ସ୍ୱାର୍ଥ-ନିସ୍ୱାର୍ଥ

ଆଜ୍ଞା ନମସ୍କାର,
ଆମେ ଚାହିଁବା ପ୍ରକାରେ ବା ଆମ ଇଚ୍ଛା ଅନୁସାରେ, ଅନ୍ୟମାନେ ଆମକୁ ସାହାଯ୍ୟ କରନ୍ତୁ ବୋଲି ଆମେ ସବୁବେଳେ ଭାବୁ । କିନ୍ତୁ ଆମେ କାହାକୁ ଟିକେ ସାହାଯ୍ୟ କରିବା ବେଳେ ସବୁବେଳେ କୁନ୍ଥୁକୁନ୍ଥୁ ହିଁ ହେଇଥାଉ । 
ସବୁ ମଣିଷ ଅଳ୍ପ ବହୁତେ ସ୍ୱାର୍ଥପର । ପ୍ରଥମେ ନିଜକଥା ଚିନ୍ତା କରି ତାପରେ ଅନ୍ୟମାନଙ୍କ କଥା ସୁବିଧା ମିଳିଲେ ଦେଖିବା ମଣିଷର ଏକ ସହଯାତ ପ୍ରବୃତ୍ତି । ମଣିଷ ଟିକିଏ ସ୍ୱାର୍ଥପର ନ ହେଲେ ବି ଏ ପୃଥିବୀ ଚଳିବ ନାହିଁ । ଅସ୍ତିତ୍ୱ ଡୁବିଯିବ । ନିଜକଥା, ନିଜ ପରିବାର କଥା, ନିଜ ବିଦ୍ୟା, ନିଜ ଶାରିରୀକ ଦକ୍ଷତା ଏଇଭଳି ଅନେକ କ୍ଷେତ୍ରରେ ଯଦି ସ୍ୱାର୍ଥପର ନ ହେବ ତେବେ ମଣିଷ ତ ସଂସାରରେ ବଞ୍ଚିପାରିବ ନାହିଁ । 
ହେଲେ ଏ ସ୍ୱାର୍ଥପରତାର ଏକ ସୀମା ଅଛି । ସବୁକଥାର ଅତିମାତ୍ରା ଯେମିତି ଗହିର୍ତ, ଠିକ୍ ସେମିତି ସ୍ୱାର୍ଥ ମଧ୍ୟ । 
ଅତିମାତ୍ରାରେ ସ୍ୱାର୍ଥପର ମଣିଷ ଜୀବନରେ କାହାକୁ ସାହାଯ୍ୟ କରେ ନାହିଁ, କିନ୍ତୁ ସବୁବେଳେ ଭାବୁଥାଏ ମତେ ହିଁ କିଏ ସାହାଯ୍ୟ କରୁ । 
ପ୍ରତ୍ୟେକ ସକ୍ଷମ ବ୍ୟକ୍ତି ନିଜର ସମସ୍ତ ପ୍ରାଚୁର୍ଯ୍ୟ, ଧନବଳ, ଜନବଳ ସତ୍ତ୍ୱେ ତା' କାମଟିକୁ ଆଉ କେହି କରିଦେଉ କିିମ୍ବା ତାକୁ ଆଉ କେହି ସାହାଯ୍ୟ କରୁ ଭଳି ଚିନ୍ତା କରେ । ଏହା ହେଉଛି ମଣିଷର ଏକ ସହଯାତ ପ୍ରବୃତ୍ତି । ଏହାସହିତ ମଣିଷକୁ ମଣିଷଟେ ସାହାଯ୍ୟ କରିବା ବି ମଣିଷର କର୍ତ୍ତବ୍ୟ, ଜୀବନର ଧର୍ମ । କାହାରି ସାହାଯ୍ୟ ବିନା ମଣିଷ ବଞ୍ଚିପାରିବ କି? କେହି କାହାରିକୁ ସାହାଯ୍ୟ ଟିକେ କରିଦେଲେ, କେହି ଛୋଟଲୋକ ହେଇଯାଏନି ଆଜ୍ଞା; ବରଂ ସାହାଯ୍ୟ କରିଥିବା ଲୋକଟା ଜଣଙ୍କ ପାଇଁ ଉଦାର ହେଇଯାଏ । ସମସ୍ତେ ସମସ୍ତଙ୍କର ଅବଦାନ ବା ସାହାଯ୍ୟକୁ ବୁଝି ପାରୁନଥିଲେ ସୁଦ୍ଧା, କେହି ନା କେହି ସେ ଉଦାର ମଣିଷଟାକୁ ହୃଦୟରେ ବସେଇଥାଆନ୍ତି ।   
ସମାଜରେ ଏଭଳି ବି ବ୍ୟକ୍ତି ଅଛନ୍ତି, ଯେଉଁମାନେ ନିଜ ପାଇଁ ସାହାଯ୍ୟ ଚାହିଁବା ସହିତ ଅନ୍ୟକୁ ସାହାଯ୍ୟ କରିବା ପାଇଁ ମଧ୍ୟ କୁଣ୍ଠାବୋଧ କରନ୍ତି ନାହିଁ । ସ୍ୱାର୍ଥ ତ ସମସ୍ତଙ୍କ ଅଛି, କିନ୍ତୁ ନିଜ ସ୍ୱାର୍ଥ ସହ ଅ୍ୟର ସ୍ୱାର୍ଥକୁ ମଧ୍ୟ ପୂରଣ କରିବା ପାଇଁ ବାଟ ଛାଡ଼ିଦେବା କିମ୍ବା ହାତ ଧରି କାହାରିକୁ ଟିକେ ଉପରକୁ ଉଠେଇ ଦେବା ବ୍ୟକ୍ତି ବହୁତ କମ୍ ଥାଆନ୍ତି । ଏମାନଙ୍କୁ ହିଁ ଆମେ ନିଃସ୍ୱାର୍ଥପର ବୋଲି କହୁ ।
ଜୀବନଯୁଦ୍ଧଟା ସମସ୍ତଙ୍କ ପାଇଁ ବ୍ୟକ୍ତିଗତ । କିନ୍ତୁ ଏହି ବ୍ୟକ୍ତିଗତ ଯୁଦ୍ଧରେ ବି କେହି ଜଣେ, କୋଉ ଉପାୟରେ ଆମକୁ ସାହାଯ୍ୟ କରିଦିଏ କିମ୍ବା ଆମେ କାହାକୁ ସାହାଯ୍ୟ କରିଦେଉ । ପରସ୍ପରକୁ ସାହାଯ୍ୟ କରିବାର ମନୋବୃତ୍ତି ନ ରହିଲେ ମଣିଷର ମଣିଷପଣିଆ ରହିବ ନାହିଁ । 
ପଢ଼ିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ "ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।