ଶାନ୍ତିର ସ୍ଥାନ କୋଉଠି ?

ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର ‘ଅମୃତ ବିନ୍ଦୁ  ।' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ କରିବା ଜୀବନରେ ଶାନ୍ତିର ସ୍ଥାନ କୋଉଠି, ସେ ବାବଦରେ କିଛି କଥା  । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା  ।
ଜୀବନରେ ଅନେକ କାରଣ ପାଇଁ ଆମେ ଅଶାନ୍ତି ଭିତରେ ଘାଣ୍ଟିସନ୍ତୁଳି ହେଉଛେ ବୋଲି କହୁଛେ ସିନା, ବାସ୍ତବରେ ଜୀବନର ଶାନ୍ତିକୁ ଆମେ ହିଁ ପୋଛି ଦେଇଛେ, ସଫା କରି ଦେଉଛେ  । ଆମେ ହିଁ ଆମର ସମସ୍ୟାର କାରଣ  । ଆମେ ଯଦି ସମସ୍ୟାର ସମାଧାନ ପାଇଁ ଚେଷ୍ଟା ନକରି ଯାହା ଦ୍ୱାରା ଆହୁରି ଅଧିକ ସମସ୍ୟା ବଞ୍ଚିବ, ସେଭଳି ଜିନିଷ ପଛରେ ଧାଇଁବା ଆମକୁ କେବେ ଶାନ୍ତି ମିଳିବ ନାହିଁ  । ଜୀବନର ପ୍ରତ୍ୟେକଟି ମୁହୂର୍ତ୍ତ ଉପଭୋଗ୍ୟ ଏବଂ ଧୀରସ୍ଥିର ଶାନ୍ତ ମନରେ ବୁଝିବା ଆବଶ୍ୟକ  । କୌଣସି ଏକ ତକôାଳିକ ଚିନ୍ତାରେ କୌଣସି ଏକ ସମସ୍ୟାର ମୂଲ୍ୟାୟନ କରାଯିବା ଅନୁଚିତ୍ । ଆମେ ଆଜି ଯେଉଁ ପରିସ୍ଥିତିରେ ଅଛୁ, ତାହା ଠାରୁ ଆହୁରି ଖରାପ ପରିସ୍ଥିତିରେ ଅନେକ ଲୋକ ଅଛନ୍ତି ଏବଂ ସେମାନେ କେବେହେଲେ କାହା ନିକଟରେ ନିଜର ପରିସ୍ଥିତି ନେଇ ଅଭିଯୋଗ କରନ୍ତି ନାହିଁ  । ଅଭିଯୋଗ ନ କରିବାଟା ହିଁ ଏକ ମହାନ୍ ମାନବୀୟ ଗୁଣ  । କାରଣ ସମସ୍ତେ ପ୍ରତ୍ୟେକ ଘଟଣାରେ ଭୁଲ ଖୋଜି ବସନ୍ତି, ଅନ୍ୟକୁ ଦୋଷ ଦେବା ଜାଣିଛନ୍ତି । କିନ୍ତୁ ଦୋଷ ଭିତରେ ଗୁଣଟିଏ ଖୋଜି ବାହାର କରିବା ପ୍ରାୟତଃ କାହାରି ପକ୍ଷରେ ସମ୍ଭବ ହୁଏନାହିଁ  । ସେଥିପାଇଁ ସମସ୍ୟା ଛାଡ? ନାହିଁ ଏବଂ ଯେଉଁଠି ସମସ୍ୟା ସେଇଠି ଅଶାନ୍ତି  । ସମସ୍ୟା ତ ସମସ୍ତଙ୍କର ଅଛି  । କିନ୍ତୁ ସମସ୍ୟାକୁ ଧୈର୍ଯ୍ୟର ସହିତ ସମ୍ମୁଖୀନ ନ ହେଲେ କେହି କେବେ ହେଲେ ଭଲରେ ଚଳିପାରିବେ ନାହିଁ  । ସବୁ ପାଚୁର୍ଯ୍ୟ ଭିତରେ ବି ଅଭାବଟିଏ ଥାଏ  । ଏ ପୃଥିବୀରେ କେହି ସ୍ୱୟଂସମ୍ପୂର୍ଣ୍ଣ ନୁହଁନ୍ତି  । ତେଣୁ ଅଭାବଗୁଡିକ ସହିତ କିଭଳି ଭାବରେ ସମ୍ମୁଖୀନ ହେବ ଏବଂ ମନକୁ ସ୍ଥିର ରଖି ଅଭାବର ବିଶ୍ଲେଷଣ କରିବ, ତାହା ତା'ରି ଉପରେ ନିର୍ଭର କରେ  । ସେତିକି କରିନପାରିଲେ ବିଶାଳ ସମ୍ପଦର ଅଧିକାରୀ ମଧ୍ୟ ଶାନ୍ତି ପାଇବ ନାହିଁ  । ଆଉ ନିଜ ମନକୁ ଆୟତ୍ତ କରିଲେ ଦରିଦ୍ର ମଧ୍ୟ ଶାନ୍ତିରେ ଶୋଇପାରିବ  । ଏକ ସୁଖନିଦ୍ରା ମଧ୍ୟ ଶାନ୍ତି  । ଆଉ ଏହି ସୁଖନିଦ୍ରା ସମ୍ପଦ ମାଧ୍ୟମରେ ହୁଏ ନାହିଁ  । ନିଜ ମନକୁ ନିୟନ୍ତ୍ରଣରେ ରଖିଲେ ନିଦ୍ରା, ସୁଖନିଦ୍ରା ହୁଏ  ।
ପଢିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ  । ଆସନ୍ତୁ ପ୍ରତ୍ୟେକ ଦିନ ଆମେ 'ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା  । ନମସ୍କାର  ।