ସାଂପ୍ରତିକ ସମାଜରେ ସାହିତ୍ୟର ଆଭିମୁଖ୍ୟ


 ମାୟାଧର ନାୟକ : ମୟ ଓ ସାହିତ୍ୟ ଯଥାକ୍ରମେ ଚେତନା ଓ ଚିତ୍ରଣ । ସମୟଚେତନାଠାରୁ ଯେଉଁ ସାହିତ୍ୟ ଯେତେ ସୁଦୂରବର୍ତ୍ତୀ, ତାହା ସେତେ ଅଦୂରଦର୍ଶୀ । ନିଜ ସମୟ, ନିଜ କାଳଖଣ୍ଡ, ନିଜ ଯୁଗର ଜାତକ ନଲେଖିପାରିଲେ ସାହିତି୍ୟକଟିଏ କେବଳ ଏକ ସାମର୍ଥ୍ୟହୀନ ଏକକ । ଆମର ପରମ୍ପରାରେ ସାହିତି୍ୟକକୁ ‘ଦ୍ୱିତୀୟ ଈଶ୍ୱର’ ଓ କବିକୁ ‘କ୍ରାନ୍ତିଦର୍ଶୀ’ ବୋଲି କୁହାଯାଇଅଛି । ମାତ୍ର ସାଂପ୍ରତିକ ସମୟରେ ଏହି ପରମ୍ପରା ପ୍ରତି କୌଣସି ପ୍ରକାରେ ସାମାନ୍ୟତମ ଅଙ୍ଗୀକାରବୋଧ କେଉଁଠି କେହି ଲକ୍ଷ୍ୟ କରୁଛନ୍ତି କି?
ସାଂପ୍ରତିକ ସମୟ ଏକପ୍ରକାର ଅସହନୀୟ ଅସମୟ । ମଣିଷ ଓ ମଣିଷ ମଧ୍ୟରେ ମୁନାଫାଖୋର ମୁନିବମାନେ ଛିଡାକରାଇସାରିଛନ୍ତି ବିଭିନ୍ନ ଭେଦବିଭେଦର ମେଘନାଦ ପ୍ରାଚୀର । ମୁନିଋଷି ନାହାନ୍ତି, ମନୀଷୀମାନେ ନାହାନ୍ତି – ସମାଜର ସର୍ବୋଚ୍ଚ ସୋପାନରେ ଏବେ ଏହି ମଣିଷତ୍ୱହୀନ ମୁନିବବର୍ଗ । ଏମାନେ ପ୍ରସ୍ତୁତ କରୁଛନ୍ତି ସାହିତ୍ୟ-ସଂସ୍କୃତି-ରାଜନୀତି-ଅର୍ଥନୀତିର ସୂତ୍ରସବୁ - ଯାହା ସେମାନଙ୍କ ଦ୍ୱାରା ସୃଷ୍ଟ ସ୍ଥିତାବସ୍ଥାକୁ ପ୍ରଦାନ କରିଚାଲିଥିବ ଅନ୍ଧ ସପକ୍ଷତା । ଯୁଆଡେ ଅନାନ୍ତୁ, ଦେଖିବେ ହସ ନାହିଁ କି ସାହସ ନାହିଁ - ଅଛି କେବଳ ଭୀରୁତାର ଭଉଁରି !
ଏହି ପରିପ୍ରେକ୍ଷୀରେ ସାହିତ୍ୟ ଓ ସାହିତି୍ୟକର ଜନବାଦୀ ଭୂମିକାଟି ପ୍ରକୃତରେ ଏକ ପ୍ରକାଣ୍ଡ ପ୍ରଶ୍ନବାଚୀ । ଏ ‘ଜନ’ କିଏ? ଏ ‘ଜନ’ ଆଜି ମହାଜନମାନଙ୍କ ସୁଧକଷା ଖାତାର ଖାତକ କେବଳ ! ତା’ ମୁଣ୍ଡରେ ବୋଝ ଉପରେ ନଳିତା ବିଡା । ତାକୁ ବେଳେବେଳେ ଆମ ପ୍ରଗତିଶୀଳ କବି ଲେଖକବର୍ଗ ‘ଗଣ’ ବୋଲି ପାଠକ ଦରବାରକୁ ଚିହ୍ନାଇ ଦିଅନ୍ତି । ମାତ୍ର ‘ଗଣ’ ହେଉଛି ସେଇ ଅଗ୍ନିସ୍ଫୁଲିଙ୍ଗ, ଯାହା ସଚେତନତା ଦ୍ୱାରା ପ୍ରଣୋଦିତ ହୋଇ ଆସନ୍ନ ବିପ୍ଳବର ଅଂଶୀଦାର ହେବାକୁ ଆଗଭର । ‘ଜନ’ କିନ୍ତୁ ଜୀବନସଂଗ୍ରାମ ଜର୍ଜରିତ ଏକ ସର୍ବସ୍ୱାନ୍ତ ସମୁଦାୟ - ଯିଏ ଭବିଷ୍ୟତର ‘ଗଣ’ ହେବା ପୂର୍ବରୁ ବଳିପଡୁଥାଏ ‘ଗଣତନ୍ତ୍ର’ର ଗିଲୋଟିନ୍ରେ – ସେ କେବଳ ଗଣା ହୋଇଥାଏ ଭୋଟର୍ ତାଲିକାରେ । ନହେଲେ ତା’ ନାଗରିକ ଅଧିକାର ତାକୁ ମିଳିନଥାଏ ଶେଷପର୍ଯ୍ୟନ୍ତ ।   ‘ଜନ’ ଆଜିପର୍ଯ୍ୟନ୍ତ ଓ ବି ‘ଗଣ’ରେ ରୂପାନ୍ତରିତ ହୋଇପାରିଲା ନାହିଁ । ତା’ ‘ମନ’ ଯାଇ ଗହନବନରେ ବାଟବଣା । ଆମ ଜାତୀୟସଂଗୀତର ‘ଜନଗଣମନ’ ଉଚ୍ଚାରଣର ସର୍ବାଗ୍ରେ ସେ ବ୍ୟବସ୍ଥିତ, ଅଥଚ ଆମ ରାଜନୀତି ଓ ଅର୍ଥନୀତିର ସବାତଳ ପାହାଚ ପାଖରେ ସେ ଘାସଟେ କି ପତ୍ରଟେ ବି ନୁହେଁ । କିଏ ତାକୁ ପଚାରେ ?
ସାହିତ୍ୟ ପଚାରେ କି ?
 ‘ଜନ’କୁ ନେଇ ଜନରବ କେଉଁଠି ଶୁଭୁଛି କି ?
ଜନବାଦକୁ ସାହିତ୍ୟରେ ନୁହେଁ, ଦାୟିତ୍ୱରେ ସ୍ୱୀକୃତି ଦେବାର କଥା । ତାହା ଏଠି କେତେଦୂର ଚରିତାର୍ଥ ହୋଇପାରିଛି? ସାଂପ୍ରତିକ ସାହିତ୍ୟ କ’ଣ ଏହି ବିଡମ୍ବନା ପାଇଁ ସାଂପ୍ରତିକ ଶାସନତନ୍ତ୍ରକୁ ଦୋହଲାଇ ଦେବାର ଦୁଃସାହସ କଲାଣି କି ? ବରଂ ଚଳିତ ସାହିତ୍ୟରୁ ଦଳିତ ସାହିତ୍ୟ ପର୍ଯ୍ୟନ୍ତ ବିଭିନ୍ନ ବିଚିତ୍ର ଗୋଷ୍ଠୀ ଓ ଶିବିର ଗଢି ସାଂପ୍ରତିକ ସାହିତି୍ୟକବର୍ଗ ଆତ୍ମବିଭକ୍ତ ଓ ବିବାଦରତ । ଏ ବିବାଦ ଭିତରେ ପ୍ରକୃତରେ ‘ଜନବାଦ’ର ବୀଜ କେଉଁଠି? ଆତ୍ମପ୍ରଚାରଧର୍ମୀ ଓ ସ୍ୱୀକୃତିଲୋଭୀ ଆମ ସାହିତ୍ୟର ବଡପଣ୍ଡାଏ ଜନକୁ ଅନାନ୍ତିନାହିଁ କି ଗଣକୁ ଖୋଜନ୍ତିନାହିଁ – ସେମାନଙ୍କ ମନ ଯାଇ ଷ୍ଟାର୍ହୋଟେଲ୍ର ସାହିତ୍ୟସଭାରେ । ସାଂପ୍ରତିକ ସମୟର ସାହିତ୍ୟକୁ ଶ୍ରେଣୀଚରିତ୍ର ଦୃଷ୍ଟିରୁ ଆମେ ‘ବଜାରୀ ସାହିତ୍ୟ’ ବୋଲି କହିଲେ କ’ଣ ଦୋଷ? ଏହା ବଜାର ପାଇଁ, ବଜାର ଦ୍ୱାରା ପ୍ରସ୍ତୁତ ବଜାରର ବିକ୍ରିତବ୍ୟ ବିଷୟବସ୍ତୁ ମାତ୍ର ଏବଂ ଗଭୀର କ୍ଷୋଭର କଥା ଯେ ସେ ବିଷୟବସ୍ତୁରେ ‘ଜନ’ର ମନକଥା ନୁହେଁ, ବରଂ ‘ନିର୍ଜନ ସତାର ଆତ୍ମନେପଦୀ’ ଭରପୂର । ବର୍ତ୍ତମାନ ବିଚାରବିାର ବେଳ... ପଚାରିବାର ପାଳି । ସାହିତ୍ୟ ଆଜି ବିଚାରୁଚି କି ? ସାହିତି୍ୟକ ଏବେ ପଚାରୁଚି କି ? ସାହିତ୍ୟ ପ୍ରଶ୍ନପତ୍ର ନହୋଇ ଉତ୍ତରଖାତା ହେବାକୁ ପସନ୍ଦ କରୁଛି କାହିଁକି ?
  ଆଦିମ ଅରଣ୍ୟର ଅଭେଦ୍ୟ ଅଭ୍ୟନ୍ତରରୁ ସେଦିନ ଉଚ୍ଚାରିତ ହେଉଥିଲା ସେଇସବୁ ଉଦାର ଶବ୍ଦଲହରୀ । ଲିପି ନଥିଲା, ନଥିଲା ବର୍ଣର୍ମାଳାର ବନ୍ଧନ । ମୁକ୍ତ ସ୍ରୋତ ପରି, ଉଚ୍ଛଳ ଝରଣା ପରି ସାହିତ୍ୟର ଅଭିବ୍ୟକ୍ତି ଥିଲା ଅକପଟ ଏବଂ ଅନ୍ତରଙ୍ଗ । ହୃଦୟର ଭାଷା ସଂଚରି ଯାଉଥିଲା ହୃଦୟକୁ । ଶ୍ରୁତି ଏବଂ ସ୍ମୃତି ମାଧ୍ୟମରେ ଦୀର୍ଘକାଳ ବ୍ୟାପୀ ଅବ୍ୟାହତ ରହିଥିଲା ଏହି ଧାରା । ଭାରତୀୟ ପରମ୍ପରାର ଏହି ଆଦି ପର୍ଯ୍ୟାୟର ସାହିତ୍ୟ ମୁଖ୍ୟତଃ ଉଦ୍ଦିଷ୍ଟ ଥିଲା ଏକ ନୈତିକ ମୂଲ୍ୟବୋଧର ଜାଗରଣ ନିମନ୍ତେ । ପରେ ଏହି ‘ନୈତିକତା’ ଧୀରେ ଧୀରେ ‘ଧର୍ମ’ର ବନ୍ଧନୀରେ ଛନ୍ଦି ହେଲା – ବନ୍ଦୀ ହେବାକୁ ଆରମ୍ଭ କଲା ସାହିତ୍ୟ ସଂକୀର୍ଣ୍ଣତାର ଗଣ୍ଡ ଭିତରେ । ତଥାପି ସେଦିନର ସାହିତ୍ୟ ଥିଲା ଦୁଃଖଶୋକସନ୍ତପ୍ତ, ଯାତନାଜର୍ଜରିତ ପୃଥିବୀ ପାଇଁ ଟୋପାଏ ଶୀତଳ ସାନ୍ତ୍ୱନା ! ମୁନି, ମନୀଷା, ମହର୍ଷି, ମହାତ୍ମାମାନଙ୍କ ଉଦ୍ବୋଧନରେ ଅନୁପ୍ରେରିତ ହୋଇଥିଲା ପ୍ରାଚୀନ ଯୁଗର ସାହିତ୍ୟ । ଜନଜୀବନରେ ସତ୍ ଓ ଶୁଦ୍ଧ ଚିନ୍ତନର ପରିପ୍ରସାର ଦିଗରେ ସାହିତ୍ୟ ଥିଲା ସଂକଳ୍ପବଦ୍ଧ । ସେଦିନ ‘ବ୍ୟକ୍ତି’ ଅନୁପ୍ରବେଶ କରି ନଥିଲା ସାହିତ୍ୟର ସରହଦ୍ରେ, ସମୁଦାୟ ସମାଜ ବା ‘ବ୍ୟକ୍ତି’ ଥିଲା ସାହିତ୍ୟର କେନ୍ଦ୍ରବିନ୍ଦୁ ।
ଯୁଗ ବଦଳିଲା – ବଦଳିଥିଲା ସାହିତ୍ୟର ସ୍ୱଧର୍ମ । ପ୍ରାଚୀନ ଓ ମଧ୍ୟଯୁଗର ସମାଧି ଉପରେ ଜନ୍ମ ନେଲା ନୂତନ ସାହିତ୍ୟ । ପ୍ରାଚୀନ ସାହିତ୍ୟର ସରଳ ସ୍ୱଚ୍ଛନ୍ଦ ଭାବଧାରା, ମଧ୍ୟଯୁଗର ଶରୀର ସର୍ବସ୍ୱ ବର୍ଣର୍ନା-ବିଳାସ ପରିବର୍ତ୍ତେ ସାହିତ୍ୟରେ ମୁହଁ ଦେଖାଇବାକୁ ଆରମ୍ଭ କଲା ବିଭକ୍ତ ବ୍ୟକ୍ତିତ୍ୱ, ସ୍ୱବିରୋଧ, ଆତ୍ମଦ୍ୱନ୍ଦ୍ୱ ଓ ଜର୍ଜରିତ ଜୀବନଯନ୍ତ୍ରଣା । ଶିଳ୍ପ ବିପ୍ଳବ ପରେ ନୂତନ ପୃଥିବୀର ମଣିଷକୁ ନେଇ ଯେଉଁ ସାହିତ୍ୟ ସୃଷ୍ଟି ହେଲା, ତା’ର ଚିତ୍ର ଓ ଚରିତ୍ର ଏକବାରେ ଅଲଗା । ନୂଆ ଯେତିକି, ନିଆରା ବି ସେତିକି । ଅରଣ୍ୟ, ନଗର, ରାଜସଭାର ପୃଷ୍ଠଭୂମି ପରିତ୍ୟାଗ କରି ଯନ୍ତ୍ରସଭ୍ୟତାର ଜଟିଳ ଜୀବନବୋଧକୁ ନେଇ ରଚିତ ହେଲା ନୂତନ ସାହିତ୍ୟ । କ୍ରମେ ସାମୂହିକ ସ୍ୱାର୍ଥ ବା ସାମାଜିକ ମାଙ୍ଗଳିକତାର ମନ୍ତ୍ର ଭାବରେ ନୁହେଁ, ବରଂ ବ୍ୟକ୍ତିବାଦର ବିଜ୍ଞପ୍ତି ଭାବରେ ମୁଣ୍ଡ ଟେକିଥିଲା ସାହିତ୍ୟ ।  ଶିଳ୍ପ ବିପ୍ଳବ ପୂର୍ବରୁ କୃଷିଭିତ୍ତିକ ସଂସ୍କୃତିରେ ପରିପୁଷ୍ଟ ହୋଇଥିବା ସାହିତ୍ୟକୁ ନିୟନ୍ତ୍ରଣ କରୁଥିଲେ ସାମନ୍ତବାଦୀ ଶ୍ରେଣୀ । ରାଜା ଜମିଦାରମାନଙ୍କ ପୃଷ୍ଠପୋଷକତା କିନ୍ତୁ ସାହିତ୍ୟର ସ୍ୱାଧୀନତାକୁ ଅପହରଣ କରି ନେଇଥିଲା ସେଦିନ । ଦରିଦ୍ର ଲେଖକ ବଂଚିବାର ଦାୟରେ ଜୟଗାନ କରୁଥିଲା ରାଜାରାଜୁଡାଙ୍କର, ଅତ୍ୟାଚାରୀ ଜମିଦାର ଶ୍ରେଣୀର । ଏପରିକି ରାଜାମାନଙ୍କ ନାମରେ ବହୁ କବି, ଲେଖକ ‘ଭଣିତା’ କରି ଯାଉଥିଲେ ନିଜସ୍ୱ ସାରସ୍ୱତ ସୃଷ୍ଟି ସମ୍ଭାର । ମାତ୍ର ଶିଳ୍ପ ବିପ୍ଳବ ପରେ ସାହିତ୍ୟ କ୍ରମେ ପାଲଟିଲା ବଣିକର ପଣ୍ୟ...ପୁଞ୍ଜିବାଦୀ ଶିଳ୍ପପତିର ବିଳାସ ସାମଗ୍ରୀ । ଶସ୍ତା ଆମୋଦ ହୋଇପଡିଲା ସାହିତ୍ୟର ଆଭିମୁଖ୍ୟ ।   ଆଧୁନିକ ସାହିତ୍ୟ ଉପରୋକ୍ତ ନୂତନ ସାହିତ୍ୟର ଉତ୍ତର-ପର୍ବ । ରାଜା, ଜମିଦାର, ସାମନ୍ତ, ଶିଳ୍ପପତିଙ୍କ ପରେ ଏବେ ଶାସକବର୍ଗର ନିର୍ଲଜ ଚାଟୁକାର ଅଧିକାଂଶ କବି ଲେଖକା ନିଜକୁ ନିଲାମ୍ କରୁଛନ୍ତି ନାମମାତ୍ର ମୂଲ୍ୟରେ । ସାହିତ୍ୟର ନାଡିନକ୍ଷତ୍ର ଠିକ୍ଠାକ୍ ଅଛି ବୋଲି ବିଶ୍ୱାସ ହେଉ ନାହିଁ ମୋଟେ । ଅରଣ୍ୟର ନିର୍ଜନତା ମଧ୍ୟରେ ଯେଉଁ ସାହିତ୍ୟ ମହାଜୀବନର ପଥ ସନ୍ଧାନ କରୁଥିଲା ଦିନେ, ସେ ସାହିତ୍ୟ ଆଜି ପଂଚତାରକା ହୋଟେଲ୍ର ପ୍ରମୋଦ ଆସର ମଧ୍ୟରେ ନିଜକୁ ଉନ୍ମୋଚିତ କରାଇ, ହରାଇ ବସିଛି ନିଜସ୍ୱ ଅସ୍ତିତ୍ୱ । କୃତି୍ରମ ପ୍ରସାଧନରେ ସଜ୍ଜିତ କରିଛି ନିଜକୁ ।
ଏଇଠି ପ୍ରଶ୍ନ ଉଠୁଛି ସାହିତ୍ୟର ଦାୟିତ୍ୱ ସମ୍ପର୍କରେ । 
ସାହିତ୍ୟ ତା’ର ଦାୟିତ୍ୱ ତୁଲାଇ ପାରୁଛି କି ସଠିକ୍ ଭାବରେ ?
ବର୍ତ୍ତମାନ ଆଖି ଆଗରେ ଯାହା ଦିଶି ଯାଉଛି, ସେଥିରେ ଜଳକା ହେବା ଛଡା ଅନ୍ୟଗତି ନାହିଁ ଆମର । ପତ୍ରପତ୍ରିକାଠାରୁ ପୁସ୍ତକ ପର୍ଯ୍ୟନ୍ତ ଯାହା ସବୁ ପଠନୀୟ ସାମଗ୍ରୀ ମିଳୁଛି, ସେଥିରୁ ଅଧିକାଂଶ ନିମ୍ନରୁଚିର ନିନ୍ଦନୀୟ ନିଦର୍ଶନ । ଅଶ୍ଳୀଳ ଫିଲ୍ମର କୁତ୍ସିତ ଆଭିମୁଖ୍ୟ ଓ ୟେଲୋ ଜର୍ଣ୍ଣାଲିଜମ୍ର ହୋ-ହଲ୍ଲାଧର୍ମୀ ହଟଚମଟ ସହିତ ତାଳ ଦେବାକୁ ବସୁଛି ଆଜିର ଲେଖକ ।  ଏଇଠି ସେଇ ପ୍ରଶ୍ନ – ଏସବୁ ଲେଖା କ’ଣ ସାହିତ୍ୟ ? ଅତି କଠୋର ଉତ୍ତର ହେଉଛି - ନା, ନା, ନା ! ସବୁ ଯୁଗରେ, ସାହିତ୍ୟର ଭିଡ ଭିତରେ, ଏଇ ନା-ନା-ନା’ର ବିରଳ ସ୍ୱର ଯେତେ କ୍ଷୀଣ ଭାବରେ ହେଉ ସୁଦ୍ଧା – ଉଚ୍ଚାରିତ ହୋଇ ଆସିଛି, ନିର୍ଭୀକ ଭାବରେ । ଏ ସ୍ୱର ଦାୟିତ୍ୱର ସ୍ୱର, ଦାୟବଦ୍ଧତାର ସ୍ୱର, ଦୁର୍ବାର ଅଙ୍ଗୀକାରର ଦୁର୍ଦ୍ଧର୍ଷ ଇସ୍ତାହାର ! ମେଣ୍ଢାମାନଙ୍କ ମେଳରେ ଭେଣ୍ଡା ପରି ପ୍ରତ୍ୟେକ ଯୁଗର ସୁବିଧାବାଦୀ ନିରାପତ୍ତାପ୍ରେମୀ ଚାରଣ ଚାଟୁକାର ଲେଖକମାନଙ୍କ ଭିଡ ଭିତରେ ବି ଆମେ ଲକ୍ଷ୍ୟ କରିଛେ ଜଣେ ଜଣେ ସଂକଳ୍ପବଦ୍ଧ ଶଙ୍କାହୀନ ସାହିତ୍ୟକାରକୁ – ଯେଉଁମାନଙ୍କ ଲେଖା ସବୁ ସାହିତ୍ୟର ଦାୟିତ୍ୱ ତୁଲାଇ ଆସିଛି ପ୍ରାଣପଣେ । ସେମାନେ ମୃତୁ୍ୟକୁ ଭୟ କରି ନାହାନ୍ତି, ଯନ୍ତ୍ରଣାର ଯୂପକାଠକୁ ଡରି ନାହାନ୍ତି, ରାଜଦଣ୍ଡ ଓ ଫାଶି ମଂଚକୁ ଖାତିର୍ କରି ନାହାନ୍ତି ମୋଟେ । 
ପ୍ରାଚୀନ ଗ୍ରୀକ୍ସମାଜର ତରୁଣମାନଙ୍କୁ ସଚେତନ କରିବାର ‘ଅପରାଧ’ରେ ସେଦିନର ଶାସନତନ୍ତ୍ର ବିଷ ପିଇବାର ‘ଶାସ୍ତି’ ଦେଇଥିଲା ସକ୍ରେଟିସ୍ଙ୍କୁ । ସକ୍ରେଟିସ୍ ନିଜ ଆଦର୍ଶରୁ ବିଚୁ୍ୟତ ହୋଇ ବଂଚି ରହିବା ଅପେକ୍ଷା ବିଷ ପିଇ ମରିଯିବାକୁ ଶ୍ରେୟସ୍କର ମଣିଥିଲେ ସେଦିନ । 
ଆଜି ପ୍ରତ୍ୟେକ ସଚେତନ ସାହିତି୍ୟକଙ୍କୁ ଏ ପ୍ରଶ୍ନର ଉତ୍ତର ଦେବାକୁ ପଡିବ ନିଶ୍ଚୟ । ସନ୍ତୁଷ୍ଟ ଶୂକରର ପୂତିଗନ୍ଧମୟ ଜୀବନ ନା ଅସନ୍ତୁଷ୍ଟ ସକ୍ରେଟିସ୍ର ଆଦର୍ଶ ଆତ୍ମବଳିଦାନ - କେଉଁଟା ସେମାନଙ୍କ ପାଇଁ ସ୍ଫୃହଣୀୟ ? ବର୍ତ୍ତମାନ ସମୟରେ ଯେଉଁଠି ସାହିତ୍ୟ ସଭାଗୁଡିକ ଆୟୋଜିତ ହେଉଛି, ସେଠାକୁ ମନ୍ତ୍ରୀ,ଏମ୍.ଏଲ୍.ଏ., ଏମ୍.ପି., ଆଇ.ଏ.ଏସ୍., ଆଇ.ପି.ଏସ୍.ମାନଙ୍କୁ ଫୁଲମାଳ ପିନ୍ଧାଇ ପାଛୋଟି ଅଣାନଗଲା ଯାଏ ଆମ ସାହିତ୍ୟ ସଭା ଅଚଳ ହୋଇ ରହୁଛି! ଯେମିତି ଏମାନଙ୍କ ବିନା ସାହିତ୍ୟ ସଭା ଶୋକସଭା ।  ଦୁର୍ନୀତି ସାହିତ୍ୟକୁ ବି ଗ୍ରାସିଛି । ସରକାରୀ ସ୍ୱୀକୃତି, ମାନପତ୍ର, ପୁରସ୍କାରର ପାଲାରେ ନିଜେ ଲେଖକ ଗୋଷ୍ଠୀର ବହୁଳାଂଶ ଲବି କରିବାରେ ବ୍ୟସ୍ତ । ଏପରିକି ରାଜ୍ୟ ସରକାର କିଣୁଥିବା ଲେଖକ ମାନଙ୍କର ବହି ସିଲେକ୍ସନ୍ରେ ଲାଂଚ କାରବାର ଚାଲିଛି । ଯାହା ଫଳରେ ଭଲ ଭଲ ପୁସ୍ତକ ବାଦ୍ ପଡିଯାଉଛି । ଦୁର୍ନୀତିର ଦାଶକାଠିଆ ଖାଲି ରାଜନୀତିର ରଣଭୂଇଁରେ ନୁହେଁ, ସାହିତ୍ୟର ସରହଦରେ ମଧ୍ୟ ବଜାୟ ରହିଛି ।   ଦୁର୍ନୀତି ସଂପ୍ରତି ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ବ୍ୟାପି ଯାଇଚି । ଲେଖକମାନେ ମଧ୍ୟ ବାଦ ନୁହଁନ୍ତି । ଲେଖକମାନେ ଯଦି କୌଣସି ନା କୌଣସି କାମରେ ଦୁର୍ନୀତିରେ ଲିପ୍ତ ଥାଆନ୍ତି – ସେମାନେ କେବେହେଲେ ଲଢି ପାରିବେ ନାହିଁ । ଦୁର୍ନୀତି କେବଳ ଲାଂଚ ନେବାକୁ ବୁଝାଏ ନାହିଁ  – ଯେତେ ପ୍ରକାର ଅନୀତି କାର୍ଯ୍ୟକୁ ଦୁର୍ନୀତି କୁହାଯାଏ । ଦୁର୍ନୀତିର ମୂଳୋତ୍ପାଟନ ନ ହେଲେ ସମାଜ ଧ୍ୱଂସମୁଖୀ ହେବାକୁ ବାଧ୍ୟ, ଦୁର୍ନୀତି ବିରୋଧୀ ଲେଖା ଆଉ ଲେଖକଙ୍କ କଲମ ମୁନରୁ ବାହାରୁ ନାହିଁ, ଲେଖକମାନଙ୍କ ନାଡିନକ୍ଷେତ୍ର ଠିକ୍ଠାକ୍ ଅଛି ବୋଲି ବିଶ୍ୱାସ ହେଉନାହିଁ  ।    ସାହିତ୍ୟର ଆତ୍ମାକୁ ଉଦ୍ଧାର କରାଯିବାର ଅଭିଯାନ ଆରମ୍ଭ ହେଉ ଏବଠୁ । ସାହିତ୍ୟକୁ ବାରବଧୂ ନ କରି ସୁଗୃହିଣୀର ସମ୍ମାନ ଓ ସାଂଭ୍ରାନ୍ତ୍ୟରେ ଭୂଷିତ କରିବାର ଦାୟିତ୍ୱ ସାହିତି୍ୟକମାନଙ୍କର । ବିରାଟ ବୁଭୁକ୍ଷୁ ସମାଜର ଦୀର୍ଘଶ୍ୱାସକୁ ଉପେକ୍ଷା କରି ମୁଷ୍ଟିମେୟ ମାନସଭୋଜ୍ୟ ନହେଉ ସାହିତି୍ୟକର ସୃଷ୍ଟି ।
ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩