ଅନ୍ତର୍ଜାତୀୟ ପରିବାର ଦିବସ


ପରିବାରର ଗୁରୁତ୍ୱକୁ ବୁଝିବା ଏବଂ ପାରିବାରିକ ଜୀବନ ଶୈଳୀକୁ ପ୍ରୋତ୍ସାହନ ଦେବା ଉଦେ୍ଦଶ୍ୟରେ ପ୍ରତିବର୍ଷ ମେ ୧୫ ତାରିଖକୁ ଅନ୍ତର୍ଜାତୀୟ ପରିବାର ଦିବସ ଭାବେ ପାଳନ କରାଯାଇଥାଏ  । ୧୯୯୩ ମସିହାରେ ମିଳିତ ଜାତିସଂଘ ଏହି ଦିବସ ପାଳନକୁ ଅନୁମତି ପ୍ରଦାନ କରିଥିଲା  । ସାରା ବିଶ୍ୱକୁ ଏକ ପରିବାର ଭାବେ ବିବେଚନା କରିବା ଏବଂ ପାରିବାରିକ ପରିବେଶ ବିକଶିତ କରି ସାମାଜିକ ବିକାଶରେ ସହାୟକ ହେବା ଉଦେ୍ଦଶ୍ୟରେ ଏହି ଦିବସ ପାଳନକୁ ଜାତିସଂଘ ଜୋର ଦେଇ ଆସିଛି  ।  
    ଏକ ମାଳାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ଏହାର ସୂତା  । ସମାଜରେ ଏହି ସୂତା ହେଉଛି ସଂସ୍କାର  । ସଂସ୍କାର ନୈତିକ ଆଚରଣ ରଙ୍ଗରେ ରଙ୍ଗେଇ ହୋଇଥାଏ  । ସମାଜରେ ଆସୁଥିବା ସବୁ ପରିବର୍ତ୍ତନ, ସଭ୍ୟତା ନାଁରେ ଆସୁଥିବା ପ୍ରଭାବ ସତ୍ତ୍ୱେ ଯଦି ସୂତାରେ ଗଣ୍ଠି ନପଡ଼େ ତାହେଲେ ଆମ ସମାଜ, ଆମ ସଭ୍ୟତାର ମାଳା ଅକ୍ଷୁଣ୍ଣ ରହିବ  । ଏ କଥା ପରିବାର ସଂଖ୍ୟାରେ ବୃଦ୍ଧି, ସଦସ୍ୟମାନଙ୍କ ମଧ୍ୟରେ ତାଳମେଳର ଅଭାବ, ଚପଗ୍ରସ୍ତ ବାତାବରଣ, ଦେବାର ଭାବନା ନ ରହିବ, ନିଜ ଖୁସି ଖୋଜିବାର ଆଗ୍ରହ, ସଦସ୍ୟମାନଙ୍କ ମଧ୍ୟରେ ବାର୍ତ୍ତାଳପର ଅଭାବ, ଆଦି ନିରବରେ ଅନେକ କିଛି କରିଯାଏ  । ଏହି ଛୋଟ ଛୋଟ କଥା ମଜଭୁତ ସୂତାକୁ କେତେବେଳେ ଦୁର୍ବଳ କରିଦେଉଛି ସେ କଥା ବି ଜଣାପଡ଼େନି  । ହେଲେ ସଂଧ୍ୟା ପୂର୍ବରୁ ଦୀପ ଲଗାଇଦେଲେ ଘର ଅନ୍ଧାର ହୁଏନି  । ଏବେ ବି ସମୟ ହାତରୁ ଯାଇନି, ଗୋଟିଏ ପିଢ଼ି ପର ପିଢ଼ିକୁ ସଂସ୍କାର ହସ୍ତାନ୍ତର କରିପାରିବ ଉତ୍ତରାଧିକାର ସୂତ୍ରରେ  । ତା ହେଲେ କ'ଣ କରିବେ ? କ'ଣ କଲେ ପରିବାର - ସମାଜର ମାଳା ଗୋଟିଏ ସୂତ୍ରରେ ବାନ୍ଧି ହୋଇ ରହିବ ? ଆଜିର ବ୍ୟସ୍ତ ସମୟରେ ସମୟ ନାହିଁ କାହା ପାଖରେ  । ତା ଭିତରେ ବି ସମୟ କାଢ଼ିବାକୁ ହେବ ପରିବାର ପାଇଁ, ପର ପିଢ଼ି ପାଇଁ  । ପ୍ରଥମେ ଏଥିପାଇଁ ବାଛନ୍ତି ଦିନଟିଏ  । ପିଲାଙ୍କ ଜନ୍ମ ଦିନ ଏମିତି ଏକ ଅବସର  । ପୁରା ପରିବାର ଏକାଠି ଖୁସି ମନାଏ ଏ ଦିନରେ  । ତେଣୁ ସମସ୍ତଙ୍କ ସହ ମିଶି ଏକ ରୀତି ପରି ପାଳନ କରନ୍ତୁ ଏ ଦିନକୁ  । ଜନ୍ମ ଦିନରେ ବଡ଼ମାନେ ଉପହାର ଓ ଆଶୀର୍ବାଦ ତ ଦିଅନ୍ତି  । ହେଲେ ପ୍ରତିବର୍ଷ ପିଲାଙ୍କୁ ସଂସ୍କାରଟିଏ ମଧ୍ୟ ଉପହାର ଦିଅନ୍ତୁ  । ବଡ଼ମାନଙ୍କୁ ସମ୍ମାନ କରିବା ହେଉ କି ସମସ୍ତଙ୍କୁ ସାହାଯ୍ୟ କରିବା ହେଉ  । ସବୁବେଳେ ସତ କହିବାର ଶିକ୍ଷା ହେଉ ବା ଠିକ୍ ସମୟରେ କାମ କରିବାର ଶିକ୍ଷା  । ପିଲାର ବୟସ ଅନୁଯାୟୀ ସଂସ୍କାର ବାଛି ତାକୁ ଦିଆଯାଇପାରେ  । ଆପଣ ଚାହିଁଲେ ଦୁଇ-ତିନି ସଂସ୍କାର ମଧ୍ୟରୁ ଗୋଟିଏକୁ ବାଛିବା ନିମନ୍ତେ ପିଲାକୁ ବିକଳ୍ପ ଦିଅନ୍ତୁ  । ଏ ସମ୍ପର୍କରେ ଜନ୍ମ ଦିନରେ କିଛିଦିନ ଆଗରୁ ପରିବାରର ବଡ଼ମାନେ ବସି ବିଚାରବିମର୍ଶ କରିନେବା ଉଚିତ  । ସଂସ୍କାରର ବିଭିନ୍ନ ବିକଳ୍ପ ମଧ୍ୟରୁ ଗୋଟିକୁ ବାଛିବା ନିମନ୍ତେ ପିଲାଙ୍କୁ କୁହନ୍ତୁ  । ଏହାର ଲାଭ କ'ଣ ସେ କଥା ମଧ୍ୟ ପିଲାଙ୍କୁ ବୁଝାଇ ଦେବା ଦରକାର  । ପିଲାମାନେ ପ୍ରତିଜ୍ଞା ଭୁଲି ଯାଆନ୍ତି  । ସଂସ୍କାର ଓ ଏହାକୁ ପାଳନ କରିବା ନିମନ୍ତେ ପ୍ରତିଶ୍ରୁତି ପିଲା ନ ଭୁଲୁ ଏହା ପରିବାରର ସବୁ ସଦସ୍ୟଙ୍କ ଦାୟିତ୍ୱ  । ସେ ଭୁଲି ନଯାଉ ଏଥିପାଇଁ ସବୁ ବଡ଼ମାନେ ତାକୁ ମଝିରେ ମଝିରେ ସ୍ନେହରେ ବୁଝାଇବା ଦରକାର  । କହିବାର ଶୈଳୀ ଠିକ୍ ହେଲେ ପିଲାମାନେ କଥା ମାନନ୍ତି  । ଭଲ ସଂସ୍କାର ପିଲା ମନରେ ଭଲ ବିଚାର ଆଣେ  । ତାକୁ ବାଟବଣା ହେବାରୁ ରୋକେ, ଜୀବନ ଜୀଇଁବାର ଉପାୟ ଶିଖାଏ  । ପିଲା ପରିବାର ଓ ସମାଜକୁ ଭଲପାଇ ଏଥିପାଇଁ ପ୍ରଥମରୁ ବାପ-ମାଆ ଯତ୍ନଶୀଳ ହେବା ଦରକାର  ।
    ଯଶସ୍ୱିନୀ ପଟ୍ଟନାୟକ