ସମ୍ବିଧାନରେ ଶାସନର ତ୍ରିବେଣୀ ବ୍ୟବସ୍ଥା

ଗୋପାଳ  ମହାପାତ୍ର :  ପୁଞ୍ଜିବାଦୀ ଗଣତନ୍ତ୍ରରେ ବ୍ୟକ୍ତି-କେନ୍ଦ୍ରୀତ ଦଳ ଆଧାରିତ ନିର୍ବାଚନ ପ୍ରଣାଳୀ ଶାସନକୁ ନିୟନ୍ତ୍ରିତ କରିବାର ମାଧ୍ୟମ ଅଟେ । କିନ୍ତୁ ଶାସନ ଗାଦି ପ୍ରାପ୍ତି ପରେ ନିଜକୁ ସର୍ବଅଧିକାର ସମ୍ପନ୍ନ ବୋଲି ଭାବିନେଇ ଶାସନ ଚଳାଇବା ଶାସନ ଉପରେ ଏକାଧିକାର ବାଦକୁ ଜନ୍ମ ଦେଇଥାଏ । ଏବେ ଦେଶର ଜନସାଧାରଣଙ୍କୁ ଏହାର ପରିଣାମ ଭୋଗିବାକୁ ପଡୁଛି । ଏଭଳି ଏକାଧିକାରବାଦୀ ଶାସନର ଏକ ଝଲକ ବିଗତ ଦିନରେ ଦେଖିବାକୁ ମିଳଥିଲା ଯେତେବେଳେ ୱକଫ ସଂଶୋଧନ ଅଧିନିୟମ-୨୦୨୫ର ବୈଧତାକୁ ନେଇ ସୁପ୍ରିମ୍ କୋର୍ଟରେ ଚାଲେଞ୍ଜ କରାଯାଇଥିଲା ଓ ସୁପ୍ରିମ୍ କୋର୍ଟ ଏହାର ଆଂଶିକ ସ୍ଥଗନ ଆଦେଶ ଦେଇଥିଲେ । କୋର୍ଟଙ୍କ ଆଦେଶ ପରେ ଶାସକ ଦଳର ସାମ୍ବିଧାନିକ ପଦାଧିକାରୀ ସୁପ୍ରିମ୍କୋର୍ଟଙ୍କ ସାମ୍ବିଧାନିକ ସୀମା ବାବଦରେ ଜ୍ଞାନ ଦେବାରେ ଲାଗିଲେ । ଏହା ପୁର୍ବରୁ ତତ୍କାଳୀନ ସୁପ୍ରିମ୍କୋର୍ଟଙ୍କ ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠ ବାବରି ମସଜିଦ୍- ରାମମନ୍ଦିର ମାମଲାର ରାୟ ଶୁଣାଇବା ପୁର୍ବରୁ ସୁପ୍ରିମ କୋର୍ଟ ପରିସରରେ ପ୍ରଧାନମନ୍ତ୍ରୀଙ୍କ ସହ ବିଚାରପତି ମାନଙ୍କର ଭେଟ/ଆଲୋଚନା ମଧ୍ୟ ହୋଇଥିଲା । ଏଣୁ ଏଥିରୁ ସ୍ପଷ୍ଟ ଯେ ସାମ୍ବିଧାନିକ କ୍ଷେତ୍ରର ଉପରେ ସତ୍ତାଧିକାର କ୍ଷେତ୍ରର ଭୂମିକା ଅଧିକ ।
ଦୁଇଟି କଥାର ଚର୍ଚ୍ଚା ଏଠାରେ କରାଯିବାର ଆବଶ୍ୟକତା ରହିଛି । ପ୍ରଥମତଃ କାର୍ଯ୍ୟପାଳିକା, ବିଧାୟିକା ଏବଂ ନ୍ୟାୟପାଳିକା ନିଜ ନିଜ କ୍ଷେତ୍ରରେ ସ୍ୱତନ୍ତ୍ର । ଏମାନଙ୍କୁ ସମ୍ବିଧାନର ପ୍ରଦତ୍ତ ଅଧିକାର କ୍ଷେତ୍ର ମଧ୍ୟରେ ରହି କାର୍ଯ୍ୟକରିବା ପାଇଁ ସ୍ୱତନ୍ତ୍ରତା ମିଳିଛି । ବିଧାୟିକା ଏବଂ କାର୍ଯ୍ୟପାଳିକାକୁ ଅନୁଛେଦ ୧୦୭ ଅନୁସାରେ ମିଳିମିଶି ନିୟମ-କାନୁନ ପ୍ରଣୟନ କରିବାର ଅଧିକାର ମିଳିଛି । କିନ୍ତୁ ଏହି ଆଇନ ଯଦି ଭେଦଭାବ କରେ ନିରଙ୍କୁଶ ହୁଏ ଅଥବା ସାମ୍ବିଧାନିକ ଅଧିକାର ଉପରେ କୁପ୍ରଭାବ ପକାଇଥାଏ ତେବେ ଏହି ଆଇନ ବୈଧ ନୁହେଁ । ଏହାର ବୈଧତା- ଅବୈଧତା ଅଥବା ସମ୍ବିଧାନ ସମ୍ମତ କି ନୁହେଁ ସେ ବାବଦରେ ନ୍ୟାୟପାଳିକା ନିର୍ଣ୍ଣୟ କରିଥାଏ । ଅନୁଛେଦ ୧୪୧ ଓ ୧୪୨ରେ ନ୍ୟାୟପାଳିକାକୁ ଦିଆଯାଇଥିବା ଅଧିକାର ତଥା ନ୍ୟାୟିକ ସମୀକ୍ଷାର ଅଧିକାର ଅସୀମିତ ଅଟେ । ଦ୍ୱୀତୀୟତଃ ସମ୍ବିଧାନରେ ଆଇନ ପ୍ରଣୟନ ପାଇଁ ଯେତେ ବିଶୟ ରହିଛି ସେ ବିଷୟ ଉପରେ ପ୍ରଣୟନ କରାଯାଇଥିବା ଆଇନ ସମ୍ବିଧାନ ସମ୍ମତ କି ନୁହେଁ ଅଥବା ଭେଦଭାବପୁର୍ଣ୍ଣ ଏହାର ଆକଳନ ଏବଂ ମୂଲ୍ୟାଙ୍କନ କରିବା ପାଇଁ କ’ଣ ଆଧାର ରହିଛି ଏହା ଉପରେ ନ୍ୟାୟପାଳିକା ବିଚାର କରିଥାଏ । ଦେଖିବାକୁ ଗଲେ, ଆଇନରେ ଦେଶର ନାଗରିକଙ୍କ ଆଶା, ନାଗରିକଙ୍କ ଆବଶ୍ୟକତା କେମିତି ପରିଲକ୍ଷିତ କରାଯାଇଛି, କେମିତି ଅଭିବ୍ୟକ୍ତ କରାଯାଇଛି ତାକୁ ଆଧାର କରି ନ୍ୟାୟପାଳିକା ଆଇନର ଆକଳନ କରିଥାନ୍ତି ବା ଅନ୍ୟ ଅର୍ଥରେ ସଂପୃକ୍ତ ଆଇନ୍ର ସମୀକ୍ଷା କରିଥାନ୍ତି । ଗଣତନ୍ତ୍ରର ୩ଟି ସ୍ତମ୍ଭ କଥା ଅଧିକତର ଭାବେ କୁହାଯାଏ । ସେ ସବୁ ହେଉଛି ବିଧାୟିକା, କାର୍ଯ୍ୟପାଳିକା ଓ ନ୍ୟାୟାପାଳିକା । ବିଧାୟିକା, କାର୍ଯ୍ୟପାଳିକା ଏବଂ ନ୍ୟାୟପାଳିକା ଏକ ପ୍ରକାରର ତ୍ରିବେଣୀ ବା ତିିିିିିିିିନି ମୁଖ୍ୟାଧାରା ଯିଏ ଜନତାଙ୍କ ଆକାଂକ୍ଷାର ପ୍ରତୀକ ଅଟନ୍ତି । କାର୍ଯ୍ୟପାଳିକାରେ ପୁର୍ଣ୍ଣତଃ ସାମ୍ବିଧାନିକ ପ୍ରାଧିକାରୀ ଯଥା- ସିଏଜି, ମହାଧିବକ୍ତା, ନିର୍ବାଚନ କମିଶନ ସହିତ ତମାମ ପ୍ରଶାସନିକ ବ୍ୟବସ୍ଥା ରହିଛି । ନ୍ୟାୟପାଳିକାରେ ପ୍ରଧାନ ବିଚାରପତି, ସୁପ୍ରିମକୋର୍ଟର ଅନ୍ୟ ବିଚାରପତିମାନେ, ହାଇକୋର୍ଟର ମୁଖ୍ୟ ବିଚାରପତି ଓ ଅନ୍ୟ ବିଚାରପତି ଏବଂ ନିମ୍ନ ଅଦାଲତର ବିଚାରପତିମାନେ ସାମିଲ । ବିଧାୟିକା ପୁର୍ଣ୍ଣତଃ ସାଂସଦ, ବିଧାୟକ ଅଟନ୍ତି । ଏମାନଙ୍କ ଜିତିବା ପଛରେ ରହିଛି ସାଧାରଣ ଜନତା, କୃଷକ, ଶ୍ରମିକ ଏବଂ ଅନ୍ୟବର୍ଗଙ୍କ ଭୋଟ । ଏସବୁ ପରେ ସେମାନଙ୍କ ଆକାଂକ୍ଷା ଓ ଆଶା ରହିଛି । ଏହା ହେଉଛି ସମ୍ବିଧାନର ଆତ୍ମା । ସମ୍ବିଧାନର ଏହି ଆତ୍ମାକୁ ପରିଲକ୍ଷିତ କରି ସମ୍ବିଧାନରେ ମୂଳ ଅଧିକାର ତଥା ରାଜ୍ୟ ମାନଙ୍କୁ ନୀତିରେ ନିର୍ଦେଶକ ତତ୍ତ୍ୱ ଭାବରେ ସୂଚୀବଦ୍ଧ କରାଯାଇଛି । ମୂଳ ଅଧିକାର ବ୍ୟକ୍ତିଗତ ବିଷୟ ସହ ଯୋଡ଼ି ହୋଇଛି, ସେହିପରି ରାଜ୍ୟ ମାନଙ୍କୁ ସାମୂହିକ, ସାମୁଦାୟିକ, ବିଭିନ୍ନ ବର୍ଗର ସାମାଜିକ, ଆର୍ଥôକ ଓ ରାଜନୈତିକ ଆବଶ୍ୟକତାକୁ ପୂରଣ କରିବାର ଦୟିତ୍ୱ ଦିଆଯାଇଛି । ସମ୍ବିଧାନ ନିର୍ମାତା ମାନେ ଭାରତୀୟ ସମାଜର ବିବିଧତା ବିଷମତାକୁ ପ୍ରତ୍ୟକ୍ଷ ଭାବେ ଦେଖିଛନ୍ତି ଏଣୁ ସେସବୁ କଥାକୁ ଆବଶ୍ୟକତାକୁ ରେଖାଙ୍କିତ କରାଯାଇଛି ଏବଂ କାର୍ଯ୍ୟାପାଳିକା, ବିଧାୟିକାର କୌଣସି ବି ବ୍ୟତିକ୍ରମ ଅଥବା ଜନ ଆକାଂକ୍ଷାର ଅଣଦେଖା କରି ସାମ୍ବିଧାନିକ ମାନଙ୍କର ଅତିକ୍ରମଣ କରାଗଲେ ନ୍ୟାୟପାଳିକାକୁ ସେ ସବୁର ସମୀକ୍ଷା କରିବା ପାଇଁ ଅଧିକାର ଦିଆଯାଇଛି । ଏପରିକି ନ୍ୟାୟପାଳିକାକୁ ବିଧାୟିକା ଏବଂ କାର୍ଯ୍ୟପାଳିକାକୁ ନିର୍ଦେଶ ଦେବାର ଅଧିକାର ସମ୍ବିଧାନ ଦେଇଛି । ତ୍ରିବେଣୀର ଦୁଇଧାରା କାର୍ଯ୍ୟପାଳିକା ଓ ବିଧାୟିକା ସମ୍ବିଧାନରେ ଉଲ୍ଲିଖିତ ବ୍ୟବସ୍ଥାକୁ ଉଲଂଘନ,  ଅତିକ୍ରମଣ କଲେ ନ୍ୟାୟପାଳିକା ହସ୍ତକ୍ଷେପ କରିପାରିବ । ଅନ୍ୟଥା ବ୍ୟକ୍ତି କେନ୍ଦ୍ରିତ ଗଣତାନ୍ତ୍ରିକ ବ୍ୟବସ୍ଥା ଏକାଧିକାରରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ।
ମୋ -୯୪୩୮୪୮୫୦୯୪