ଭଲ ଲୋକଙ୍କର ଭୁଲ୍
ସାମାଜିକ ଜୀବନରେ ମଣିିଷ ସବୁବେଳେ ଅନ୍ୟ ସହ ନିଜକୁ ତୁଳନା କରେ । ଜଣେ ବ୍ୟକ୍ତି ଭଲ ହେଉ କି ମନ୍ଦ ସେ ନିଜ ଗୁଣକୁ ଅନ୍ୟଠାରେ ଦେଖିବାକୁ ଚାହେଁ । ତେଣୁ ଭଲ ବ୍ୟକ୍ତି ଭଲ ଗୁଣକୁ ଅନ୍ୟଠେଁ ଦେଖିବାକୁ ଚାହିଁବା ଏକ ସ୍ୱାଭାବିକ ପ୍ରକ୍ରିୟା ।
ହେଲେ ଏହି ପ୍ରକି୍ରୟା ସବୁବେଳେ ଭଲ ହୋଇନପାରେ । କାରଣ ସଅଁବାଳୁଆକୁ ଯେତେ ପରିଷ୍କାର କରିଲେ ମଧ୍ୟ ତାର କୁଣ୍ଡେଇ ହେବା ଗୁଣ ଯିବ ନାହିଁ । ଠିକ୍ ସେହିପରି ଖରାପ ବ୍ୟକ୍ତିମାନଙ୍କୁ ଭଲ ଆଡ଼କୁ ଆଣିବାକୁ ଚେଷ୍ଟା କରିବା ଭଲ ବ୍ୟକ୍ତିଙ୍କର ଗୁଣ ହୋଇଥିଲେ ମଧ୍ୟ ଖରାପ ବ୍ୟକ୍ତିମାନେ ସେମାନଙ୍କ ସ୍ୱଭାବକୁ ସହରେ ଛାଡ଼ନ୍ତିନି । ଆମ ଓଡ଼ିଆରେ ଗୋଟେ କଥା ନାହିଁ "ଘୁଷୁରି ପ୍ରକୃତି ପଙ୍କେ ଲୋଟେ, ମଣିଷ ପ୍ରକୃତି ମଲେ ତୁଟେ' ବୋଲି । ଭଲ ଲୋକମାନେ ପ୍ରାୟ ସମସ୍ତଙ୍କୁ ଭଲ ବୋଲି ହିଁ ଭାବନ୍ତି କିଏ କୁଟୀଳ, ଜଟିଳ, କିଏ କୁତୁରୁପିଆ ହେଇଥିବ ଭାବିପାରନ୍ତି ନାହିଁ । ସମସ୍ତେ ଭଲ ହୋଇଥିବେ ବୋଲି ହିଁ ବିଚାର କରନ୍ତି । କିନ୍ତୁ ମନ୍ଦ ପ୍ରକୃତିର ଲୋକମାନେ ଆଦୌ ଭଲ ହେବାକୁ ବି ଚାହାନ୍ତି ନାହିଁ । ସେଭଳି ବ୍ୟକ୍ତିଙ୍କୁ ସୁଧାରିବାକୁ ଚେଷ୍ଟା କରି ଭଲ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ସେଥିପାଇଁ ଭଲ ବ୍ୟକ୍ତି ନିଜର ପ୍ରକୃତିବଶତଃ ଅନ୍ୟକୁ ଭଲ କରିବାକୁ ଚାହୁଁଥିବା ବେଳେ ଖରାପ ବ୍ୟକ୍ତିମାନେ ନିଜର ପ୍ରକୃତିବଶତଃ ଅନ୍ୟମାନଙ୍କୁ ଖରାପ ହିଁ ଦେଖନ୍ତି ।
ଥରେ ବିଛାଟିଏ ପାଣିରେ ନଦୀ ଧାରରେ ଭାସି ଯାଉଥାଏ । ସେ ନଦୀରେ ଋଷି ଜଣେ ଗାଧେଇକି ସୂର୍ଯ୍ୟଙ୍କୁ ଅର୍ଘ ପ୍ରଦାନ କରୁଥାନ୍ତି । ବିଛାଟେ ଭାସି ଯାଉଥିବାର ଋଷି ଦେଖିଲେ । ତାଙ୍କ ମନରେ ଦୟା ଜାତ ହେଲା । ଭାବିଲେ ପାଣିରୁ ଉଦ୍ଧାର କରି କୂଳ ଆଡ଼େ ଥୋଇ ଦେଲେ ତା' ଜୀବନଟା ତ ଅନ୍ତତଃ ବଞ୍ଚôଯିବ । ଋଷି ସେୟା ହିଁ କଲେ । ହେଲେ ବିଛା ଋଷିଙ୍କୁ ଦେଲା ଚୋଟେ । । ତଥାପି ଋଷି ଭାବୁଛନ୍ତି ମୋ ଧର୍ମ ମୁଁ କଲି, ତା' ପ୍ରକୃତି ସେ ପ୍ରକାଶ କଲା ।
ଯେ ଯେମିତି, ତା' ପ୍ରକୃତି ଓ ପ୍ରବୃତ୍ତିକୁ ସେ ସହଜେ ଛାଡ଼ିପାରେନି । ଭଲଲୋକମାନେ ଅନ୍ୟମାନେ ଭଲ ହୋଇଥିବେ ଭାବି ଅନେକ ପ୍ରକାରର ଅସୁବିଧାର ସମ୍ମୁଖୀନ ହୁଅନ୍ତି । ଏହାସତ୍ତ୍ୱେ ସେମାନେ ନିଜର ପ୍ରବୃତ୍ତିକୁ ଛାଡ଼ିପାରନ୍ତି ନାହିଁ । ଭଲ ଲୋକମାନେ ଅନ୍ୟଠେ ଭଲ ହିିଁ ଦେଖନ୍ତି । ସତରେ ଆଜ୍ଞା, ଭଲଲୋକ ଖରାପକୁ ସହଜେ ଜାଣିପାରନ୍ତିନି କି ଖରାପ ଲୋକ କଦାପି ଭଲ ଦେଖି ପାରନ୍ତିନି ।
ପଢ଼ିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ "ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।