ଦେଓମାଳି ଉପରେ ଅତ୍ୟାଚାର
ଓଡ଼ିଶାର ସର୍ବୋଚ୍ଚ ଗିରିଶୃଙ୍ଗ ହେଉଛି ଦେଓମାଳି । ଓଡ଼ିଶାର ସିମ୍ଲା କୁହାଯାଉଥିବା କୋରାପୁଟ ଜିଲ୍ଲାରେ ବକ୍ସାଇଟ୍ରେ ଭରପୂର ଦେଓମାଳି ପର୍ବତ । ସର୍ବୋଚ୍ଚ ଗିରିଶୃଙ୍ଗରେ କୌଣସି ବୃକ୍ଷଲତା ନାହିଁ । କେବଳ ଗୁଳ୍ମ ଓ ତୃଣଜାତୀୟ କିଛି ଉଦ୍ଭିଦ ଅଛି । ଏହି ଗିରିଶୃଙ୍ଗ ଉପରେ ଛିଡ଼ା ହେଲେ ମାଇଲ୍ ମାଇଲ୍ ଦୂର ଯାଏଁ କୋରାପୁଟର ବିଭିନ୍ନ ପର୍ବତର ଗିରି ଶୋଭା ଦେଖି ହୁଏ । ଦେଓମାଳି ପର୍ବତ ଶୃଙ୍ଗ ଉପରେ ଛିଡ଼ା ହେଲେ ପାଦ ତଳେ ଭସା ବାଦଲ ସବୁ ପବନରେ ଉଡ଼ି ଯାଉଥିବା ଭଳି ମନେ ହୁଏ । ଏଭଳି ଏକ ସୌନ୍ଦର୍ଯ୍ୟପୂର୍ଣ୍ଣ ଏବଂ ପ୍ରାକୃତିକ ସମ୍ପଦରେ ଭରପୂର ଓଡ଼ିଶାର ସର୍ବୋଚ୍ଚ ଗିରିଶୃଙ୍ଗ ଉପରେ ପ୍ରାୟ ୩ ଦଶନ୍ଧି ଧରି ୮ଟି ଟାୱାର୍ ନିର୍ମାଣ କରାଯାଇଥିଲା । ପର୍ଯ୍ୟଟନକୁ ଦୃଷ୍ଟିରେ ରଖି ପ୍ରାୟ ୩ରୁ ୪ ଦଶନ୍ଧି ଧରି ପର୍ଯ୍ୟଟକମାନେ ଏହି ସ୍ଥାନକୁ ଆସୁଥିଲେ । ଏବେ ବି ଆସୁଛନ୍ତି । ତେବେ ଅଳ୍ପ କିଛି ଦିନ ତଳେ ଏକ ତେଲୁଗୁ ଚଳଚ୍ଚିତ୍ରର ନିର୍ମାତା ତଥା ନିଦେ୍ର୍ଦଶକ ଏସ୍.ଏସ୍. ରାଜାମୌଲୀ ଏକ ଚଳଚ୍ଚିତ୍ର ନିର୍ମାଣ କରିବା ପାଇଁ ଏହି ରମଣୀୟ ପର୍ବତ ଉପରେ ପ୍ରାୟ ୧୫ ଦିନରୁ ଅଧିକ ସମୟ ରହିଲେ । ଏହି ସମୟ ଭିତରେ ସେ ଦେଓମାଳିରେ ଗୋଟିଏ କଥା ଲକ୍ଷ୍ୟ କରିଲେ ଯେ ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ଏହି ସୁନ୍ଦର ଏବଂ ବିଶୁଦ୍ଧ ସ୍ଥାନରେ ବ୍ୟବହୃତ ପ୍ଲାଷ୍ଟିକ୍ ବୋତଲ ତଥା ଅନ୍ୟାନ୍ୟ ଅଳିଆ ଏଣେ ତେଣେ ଫୋପାଡ଼ି ଚାଲି ଯାଉଛନ୍ତି । ପର୍ଯ୍ୟଟକ ଏବଂ ଦର୍ଶକମାନେ ଏହି ସ୍ଥାନର ବିଶୁଦ୍ଧ ବାୟୁ, ପ୍ରଦୂଷଣମୁକ୍ତ ପରିବେଶ ଆଦି ସମ୍ପର୍କରେ ଆଦୌ ସଚେତନ ନୁହଁନ୍ତି । ତେଣୁ ସେମାନେ ଏହି ସ୍ଥାନକୁ ପ୍ଲାଷ୍ଟିକ୍ ପାଣି ବୋତଲ, ପଲିଥିନ୍ ଫଏଲ୍, ଖାଦ୍ୟ ପୁଡ଼ିଆର ଆଲୁମିନିୟମ୍ ଫଏଲ, ଜରି ଆଦି ଏଣେ ତେଣେ ଫୋପାଡ଼ି ଦେଇ ଚାଲି ଯାଉଛନ୍ତି । ଏହି ଉତ୍ତୁଙ୍ଗ ଗିରିଶୃଙ୍ଗକୁ ପର୍ଯ୍ୟଟକମାନେ ଆସିବା ବେଳେ ଯେମିତି ସଫା ପୋଷାକ ପିନ୍ଧି ଆସୁଛନ୍ତି, ଠିକ୍ ସେହିପରି ପରିବେଶକୁ ମଧ୍ୟ ସଫା କରିବାକୁ ସେମାନେ ଭୁଲି ଯାଉଛନ୍ତି ।
ଖାଲି ଦେଓମାଳି ନୁହଁ ଆଜିକା ଦିନରେ ଯେକୌଣସି ପର୍ଯ୍ୟଟନସ୍ଥଳୀ ବର୍ତ୍ତମାନ ପରିବେଶ ଜନିତ ସମସ୍ୟାରେ ଜର୍ଜରିତ । ସେଥିପାଇଁ ଅନେକ ପର୍ଯ୍ୟଟନସ୍ଥଳୀରେ ରୋଷେଇ କରିବା ଉପରେ କଟକଣା ଲଗାଇ ଦିଆଯାଇଛି । ଏପରିକି ନିର୍ଦ୍ଦିଷ୍ଟ ସ୍ଥାନ ବ୍ୟତୀତ ଅନ୍ୟ ସ୍ଥାନରେ ରୋଷେଇ କରିବା କିମ୍ବା ଖାଇବାକୁ ବାରଣ କରାଯାଉଛି । ପର୍ଯ୍ୟଟକମାନେ ପରିଷ୍କାର, ପରିଚ୍ଛନ୍ନତା ପ୍ରତି ଆଦୌ ସଚେତନ ନୁହଁନ୍ତି । କେବଳ ସେତିକି ନୁହେଁ ସ୍ଥାନୀୟ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ମଧ୍ୟ ଏହି ସ୍ଥାନକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ପରିବେଶ ସମ୍ପର୍କିତ ସଚେତନ ମଧ୍ୟ କରାଉ ନାହାନ୍ତି । ରାଜାମୌଲୀ ଏସବୁ ଦେଓମାଳିରେ ଦେଖିବା ପରେ ତାଙ୍କ ମନ ଭିତରେ ଏକ ପ୍ରକାରର ନୈରାଶ୍ୟ ଭରିଯାଇଥିବା କଥା ପରୋକ୍ଷରେ ପ୍ରକାଶ କରିଛନ୍ତି ।
ସ୍ଥାନୀୟ ପ୍ରଶାସନ ଦେଓମାଳିକୁ ପରିଷ୍କାର କରିବା କଥା କିମ୍ବା ଅପରିଷ୍କାର ହେବା ଭଳି କୌଣସି ପଦାର୍ଥକୁ ଦେଓମାଳି ଭିତରକୁ ପ୍ରବେଶ କରାଇ ନଦେବା କଥା । ତେବେ ରାଜାମୌଲୀଙ୍କ ଅସନ୍ତୋଷ ପରେ ସ୍ଥାନୀୟ କିଛି ସ୍ୱେଚ୍ଛାସେବୀ ଦେଓମାଳି ପର୍ବତ ଉପରେ ଏଣେ ତେଣେ ପଡ଼ିଥିବା ପ୍ଲାଷ୍ଟିକ୍ ବୋତଲ, ଖାଦ୍ୟ ପୁଡ଼ିଆ, କୋଲ୍ଡ୍ଡି୍ରଙ୍କ୍ସ ବୋତଲ ଆଦିକୁ ପରିଷ୍କାର କରିଛନ୍ତି । ଦେଓମାଳିକୁ ନଗଲେ କେବଳ ଭାଷାରେ କହି ଏହାର ସୌନ୍ଦର୍ଯ୍ୟକୁ ବର୍ଣ୍ଣନା କରାଯାଇନପାରେ । ଅତି ଉଚ୍ଚ ପର୍ବତ ଶୃଙ୍ଗ ହୋଇଥିବାରୁ ସବୁ ଗାଡ଼ିର ଡ୍ରାଇଭର ମଧ୍ୟ ଏଠାରେ ଗାଡି ଚଳାଇ ପାରନ୍ତି ନାହିଁ । ଏଠାରେ ସଦା ସର୍ବଦା ଦକ୍ଷିଣା ପବନ ବହୁଥାଏ ଏବଂ ଏହି ପବନର ବେଗରେ ସିଧା ହୋଇ ଛିଡ଼ା ହେବା ସମ୍ଭବ ନୁହେଁ । ଏ ପ୍ରକାରର ଏକ ରୋମାଞ୍ଚକର ଅନୁଭୂତି ପାଇଁ ଆସୁଥିବା ପର୍ଯ୍ୟଟକମାନେ ପ୍ରଥମେ ସ୍ଥାନର ପରିଷ୍କୃତି ଉପରେ ଧ୍ୟାନ ଦେବା ଆବଶ୍ୟକ ।