକାରେ କିଏ କାହାକୁ ଆକ୍ରମଣ ପ୍ରତି ଆକ୍ରମଣ କରିବ ସେଇ ଭାବନା ଭିତରେ ଦିନ କଟୁଛି । ପଡୋଶୀଙ୍କ ନକାରାତ୍ମକ ଦୃଷ୍ଟି ଚୋରି, ଡକାୟତି, ବଳାକôାର ଭଳି ବଡ଼ବଡ଼ ଅପରାଧର ସୂତ୍ରପାତ କରାଉଛି ।
ସତରେ, ପିଲାଦିନର ପଡ଼ୋଶୀ ଘର ସହ ଥିବା ମଧୁର ମୁହୂର୍ତ୍ତ କଥା ମନେପଡ଼ିଗଲେ ଆଖି ଜକେଇ ଯାଉଛି । ସ୍ଥଳବିଶେଷରେ ପଡୋଶୀଙ୍କ ସହ ଛୋଟମୋଟ କଳିଗୋଳ ଦେଖିବାକୁ ମିଳୁଥିଲା । ମାତ୍ର ତାହା ଏତେ ଘାତକ ନଥିଲା କି । ବିବାଦର କିଛିଦିନ ପରେ ମନ ଶାନ୍ତ ପଡ଼ିଯିବା ପରେ ଉଭୟ ଘରର ମୁରବିମାନଙ୍କ ଆପୋସ ବୁଝାମଣାରେ ପୁଣି ସମ୍ପର୍କ ପୂର୍ବପରି ଜାଜୁଲ୍ୟମାନ ଦିଶୁଥିଲା ।  କାମକାର୍ଯ୍ୟରେ ଡକାହକା ହୋଇ ପୁଣି ଏକ ହୋଇଯାଉଥିଲେ । ରକ୍ତ ସିନା ଅଲଗା ଥିଲା । ଅଥଚ ସମ୍ପର୍କ ଏକଦମ୍ ନିବିଡ଼ ଥିଲା । ପଡ଼ିଶା ଘର କେବଳ ପଡ଼ିଶାଘର ନ ଥିଲା । ଥିଲା ଯେମିତି ଗୋଟେଗଛର ଦୁଇଶାଖା । 
ନାୟକାଣୀଡିହି, ଭଦ୍ରକ
ମୋ: ୭୮୦୯୦୩୭୬୦୮