ନୀରବତା ଶ୍ରେୟସ୍କର
ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର 'ଅମୃତ ବିନ୍ଦୁ ।' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ କରିବା ନୀରବତା କେମିତି ଅନେକ ସମୟରେ ଶ୍ରେୟସ୍କର ? ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ଜୀବନରେ ଶବ୍ଦ ଓ ନିଶବ୍ଦ, ମଣିଷକୁ ବହୁତ କିଛି ଶିକ୍ଷା ଦିଏ । ଜୀବନରେ ଅନେକ ସମୟରେ ତୁଣ୍ଡ ଖୋଲିକି କହିବାକୁ ପଡ? ଓ ବହୁ ସମୟରେ ତୁନି ପଡିକରି ରହିବାକୁ ବି ହୁଏ ।ନୀରବ ରହିବା ଓ କହିବା ଏକ ପରିସ୍ଥିତିଜନିତ ଘଟଣା । କେଉଁ କ୍ଷେତ୍ରରେ ଜଣେ ନୀରବ ରହିବ ଏବଂ କେଉଁ କ୍ଷେତ୍ରରେ ଜଣେ କଥା କହିବା ଉଚିତ୍?, ଏହାର ବିିଚାର ସମସ୍ତଙ୍କର ନିକଟରେ ନଥାଏ । କେଉଁ ସମୟରେ କଥା କହିଲେ ମଙ୍ଗଳ ହେବ, କେତେ ପର୍ଯ୍ୟନ୍ତ କହିଲେ ମଙ୍ଗଳ ହେବ-ତାର ବିଚାର ସମସ୍ତେ କରିପାରନ୍ତି ନାହିଁ । ସେଇଥିପାଇଁ କଥାରେ ଅଛି-ନିଜ ତୁଣ୍ଡ ହିଁ ନିଜର ସବୁଠାରୁ ବଡ ଶତ୍ରୁ । ନିଜ ମୁହଁର ଭାଷାରେ ମଣିଷ ନିଜର ଶତ୍ରୁମାନଙ୍କୁ ତିଆରି କରେ । ଠିକ୍ ସେହିିପରି ନିଜର ଭାଷାରେ ବନ୍ଧୁମାନଙ୍କୁ ମଧ୍ୟ ସୃଷ୍ଟି କରେ ।
ମଣିଷର ବାକ୍ ସଂଯମତା ନ ରହିଲେ ଅନେକ ପ୍ରକାରର ଦୁଃଖ ପାଏ । "ହଁ କହୁ କହୁ କହିଦେଲି'' ବୋଲି କହିଦବାଟା, ଅନେକ ସମୟରେ ବଡ ମାରାତ୍ମକ କଥା । ଜୀବନର ବହୁ ପରିସ୍ଥିତିରେ "କହୁ କହୁ କହିଦେଲି'' ବୋଲି ଯେତେ ସଫେଇ ଦେଲେ କି ଭୁଲ୍ ମାଗିଲେ, ଆଉ ସେସବୁର କିଛି ମୂଲ୍ୟ ନଥାଏ ।
ଆଚରଣ ଏବଂ ଭାଷା ମଧ୍ୟ ବ୍ୟକ୍ତିର ପରିଚୟ । କେତେପଦ କଥା ମାଧ୍ୟମରେ ଜଣେ ବ୍ୟକ୍ତିର ଜ୍ଞାନର ଗଭୀରତା ଏବଂ ଅତୀତର ଅଭିଜ୍ଞତାକୁ ମାପି ଦିଆଯାଇପାରେ । ତେଣୁ କଥା ନ କହିବା ସବୁବେଳେ ଭଲ ନୁହେଁ କିମ୍ବା କଥା କହିବା ସବୁବେଳେ ଭଲ ନୁହେଁ । ଏହି ଦୁଇଟି ଯାକ ଘଟଣାକୁ ଦୃଷ୍ଟିରେ ରଖି ବାକ୍ ସଂଯମତା ଉପରେ ଗୁରୁତ୍ୱ ଦିଆଯାଏ । ଅନେକ ଦାର୍ଶନିକ, ଏ ପୃଥିବୀକୁ ଉପଭୋଗ କରିବାକୁ ହେଲେ ନୀରବତା ହିଁ ଶ୍ରେଷ୍ଠ ଅସ୍ତ୍ର ବୋଲି ମତ ଦିଅନ୍ତି । ହେଲେ ନୀରବତାର ଉପଯୋଗ କେଉଁ କ୍ଷେତ୍ରରେ କରାଯିବା ଆବଶ୍ୟକ ଓ କେଉଁ କ୍ଷେତ୍ରରେ ଅନୁଚିତ୍?, ସେତକ ମଣିଷକୁ ଜାଣିବାକୁ ପଡିଥାଏ । ନୀରବତା ମଧ୍ୟ ଏକ ଭାଷା । ନୀରବ ରହିବା ସମ୍ମତିସୂଚକ ହୋଇପାରେ କିମ୍ବା ଅସମ୍ମିତର ଲକ୍ଷଣ ବି ହୋଇପାରେ । କୌଣସି ଏକ ଘଟଣାକୁ ସମର୍ଥନ କରିବା, ନୀରବ ରହିବା ଦ୍ୱାରା ହେଇଯାଏ ।
ପଢିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ ‘ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।