ଶତ୍ରୁଜୟର କୌଶଳ
ଛୋଟ କଥାର ବଡ଼ ବିଚାର "ଅମୃତ ବିନ୍ଦୁ ।' "ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଜାଣିବା ଜୀବନରେ ଶତ୍ରୁଜୟର କୌଶଳ ବାବଦରେ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ଜୀବନକାଳ ମଧ୍ୟରେ ବ୍ୟକ୍ତି ଅନେକ ଶତ୍ରୁଙ୍କ ସମ୍ମୁଖୀନ ହୁଏ । ସବୁ ଶତ୍ରୁ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଆସନ୍ତି ନାହିଁ । କିଛି ଚିକ୍କଣକୁହା ଶତ୍ରୁ ମଧ୍ୟ ଆସନ୍ତି । ମଧୁର ବଚନ କହି, ସର ପକା କଥା କହି ଅନ୍ୟକୁ ଲୁଟନ୍ତି ।
କିଛି ବ୍ୟକ୍ତି ଅସ୍ତ୍ର ଭୟ ଦେଖାଇ ପାର୍ଥôବ ପଦାର୍ଥ ଲୁଟି ନେବାକୁ ଚେଷ୍ଟା କରନ୍ତି । ଆଉ କେହି ଭବିଷ୍ୟତର ଧନହାନି, ପରିବାର ସ୍ୱଜନଙ୍କର କ୍ଷତି, ନିଜର କ୍ଷତି, ଭବିଷ୍ୟତ ବକ୍ତା ଭାବରେ ଦୁର୍ଦ୍ଦିନ ଆସିବାର ଭୟ ଆଦି ଦେଖାଇ ଶତ୍ରୁ ରୂପରେ ଆତ୍ମପ୍ରକାଶ କରନ୍ତି । ହେଲେ ଶତ୍ରୁ ସବୁବେଳେ ଶତ୍ରୁ । ଯୁଦ୍ଧଭୂମିର ଅସ୍ତ୍ରଶସ୍ତ୍ର ସଜ୍ଜିତ ଶତ୍ରୁ ଠାରୁ ଚିକ୍କଣକୁହା ଶତ୍ରୁ ମାରାତ୍ମକ । ଚିକ୍କଣକୁହା ଶତ୍ରୁ କେତେବେଳେ ମଧୁର ବଚନର ମୁଣି ଧରି ଆଉ କେତେବେଳେ ଛଦ୍ମରୂପରେ, ଆଉ କେତେବେଳେ ଅନ୍ୟ କେଉଁ ସ୍ୱରୂପରେ ଆସିଥାଏ । ଏମିତିରେ ଜୀବନରେ ଶତ୍ରୁକୁ ଶତ୍ରୁ ବୋଲି ଆକଳନ କରିବା ମଧ୍ୟ ସବୁବେଳେ ସମ୍ଭବ ନୁହେଁ । ତେଣୁ ଧୈର୍ଯ୍ୟର ସହିତ ନୀରବ ରହି ପ୍ରତ୍ୟେକ ଘଟଣାକୁ ନୀରିକ୍ଷଣ କରି ପରିସ୍ଥିତିର ସମ୍ମୁଖୀନ ହେବା ଉଚିତ୍ ।
ଅନେକ ସମୟରେ ନୀରବତା ହିଁ ମନୁଷ୍ୟକୁ ସବୁଠାରୁ ଶକ୍ତିଶାଳୀ କରିଥାଏ । ନୀରବରେ ଯିଏ ଅନୁଶୀଳନ କରିପାରେ ତାକୁ ସହଜରେ ଚିକ୍କଣକୁହା ଶତ୍ରୁ ଆକ୍ରମଣ କରିପାରିନଥାନ୍ତି । ନୀରବ ରହିଗଲେ ଅନେକ ସମସ୍ୟା ଆପେ ଆପେ ସମାଧାନ ହୋଇଯାଏ । ସମସ୍ତଙ୍କ କ୍ଷେତ୍ରରେ ଏହିପରି ନୀରବତା ଅବଲମ୍ବନ କରି ବିଜୟ ହାସଲ କରିବା ସମ୍ଭବ ନୁହେଁ । ଅନେକ ଲୋକ ଯେତେ ସାଧାରଣ ସମସ୍ୟାଟିଏ ହେଲେ ବି ସେଥିରେ ପ୍ରତିକି୍ରୟା ପ୍ରକାଶ କରି ନିଜର ବ୍ୟକ୍ତିତ୍ୱକୁ ଦେଖେଇ ହେବାକୁ ଚେଷ୍ଟା କରନ୍ତି । ଅନେକ ବ୍ୟକ୍ତି ନିହାତି ଛୋଟମୋଟ ଘଟଣାରେ ନିଜର କ୍ରୋଧ, ଧମକ ଆଦିକୁ ଦେଖି ସେମାନେ ଅନ୍ୟମାନଙ୍କ ଠାରୁ ଅଧିକ ବୋଲି ଦେଖେଇ ହୁଅନ୍ତି । କିଏ ଧନ ଗର୍ବ କରେ, କିଏ ବାହୁବଳର ଗର୍ବ କରେ, ଆଉ କିଏ କ୍ଷମତାର ଗର୍ବ ମଧ୍ୟ କରେ । ନିଜ ମନର ଭାବକୁ କୌଣସି ପ୍ରତିକ୍ରିୟା ମାଧ୍ୟମରେ ପ୍ରକାଶ କରୁନଥିବା ବ୍ୟକ୍ତି ଜୀବନର ସବୁ କ୍ଷେତ୍ରରେ ବିଜୟୀ ହୁଏ । ଆଜିର ବିଷୟବସ୍ତୁରୁ ସାରମର୍ମ ଭାବେ ଆମେ ଏତିକି ଗ୍ରହଣ କରିବାକୁ ହେବ ଯେ ଜୀବନରେ ହଜାରେ ଶତ୍ରୁଙ୍କ ଠାରୁ ବିଜୟ ଲାଭ କରିବା ଅପେକ୍ଷା ନୀରବରେ ନିଜକୁ ଶକ୍ତିଶାଳୀ କରି ଗଢ଼ି ତୋଳିବା ଶ୍ରେୟସ୍କର ।
ପଢ଼ିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ଆସ"ୁ ପ୍ରତ୍ୟେକ ଦିନ ଆମେ "ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।